ବିହାରରେ ପୁଣି ବିଗିଡ଼ିଲା ଆଇନଶୃଙ୍ଖଳା, ୧୭ ଦିନରେ ୪୬ ହତ୍ୟାକାଣ୍ଡ
1 min read
ପାଟନା : ବିହାରରେ ପୁଣି ବିଗିଡ଼ିଲା ଆଇନଶୃଙ୍ଖଳା। ୧୭ ଦିନରେ ୪୬ ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ହସ୍ପିଟାଲରେ ଫାୟାରିଂ। ହସ୍ପିଟାଲ ଆଇସିୟୁରେ ପଶି ଦୁର୍ବୃତ୍ତ କରିଛନ୍ତି ଗୁଳିମାଡ। ଗୁଳିମାଡରେ ନିହତ ହୋଇଛି ଗ୍ଯାଙ୍ଗଷ୍ଟର। ସିସିଟିଭି ଫୁଟେଜରେ କଏଦ ହୋଇଛି ଆତଙ୍କର ଭୟଙ୍କର ଦୃଶ୍ଯ। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସମସ୍ତ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କହିଛି। ପାଟନାର ପାରସ ହସପିଟାଲର ରୁମ୍ ନମ୍ବର ୨୦୯ରେ ଘଟିଛି ଭୟଙ୍କର ଘଟଣା। ମାତ୍ର ୨୫ ସେକେଣ୍ଡରେ ଅପରାଧୀମାନେ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି। ମୃତ ଗ୍ଯାଙ୍ଗଷ୍ଟର ହେଉଛନ୍ତି ଚନ୍ଦନ ମିଶ୍ରା। ବକ୍ସର ଅଧିବାସୀ ଚନ୍ଦନ ବେଉର ଜେଲରୁ ପାରୋଲରେ ଚିକିତ୍ସା ଲାଗି ଆସିଥିଲା। କେଶରୀ ନାମକ ଜଣେ ବ୍ୟକ୍ତିର ହତ୍ଯାକାଣ୍ଡରେ ସାମିଲ ଥିଲା ଚନ୍ଦନ। ଚନ୍ଦନ ଉପରେ ମାଳ ମାଳ ଅପରାଧୀ ମାମଲା ରହିଥିଲା। ପୋଲିସ ଚନ୍ଦନ ରୁମରୁ ୧୨ ଖୋକା ଜବତ କରିଛି। ଏହି ଘଟଣାରେ ହସପିଟାଲର ଗାର୍ଡ ସମେତ ୧୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। କୁଖ୍ଯାତ ଅପରାଧୀ ଚନ୍ଦନ ମିଶ୍ରାକୁ ତାର ବିରୋଧୀ ଶେରୁ ଗୋଷ୍ଠୀ ହତ୍ଯା କରିଛନ୍ତି ବୋଲି କହିଛନ୍ତି SSP। ସିସିଟିଭି ଫୁଟେଜରୁ ଅପରାଧୀଙ୍କ ପରିଚୟ ମିଳିଛି ଏବଂ ଖୁବ ଶୀଘ୍ର ଗିରଫଦାରୀ ହେବ ବୋଲି କହିଛି ପୋଲିସ। ଚଳିତ ବର୍ଷ ଜାନୁଆରୀରୁ ଜୁନ ମଧ୍ୟରେ ବିହାରରେ ମୋଟ ୧ ହଜାର ୩୭୬ଟି ମର୍ଡର ଅର୍ଥାତ ମାସିକ ୨୨୯ଟି ଲେଖାଏ ମର୍ଡର ଘଟିଛି। ୨୦୨୪ରେ ଏହି ସମୟ ସୀମାରେ ୨ ହଜାର ୭୮୬ ଏବଂ ୨୦୨୩ରେ ୨ ହଜାର ୮୬୪ଟି ମର୍ଡର ଘଟିଥିଲା।