ସେ ଥିଲେ ଝଡ଼ର ଇଗଲ୍, ଆଧୁନିକ ଓଡ଼ିଶାର ସ୍ଥପତି

ଭୁବନେଶ୍ବର: ଜନ୍ମତିଥିରେ ବିଜୁବାବୁଙ୍କୁ ଅଜସ୍ର ଶ୍ରଦ୍ଧାଞ୍ଜଳି । ବିକଶିତ ଓଡ଼ିଶାର ବିନ୍ଧାଣି, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ  ପାଳନ କଲା ସାରା ରାଜ୍ୟ। ବିଭିନ୍ନ ସ୍ଥାନରେ ବିଜୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଜନସେବାରେ ନିୟୋଜିତ ହେଲେ ବିଜେଡି କର୍ମୀ ଓ ନେତା। ବିଜୁବାବୁଙ୍କ ନୀତି ଓ ଆଦର୍ଶ ସମ୍ପର୍କରେ ସବୁ ନିର୍ବାଚନମଣ୍ଡଳୀରେ ଆଲୋଚନା କରାଯାଇଛି । ସମୃଦ୍ଧ, ସଶକ୍ତ ଓ ନବୀନ ଓଡ଼ିଶା ଗଠନ ପାଇଁ ଏହି ଅବସରରେ ବିଜେଡି ନେତା ଓ କର୍ମୀ ଶପଥ ନେଇଛନ୍ତି । ଏହି ମହାନ ଜନନାୟକଙ୍କ ପାଇଁ ପୁଣି ଜୋର୍ ଧରିଛି ଭାରତ ରତ୍ନ ଦାବି।

ସେ ଥିଲେ ଝଡ଼ର ଇଗଲ୍ । ଆଧୁନିକ ଓଡ଼ିଶାର ସ୍ଥପତି । ଅର୍ଥନୈତିକ ଓ ଶିଳ୍ପ ବିକାଶର କର୍ଣ୍ଣଧାର । ସେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଆଜି ତାଙ୍କର ୧୦୮ତମ ଜୟନ୍ତୀ । ଯାହାକୁ ପାଳନ କରିଛି ସାରା ରାଜ୍ୟ। କଟକରୁ ପେଶାଓ୍ବାର ଯାଏ ବିଜୁବାବୁଙ୍କ ଦୁଃସାହସିକ ସାଇକେଲ ଯାତ୍ରାକୁ ମନେ ପକାଇ ବିଜୁ ଜନତା ଦଳ ସମସ୍ତ ନିର୍ବାଚନମଣ୍ଡଳୀରେ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ ଆୟୋଜନ କରିଥିଲା । ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦିବସର ଶୁଭାରମ୍ଭ କରାଯାଇଥିଲା । ବିଜୁ ପଟ୍ଟନାୟକ ଥିଲେ ଜନସେବା ଓ ସଶକ୍ତିକରଣର ପ୍ରତୀକ । ତାଙ୍କ ଜନ୍ମଦିନରେ ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଓ ବାଳାଶ୍ରମରେ ଫଳ ବଣ୍ଟନ ସହ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଅପରାହ୍ନରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳର ନିର୍ବାଚିତ ଜନପ୍ରତିନିଧି, କର୍ମକର୍ତ୍ତା, ସକ୍ରିୟ ସଦସ୍ୟ, କର୍ମୀ, ବିଜୁୃବାବୁଙ୍କ ଅନୁଗାମୀ ଓ ଜନସାଧାରଣଙ୍କୁ ନେଇ ସଭା ଆୟୋଜନ କରାଯାଇଥିଲେ ।

ଦେଶ ପ୍ରତି ବିଜୁବାବୁଙ୍କ ଅମୂଲ୍ୟ ଅବଦାନ ଓ ସଶକ୍ତ ତଥା ପୂର୍ଣ୍ଣ ବିକଶିତ ଓଡ଼ିଶା ନିର୍ମାଣରେ ବିଜୁବାବୁ ଭୂମିକା ସମ୍ପର୍କରେ ଆଲୋଚନା ହୋଇଛି । ରାଉରକେଲା ଇସ୍ପାତ କାରଖାନା ସହ ପାରାଦୀପ ବନ୍ଦରକୁ ନେଇ ବିଜୁବାବୁଙ୍କ ଶିଳ୍ପ ବିପ୍ଳବକୁ ମନେ ପକାଇଛି ସାରା ରାଜ୍ୟ । ଭାରତ ସମେତ ଇଣ୍ଡୋନେସିଆର ସ୍ବାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଅବଦାନକୁ ସମସ୍ତେ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ମହିଳା ସଶକ୍ତିକରଣ ପାଇଁ ବିଜୁବାବୁଙ୍କ ଆରମ୍ଭ କରିଥିବା କ୍ରାନ୍ତି ବି ଉଦାହରଣ ସୃଷ୍ଟି କରିଛି । ବିକାଶର ସାରଥି ବିଜୁ ପଟ୍ଟନାୟକ, ରାଜ୍ୟ ସମେତ ଦେଶ ଓ ବିଦେଶ ପାଇଁ ଆଦର୍ଶ ସାଜିଛନ୍ତି । ତାଙ୍କୁ ଭାରତ ରତ୍ନ ପ୍ରଦାନ ଦାବି ପୁଣି ଜୋର୍ ଧରିଛି। ବିଜୁବାବୁ ଦେଖାଇଥିବା ମାର୍ଗରେ ଓଡ଼ିଶାବାସୀଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ନିରନ୍ତର କାର୍ଯ୍ୟ କରିବା ସହ ସମୃଦ୍ଧ, ସଶକ୍ତ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଢ଼ିବାକୁ ସମସ୍ତେ ଶପଥ ନେଇଛନ୍ତି । ବିଜୁ ପଟ୍ଟନାୟକଙ୍କ ବିକାଶ ମାର୍ଗରେ ରାଜ୍ୟର ବିକାଶ କରି ଚାଲିଛନ୍ତି ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁବାବୁଙ୍କ ଆଦର୍ଶରେ ଗଠିତ ବିଜୁ ଜନତା ଦଳ ରାଜ୍ୟ ତଥା ରାଜ୍ୟବାସୀଙ୍କ ବିକାଶ ଓ ଜନସେବାରେ ନିୟୋଜିତ ରହିଛି।