ସମ୍ପତ୍ତି ଲୋଭରେ ଘର ମାଲିକକୁ ପୋଡି ମାରିଦେଲେ ଭଡାଟିଆ ମହିଳା

ବ୍ରଡ୍ମପୁର : ବୀଭତ୍ସ, ହୃଦୟ ବିଦାରକ, ଅମାନୁଷିକ । ସମ୍ପତ୍ତି ଲୋଭରେ ଘର ମାଲିକକୁ ପୋଡି ମାରିଦେଲେ ଭଡାଟିଆ ମହିଳା । ଘଟଣା ଘଟିଛି ବ୍ରହ୍ମପୁର ସୁବାସନଗର ଦ୍ବିତୀୟ ଲାଇନରେ । ନିଜ ତିନିମହଲା ଘରର ଦ୍ବିତୀୟ ମହଲାରେ ରହୁଥିବା ଅବସରପ୍ରାପ୍ତ ଆରଆଇ ହରିହର ସାହୁଙ୍କୁ ଜୀଅନ୍ତା ପୋଡି ମାରିବା ଉଦ୍ୟମ କରିଥିଲେ ଭଡାଟିଆ ସୁଦେଷ୍ଣା ଜେନା । ପୁଣି ନିଜେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦେଷ୍ଣା । ୨୮ତାରିଖ ବିଳମ୍ବିତ ରାତିରେ ସୁଦେଷ୍ଣା,ଘର ମାଲିକ ହରିହରଙ୍କୁ ତାଙ୍କ କୋଠରୀରେ କିରୋସିନୀ ପକାଇ ନିଆଁ ଲଗାଇ ଦେଇଥିଲେ । ନିଆଁ ଲଗାଇଦେବା ପରେ, ବାହାରୁ କବାଟ ଦେଇ ନିଜ କୋଠରୀକୁ ଚାଲିଯାଇଥିଲା । ସକାଳୁ ସୁଦେଷ୍ଣା, ହରିହର ରହୁଥିବା କୋଠରୀ ଖୋଲି ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଏମକେସିଜିକୁ ନେଇ ଭର୍ତ୍ତି କରିଥିଲେ । ଦୁଇଜଣ ଅଜଣା ଲୋକ ହରିହରଙ୍କୁ ପୋଡି ଦେଇଥିଲେ ବୋଲି ପୋଲିସକୁ କହିଥିଲେ ସୁଦେଷ୍ଣା । ହରିହର ତାଙ୍କ ଝିଅକୁ ମୃତ୍ୟୁ ପୂର୍ବରୁ ଘଟଣା ସଂପର୍କରେ ସମସ୍ତ କଥା କହିଥିଲେ । କେହି ଜଣେ ମହିଳା ତାଙ୍କ ଉପରେ କିରୋସିନୀ ପକାଇ ନିଆଁ ଲଗାଇ ଦେଇଥିବା ହରିହର ତାଙ୍କ ଝିଅକୁ କହିଥିଲେ । ଅଧିକ ଚିକିତ୍ସା ପାଇଁ ହରିହରଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ତଦନ୍ତରେ ସୁଦେଷ୍ଣାଙ୍କ ଉପରେ ସନ୍ଦେହ ହୋଇଥିଲା । ପଚରା ଉଚରା ସମୟରେ ସୁଦେଷ୍ଣା ପୋଡିମାରିଥିବା କଥାକୁ ସ୍ବୀକାର କରିଥିଲେ । ସୁଦେଷ୍ଣାଙ୍କ କହିବା ଅନୁସାରେ ହରିହର ତାଙ୍କ ସହ ଅନୈତିକ ସଂପର୍କ ରଖୁଥିଲେ ଓ ଘର ଛାଡିଯିବାକୁ ଦେଉନଥିଲେ ବୋଲି କହିଛନ୍ତି ସୁଦେଷ୍ଣା । ପୁରା ଘଟଣାର କ୍ରାଇମ ସିନ୍ ରିକ୍ରିଏସନ କରାଯାଇଥିଲା । ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣା ଉପରୁ ପରଦା ହଟାଇଥିଲେ