୪ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ବାମୀ !

ଭଦ୍ରକ : ଗର୍ଭବତୀ ସ୍ତ୍ରୀକୁ ଛାଡ଼ିଲାନି ସଇତାନ ସ୍ବାମୀ। ୪ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଅତି ନୃଶଂସ ଭାବେ କଲା ହତ୍ୟା। ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ଗାଁରେ ବଧୂହତ୍ୟା । ମୃତକ ତାଳପଦା ଗାଁର ମୋନାଲିସା ଜେନା। ବଧୂହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ତାଳପଦା ଗାଁର ପଞ୍ଚାନନ ଜେନାଙ୍କ ଝିଅ ମୋନାଲିସା ତାଳପଦା ପଞ୍ଚାୟତର ଶଙ୍କର୍ଷଣ ଜେନାଙ୍କୁ ୨୦୧୯ରେ ପ୍ରେମ ବିବାହ କରିଥିଲେ। ପରେ ମୋନାଲିସାଙ୍କୁ ତାଙ୍କ ସ୍ୱାମୀ ଓ ଶ୍ବଶୁର ଘର ଲୋକେ ନାନାଦି ଶାରୀରିକ ମାନସିକ ନିର୍ଯ୍ୟାତନା ଦେଇଆସୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଗତକାଲି ରାତିରେ ମୋନାଲିସାଙ୍କ ସହ ତାଙ୍କ ସ୍ୱାମୀଙ୍କ କୌଣସି କାରଣରୁ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମୋନାଲିସାଙ୍କୁ ମାଡ଼ ମାରିଥିଲା ସ୍ବାମୀ। ଗୁରୁତର ଅବସ୍ଥାରେ ମୋନାଲିସାଙ୍କୁ ତିହିଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତିହିଡି ଥାନାରେ ଅଭିଯୋଗ ପରେ ସ୍ୱାମୀ ଶଙ୍କର୍ଷଣକୁ ଅଟକ ରଖିଛି ପୋଲିସ। ଅନ୍ୟପଟେ ଶ୍ବଶୁର ଘର ପକ୍ଷରୁ ମୋନାଲିସା ବିଷ ପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ ଘଟଣାର ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।