ବିଜେପିର ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବିଜେଡି

ଭୁବନେଶ୍ବର : ଦେଖୁ ଦେଖୁ ବିଜେପି ସରକାରର ଏକ ବର୍ଷ ପୂରିବାକୁ ଯାଉଛି । ଗତ ବର୍ଷ ଜୁନ ୧୨ ତାରିଖରେ ଶପଥ ନେବା ମାତ୍ରେ, ଶହେ ଦିନରେ ସବୁ କାମ କରିବାର ପ୍ରତିଶୃତି ଦେଇଥିଲା ବିଜେପି । ହେଲେ ଯେଉଁ ପ୍ରତିଶୃତି ଦେଇ କ୍ଷମତାକୁ ଆସିଛି ବିଜେପି, ତାକୁ ଏ ଯାଏ ପାଳନ କରାଯାଇ ନଥବା ଅଭିଯୋଗ କରିଛି ବିଜେଡି । ସେପଟେ ବର୍ଷ ପୂର୍ତ୍ତିକୁ ବିରାଟ ଆକାରରେ ଏକ ସପ୍ତାହ ବ୍ୟାପୀ ପାଳିବାକୁ ବିଜେପି ଯୋଜନା କରିଛି । ବିଜେପିର ସଫଳତାର ମିଛକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଶଂଖ ଭବନରେ ବିଜେଡିର ବୈଠକ ବସିଥିଲା । କିପରି ସରକାରୀ ବିଫଳତାର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ, ସେ ନେଇ ଆସନ୍ତା ୨୭ ତାରିଖରେ ବସିବ ଚୂଡ଼ାନ୍ତ ବୈଠକ । ବିଜେଡି ପ୍ରସ୍ତୁତ କରୁଛି ବିଜେପିର ମିଛ ପ୍ରତିଶୃତିର ଲମ୍ବା ତାଲିକା ? କୁଆଡ଼େ ଗଲା ୩୦୦ ୟୁନିଟ ମାଗଣା ବିଜୁଳି ? କାହିଁକି ପ୍ରତି ଦୁଇ ବର୍ଷରେ ମହିଳା ପାଇବେନି ସୁଭଦ୍ରାର ୫୦ ହଜାର ଟଙ୍କା ? କାହିଁକି ବଢିଲାନି ଏମଏସପି ? ସମସ୍ତେ କାହିଁକି ପାଇବେନି ବର୍ଦ୍ଧିତ ବାର୍ଦ୍ଧକ୍ଯ ଭତ୍ତା ? କାହିଁକି ବିଗିଡ଼ିଲା ଆଇନଶୃଂଖଳା ? ଦରଦାମ ନିୟନ୍ତ୍ରଣ ହେଲାନି କାହିଁକି ? ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ବିରୋଧରେ କାହିଁକି ହେଲାନି କାର୍ଯ୍ୟାନୁଷ୍ଠାନ ? କାହିଁକି ମୁହଁ ମାଡ଼ି ପଡ଼ିଗଲେ ମହାପ୍ରଭୁ ବଳଭଦ୍ର ? କାହିଁକି ଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟରେ ଭିଡ଼ ଅସମ୍ଭାଳ ହେଲା ? ନାରୀ ନିର୍ଯାତନା, ଶିଶୁ ଚୋରି, ଧର୍ଷଣ, ଅପହରଣ ବଢୁଛି କାହିଁକି ? ଏପରି ପ୍ରଶ୍ନର ଲମ୍ବା ତାଲିକା କରିଛି ବିଜେଡି ।
ଗୋଟିଏ ପଟେ ସରକାର ସଫଳତାର ଡିଣ୍ଡିମ ପିଟିବାକୁ ସଜବାଜ ହେଉଛି । ଅନ୍ୟପଟେ ବିଧାନସଭାରେ ନିଜ ବିଫଳତାକୁ ସ୍ବୀକାର ବି କରୁଛନ୍ତି । ଯେମିତିକି ନାରୀ ବିରୋଧରେ ହିଂସାକୁ ମାନିଛନ୍ତି ସରକାର । ଗତ ୮ ମାସରେ ୧୮ ହଜାର ୧ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ସେଥିରୁ ୧୭ ହଜାର ୨୧ ଟି ମାମଲା ବିଚାରାଧୀନ ଥିବା ବେଳେ ୭୩୮ ଟି ମାମଲାରେ ଚାର୍ଜସିଟ ଦିଆଯାଇଛି । ୨୧୭ଟି ମାମଲାର ଫଇସଲା ସରିଥିବା ବେଳେ ୨୫ଟି ମାମଲାରେ ଫାଇନାଲ ରିପୋର୍ଟ ପ୍ରଦାନ କରାଯାଇଛି । ସେହିପରି ୨୦୨୫ ଜାନୁଆରୀ ଥିଲା ଅପରାଧର ମାସ । କେବଳ ଏହି ଗୋଟିଏ ମାସରେ ୧୧୧ ହତ୍ୟା, ୨୦ ଡକାୟତି, ୧୫୦୯ ଚୋରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୭୯ ଯୌନ ନିର୍ଯାତନା, ୧୪୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ ଓ ୩୧ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଥିବା ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସ୍ବୀକାର କରିଛନ୍ତି । ଏହି ତାଲିକାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ସ୍ଥାନରେ ଏହା ବଢିବାରେ ଲାଗିଛି । ସରକାରୀ ବିଫଳତାକୁ ଲୋକେ ଅନୁଭବ କରୁଥିବା ବିଜେଡି ଦାବି କରିଛି । ନବୀନ ପଟ୍ଟନାୟକ ସରକାର ସମୟର ଯୋଜନା ଗୁଡ଼ିକରେ ନାଁ ଓ ରଙ୍ଗ ବଦଳାଇ ଏକ ବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେପି ସରକାର । ନୂଆ କଣ କରିବେ, ତାହା ଏ ଯାଏଁ ସ୍ପଷ୍ଟ ହୋଇନି । କେବଳ ବଜେଟର ଆକାର ବଢିଛି । ହେଲେ ସଂପୂର୍ଣ୍ଣ ବଜେଟ ଖର୍ଚ୍ଚ କରିବାରେ ବି ସରକାର ବିଫଳ ହୋଇଛନ୍ତି ।