ଏଣିକି ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମିଳିବ ରୋପ୍‌‌ୱେ ମଜା

1 min read

ଭୁବନେଶ୍ୱର: ଆଜିଠୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆରମ୍ଭ ହେଲା ରୋପ୍‌‌ୱେ। ଉଦଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ରୋପ୍‌‌ୱେକୁ ସମ୍ପୂର୍ଣ୍ଣ ଅତ୍ୟାଧୁନୀକରଣ କରାଯାଇଛି । ଏହା ସମ୍ପୂର୍ଣ୍ଣ ବିପଦମୁକ୍ତ । ଯଦି ସ୍ୱୟଂଚାଳିତ ପୁଲିରୁ ଏହା ଖସେ, ଆପେଆପେ ବିଦ୍ୟୁତ୍‌‌ ବିଚ୍ଛିନ୍ନ ହୋଇ ବନ୍ଦ ହୋଇଯିବ। ଏହା ଘଣ୍ଟାକରେ ୪ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ।

୨ଟି ଟାୱାର ସହ ୬୨୬ ମିଟର ଲମ୍ବରୁ ଅଧିକ ମୋନୋ କେବୁଲ ପଲ୍ସଡ୍‌‌ ସହିତ ଏହି ରୋପ୍‌‌ୱେ ନିର୍ମାଣ କରାଯାଇଛି। ଏହି କ୍ୟାବିନ୍‌‌ର କ୍ଷମତା ୬ ଜଣ ଏବଂ ଏଥିରେ ଏକକାଳୀନ ୧୨ଟି କ୍ୟାବିନ୍‌‌ କାମ କରିବ। ଏହିପରି ୭୨ଜଣ ଏକା ସମୟରେ ଗତି କରିପାରିବେ। ରୋପ୍‌‌-ୱେର ମଜା ନେବା ପାଇଁ ଟିକଟ ବାବଦକୁ ଜଣ ପିଛା ୧୨୦ଟଙ୍କା ଆଦାୟ କରାଯିବ। ଯଦି ପର୍ଯ୍ୟଟକ ପ୍ରାଣୀଉଦ୍ୟାନ ପଟୁ ରୋପ୍‌‌-ୱେରେ ଯାଇ ବଟାନିକାଲ ଗାର୍ଡେନ ବୁଲିବେ, ୨୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୪୦ ଟଙ୍କା ଦେବାକୁ ପଡ଼ିବ।

ସେହିପରି ଯେଉଁ ପର୍ଯ୍ୟଟକ ବଟାନିକାଲ ଗାର୍ଡେନ ପଟୁ ରୋପ୍‌‌-ୱେରେ ଆସି ପ୍ରାଣୀଉଦ୍ୟାନ ବୁଲିବା ପାଇଁ ଚାହିଁବେ, ସେମାନଙ୍କଠାରୁ ୫୦ ଟଙ୍କା ଅଧିକ ଅର୍ଥାତ୍‌‌ ୧୭୦ଟଙ୍କା ଆଦାୟ କରାଯିବ। ରୋପ୍‌‌-ୱେରେ ଦୈନିକ ପ୍ରାୟ ୩ହଜାର ପର୍ଯ୍ୟଟକ ଯିବା ଆସିବା କରିବାର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ପର୍ଯ୍ୟଟକମାନେ ବଟାନିକାଲ ଗାର୍ଡେନ୍‌‌ ଓ ଜୁଲୋଜିକାଲ ଉଦ୍ୟାନ ମଧ୍ୟରେ ସିଧାସଳଖ ଯିବା ଆସିବା କରିବା ସହ ପ୍ରାକୃତିକ ପରିବେଶ ଘଞ୍ଚ ବନାନୀ ଓ ଜୀବଜନ୍ତୁଙ୍କ ସମ୍ଭାର ପର୍ଯ୍ୟଟକଙ୍କୁ ବେଶ୍‌‌ ମନମୁଗ୍ଧ କରିବ।