ବିବାଦୀୟ ବିହାର ଚିଠା ଭୋଟର ତାଲିକା ପ୍ରସଙ୍ଗ, ଆଜି ସୁପ୍ରିମକୋର୍ଟରେ ଶୁଣାଣି

1 min read

ନନ୍ଦିଘୋଷ ବ୍ୟୁରୋ : ବିବାଦୀୟ ବିହାର ଚିଠା ଭୋଟର ତାଲିକା ପ୍ରସଙ୍ଗ। ତାଲିକାରୁ ବାଦ୍ ପଡିଥିବା ଲୋକଙ୍କ ଲାଗି ଏହି ଅବଧି ବୃଦ୍ଧି  ସକାଶେ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଆଗତ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ। ଅବଧି ବୃଦ୍ଧି ଲାଗି ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲା ରାଷ୍ଟ୍ରୀୟ ଜନତା ଦଳ। ବିହାରରେ ଚାଲିଥିଲା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନକୁ ନେଇ ବିବାଦ ଦେଖାଦେଇଥିବାବେଳେ ମାମଲା ଯାଇଥିଲା ସୁପ୍ରିମକୋର୍ଟ। ଏହି ପ୍ରସଙ୍ଗକୁ ନେଇ ଇସିଙ୍କୁ ଘେରିଥିଲା କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ବିପୁଲ ଏମ. ପାଞ୍ଚୋଳିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବ। ଆରଜେଡି ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ସୋଏବ ଆଲାମ ଲଢୁଛନ୍ତି। ଆରଜେଡି ପକ୍ଷରୁ ଆବେଦନ କରାଯାଇଥିଲା-ଭୋଟର ତାଲିକାରୁ ବାଦ୍ ପଡିଥିବା ଲୋକଙ୍କୁ ଆବେଦନ ସକାଶେ ଆସନ୍ତା ସେପ୍ଟେମ୍ବର ୧୫ ଯାଏ ସମୟ ଦିଆଯାଉ। ଏଆଇଏମଆଇଏମ ବିଧାୟକ ଏଖତାରୁଲ ଇମାମଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ ମହମ୍ମଦ ନିଜାମ ପାସା କହିଛନ୍ତି- ଭୋଟର ତାଲିକା ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିକଟରେ ଦାୟର ହେଲାଣି ପ୍ରାୟ ୧ ଲକ୍ଷ ୭୫ ହଜାର ମାମଲା। ଭୋଟରମାନଙ୍କ ସକାଶେ ଇସି ୧୧ଟି ନଥିର ତାଲିକା ଜାରି କରିଥିଲେ। ତାଲିକାରୁ ୬୫ ଲକ୍ଷ ଭୋଟର ବାଦ୍ ପଡିଥିବା ସୂଚନା ମିଳିଛି।