ଭୁବନେଶ୍ବରରେ ଡାଇରିଆ ଆତଙ୍କ, ସ୍ଥିତି ପରଖିଲେ ମେୟର

ଭୁବନେଶ୍ବର : ରାଜଧାନୀରେ ଡାଇରିଆ ଆତଙ୍କ । ପାଣି ପାଲଟିଲାଣି ବିଷ । ଝାଡାବାନ୍ତି ବ୍ଯାପିବା ପରେ ବିଏମସିର ପଦକ୍ଷେପ । ୩ଟି ଜୋନରୁ ଜଳ ନମୁନା ସଂଗ୍ରହ । ବିଏମସି ସର୍ଭେଲାନ୍ସ ଟିମର ଯାଞ୍ଚ । କଳିଙ୍ଗ ନଗର ଟ୍ରାଇଡେଣ୍ଟ ଗାଲେକ୍ସି ଆପାର୍ଟମେଣ୍ଟରେ ଝାଡାବାନ୍ତି ବ୍ଯାପିବା ପରେ ଭୁବନେଶ୍ବର ମେୟର, କର୍ପୋରେଟର ଓ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଯାଇ ସମୀକ୍ଷା କରିଛନ୍ତି । ଆପାର୍ଟମେଣ୍ଟରେ ୫ ହଜାର ଲୋକ ରହୁଥିବା ବେଳେ  ଦୂଷିତ ପାଣି ପିଇ ୬୫ ଲୋକ ଗୁରୁତର ଭାବେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଆପାର୍ଟମେଣ୍ଟ ବାସୀ ଭୂତଳ ଜଳ ଉପରେ ନିର୍ଭର କରୁଛନ୍ତି । ୨୦୧୧ରୁ ପ୍ରୋଜେକ୍ଟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପିଇବା ପାଇଁ ପାଇପ ଲାଇନ ସଂଯୋଗ ହୋଇନି । ସ୍ବେରଜ ପାଣି ପିଇବା ପାଣିରେ ମିଶି ଦୂଷିତ ହୋଇଛି । ଆପାର୍ଟମେଣ୍ଟ ଭିତରେ ପାଣି ସମ୍ପ ପାଖରେ ଯାଇଛି ଡ୍ରେନ । ସଂଯୋଗ ହୋଇଥିବା ପାଇପ ଚାରିପଟେ ରହିଛି ପାଇଖାନା ପାଣି । ଏ ନେଇ ବିଲଡରକୁ ନୋଟିସ କରିଛି ବିଏମସି ।

ସେପଟେ ରାଜଧାନୀରେ ଝାଡ଼ାବାନ୍ତି ଆତଙ୍କ ପରେ ବିଏମସି ଖାଦ୍ଯ ସୁରକ୍ଷା ଟିମ ଚଢାଉ କରିଛି । ଖାଦ୍ଯ ନାଁରେ ହୋଟେଲରେ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବିକ୍ରି ହେଉଛି ବାସି ଖାଦ୍ଯ । ସମ ହସ୍ପିଟାଲ ଛକ ଓ ପଟିଆ ଅଞ୍ଚଳର ଏକାଧିକ ହୋଟେଲ ଯାଞ୍ଚ ବେଳେ ଏହା ସାମ୍ନାକୁ ଆସିଛି । ଟିକେ ଭଲ କରି ଦେଖନ୍ତୁ । ବାସି ମଟନ, ସିଝା ଆଳୁ, ଅଟା, ଚାଉମିନି ଫ୍ରିଜରେ କିପରି ରଖାଯାଇଛି । ମଟନକୁ ଦେଖିଲେ ଲାଗୁଛି ଏହା ଦୁଇଦିନ ତଳର । ସେହିଭଳି ଆଉ ଗୋଟିଏ ହୋଟେଲରୁ ମିଳିଛି ବାସି ମାଛ ଓ ଫୁଡ କଲର । ଏସବୁ ବାସି ଖାଦ୍ଯକୁ ନଷ୍ଟ କରିଛି ଫୁଡ ସ୍କ୍ବାଡ । ଯାଞ୍ଚ ବେଳେ ଏକାଧିକ ହୋଟେଲରୁ ୧୦ ରୁ ହଜାର ଉର୍ଦ୍ଧ୍ଵ ଟଙ୍କା ଫାଇନ ଆଦାୟ କରାଯାଇଛି । ରୋଷେଇ  ବେଳେ ସ୍ୱଚ୍ଛ ପରିବେଶ ଓ ସ୍ବଚ୍ଛ ପାଣି ବ୍ୟବହାର କରିବା ପାଇଁ କରାଯାଇଛି ତାଗିଦ । ନିୟମ ଉଲ୍ଲଂଘନ କଲେ ହୋଟେଲେ ସିଲ କରିବାକୁ ଚେତାବନୀ ଦେଇଛି ସ୍କ୍ବାଡ । ଗତ ଏପ୍ରିଲ ମାସରେ ନୀଳାଦ୍ରି ବିହାର ଆବାସ ଆପାର୍ଟମେଣ୍ଟରେ ଦୂଷିତ ଜଳରୁ ଦେଖାଦେଇଥିଲା ଝାଡାବାନ୍ତି । ଏବେ ପୁଣି ଦୁଇମାସ ପରେ ରାଜଧାନୀରେ ସ୍ଥିତି ବିଗିଡିଲାଣି ।