କୋଭିଡ୍‌ ନିୟମ ଭିତରେ ଜମୁଛି ପ୍ରଚାର, ଡେରା ପକାଇଲେଣି ହେଭିଓ୍ୱେଟ୍‌ ନେତା

BJD

ଭୁବନେଶ୍ୱର/ବାଲେଶ୍ୱର: କୋଭିଡ୍‌ ନିୟମ ଭିତରେ ଜମୁଛି ନିର୍ବାଚନ ପ୍ରଚାର । ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ପ୍ରଚାର ଜୋର୍‌ଦାର ହୋଇଛି । ପ୍ରାର୍ଥୀ ଓ ନେତା ଭୋଟରଙ୍କ ଆଗରେ ପ୍ରତିଶ୍ରୁତିର ପାହାଡ଼ ଠିଆ କରୁଛନ୍ତି । ଦୁଇଟି ଯାକ ସ୍ଥାନରେ ପ୍ରଚାରରେ ବିଜେଡି ଆଗରେ ଅଛି ।

ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପ୍ରତି ସମର୍ଥନ ବଢୁଥିବା ଦେଖାଯାଇଛି । ତାଙ୍କ ପାଇଁ ରାଜ୍ୟର ହେଭିଓ୍ୱେଟ୍‌ ନେତା ପ୍ରଚାର କରୁଛନ୍ତି । ମୂଳିସିଂ ଓ କନକପୁରରେ ରୋଡ୍‌ ଶୋ’ ମଧ୍ୟ କରିଛି ବିଜେଡି । ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଏଥିରେ ସାମିଲ ହୋଇଥିଲେ । ରଘୁନାଥପୁର ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ କର୍ମୀ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଯୋଗଦେଇଥିଲେ ।

ସେପଟେ ହାତଗଣତି କର୍ମୀଙ୍କ ସହ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ କରୁଛନ୍ତି ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା । ସେହିଭଳି କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ପ୍ରଚାର କରୁଥିଲେ ବି ପଛରେ ପଡ଼ିଯାଇଛନ୍ତି । ବିଜେପି ଓ କଂଗ୍ରେସର ତୁଙ୍ଗ ନେତାଙ୍କୁ ଦେଖିବାକୁ ମିଳୁନି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ତେବେ ବାଲେଶ୍ୱରରେ ବି ଜୋର୍‌ଦାର୍‌ ଚାଲିଛି ପ୍ରଚାର । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଭିନ୍ନ ଓ୍ୱାର୍ଡରେ ବୁଲି ସଭା କରିବା ସହ ଘରଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ବାଲେଶ୍ଵରରେ ଚାଲିଥିବା ବିକାଶ ଧାରାକୁ ଆଗେଇ ନେବାକୁ ଲୋକଙ୍କ ଆର୍ଶୀବାଦ କାମନା କରୁଛନ୍ତି ।

ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଦଳର ରାଜ୍ୟ ସଭାପତି ସମୀର ମହାନ୍ତି । ସମୀର ଗୋଳାପୋଖରୀ ଠାରୁ ସିନେମା ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ତେବେ ଏଥିରେ କଂଗ୍ରେସ ମଧ୍ୟ ପଛରେ ପଡିନି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ମୁଖପାତ୍ର ସୁଦର୍ଶନ ଦାସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ପ୍ରଚାର କରୁଛନ୍ତି । ଦଳ ପକ୍ଷରୁ କଷାଫଳ ପଞ୍ଚାୟତର ବିଭିନ୍ନ ଓ୍ୱାର୍ଡରେ ପ୍ରଚାର ଓ ସଭା କରାଯାଇଛି । ପ୍ରଚାର ପାଇଁ ୧୧ ଦିନ ବାକି ରହିଥିବାରୁ ଆଗକୁ ଆହୁରି ଜୋର୍‌ଦାର ହେବ ବୋଲି ଆଶା କରାଯାଉଛି ।

Leave a Reply