୨୦୨୪ରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବିଜେଡି

1 min read

ଭୁବନେଶ୍ବର: ୨୦୨୪ରେ ବିଜେଡି ଶ୍ରେଷ୍ଠ ପ୍ରଦର୍ଶନ କରିବ । ୨୦୧୯ ଅପେକ୍ଷା  ଅଧିକ ଆସନ ସହ ଭୋଟ୍‌ ହାରରେ ବି ରେକର୍ଡ କରିବ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ରାଜ୍ୟବାସୀ ଏପରି ସଙ୍କେତ ଦେଲେଣି । ବିକଶିତ ଓଡ଼ିଶା ଗଠନ ପ୍ରକ୍ରିୟାକୁ ସଫଳ କରିବା ପାଇଁ ପ୍ରତ୍ୟେକ ଓଡ଼ିଆ ସଂକଳ୍ପ ନେଇଛନ୍ତି । ଯାହା ୨୪ ଭୋଟରେ ପ୍ରତିଫଳିତ ହେବ ବୋଲି ବିଜେଡି ଦାବି କରିଛି ।

ବିଜେଡିର ୨୪ ଆକଳନ । ବହୁ ଗୁଣିତ ହେବ ସଫଳତା । ଆସନ ସଂଖ୍ୟା ବୃଦ୍ଧି ସହ ବଢ଼ିବ ଭୋଟ୍‌ ହାର ।  ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳୁଛି ଆଶୀର୍ବାଦ  । ଗଠନ ହେଉଛି ବିକଶିତ ଓଡ଼ିଶା । ରୂପାନ୍ତରଣ ପଥରେ ଆଗକୁ ଚାଲିଛି ରାଜ୍ୟ । ୨୦୧୯ ନିର୍ବାଚନ ପ୍ରତିଶ୍ରୁତିକୁ ଶତ ପ୍ରତିଶତ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲାକୁ ଜିଲ୍ଲା ତୋଫାନୀ ଗସ୍ତ କରି ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେଉଛନ୍ତି । ବଡ଼ବଡ଼ ପ୍ରକଳ୍ପ ଆରମ୍ଭ ସହ ଅନେକ ପ୍ରକଳ୍ପର ଲୋକାପର୍ଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ଏଥି ପାଇଁ ୨୦୨୪ରେ ଓଡ଼ିଶାବାସୀ ବିଜେଡିକୁ ପୁଣି ଆଶୀର୍ବାଦ ଦେବେ । ଓଡ଼ିଶା ନିର୍ବାଚନ ରାଜନୀତିରେ ୨୪ରେ ବିଜେଡି ସବୁ ରେକର୍ଡକୁ ଭାଙ୍ଗି ଷଷ୍ଠଥର ଶାସନ ଭାର ଗ୍ରହଣ କରିବ । ଲଗାତାର ଲମ୍ବା ସମୟ ପାଇଁ ମୁଖ୍ୟମନ୍ତ୍ରୀ ରହି ନବୀନ ପଟ୍ଟନାୟକ ଦେଶରେ ରେକର୍ଡ କରିବେ । ଏଥିପାଇଁ ଓଡ଼ିଶାବାସୀ ମନସ୍ଥ କରିଛନ୍ତି ବୋଲି ଶାସକ ଦଳ କହିଛି । ୨୪ରେ ବିଜେଡିର ଆସନ ସଂଖ୍ୟା ସହ ଭୋଟ୍‌ ହାର ବୃଦ୍ଧି ପାଇବ ବୋଲି ଦଳର ବିଧାୟକମାନେ ଆକଳନ କରିଛନ୍ତି ।

ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ରୂପାନ୍ତରଣ ବିଜେଡିକୁ ୨୪ରେ ବଡ଼ ବିଜୟ ଦେବ ।  ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ, ପର୍ଯ୍ୟଟନ, ପରିବହନ, ପର୍ଯ୍ୟଟନଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ ଓ କଳା, ସାହିତ୍ୟ, ଏୗତିହ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି  । ଯେଉଁଥିରେ ଓଡ଼ିଶାବାସୀ ବେଶ୍‌ ଖୁସି । ଏସବୁକୁ ଅଧାର କରି ବିଜେଡି ମିଶନ ୧୩୦ ଓ ଦେଢ଼ କୋଟି ଭୋଟ୍ ପାଇଁ ଲକ୍ଷ୍ୟ ରଖିଛି । ୨୦୧୪ ନିର୍ବାଚନରେ ବିଜେଡି ୧୧୭ ବିଧାନସଭା ଆସନ ପାଇଥିଲା । ଭୋଟ୍‌ ହାର ଥିଲା ୪୩ ଦଶମିକ ୩୫ ପ୍ରତିଶତ ଥିଲା । ଦଳ ୯୩ ଲକ୍ଷ ୩୫ ହଜାର ୧୫୯ ଭୋଟ୍‌ ପାଇଥିଲା ।  ୨୦୧୯ରେ ବିଜେଡି  ୧ କୋଟି ୪ ଲକ୍ଷ ୮ ହଜାର ୨୩୮ଭୋଟ୍‌ ପାଇଥିବା ବେଳେ ଭୋଟ୍‌ ହାର ବଢ଼ି ୪୪ ଦଶମିକ ୬ ପ୍ରତିଶତରେ ପହଞ୍ଚିଥିଲା । ବିଧାନସଭା ଆସନ ସଂଖ୍ୟା ଥିଲା ୧୧୨ । ୨୪ରେ ବିଜେଡିର ଭୋଟ୍‌ ହାର ବୃଦ୍ଧି ସହ ଆସନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଦଳ କହିଛି  ।