୫ ବନ୍ଧୁକ ବେପାରୀ ଗିରଫ, ୬ଟି ବନ୍ଧୁକ ଜବତ

ଭୁବନେଶ୍ୱର : ବନ୍ଧୁକ ବେପାରୀଙ୍କ ଭାଣ୍ଡାଫୋଡ । ଗରାଖ ବେଶରେ ଯାଇ ମାଡିବସିଲା ସ୍ପେଶାଲ ସ୍କ୍ବାଡ । ଜଟଣୀ ଅଞ୍ଚଳରେ ରହୁଥିଲେ, ରାଜଧାନୀରେ ବୁଲି ବୁଲି ବିକୁଥିଲେ । ଭୁବନେଶ୍ୱରରେ ବଢୁଥିଲା ୟୁପି ବନ୍ଧୁକ କ୍ରେଜ୍ । ୪ ଟି ୭.୬୫ ଏମଏମ ସେମି ଅଟୋମେଟିକ ପିସ୍ତଲ । ଗୋଟିଏ ସିକ୍ସ ରାଉଣ୍ଡ ଲିଭଲଭର । ଗୋଟିଏ ସିଙ୍ଗିଲ ସଟ୍ ବନ୍ଧୁକ ସହ ୧୮ ରାଉଣ୍ଡ ଗୁଳି । ଉତ୍ତରପ୍ରଦେଶରୁ ବନ୍ଧୁକ ଆଣି ରାଜଧାନୀ ଭୁବନେଶ୍ବରରେ ବିକ୍ରି କରୁଥିଲେ ଏହି ଆନ୍ତଃରାଜ୍ୟ ଅପରାଧୀ । ଉତ୍ତରପ୍ରଦେଶର ୩ ଜଣ ମଧ୍ୟପ୍ରଦେଶରୁ ଜଣେ ବନ୍ଧୁକ ବେପାରୀ ଆସି ଜଟଣୀ ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ସହଯୋଗ କରୁଥିଲା କଟକ ଜିଲ୍ଲା ସାଲେପୁରର ମାଷ୍ଟରମାଇଣ୍ଡ ଏସ୍.କେ. ସକିଲ । କାଲି ଗୋଟିଏ ବନ୍ଧୁକ ସପ୍ଲାଏ ପାଇଁ, ବେପାରୀ ଟିମ ପୋଖରୀପୁଟ ଆସିଥିବା ବେଳେ ଗ୍ରାହକ ବେଶରେ ଯାଇ ମାଡିବସିଥିଲା ସ୍ପେଶାଲ ସ୍କ୍ବାଡ । ୫ ଜଣଙ୍କୁ ଗିରଫ ସହ ସେମାନଙ୍କ ଠାରୁ ଗୁଜୁରାଟ ରେଜିଷ୍ଟ୍ରେସନ ନମ୍ବର ଥିବା ଏକ କାର ଓ ୫ ଟି ମୋବାଇଲ ଜବତ କରାଯାଇଛି । କିଛି ବ୍ୟବସାୟୀ, ଦେହବେପାରୀ ଓ ଇଞ୍ଜିନିୟରିଂ ପାଠ ପଢ଼ୁଥିବା ଛାତ୍ର ଏମାନଙ୍କ ଠାରୁ ବନ୍ଧୁକ କିଣିବା ପାଇଁ ଯୋଗାଯୋଗରେ ଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ ।

କିଛିଦିନ ତଳେ ବନ୍ଧୁକର ଗୋଦାମ ପାଲଟିଥିବା ଗଞ୍ଜାମରେ କ୍ଲିନ ସୁଇପ କରିଥିଲା ପୋଲିସ । ମୁଙ୍ଗେର ମାଉଜର ର ଏନ୍ତୁଡ଼ିଶାଳ ପାଲଟିଥିବା ଗଞ୍ଜାମରେ ଚାଲିଥିଲା, ଖୁରାନିଆଙ୍କ ଖୁର । ଏହାର କିଛିଦିନ ପୂର୍ବରୁ ବୈୟାଳିଶମୌଜାରେ ଗୁହାଳ ଘରେ ଠାବ ହୋଇଥିଲା ବନ୍ଧୁକ କାରଖାନା । ନିଜ ସହରରେ ବେତାଜ ବାଜଶାହା ଓ ଭାଇ ବନିବା ପାଇଁ ଅଣ୍ଟାରେ ବନ୍ଧୁକ ଖୋସି ବୁଲୁଥିବା କ୍ରିମିନାଲଙ୍କ ହାତରେ ହାତକଡି ପକାଇଥିଲା ପୋଲିସ । ଜମି ହଡପ, ବୋମାମାଡ଼, ବାଲିଘାଟ, ଠିକାଦାରୀ ଓ ମଦ କାରବାର ଚଳାଉଥିବା ମାଫିଆ ଥିଲେ ଗ୍ରାହକ । ମୁଣ୍ଡକୁ ପିତ୍ତ ଚଢ଼ିବା ବେଳେ ଘନ ଘନ କରୁଥିଲେ ଗୁଳିମାଡ଼ । କିନ୍ତୁ ବଡ଼କଥା ହେଉଛି ଭୁବନେଶ୍ୱରକୁ ଅଶାନ୍ତ କରିବା ପାଇଁ ଏମାନେ ଯୋଜନା ଚଳାଉଥିବା ବେଳେ, ସ୍ପେଶାଲ ସ୍କ୍ବାଡ ଶେଷ କରିଛି ସ୍ପେଶାଲ ଅପରେସନ । ଖୁବଶୀଘ୍ର ଏହି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ରିମାଣ୍ଡ ବେଳେ ସେମାନଙ୍କ କ୍ରାଇମ ହିଷ୍ଟ୍ରି ଓ କ୍ରାଇମ ସିଣ୍ଡିକେଟ ସମ୍ପର୍କରେ ହେବ ଅଧିକ ଖୋଳତାଡ଼ ।