ଜଳଛତ୍ର ନାଁରେ ବ୍ୟାପକ ହରିଲୁଟ

ବ୍ରହ୍ମପୁର : ଜଳଛତ୍ର ନାଁରେ ବାଟମାରଣା । ତା ପୁଣି ବ୍ରହ୍ମପୁର ମହାନଗର ନିଗମରେ । ସୂଚନା ଅଧିକାର ବଳରେ ପଦାକୁ ଆସିଛି  ଏଭଳି ସାଂଘାତିକ ତଥ୍ୟ । ୨୦୨୧ ଓ ୨୦୨୨ରେ ସହରରେ କୌଣସି ଜଳଛତ୍ର ଖୋଲାଯାଇନି । ୨୦୨୩ ଖୋଲାଯାଇଥିଲା ମାତ୍ର ୪ଟି । ୨୦୨୪ରେ ହଠାତ୍ ସହରରେ ୫୩ଟି ଜଳଛତ୍ର ଖୋଲାଗଲା । ଆଉ ସେ ବାବଦରେ ଖର୍ଚ୍ଚ ହେଲା ୨୩ ଲକ୍ଷ ୮୭ ହଜାର ୫୦୫ ଟଙ୍କା । ଗୋଟିଏ ମେସିନର ଦାମ ୪୫ ହଜାର ଟଙ୍କାରୁ ଅଧିକ । ଖୋଲା ବଜାରରେ ପାଣିକୁ ଶୁଦ୍ଧ କରୁଥିବା ୪୦ ଲିଟର ମେସିନ ମୂଲ୍ୟ ୪୦ ହଜାର ଟଙ୍କା । ଏହାକୁ ଯଦି ସହରର ବିଭିନ୍ନ ଛକ ମାନଙ୍କରେ ସ୍ଥାୟୀ ଭାବରେ ପ୍ରତିଷ୍ଠା କରାଯାଇ ପାରିଥାନ୍ତା ତେବେ ପ୍ରାୟ ୪୭ଟି ମେସିନ ଲାଗିପାରିଥାନ୍ତା । ଜଳଛତ୍ର ନାଁରେ ଏତେଟଙ୍କା ଖର୍ଚ୍ଚ କରିବା ପଛରେ ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ ।

ବ୍ରହ୍ମପୁର ମହାନଗର ନିଗମ ନାଁରେ ରହିଛି ଦୁର୍ନୀତିର ଲମ୍ବା ତାଲିକା । ପ୍ରତି ବିଭାଗରେ ଅନିୟମିୟତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ରାସ୍ତା, ଡ୍ରେନ ଠାରୁ ଆରମ୍ଭ କରି ମଶାମରା ଔଷଧ, ପୋଖରୀ ଖୋଳା,  ବୃକ୍ଷ ରୋପଣ, କାନ୍ଥରେ ଚିତ୍ର ଆଙ୍କିବା, ପାର୍କ ନବୀକରଣ, ବାଉଁଶ ବ୍ୟାରିକେଡ, ସ୍ୱାୟତ୍ତ ଶାସନ ଦିବସ ପାଳନରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଲୋକଙ୍କ ଟଙ୍କା ହରିଲୁଟ ହେଉଥିବାରୁ ଘଟଣାର ତଦନ୍ତ ଦାବି କରିଛନ୍ତି ବିଭିନ୍ନ ସଂଗଠନ।  ସେପଟେ ମେୟର କହିଛନ୍ତି ଏନେଇ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ । ଅଭିଯୋଗ ଆସିଲେ ତଦନ୍ତ କରାଯିବ ।