ଭୁବନେଶ୍ୱରରେ ଶବସତ୍କାର ପାଇଁ ଜାଗାର ସମସ୍ୟା, କୁହୁଳିବାରେ ଲାଗିଛି ଅସନ୍ତୋଷ

ଭୁବନେଶ୍ୱର: ଭୁବନେଶ୍ୱରରେ ଶବସତ୍କାର ପାଇଁ ଜାଗାର ସମସ୍ୟା । ସତ୍ୟନଗର ସ୍ଥିତ ଶ୍ମଶାନ, ସମାଧିସ୍ଥଳୀ ଓ କବରସ୍ଥାନକୁ ନେଇ ଉପୁଜିଛି ଜଟିଳ ପରିସ୍ଥିତି । ସ୍ଥାନଭାଵ ସାଙ୍ଗକୁ ପ୍ରଦୂଷଣ ଜନିତ ସମସ୍ୟାକୁ ନେଇ ଉଠିଛି ବିରୋଧର ସ୍ୱର । ଭୁବନେଶ୍ୱରର ସତ୍ୟନଗରର ଗୋଟିଏ ଇଲାକାରେ ଦୀର୍ଘ ବର୍ଷରୁ ରହିଛି ହିନ୍ଦୁ, ଖ୍ରୀଷ୍ଟିଆନ ଓ ମୁସଲମାନଙ୍କ ଅନ୍ତେଷ୍ଟିସ୍ଥଳୀ । ଗୋଟିଏ ପଟେ ଭୁବନେଶ୍ୱରରେ ହସ୍ପିଟାଲ ଓ ଘରୋଇ ନର୍ସିଂ ହୋମ ଏବଂ ଅନ୍ୟପଟେ ବର୍ତ୍ତମାନ ଜାରି ରହିଥିବା ମହାମାରୀ ଜନିତ ସମସ୍ୟା। ଏଥିପାଇଁ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ସମାଧିସ୍ଥଳୀ ଓ ମୁସଲମାନଙ୍କ କବରସ୍ଥାନରେ ସ୍ଥାନର ଘୋର ସମସ୍ୟା ଦେଖାଦେଇଛି । ଫଳରେ କଙ୍କାଳ ଉପରେ ପୁଣି ଶବ ପୋତିବାକୁ ପଡୁଛି। ଏଥିପାଇଁ ତୁରନ୍ତ ଅନ୍ୟତ୍ର ସ୍ଥାନ ଚିହ୍ନଟ କରି ନୂତନ ସମାଧିସ୍ଥଳୀ ଓ କବରସ୍ଥାନ କରିବାକୁ ଦାବି ହୋଇଛି।

ପ୍ରଦୂଷଣ ଜନିତ ସମସ୍ୟା ସହିତ କୋଭିଡ ଚିନ୍ତା। ଏହାକୁ ନେଇ ସତ୍ୟନଗରବାସୀଙ୍କ ଦାବି ସହିତ ଏକମତ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି ସହିଦନଗରବାସୀ । ଦସ୍ତଖତ ଅଭିଯାନ ପରେ ଆଜି ବିଏମସି କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କରି 6ମାସ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି । ଅପରପକ୍ଷେ ସମସ୍ୟାର ସମାଧାନ ପାଇଁ ପଟିଆ ଓ ଭରତପୁର ଠାରେ ଦୁଇଟି ଶ୍ମଶାନ କାର୍ଯ୍ୟକ୍ଷମ କରାଯାଇଛି । ତଥାପି ବିଭିନ୍ନ ଧର୍ମର ସମସ୍ୟା ଜଡିତ ଥିବା କାରଣରୁ ଏନେଇ ବିଚାରବିମର୍ଷ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର।

ଶ୍ମଶାନ ଓ ସମାଧିସ୍ଥଳୀ ଜନିତ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏକ ପିଟିଶନର ଶୁଣାଣି କରି ରାଜ୍ୟ ମାନବାଧିକାର କମିଶନ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି ।

Leave a Reply