ନାବାଳିକା ଗଣଦୁଷ୍କର୍ମ ମାମଲା: ୯ ଦିନ ବିତିଲାଣି ଏବେ ବି ପୋଲିସ ହାତ ଖାଲି

1 min read
Police

ଭୁବନେଶ୍ୱର: ଭୁବନେଶ୍ୱରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାତବାନ୍ଧି ବସିଛି କମିଶନରେଟ୍‌ ପୋଲିସ । ଅଗଷ୍ଟ ୩୦ତାରିଖରୁ ପୀଡିତାଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି । ଏହି ଘଟଣାରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ସଂସ୍ଥାର କିଛି କର୍ମଚାରୀ ଓ ପୋଲିସ ସମ୍ପୃକ୍ତ ରହିଥିବା ପୀଡିତାଙ୍କ ମା ଅଭିଯୋଗ କରିଛନ୍ତି । ଲକଡାଉନ ସମୟରେ ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ଯୌନପିପାସୁଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରାଯାଉନି ତ ? ଏଭଳି ପ୍ରଶ୍ନ ଉଠାଇଛନ୍ତି ମହିଳା ସ୍ୱେଚ୍ଛାସେବୀ ।

 

ଲକ୍‌ଡାଉନ୍‌ରେ ଯୌନପିପାଶୁଙ୍କ କାମନାର ଶିକାର ହେଲେ ନାବାଳିକା । ଜଣଙ୍କ ପରେ ଜଣେ ପ୍ରାୟ ୭ଜଣ ବାରମ୍ବାର ଦୁଷ୍କର୍ମ କରିଛନ୍ତି । ଗଣମାଧ୍ୟମ କର୍ମଚାରୀଙ୍କ ସହ ଏଭଳି ଏକ ଜଘନ୍ୟକାଣ୍ଡରେ ସାମିଲ ଅଛନ୍ତି କିଛି ପୋଲିସ କର୍ମଚାରୀ । ପୀଡିତାଙ୍କ ମା’ ପ୍ରଥମେ ଇନ୍‌ଫୋସିଟି ଓ ପରେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏତଲାକୁ ୯ ଦିନ ବିତିଗଲାଣି । ହେଲେ ଅପରାଧୀଙ୍କୁ ଗିରଫ କରିପାରୁନି ପୋଲିସ । ତେଣୁ ପୋଲିସର ଆଚରଣକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚର୍ଚ୍ଚା ବି ହେଉଛି, ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରାଯାଉନି ତ ?

ମହିଳା ତଥା ନାବାଳିକା ଅତ୍ୟାଚାର ଘଟଣାର ତଦନ୍ତ ପାଇଁ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ୱିଙ୍ଗ୍‌ ରହିଛି । ଆଇନ ଅନୁଯାୟୀ ଏହି ଘଟଣାରେ ପୀଡିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା କଥା । ହେଲେ ଏଯାଏଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନି ପୋଲିସ ।

ପୋଲିସ ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି ତଦନ୍ତ ପାଇଁ ୪-ଜଣିଆ ଟିମ ଗଠନ କରିଛି ସତ । ହେଲେ ଟିମ ଗଠନ କରିବାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ । ଏନେଇ ଏବେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ।

Leave a Reply