ଗ୍ରାମସଭା ବ୍ୟବସ୍ଥାକୁ ପଙ୍ଗୁ କରିଦେବାକୁ ଚକ୍ରାନ୍ତ

ଭୁବନେଶ୍ବର : ବାଟବଣା ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା। ବିରୋଧୀ ଦଳରେ ଥିବାବେଳେ ଗ୍ରାମସଭାକୁ ନେଇ ଚାଲିଥିଲା ହୋହଲ୍ଲା। ହେଲେ ସରକାରକୁ ଆସିବା ପରେ ଗ୍ରାମସଭାକୁ ଫୁ। ନବୀନ ସରକାର ଅମଳରେ ନାଁ ଥିଲା ଆମ ଓଡ଼ିଶା, ନବୀନ ଓଡ଼ିଶା। ହେଲେ ଏବେ ନାଁ ବଦଳାଇ ରଖାଗଲା ବିକଶିତ ଗାଁ, ବିକଶିତ ଓଡ଼ିଶା। ଜାନୁଆରୀ ୨୮ରେ ପ୍ରଥମ ଗାଇଡ଼ଲାଇନ ଜାରି କରିଥିଲା ପଞ୍ଚାୟତିରାଜ ବିଭାଗ। ଏଥିରେ ବିଭିନ୍ନ କାମ ପାଇଁ ଡ଼େଡ଼ଲାଇନ ସ୍ଥିର କରାଯିବା ସହ ସବୁକିଛି ଗ୍ରାମସଭା ଜରିଆରେ ହେବ ବୋଲି କୁହାଯାଇଥିଲା। ମାତ୍ର ମାର୍ଚ୍ଚ ୧୨ରେ ଗାଇଡ଼ଲାଇନରେ ପରିବର୍ତ୍ତନ ହେଲା। ୨୦ ପ୍ରତିଶତ କାମ ବିନା ଗ୍ରାମସଭାରେ ବିଧାୟକ, ସାଂସଦଙ୍କ ସୁପାରିଶରେ ହେବ। ପୁଣି ମାର୍ଚ୍ଚ ୨୫ରେ ଏହି ସୀମା ୪୦ ପ୍ରତିଶତ କରିଦେଇ ଗ୍ରାମସଭାକୁ ଗୁରୁତ୍ବହୀନ କରିଦେଲେ ସରକାର। ଜିଲ୍ଲାପାଳ ଚାହିଁଲେ ପ୍ରକଳ୍ପ ଯୋଡ଼ିପାରିବେ କିମ୍ବା କାଟିପାରିବେ। ସରକାରଙ୍କ ଏପରି ଚାଲାକିକୁ ନେଇ ବର୍ଷିଛନ୍ତି ବିରୋଧୀ।
ବିଜେପି ବିରୋଧୀ ଦଳରେ ଥିବା ବେଳେ ଗ୍ରାମସଭାକୁ ଗୌଣ କରାଯାଉଥିବାର ଅଭିଯୋଗ କରୁଥିଲା। ହେଲେ ସରକାରକୁ ଆସିବା ପରେ ନିଜର ଡ଼ବଲ ଷ୍ଟାଣ୍ଡାର୍ଡ଼ ରୂପ ଦେଖାଇଛି। ବିରୋଧିଙ୍କ ତୀବ୍ର ସମାଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। କହିଛନ୍ତି- ବିଧାୟକ ଓ ସାଂସଦ ହେଉଛନ୍ତି ଜନ ପ୍ରତିନିଧି। ଏମାନେ ମଧ୍ୟ ଗାଁରେ କିଛି ଭଲ କାମ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ହେଲେ ଏମାନେ ଗ୍ରାମସଭାରେ ଉପସ୍ଥିତ ରହୁନଥିବାରୁ ସେମାନଙ୍କ ମନରେ ଥିବା ପ୍ରକଳ୍ପ ଯୋଜନାରେ ସ୍ଥାନ ପାଏନାହିଁ। ୨୦୦୨ ପଞ୍ଚାୟତିରାଜ ଓପିଡ଼ବ୍ଲ୍ୟୁଡ଼ି କୋଡ଼୍ ଅନୁସାରେ କାମ ହେଉଛି ବୋଲି ମନ୍ତ୍ରୀ କହୁଛନ୍ତି। ମାତ୍ର କାହିଁକି ୪୦ ପ୍ରତିଶତ କାମ ବିନା ଗ୍ରାମସଭାରେ ହେବ, ସେହି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ମନ୍ତ୍ରୀ। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଟଙ୍କାଟିଏ ନ ଦେଇ ବିଜେପି ସରକାର ବାହାବା ନେବାକୁ ବସିଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି। ସେପଟେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏହି ଯୋଜନାରେ ବର୍ଷକୁ ହଜାରେ କୋଟି ବଦଳରେ ମୁଖ୍ୟମନ୍ତ୍ରୀ ୨ ହଜାର କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି।