ଗ୍ରାମାଞ୍ଚଳରେ ବ୍ୟାଙ୍କ ଓ ଏଟିଏମ ଖୋଲିବା ଦାବି ଉଠାଇଲା ବିଜେଡି

ଭୁବନେଶ୍ବର: ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧାରୁ ଲୋକଙ୍କୁ ବଂଚିତ କରାଯାଉଛି । ତୁରନ୍ତ ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା ଓ ଏଟିଏମ ଖୋଲିବାକୁ ଦାବି କରିଛି ବିଜେଡି । ସଂସଦରେ ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ ଏହି ଦାବି କରିବା ପରେ ଜୋର ଧରିଛି ରାଜନୀତି । କଂଗ୍ରେସ ଓ ବିଜେପି ବ୍ୟାଙ୍କିଙ୍ଗ ବ୍ୟବସ୍ଥା ନେଇ ବିଜେଡ଼ି ସ୍ବର ସହ ସ୍ବର ମିଳାଇଥିଲେ ମଧ୍ୟ କିଛି ପ୍ରଶ୍ନ ଉଠାଇଛନ୍ତି । ଯାହାକୁ ନେଇ ସରଗମର ହୋଇଛି ରାଜ୍ୟ ରାଜନୀତି  ।

ଅପହଞ୍ଚ ଗାଁରେ ବ୍ୟାଙ୍କିଙ୍ଗ ସେବା ନଗନ୍ୟ । ଯେଉଁଠି ଏଟିଏମ ଅଛି, ସେଠାରେ ଇଣ୍ଟରନେଟର ସୁବିଧା ନାହିଁ । ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ବ୍ୟାଙ୍କ ଶାଖା ସହ ଏଟିଏମ ଖୋଲିବାକୁ ବିଜେଡ଼ି ସାଂସଦ ଦାବି କରିଛନ୍ତି । ଏହାସହ ଗ୍ରାମ୍ୟବ୍ୟାଙ୍କଗୁଡିକ ମିଶନ୍ ଶକ୍ତି ଗ୍ରୁପକୁ ବ୍ୟବସାୟିକ ପ୍ରତିନିଧି ଭାବେ ସାମିଲ କରିବା ପାଇଁ ଦାବି ଦୋହରାଇଛି ବିଜେଡ଼ି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କି ସେବାରୁ ଗ୍ରାମାଞ୍ଚ ଲୋକଙ୍କୁ ବଞଚିତ ନକରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ରାଜ୍ୟରେ ମୋଟ୍ ୬ ହଜାର ୭୯୮ ପଞ୍ଚାୟତ ମଧ୍ୟରୁ ୪ ହଜାର ୬୪୯ଟି ପଞ୍ଚାୟତରେ ବ୍ୟାଙ୍କ ନାହିଁ ।

ଘରୋଇ ବ୍ୟାଙ୍କମାନେ ଚାଷୀଙ୍କୁ ଋଣ ଦେବାକୁ ମଧ୍ୟ ସଂସଦରେ ଦାବି କରିଛି ବିଜେଡି । ୭୦ ପ୍ରତିଶତ ଘରୋଇ ବ୍ୟାଙ୍କ ଚାଷୀଙ୍କୁ ଋଣ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଚାଷୀମାନେ ହଇରାଣ ହେଉଥିବା ସାଂସଦ ସେଠୀ କହିଥିଲେ । ସଂସଦରେ ବିଜେଡି ଯେଉଁ ଦାବି ରଖିଛି ତାହାକୁ ସମର୍ଥନ କରିଛନ୍ତି ଦୁଇ ବିରୋଧି କଂଗ୍ରେସ ଓ ବିଜେପି ।

ସଂସଦ ଅଧିବେଶନରେ ରାଜ୍ୟର ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗକୁ ନେଇ ଗୃହରେ ଶାଣିତ ସ୍ବର ଉଠାଉଛନ୍ତି ବିଜେଡି ସାଂସଦ । ତେବେ କେନ୍ଦ୍ର ସରକାର, ଏସବୁ ସମସ୍ୟାର ସମାଧାନ କେବେ କରୁଛନ୍ତି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।

Leave a Reply