ପ୍ରତିଶୃତି ପାଳନରେ ବିଫଳ ସରକାର, ଲୋକଲୋଚନକୁ ଆଣିବାକୁ ରଣହୁଙ୍କାର ଦେଲା ଯୁବ ଓ ଛାତ୍ର ବିଜେଡି

ଭୁବନେଶ୍ବର : ବିଜେପି ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବାକୁ ରଣହୁଙ୍କାର ଦେଲା ଯୁବ ଓ ଛାତ୍ର ବିଜେଡି। ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପ୍ସିତା ସାହୁଙ୍କ ସମ୍ବର୍ଦ୍ଧନା ଅବସରରେ ଏହି ରଣହୁଙ୍କାର ଦେଇଛନ୍ତି ଦୁଇ ଛାମୁଆ ବିଜେଡି ସଂଗଠନ। ଦୁଇ ନୂଆ ସଭାପତିଙ୍କ ପାଇଁ ଆଜି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଥିଲା। ଯେଉଁଥିରେ ଚିନ୍ମୟ ଓ ଇପ୍ସିତାଙ୍କ ସହ ଦଳର ବରିଷ୍ଠ ନେତାମାନେ ଭୁବନେଶ୍ବର ବିମାନ ବନ୍ଦର ନିକଟରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ଶଂଖ ଭବନ ଯାଏଁ ବିରାଟ ପଦଯାତ୍ରା କରାଯାଇଥିଲା। ଯେଉଁଥିରେ ବିଜେଡିର ହଜାର ହଜାର ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତା ସାମିଲ ଥିଲେ। ପ୍ରଥମ ଥର ପାଇଁ ନବୀନ ଛାତ୍ର ବିଜେଡି ଦାୟିତ୍ବ ଜଣେ ମହିଳାଙ୍କୁ ଦେଇଛନ୍ତି। ଯାହା ନବୀନଙ୍କ ନାରୀ ସଶକ୍ତିକରଣକୁ ପୁଣି ଥରେ ପ୍ରମାଣିତ କରିଛି। ଛାତ୍ର ସମାଜକୁ ସଂଗଠିତ କରି କ୍ୟାମ୍ପସ ରାଜନୀତିରେ ସକ୍ରିୟ କରିବାକୁ ରୋଡମ୍ୟାପ ପ୍ରସ୍ତୁତ କରିବ ଛାତ୍ର ବିଜେଡି। କାରଣ ଯେଉଁ ଛାତ୍ର ସଂସଦ ନିର୍ବାଚନ କରିବାକୁ ବିଜେପି ସରକାର କହି ଆସୁଥିଲା, ତାହା ଏଯାଏ କରି ପାରି ନାହିଁ। ସେହିପରି ଯୁବ ସମାଜଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ଅନେକ ଜନକଲ୍ୟାଣକାରୀ ଯୋଜନା କରିଥିଲେ। ହେଲେ ବର୍ତ୍ତମାନ ଯୁବ ସମାଜ ପ୍ରଥଭ୍ରଷ୍ଟ ହେବାରେ ଲାଗୁଛି। ଯୁବକଙ୍କୁ ପୁଣି ଥରେ ପ୍ରଗତି ଆଡ଼କୁ ମୁହାଁଇ ସୁସ୍ଥ ସମାଜ ଗଢିବାକୁ ଯୁବ ବିଜେଡି କାମ କରିବ।

ପଦଯାତ୍ରା ସରିବା ପରେ ଶଂଖ ଭବନରେ ଆୟୋଜିତ ହୋଇଥିଲା ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ। ଦଳର ବରିଷ୍ଠ ନେତାମାନେ ନବ ମନୋନୀତ ଛାମୁଆ ସଂଗଠନର ସଭାପତିମାନଙ୍କୁ ସରକାରଙ୍କ ଦୋଷଦୁର୍ବଳତା ବିରୋଧରେ ଲଢିବାକୁ ଗୁରୁମନ୍ତ୍ର ଦେଇଥିଲେ। ବିରୋଧୀରେ ଥିବା ବିଜୁ ଜନତା ଦଳ କଠିନ ସମୟ ଦେଇ ଗତି କରୁଛି। ଏହାକୁ ଆହ୍ବାନ ଭାବେ ଗ୍ରହଣ କରି ସଂଗଠନ ଆଗେଇନେବାକୁ ସମସ୍ତେ ମତ ଦେଇଛନ୍ତି । ବିଜେପି ସରକାର ପୂରଣ କରି ନଥିବା ନିର୍ବାଚନୀ ପ୍ରତିଶୃତିର ଅସଲ ମୁଖା ଖୋଲିବାକୁ ବିଜେଡିର ଛାମୁଆ ସଂଗଠନ ଅଣ୍ଟା ଭିଡ଼ିଛନ୍ତି। ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ଛାମୁଆ ସଂଗଠନ ଗୁଡ଼ିକୁ ସୁଦୃଢ କରିବାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଅନୁପ୍ରାଣିତ ହୋଇ ସାଂଗଠନିକ ପ୍ରକ୍ରିୟାକୁ ଆଗେଇ ନେଇ ଚାଲିଛି ବିଜୁ ଜନତା ଦଳ।