ନନ୍ଦିଘୋଷ ବ୍ୟୁରୋ : ଆଜି ଦ୍ବିତୀୟ ପର୍ଯ୍ୟାୟ ବିହାର ନିର୍ବାଚନ । ମତ ସାବ୍ୟସ୍ତ କରିବେ ୩ କୋଟି ୭୦ ଲକ୍ଷ ଭୋଟର । ନିଜ ଜନନାୟକଙ୍କୁ ବାଛିବେ ରାଜ୍ୟବାସୀ । ୧୨୨ ଆସନରେ ଚାଲିଛି ଭୋଟ ଗ୍ରହଣ । ୨୦ ଜିଲ୍ଲାର ୧୨୨ ଆସନରେ ରହିଛନ୍ତି ଅନେକ ହେଭିୱେଟଙ୍କ ସମେତ ମୋଟ ୧ ହଜାର ୩୦୨ ପ୍ରାର୍ଥୀ । ମୋଟ ୧ ହଜାର ୩୭୨ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ ୭୦ଜଣ । ଗୟା ଟାଉନ, ସାସାରାମ ଓ ଚଇନପୁରରେ ସର୍ବାଧିକ ୨୨ ଲେଖାଏ ପ୍ରାର୍ଥୀ ଲଢୁଛନ୍ତି। ତ୍ରିବେଣୀଗଞ୍ଜ, ଲଉରିଆ ଓ ସୁଗାଉଲିରେ ସର୍ବନିମ୍ନ ୫ ଜଣ ଲେଖାଏ ପ୍ରାର୍ଥୀ ଅଛନ୍ତି। ଗତ ୬ ତାରିଖରେ ପ୍ରଥମ ପର୍ଯ୍ଯାୟରେ ୧୨୧ ଆସନରେ ଭୋଟଗ୍ରହଣ ହୋଇଥିଲା। ତେବେ ଆଜି ଭୋଟ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭାରତ-ନେପାଳ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟ ରାଜ୍ୟ ସହ ରହିଥିବା ସୀମା ଉପରେ ବି ସତର୍କ ଦୃଷ୍ଟି ରଖାଯାଇଛି।

