spot_img

Latest Posts

ବିଭାଜନ ଆଡ଼କୁ ମୁହାଁଉଛି କି ଟିଏମସି ? ୨୦ ସାଂସଦଙ୍କ ବିଦ୍ରୋହ ପରେ ଉଠିଲା ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ : ବିଭାଜନ ଆଡ଼କୁ ମୁହାଁଉଛି କି ଟିଏମସି । ଦଳରେ ମମତା ବାନାର୍ଜୀଙ୍କ ଆଉ ନିୟନ୍ତ୍ରଣ ଅଛି ତ ? ୨୦ ସାଂସଦଙ୍କ ବିଦ୍ରୋହ ପରେ ଏହି ସବୁ ପ୍ରଶ୍ନ ଉଠିଛି । ବିଧାୟକ ଦଳରେ ବିଦ୍ରୋହ ଦେଖା ଦେବା ପରେ ଏବେ ସାଂସଦମାନେ ବି ବିଦ୍ରୋହ କରିଛନ୍ତି । ୨୯ ଲୋକସଭା ସାଂସଦରୁ ୨୦ ଜଣ ଅଲଗା ଗୋଷ୍ଠୀ କରିଛନ୍ତି । ସାଂସଦ ଶତାବ୍ଦୀ ରାୟଙ୍କ ଦିଲ୍ଲୀ ବାସଭବନରେ ଏହି ବିଦ୍ରୋହୀ ଗୋଷ୍ଠୀ ଏକ ବୈଠକ କରିଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ । ପ୍ରାୟ ୪୦ ମିନିଟ ଧରି ସେ ବୈଠକରେ ଥିଲେ। ଫେରିବା ବେଳେ ବିଜୟ ସୂଚକ ସଂକେତ ଦେଇଥିଲେ ସମର୍ଥକଙ୍କୁ । ବିଦ୍ରୋହୀ ଗୋଷ୍ଠୀରେ ୟୁସୁଫ ପଠାନ ବି ଥିବା ଜଣାପଡ଼ିଛି । ବିଦ୍ରୋହୀ ଗୋଷ୍ଠୀକୁ କଡ଼ା ସମାଲୋଚନା କରିଛନ୍ତି ଫାୟାର ବ୍ରାଣ୍ଡ ଏମପି ମହୁଆ ମୋଇତ୍ର ଓ କୁନାଲ ଘୋଷ ।

ଯାହା ହେଲେ ବି ସେମାନେ ଦିଦିଙ୍କୁ ଧୋକା ଦେବେ ନାହିଁ ବୋଲି କହିଛନ୍ତି । କୋକିଲା ଘୋଷ କହିଛନ୍ତି, ୨୦ ସାଂସଦ ଅଲଗା ବସିବା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖାଯାଇଛି । ଗତକାଲି କିଛି ଟିଏମସି ସାଂସଦ ଭୂପେନ୍ଦ୍ର ଯାଦବଙ୍କ ଘରେ ବି ବୈଠକ କରିଥିଲେ । ଗତକାଲି ରାଜ୍ୟସଭାରେ ଦଳର ଚିଫ୍ ହୁଇପ୍ ଥିବା ଶୁଖେନ୍ଦୁ ଶେଖର ରାୟ ମଧ୍ୟ ଦଳରୁ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଆଗରୁ ବିଧାୟକମାନେ ବିଦ୍ରୋହ କରିଥିଲେ। ୮୦ ବିଧାୟକଙ୍କ ମଧ୍ୟରୁ ୫୮ ଜଣ ଅଲଗା ଗୋଷ୍ଠୀ କରିଛନ୍ତି । ଟିଏମସିରେ ବିଧିବଦ୍ଧ ଭାବେ ବିଭାଜନ ହୋଇନଥିଲେ ମଧ୍ୟ ଦଳ ଉପରୁ ମମତା ବାନାର୍ଜୀଙ୍କ ନିୟନ୍ତ୍ରଣ ଖସୁଥିବା ଦେଖାଯାଉଛି ।

Latest Posts

Don't Miss