ରଥଯାତ୍ରା ବିଭ୍ରାଟ: ୧୦ରୁ ୧୫ ହଜାର କର୍ଡନ ପାସ ଦେଇ ରାଚ୍ୟ ସରକାର ଚରମ ଅବହେଳା କରିଛନ୍ତି

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରାରେ ବିଶୃଙ୍ଖଳା ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି । ବିଜେପି କର୍ମୀଙ୍କୁ ୧୦ରୁ ୧୫ ହଜାର କର୍ଡନ ପାସ ଦେଇ ଗତକାଲି ରାଜ୍ୟ ସରକାର ରଥଯାତ୍ରାରେ ଚରମ ବିଶୃଙ୍ଖଳାକୁ ଡାକି ଆଣିଛନ୍ତି ବୋଲି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ଅଭିଯୋଗ କରିଛନ୍ତି । ବିଜେପି ସରକାରର ପ୍ରଥମ ରଥଯାତ୍ରାରେ ଯେଉଁ ବିଭ୍ରାଟ ହୋଇଥିଲା ତାହାର ଯେଉଁ ତଦନ୍ତ କରାଯାଇଥିଲା ଯଦି ତା’ର ସଠିକ ପଦକ୍ଷେପ ନିଆଯାଇଥାନ୍ତା ତେବେ ଆଜି ଏହି ବିରାଟ ଭୁଲ ହୋଇନଥାନ୍ତା । ଗୋଟିଏ ଭୁଲକୁ ଘୋଡାଇବାକୁ ଯାଇ ଅନେକ ଭୁଲ କରିବାରେ ଏହି ସରକାର ସିଦ୍ଧହସ୍ତ ବୋଲି କହିଛି ବିଜେଡି । ରଥଯାତ୍ରା ବିଭ୍ରାଟ ପାଇଁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଗଜପତି ମହାପ୍ରଭୁଙ୍କୁ କ୍ଷମା ମାଗନ୍ତୁ ବୋଲି ବରିଷ୍ଠ ରାଜନେତା ଦାବି କରିଛନ୍ତି ।

ରଥଯାତ୍ରାରେ ବିଶୃଙ୍ଖଳା ନେଇ ବିଜେପି ସରକାରକୁ ଘେରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ ସରକାରଙ୍କ ରଥଯାତ୍ରା ପରିଚାଳନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ସରକାର ୧୦ରୁ ୧୫ ହଜାର କର୍ଡନ ପାସ ଦେଲେ । ଯେଉଁଥି ପାଇଁ ଚରମ ବିଶୃଙ୍ଖଳା ସୃଷ୍ଟି ହେଲା । ରଥଯାତ୍ରାରେ କଳଙ୍କର ଛିଟା ପଡ଼ିଛି । ତେଣୁ ସରକାର ତୁରନ୍ତ ପ୍ରାୟଶ୍ଚିତ କରନ୍ତୁ । ଫଲ୍ସ ପାସ ବାଣ୍ଟିବାରେ ଯେଉଁମାନେ ଦାୟୀ ସେମାନଙ୍କୁ କଠିନ ଦଣ୍ଡ ଦିଅନ୍ତୁ । ଯଦି କୌଣସି ମନ୍ତ୍ରୀଙ୍କର ହାତ ଅଛି ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ।

ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କୁ କଡ଼ାଭାଷାରେ ସମାଲୋଚନା କରିଛି । ବିଜେପି ଗୋଟିଏ ବିଶୃଙ୍ଖଳିତ ଦଳ ବୋଲି କହିବା ସହ ସରକାର ପରିଚାଳନାରେ ଚରମ ବିଶୃଙ୍ଖଳା ଦେଖାଦେଉଛି ବୋଲି ଅଭିଯୋଗ କରିଛି । ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରି ସମସ୍ତ ବିଧି ବ୍ୟବସ୍ଥାକୁ ଅଚଳ କରି ସାରିଲେଣି । ତାହା ମହାପ୍ରଭୁଙ୍କ ଘୋଷଯାତ୍ରାରେ ପ୍ରତିଫଳିତ ହୋଇଛି । ସୂର୍ଯ୍ୟାସ୍ତ ହୋଇଯାଇଥିଲେ ମଧ୍ୟ ନନ୍ଦିଘୋଷ ରଥ ଟଣା ଯାଇପାରିଲା ନାହିଁ । ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିକ୍ରମା କାର୍ଯ୍ୟକୁ ଜାଣିଶୁଣି ସମ୍ପୂର୍ଣ୍ଣ କରୁନାହାନ୍ତି । ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହଁ । ଦଳୀୟ ଲୋକଙ୍କୁ ମାତ୍ରାଧିକ କର୍ଡନ ପାସ ଦେଇ ଏଭଳି ପରିସ୍ଥିତି ସୃଷ୍ଟି କଲେ । ଏଥିପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ । ନିଜ ଦୋଷକୁ ଘୋଡାଇ ସବୁ ମହାପ୍ରଭୁଙ୍କ ଉପରେ ଛାଡି ଦେଲେ କେମିତି ହେବ ବୋଲି ପ୍ରଶ୍ନ କରି କଂଗ୍ରେସର ବିଭିନ୍ନ ନେତା ସରକାରଙ୍କ ଉପରେ ବର୍ଷିଛନ୍ତି ।

ରଥଯାତ୍ରାରେ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ ଦୃଢ ଭାବରେ ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ । ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ପୋଲିସ ଦୁର୍ବ୍ୟବହାର କରିବା ଓ ଠେଲାପେଲାରେ ଆହତ ହେବାକୁ ନିନ୍ଦା କରଛନ୍ତି ସାମ୍ବାଦିକ ।

ଓଡିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ସରକାର କୋଟି କୋଟି ଓଡିଆଙ୍କ ମନରେ ଆଘାତ ପରେ ଆଘାତ ଦେଇ ଚାଲିଛନ୍ତି । ଦୁଇବର୍ଷ ଧରି ରଥଯାତ୍ରାରେ ଯେଉଁ ବିଶୃଙ୍ଖଳା ଦେଖାଯାଉଛି ତାହା ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୋଠାର ଆଘାତ ଦେଇଛି । ଯାହାକୁ ନେଇ ସବୁଠି ସରକାରଙ୍କ ବିରୋଧରେ ଉଠିଲାଣି ସ୍ବର ।