ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ନୂଆ ମେଡିକାଲରେ ଚିକିତ୍ସା, ପୁରୁଣା ମେଡିକାଲରେ ସିଟି ସ୍କାନ

ଭଦ୍ରକ : ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ନୂଆ ମେଡିକାଲରେ ଚିକିତ୍ସା । ପୁରୁଣା ମେଡିକାଲରେ ସିଟି ସ୍କାନ । ପୂର୍ବ ସରକାରଙ୍କ ସମୟରେ ଭଦ୍ରକ ଗେଲପୁରଠାରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ହୋଇଥିଲା । ଡେରିରେ ହେଲେ ମଧ୍ୟ ରଙ୍ଗ ବଦଳାଇ ଗତ ଅଗଷ୍ଟ ୪ରେ ପୁରୁଣା ମେଡିକାଲ ନୂଆ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମେଡିକାଲ ସ୍ଥାନାନ୍ତରଣକୁ ଦେଢ ମାସ ପୂରିବାକୁ ବସିଲାଣି ହେଲେ ସିଟି ସ୍କାନ ସେବା ସ୍ଥାନାନ୍ତରଣ କରାଯାଇନାହିଁ । ଫଳରେ ସିଟି ସ୍କାନ ପାଇଁ ରୋଗୀଙ୍କୁ ନୂଆ ମେଡିକାଲରୁ ୫ କିଲୋମିଟର ଦୂରରେ ଥିବା ପୁରୁଣା ମେଡିକାଲକୁ ଆସିବାକୁ ପଡୁଛି । ନୂଆ ମେଡିକାଲରୁ ପୁରୁଣା ମେଡିକାଲକୁ ବସ ଚଳାଚଳ ସୁବିଧା ନଥିବାରୁ ଅଟୋରେ ଶହଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଯାହାକୁ ନେଇ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ତୁରନ୍ତ ସିଟି ସ୍କାନ ସେବା ନୂଆ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି।

ପୂର୍ବ ସରକାରଙ୍କ ସମୟରେ ମେଡିକାଲ ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ନୂତନ ସରକାର ଆସିବା ପରେ ମେଡିକାଲ ସ୍ଥାନାନ୍ତର ପାଇଁ ଅହେତୁକ ବିଳମ୍ବ କରିଥିଲେ । ବିଳମ୍ବ ସତ୍ତ୍ୱେ ନୂତନ ମେଡିକାଲକୁ ସିଟି ସ୍କାନ ସେବା ସ୍ଥାନାନ୍ତର ନହେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଅନ୍ୟପଟେ ସିଟି ସ୍କାନ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଛି । ଯଥାଶୀଘ୍ର ଏହା ସ୍ଥାନାନ୍ତର ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ସ୍ୱାସ୍ଥ୍ୟ ବିଭାଗର ଖମାଖିଆଲି ନୀତି ପାଇଁ ଉପଯୁକ୍ତ ସରକାରୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ସରକାର କେବେ ଏହା ଉପରେ ନଜର ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।