ବିଲ ଗେଟସଙ୍କ ଦୁନିଆକୁ ଚେତାବନୀ, ଓମିକ୍ରନ୍ ଦ୍ବାରା ପ୍ରଭାବିତ ହେବେ ସବୁ ପରିବାର

ନ୍ୟୁୟର୍କ: ବିଶ୍ବର ଜଣାଶୁଣା କୋଟିପତି ତଥା ଦାନୀ ବିଲ ଗେଟସ କରୋନା ମହାମାରୀକୁ ନେଇ ବିଶ୍ବକୁ ଚେତାବନୀ ଦେଇଛନ୍ତି । ବିଲ୍ ଗେଟସ୍ ଚେତାବନୀ ଦେଇ କହିଛନ୍ତି ଯେ, କରୋନାର ନୂଆ ଭୂତାଣୁ ଓମିକ୍ରନ୍ ଦ୍ବାରା ସବୁ ପରିବାର ପ୍ରଭାବିତ ହେବେ । ତେଣୁ ଦୁନିଆକୁ ସେ ସତର୍କ ରହିବାକୁ କହିଛନ୍ତି । ଏହା ସହିତ ଗେଟସ୍ ତାଙ୍କର ସବୁ ଛୁଟିକୁ ବାତିଲ କରି ଘରେ ରହୁଥିବା କଥା କହିଛନ୍ତି । ସେ କହିଛନ୍ତି ଯେ, ଆମେ ଖୁବଶୀଘ୍ର ମହାମାରୀର ସବୁଠାରୁ ଭାୟାବହ କାଳଖଣ୍ଡ ଦେଇ ଗତିକରିବାକୁ ଯାଉଛେ । ଗେଟସ୍ ଓମିକ୍ରନ୍ ସଂକ୍ରମଣର ଭୟାବହତାକୁ ନେଇ ଗୋଟିଏ ପରେ ଗୋଟିଏ ଲଗାତର ୭ଟି ଟ୍ବିଟ୍ କରି ଏଭଳି ଚେତାବନୀ ଦେଇଛନ୍ତି ।

ବିଲ୍ ଟ୍ବିଟ୍ କରିଛନ୍ତି ଯେ, ତାଙ୍କର ଅନେକ ବନ୍ଧୁ ଓମିକ୍ରନ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ତେଣୁ ଲୋକଙ୍କୁ ସାବଧାନ ରହିବାକୁ ପଡିବ । ଓମିକ୍ରନର ବିପଦକୁ ଦେଇ ସେ ତାଙ୍କର ବଡ଼ଦିନ ଛୁଟିକୁ ବାତିଲ କରିବା ସହିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ, ଟିକା ନେବାକୁ ଓ ଭିଡ ନକରିବାକୁ ପରାମର୍ଶ ଦେଇଛନ୍ତି ।

ଓମିକ୍ରନର ସଂକ୍ରମଣ ହାର ଅଧିକ

ସେ ଆଗକୁ ଆହୁରି ମଧ୍ୟ କହିଛନ୍ତି ଯେ, ଓମିକ୍ରନକୁ ନେଇ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡିବ । କାରଣ ଅନ୍ୟ ଭାରିଆଣ୍ଟ୍ ତୁଳନାରେ ଓମିକ୍ରନ୍ ଦ୍ରୁତ ଗତିରେ ପ୍ରସାରିତ ହେଉଛି । ଖୁବଶୀଘ୍ର ଏହା ଦୁନିଆର ଅନେକ ଦେଶରେ ପହଂଚିଯିବ । ସବୁଠାରୁ ବଡ଼ କଥା ହେଉଛି ଆମ ପଖାରେ ଓମିକ୍ରନକୁ ନେଇ ଅଧିକ ତଥ୍ୟ ନାହିଁ ବୋଲି ସେ କହିଛନ୍ତି । ଓମିକ୍ରନ୍ କେତେ ବେମାର କରିଥାଏ ସେ ବାବଦରେ ଏବେ କୌଣସି ତଥ୍ୟ ନାହିଁ । ତେବେ ଏହା ଯଦି ବି ଡେଲଟା ତୁଳନାରେ ଅଧା ପ୍ରଭାବି ହୋଇଥାଏ ତଥାପି ଅଧିକ ବିପଦ ରହିଛି । କାରଣ ଡେଲଟା ମୁକାବିଲାଲରେ ଏହା ଖୁବଶୀଘ୍ର ପ୍ରସାରିତ ହୋଇଥାଏ ।

ଆମେରିକାରେ ବଢିବାରେ ଲାଗିଛି ଓମିକ୍ରନ୍ ମାମଲା

ବିଲ୍ ଗେଟସଙ୍କ ଚେତାବାନୀ ଏଭଳି ସମୟରେ ଆସିଛି ଯେତେବେଳେ ଆମେରିକାରେ ଓମିକ୍ରନ୍ ସଂକ୍ରମଣ ମାମଲା ଜୋରଦାର ଢଙ୍ଗରେ ବୃଦ୍ଧି ପାଇବାରେ ଲାଗିଛି । ଗତ ଏକ ସପ୍ତାହ ମଧ୍ୟରେ କରୋନାର ମୋଟ ମାମଲାରେ ୭୩ ପ୍ରତିଶତ ନୂଆ ରୋଗୀଙ୍କ ଠାରେ ଓମିକ୍ରନ୍ ସଂକ୍ରମଣ ଦେଖିବାକୁ ମିଳିଛି । ଯାହାକି ଆଗରୁ ୩ ପ୍ରତିଶତ ଥିଲା ।

ଅନ୍ତରେ ସକରାତ୍ମକ ସନ୍ଦେଶ

ତେବେ ଶେଷରେ ବିଲ୍ ସକରାତ୍ମକ ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, ଭଲ ଖବର ହେଉଛି ଓମିକ୍ରନ୍ ଦ୍ରୁତ ଗତିରେ ବଢିଥାଏ । କୌଣସି ଦେଶରେ ଏହା ପ୍ରସାରିତ ହେବା ପରେ ସଂକ୍ରମଣ ପ୍ରବାହ ୩ ମାସରୁ କମ ସମୟ ପର୍ଯ୍ୟନ୍ତ ରହିଥାଏ । ସେ କହିଛନ୍ତି ଯେ, ଦୁନିଆ ସବୁବେଳ ପାଇଁ ଏମିତି ରହିବ ନାହିଁ । ଦିନେ ମହାମାରୀର ଅନ୍ତ ଘଟିବ । ଆମେ ଯଦି ପରସ୍ପରର ଖିଆଲ ରଖିବା ତେବେ ସେହି ସମୟ ଶୀଘ୍ର ଆସିବ ।

Leave a Reply