ମିଶନ ଶକ୍ତି ମାଆଙ୍କୁ ବିଜେପି ନେତା ଡରାଉଥିବା ଅଭିଯୋଗ, ସିଇଓଙ୍କ ଦ୍ବାରସ୍ଥ ହେଲା ବିଜେଡି

ଭୁବନେଶ୍ବର: ସମ୍ବଲପୁରରେ ବିଜେପି ନେତା ମହିଳାଙ୍କୁ ଡରାଇବା, ଖରାପ ଭାଷାରେ ଗାଳିଗୁଲଜ କରିବା, ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି ।

ସମ୍ବଲପୁର ଜିଲ୍ଲାର ପୂର୍ବତନ ଏମପିଙ୍କ ନୋମିନି ତଥା ବିଜେପି ନେତା ନରେଶ ସିଂ ଠାକୁର ବାମରା ବ୍ଲକର ଏମବିକେ, ଆଶା, ଅଙ୍ଗନୱାଡ଼ି କର୍ମୀଙ୍କୁ ଡରାଇବା ଓ ଧମକାଇବା ସହିତ ଫୋନରେ ଅଶୀଳ ଭାଷାରେ ଗାଳି କରୁଛନ୍ତି । ୩ ମିନଟ ୨୧ ସେକେଣ୍ଡର ଏକ ଅଡିଓ ରେକର୍ଡିଂକୁ ଆଜି ନିର୍ବାଚନ କମିଶନଙ୍କ ପାଖରେ ଦେଇ ସମ୍ପୃକ୍ତ ମହିଳାଙ୍କ ସୁରକ୍ଷା ଦାବି କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳ ।

ସ୍ଥିତି ଏମିତି ହୋଇଛି, ବିଜେପି ନେତାଙ୍କ ଭୟରେ ଏମବିକେ, ଏସଏସଜି ମହିଳାମାନେ ଘରୁ ବାହାରି ପାରୁନାହାନ୍ତି । ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି ଏବେ ଚରମ ସୀମାରେ ପହଁଚି ଥିବା ଅଭିଯୋଗ କରି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ନିବେଦନ କରିଛି ବିଜେଡି ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ବ୍ଲକ ଅଞ୍ଚଳର ବିଜେପି ନେତା ଏବେ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି । ମିଶନ ଶକ୍ତିରେ କାମ କରୁଥିବା ମହିଳାଙ୍କ ବ୍ୟକ୍ତିଗତ ଜୀବନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କର ଫୋନ ଟାପିଂ କରୁଛନ୍ତି । ପୁଣି ଧମକଚମକ ଦେଉଛନ୍ତି । ବିଜେପି ନେତାଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ମହିଳାମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି ।