ଭୁବନେଶ୍ୱର : ନିଆଁର ଆଁରେ ଛାରଖାର ରାଜଧାନୀ ୟୁନିଟ ୱାନ ମାର୍କେଟ । ଭୟଙ୍କର ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ୪୦ ଦୋକାନୀ । ଜଳିପୋଡ଼ି ପାଉଁଶ ହେଲା କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ । ସୋମବାର ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ଘଟି ଛାରଖାର ହୋଇଛି ଭୁବନେଶ୍ବର ୟୁନିଟ ୱାନ ମାର୍କେଟ । ଦୋକାନ ସହ ନିକଟରେ ଥିବା ସାଇକେଲ ଷ୍ଟାଣ୍ଡକୁ ନିଆଁ ବ୍ୟାପିବାରୁ ୫ ରୁ ଅଧିକ ବାଇକ ସମ୍ପୂର୍ଣ ପୋଡ଼ି ଯାଇଛି l ନିଆଁକୁ ଆୟତ୍ତ କରିଛନ୍ତି ସେଣ୍ଟ୍ରାଲ ଷ୍ଟ୍ରାଇକ୍ ଫୋର୍ସ ସମେତ ତମାଣ୍ଡୋ, ଚନ୍ଦ୍ରଶେଖରପୁର ଓ ସଚିବାଳୟ ଅଗ୍ନିଶମ ବାହିନୀ । ୭ରୁ ଉର୍ଦ୍ଧ୍ବ ଦମକଳ ଗାଡ଼ି ଅକ୍ଳାନ୍ତ ପରିଶ୍ରମ ପରେ ଆୟତ୍ତକୁ ଆସିଥିଲା ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟସର୍କିଟ୍ରୁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏକ ପ୍ଲାଷ୍ଟିକ୍ ଓ ନଡ଼ିଆ ଦୋକାନରେ ନିଆଁ ଲାଗିଥିବା ଦେଖି କିଛି ଲୋକ କ୍ୟାପିଟାଲ ଥାନାକୁ ଖବର ଦେଇଥିଲେ । ତେବେ ଦମକଳବାହିନୀ ପହଞ୍ଚିବା ବେଳକୁ ନିଆଁ ଉଗ୍ରରୂପ ନେଇସାରିଥିଲା । ଗୋଟିଏ ଏ ପରେ ଗୋଟିଏ ଦୋକାନକୁ ବ୍ୟାପି ଚାଲିଥିଲା ନିଆଁ । ଅଗ୍ନିକାଣ୍ଡରେ ୪୦ରୁ ଅଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଥିବାବେଳେ କୋଟିଏରୁ ଅଧିକ ସାମଗ୍ରୀ ଜଳି ଯାଇଛି ।
ସକାଳୁ ସକାଳୁ ଭୁବନେଶ୍ୱର ମେୟର, ବିଏମସି କମିଶନର ଓ ବିଧାୟକ ଅନନ୍ତ ନାରାୟଣ ଜେନା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l ବାରମ୍ବାର ଏସଓପି ମାନୁ ନଥିବା ଓ ଦୋକାନକୁ ଆଗକୁ ମଡ଼ାଇ ପଲିଥିନ ରଖୁଛନ୍ତି । ବାରମ୍ବାର ତାଗିଦ ସତ୍ତ୍ବେ ଗ୍ରୁପ ଇନ୍ସୁରାନ୍ସ କରୁ ନାହାନ୍ତି ଦୋକାନୀ । ଲାଗି ଲାଗି ଦୋକାନ ସହ ଇଲେକ୍ଟ୍ରିକ ତାର ଝୁଲି ରହିଥିବାରୁ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ପୋଡ଼ିଯାଇଥିବା ଦୋକାନସ୍ଥଳକୁ ବିଏମସି ପକ୍ଷରୁ ସେଫେଇ କରାଯାଇଛି । ଆଗାମୀ ଦିନରେ ଯାହାକୁ ଦୋକାନ ଦିଆଯିବ, ସେମାନେ ଏସଓପି ମାନି ଦୋକାନ କରିବାକୁ ପରାମର୍ଶ ଦେଇଛନ୍ତି କମିଶନର । ଗତ କିଛିଦିନ ତଳେ ମାର୍କେଟ୍ରେ ଅଗ୍ନିକାଣ୍ଡ ଘଟି କୋଟିକୋଟି ଟଙ୍କାର ତେଜରାତି ସାମଗ୍ରୀ ଜଳି ଯାଇଥିଲା । ବାରମ୍ବାର ଏପରି ଘଟୁଥିବାରୁ ଏନେଇ ସ୍ଥାୟୀ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଥିବା କହିଛନ୍ତି ବୁଦ୍ଧିଜୀବୀ ।

