ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ମୃତ୍ୟୁ ଘଟଣାରେ ଖୁଲାସା, ଚାକିରି ଆଶାୟୀଙ୍କ ନିର୍ଯାତନା ଯୋଗୁଁ କରିଥିଲେ ଆତ୍ମହତ୍ୟା…

ଭୁବନେଶ୍ୱର : ପୁଅ ପାଇଁ ଚାକିରି ଖୋଜୁଥିଲେ, ଏବେ ବନ୍ଧାହେଲେ । ଛାରଖାର ହୋଇଗଲା ସୁନେଲି ସ୍ୱପ୍ନ । ବିଦ୍ୟାଧର ମୃତ୍ୟୁ ଘଟଣାରେ ବଡ଼ ଖୁଲାସା । ଠକେଇ ରାଣୀ ଜ୍ୟୋସ୍ନା ମ୍ୟାଡାମ ଏବେ ବି ଫେରାର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓ ଗୁରାଣ୍ଡିର ଏନ ଦିଲ୍ଲୀପ କୁମାର, ଦୀପକ ସାହୁକାର, ରବୀନ୍ଦ୍ର ବେହେରା ଓ ରମେଶ ଚନ୍ଦ୍ର ବେହେରା । କିଏ ପୁଅକୁ ସରକାରୀ ଚାକିରି ଦେବାକୁ ଟଙ୍କା ଦେଇଥିଲା ତ ଆଉ କିଏ ଭାଇ ପାଇଁ ଲକ୍ଷ ଲକ୍ଷ ଡିଲ୍ କରିଥିଲା । ଚାକିରି ମିଳିଲାନି, ଟଙ୍କା ବି ମିଳିଲାନି । ଆଉ ଶେଷରେ ବାନ୍ଧିଲା ପୋଲିସ । ଯେତିକି ରୋଚକ, ସେତିକି ଉଦବେଗ ଜନକ ମଧ୍ୟ ଏହି କେସ । ବିଦ୍ୟାଧର ସାହୁ ମୃତ୍ୟୁ ଘଟଣାରେ ଏହି ୪ ଅଭିଯୁକ୍ତଙ୍କୁ ଅପହରଣ, ନିର୍ଯ୍ୟାତନା, ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭଳି ଦଫାରେ ଗିରଫ କରିଛି ବଡଗଡ଼ ଥାନା ପୋଲିସ । ଆଉ ବିଦ୍ୟାଧର ମୃତ୍ୟୁ ପଛରେ ରହିଛି ଚାକିରି ପାଇଁ କୋଟି କୋଟି ଠକେଇର ଅଭିଯୋଗ । ମୃତ ବିଦ୍ୟାଧର ଟ୍ୟାକ୍ସି ଚଳାଇବା ସହ ସରକାରୀ ଓ ବେସରକାରୀ ଚାକିରି ଦେବାକୁ କହି ଅଭିଯୁକ୍ତଙ୍କ ଠାରୁ ନେଇଯାଇଥିଲେ ପ୍ରାୟ ଦେଢ଼ କୋଟି ଟଙ୍କା । ପରେ ଚାକିରି ଦେଇ ନପାରିବାରୁ ଗତ ୧୫ ତାରିଖରେ ଭୁବନେଶ୍ୱରରୁ ଅପହରଣ କରିଥିଲେ ଆଶାୟୀ ।
ଅପହରଣ ପରେ ଯାଜପୁରରେ ରଖି ଟଙ୍କା ଫେରସ୍ତ ମାଗିଥିଲେ । ପରିବାରକୁ ଫୋନ କରି ପ୍ରାୟ ୨ କୋଟି ଦାବି କରିଥିଲେ । କିନ୍ତୁ ଠକେଇର ସିଣ୍ଡିକେଟ ଚଳାଇଥିବା ମହିଳା ଜଣଙ୍କ ଫେରାର ଥିବାରୁ ଗଜପତି ଜିଲ୍ଲାର ଏହି ଚାକିରି ଆଶାୟୀମାନଙ୍କୁ ଟଙ୍କା ଫେରସ୍ତ କରିପାରିନଥିଲେ ବିଦ୍ୟାଧର । ବନ୍ଦ ଘରେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ପାଇବା ପରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିଲେ । ସେପଟେ ବିଦ୍ୟାଧରଙ୍କୁ ମୃତ ଅବସ୍ଥାରେ ଦେଖି ହତବାକ୍ ହୋଇଯାଇଥିଲେ ଅଭିଯୁକ୍ତ । ପ୍ରମାଣ ନଷ୍ଟ କରିବା ପାଇଁ ସେଠାରୁ ଆଣି ଦାରୁଠେଙ୍ଗ ନିକଟ ଜଙ୍ଗଲରେ ଫିଙ୍ଗିଦେଇଥିଲେ ମୃତଦେହ । ଧମକପୂର୍ଣ୍ଣ କଲ, ସିସିଟିଭି, ଟୋଲ ଗେଟର ଫାସ୍ ଟ୍ୟାଗରୁ ମିଳିଥିବା ତଥ୍ୟ ଆଧାରରେ ଏମାନଙ୍କୁ ଗିରଫ କରିଛି ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ଚାକିରି ପାଇଁ କୋଟି କୋଟିର ଠକେଇ ପଦାକୁ ଆସିଛି । ପୁଳା ପୁଳା ସାର୍ଟିଫିକେଟ, ଫେକ୍ ଷ୍ଟାମ୍ପ, ଚେକ ଦେଖି ପୋଲିସର ମଧ୍ୟ ଅକଲଗୁଡୁମ ହୋଇଛି ।