ବିଜେପି ସରକାରର ବର୍ଷ ପୂର୍ତ୍ତିର ବିଫଳତାକୁ ବଖାଣିବ ବିଜୁ ଜନତା ଦଳ

ଭୁବନେଶ୍ବର : ସରକାରଙ୍କୁ ଘେରିବ ବିଜେଡି । ବିଫଳତାକୁ ଅସ୍ତ୍ର କରି ଘେରିବ । ମାଧ୍ଯମ ସାଜିବ ସୋସିଆଲ ମିଡିଆ । ୨୦୨୪ ନିର୍ବାଚନରେ ବିଜେପି ପାଇଁ ବଡ଼ ଅସ୍ତ୍ର ପାଲଟିଥିଲା ଏହି ସୋସିଆଲ ମଡିଆ । ଯେତେ ପାରିଲେ ଅପପ୍ରଚାର କରି ଚାଲିଲେ । ଯାହା ଅନେକାଂଶରେ ଲୋକେ ସତ ମାନି ନେଇ ବିଜେପିକୁ କ୍ଷମତାକୁ ଆଣିଲେ । ହେଲେ ଏବେ ଲୋକେ ବୁଝି ସାରିଲେଣି ଡବଲ ଇଂଜିନର ଡବଲ ପ୍ରତାରଣାର କାହାଣୀ । ଗତ ଏକ ବର୍ଷ ଭିତରେ ମୋହନ ମାଝୀଙ୍କ ବିଜେପି ସରକାର କିପରି ପ୍ରତିଶୃତି ପାଳନ କରିନି, ତାହାର ଚିଠା ଲୋକଙ୍କ ପାଖରେ ରଖିବ ବିଜୁ ଜନତା ଦଳ । ଯେଉଁ ଆଇଟି ଓ୍ବିଙ୍ଗକୁ ଢାଲ କରି ମିଥ୍ୟା ପ୍ରଚାର କରି ଚାଲିଲା ବିଜେପି, ସେହି ଆଇଟି ଓ ସୋସିଆଲ ମିଡିଆ ଜରିଆରେ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ରଖିବ ବିଜେଡି । ଏ ନେଇ ଶଂଖ ଭବନରେ ବିଜେଡି ଆଇଟି ସେଲର ବୈଠକ ବସିଥିଲା । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଇଟି ଓ ସୋସିଆଲ ମିଡିଆକୁ ସବୁବେଳେ ଗୁରୁତ୍ବ ଦେଇ ଆସୁଥିବାରୁ ଏହାକୁ ଆହୁରି ଶାଣିତ କରିବ ଦଳ । ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ନେଇ ସରକାରୀ ଦଳ ଯେଉଁ ମିଛ ପ୍ରଚାର କରି ଚାଲିଛି, ତାହା ରାଜ୍ୟବାସୀ ଗ୍ରହଣ କରୁ ନାହାନ୍ତି । ତେବେ ତାକୁ ଆହୁରି ବ୍ୟାପକ ଭାବେ ସୋସିଆଲ ମିଡିଆରେ ଲୋକଙ୍କ ପାଖରେ ପହଞ୍ଚାଇବ ବିଜେଡି । ଆଇଟି ସେଲ ବୈଠକରେ ବରିଷ୍ଠ ନେତାଙ୍କ ମତାମତ ନିଆଯାଇଛି । ଯାହାକୁ ନେଇ ପ୍ଲାନ କରାଯିବ । ଗାଁ ଗହଳିରେ ଲୋକେ ହଇରାଣ ହେଉଥିବାରୁ ଜନଅସନ୍ତୋଷ ବଢିଲାଣି । ଓଡ଼ିଆ ଅସ୍ମିତାକୁ କେନ୍ଦ୍ର ସରକାର ଗୌଣ ମାନ୍ୟତା ଦେଉଛନ୍ତି, ତାହା ସୋସିଆଲ ମିଡ଼ିଆ ଜରିଆରେ ଜଣାଇବ ବିଜେଡି ।
ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବି ସ୍ପଷ୍ଟ କରିଥିଲେ ଯେ ସୋସିଆଲ ମିଡିଆରେ ବିଜେପିର ମିଥ୍ୟା ପ୍ରଚାରକୁ କାଉଣ୍ଟର କରି ପାରି ନଥିଲା ବିଜେଡି । ଯାହା ପରାଜୟର ଏକ ବଡ଼ କାରଣ । ହେଲେ ଏବେ ମୋହନ ମାଝୀ ସରକାରକୁ ବର୍ଷେ ପୂରିବ । ହେଲେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ମାରିଛି ବୋଲି ବିଜେଡି ଅଭିଯୋଗ କରିଛି । ଏହି ବିଫଳତାକୁ ଲୋକେ ବୁଝିଲେଣି । ସେମାନେ ଓଲଟା ବିଜେଡି ନେତାଙ୍କୁ ଜଣାଉଛନ୍ତି ଯେ ସରକାର ନବୀନ ପଟ୍ଟନାୟକଙ୍କ ସମୟର ଜନହିତକର ବିକାଶ କାର୍ଯ୍ୟକ୍ରମ ବନ୍ଦ କରି ଦେଇଛନ୍ତି । ଏବେ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଓ ସମସ୍ତଙ୍କର ରହିଛି ସୋସିଆଲ ମିଡିଆ ଆକାଉଣ୍ଟ । ଟେକନୋଲୋଜିକୁ ଢାଲ କରି ବିଜେପି ସାରା ଦେଶରେ ଅପପ୍ରଚାରର ବାତାବରଣ ସୃଷ୍ଟି କରିଥିବା ନେଇ ବାରମ୍ବାର ଅଭିଯୋଗ ଉଠୁଛି । ତେବେ ଏହି ଟେକନୋଲୋଜି ଯେ ବିଜେପିର ଅସଲ ମୁଖା ଖୋଲି ଦେଇ ପାରିବ, ତାହା ହୁଏତ ଡବଲ ଇଂଜିନ ସରକାର ଏଯାଏଁ ଆକଳନ କରି ନଥିବା ଚର୍ଚ୍ଚା ଜୋର ଧରିଛି ।