ଭୁବନେଶ୍ବର: ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ । ପ୍ରଥମ ଥର ପାଇଁ ୩ ମହାନଗର ନିଗମରେ ହୋଇଥିବା ସିଧାସଳଖ ନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ମେୟର ପ୍ରାର୍ଥୀ । ଭୁବନେଶ୍ବରରେ ସୁଲୋଚନା ଦାସ ବିଜୟୀ ହୋଇଥିବା ବେଳେ କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି ।

ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥିନୀ ସଂଘମିତ୍ରା ଦଳେଇ ୨୦ ହଜାର ୨୮୬ ଭୋଟରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ମୋଟ ୬୬ ହଜାର ୬୮ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସବିତା ସୁଆର ୪୫ ହଜାର ୭୮୨ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଆପ୍ ପ୍ରାର୍ଥୀ ସି. ସ୍ରିୟଙ୍କା । ତାଙ୍କୁ ୭ ହଜାର ୪୫୩ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥଙ୍କୁ ୬ ହଜାର ୭୬୮ ଭୋଟ ମିଳିଛି ।

ଭୁବନେଶ୍ବର ମହାନଗର ନିଗମରେ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ୬୧ ହଜାର ୪୮୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସୁଲୋଚନାଙ୍କୁ ମୋଟ ୧ ଲକ୍ଷ ୭୪ ହଜାର ୪୮୭ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁନିତା ମୁଣ୍ଡଙ୍କୁ ୧ ଲକ୍ଷ ୧୩ ହଜାର ୪୦୦ ଭୋଟ୍ ପାଇଛନ୍ତି । କଂଗ୍ରେସ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ କରିଛି । ଦଳକୁ ମାତ୍ର ୧୧ ହଜାର ୬ ଖଣ୍ଡ ଭୋଟ ମିଳିଛି ।

କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ବିଜୟୀ ହୋଇଛନ୍ତି । ସୁବାସ ୪୫ ହଜାର ୨୦୬ ଖଣ୍ଡ ଭୋଟରେ ଜିତି କଟକ ମେୟର ପଦ ଦଖଲ କରିଛନ୍ତି । ସୁବାସଙ୍କୁ ମୋଟ ୧ ଲକ୍ଷ ୧୩ ହଜାର ୫୬୨ ଖଣ୍ଡ ଭୋଟ ମିଳିଛି । ପ୍ରରମ୍ଭିକ ଗଣନାରେ କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ବେହେରା ସୁବାସଙ୍କୁ କଡା ଟକ୍କର ଦେଇଥିଲେ । ହେଲେ ଦିନ ଗଢ଼ିବା ସହ ଭୋଟ ବ୍ୟବଧାନ ମଧ୍ୟ ବଢ଼ିବାକୁ ଲାଗିଥିଲା । ଗିରିବାଳାଙ୍କୁ ୬୮ ହଜାର ୩୫୬ ଖଣ୍ଡ ଭୋଟ ମିଳିଥିଲା । ବିଜେପି ପ୍ରାର୍ଥୀ ତଥା ଅଭିନେତା ଶ୍ରୀତମ ଦାସ ତୃତୀୟ ସ୍ଥାନରେ ରହିଥିଲେ । ତାଙ୍କୁ ୪୯ ହଜାର ୨୨୩ ଖଣ୍ଡ ଭୋଟ ମିଳିଛି ।