ପୌର ନିର୍ବାଚନ ନେଇ କାଲି ସରିବ ପ୍ରଚାର, ଆଜି ସିଲ୍ ହେଲା ଇଭିଏମ୍

1 min read

ଭୁବନେଶ୍ୱର: ମଙ୍ଗଳବାର ସନ୍ଧ୍ୟା ୫ଟା ପରେ ସରିବ ପୌର ନିର୍ବାଚନ ପାଇଁ ପ୍ରଚାର । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ, ନିରପେକ୍ଷ ଓ ଅବାଧ ପରିଚାଳନା କରିବାକୁ ପ୍ରଶାସନ ଦେଇଛି ଗୁରୁତ୍ୱ । ଇଭିଏମଗୁଡିକୁ ସିଲ କରି କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଶେଷ ହୋଇଛି ପୁଲିଂ ଓ ପ୍ରିଜାଇଡିଂ ଅଫିସରଙ୍କଙ୍କ ତାଲିମ । ଭୁବନେଶ୍ୱର ମୋଟ ୬୭ଟି ଓ୍ୱାର୍ଡରେ ୭୦୫ବୁଥ ମଧ୍ୟରୁ ୩୮୧ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ୫ଦିନ ‘ଡ୍ରାଇ ଡେ’ ଘୋଷଣା ସହ ଅବକାରୀ ବିଭାଗ ଓ କମିଶନରେଟ ପୋଲିସ ସହିତ ସମନ୍ୱୟ ରଖିଛି ପ୍ରଶାସନ ।

ଚୂଡ଼ାନ୍ତ ପର୍ଯ୍ୟାୟରେ ବିଏମସିର ନିର୍ବାଚନ ପ୍ରସ୍ତୁତି । ସିଲ୍ ହେଲା ମେୟର ଓ କର୍ପୋରେଟରଙ୍କ EVM । ସିସିଟିଭି ଓ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗରୁମ୍ । ପ୍ରଚାର ଶେଷ ସହିତ ୨୨ ସନ୍ଧ୍ୟାରୁ ୫ଦିନ ଡ୍ରାଇ ଡେ । ପୌର ନିର୍ବାଚନ ପାଇଁ ୨୪ ତାରିଖରେ ହେବ ଭୋଟ ଗ୍ରହଣ । ଏହାର ୪୮ଘଣ୍ଟା ପୂର୍ବରୁ ଅର୍ଥାତ୍ ୨୨ତାରିଖ ମଙ୍ଗଳବାର ସନ୍ଧ୍ୟା ୫ଟା ଠାରୁ ପ୍ରଚାର ବନ୍ଦ । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ଶେଷ କରିବା ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ୩ଟି ପର୍ଯ୍ୟାୟରେ ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ଦିଆଯାଇଛି ତାଲିମ୍ । ସେପଟେ ପ୍ରତି ବୁଥରେ କର୍ପୋରେଟର ଓ ମେୟରଙ୍କ ପାଇଁ ଦୁଇଟି ଭିନ୍ନଭିନ୍ନ ଇଭିଏମ୍ ରହିବ । ସମସ୍ତ ଇଭିଏମକୁ ସିଲ କରାଯାଇ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସିସିଟିଭି, ଅଗ୍ନି ପ୍ରତିରୋଧକ ବ୍ୟବସ୍ଥା ସହିତ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ ୨୨୩ଟି ଭୋଟ କେନ୍ଦ୍ରରେ ମୋଟ ୭୦୫ଟି ବୁଥ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୫ଟି ପିଙ୍କ୍ ବୁଥ୍ ରହିବ । ଭୁବନେଶ୍ୱରରେ ମୋଟ ୩୮୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଥିବା ବେଳେ ସେଗୁଡିକ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ସେପଟେ ନିଶାମୁକ୍ତ ନିର୍ବାଚନ କରିବାକୁ ଯାଇ ଆସନ୍ତା ୨୨ତାରିଖ ସନ୍ଧ୍ୟା ୫ଟା ଠାରୁ ୨୭ତାରିଖ ସକାଳ ପର୍ଯ୍ୟନ୍ତ ସମସ୍ତ ଦେଶି ଓ ବିଦେଶୀ ମଦ ଦୋକାନ, ହୋଟେଲ ଓ ବାରଗୁଡିକୁ ବନ୍ଦ ରଖି ୫ଦିନ ଡ୍ରାଇ ଡେ ଘୋଷଣା କରିଛି ଅବକାରୀ ବିଭାଗ । ଅସନ୍ତା ୨୬ତାରିଖରେ ବିଜେବି କଲେଜରେ ହେବ ଭୋଟ ଗଣତି । ଏଥିପାଇଁ ୪ଟି ହଲରେ ୨୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି ।

ଏଥିସହିତ ପଢ଼ନ୍ତୁ: କଂଗ୍ରେସ ପାଇଁ ଆସୁଛି କାଳ ରାତି, ଲୋକସଭା ପରେ ରାଜ୍ୟସଭାରେ ହରାଇପାରେ ପଦ..