କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସାଂସଦ, ଫସଲ ବୀମା ଯୋଜନାରେ ଅଟକାଇଛି କ୍ଷତିପୂରଣ

ଭୁବନେଶ୍ବର: ଧାନ ସଂଗ୍ରହ, ସାର, ଚାଉଳ ଓ ଉଷୁନା ଚାଉଳ ଉଠାଣ, ଏମଏସପି ନିର୍ଦ୍ଧାରଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଏସବୁ ଚାଷ ଓ ଚାଷୀ ସଂପର୍କିତ ପ୍ରସଙ୍ଗ କେନ୍ଦ୍ର ସରକାରର । ତେଣୁ ଚାଷୀଙ୍କୁ ନେଇ ରାଜନୀତି ନକରୁ ବିଜେପି। ଏ ସମସ୍ତ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗ ଉଠାଇଛନ୍ତି ସସ୍ମିତ।

ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଏଭଳି ଚିଠି ଲେଖାଯାଇଛି କି, ବୋଲି ସେ ପ୍ରଶ୍ନ କରିଛନ୍ତି।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଛନ୍ଦି ହୋଇପଡିଛନ୍ତି କେନ୍ଦ୍ର ସରକାର। ଚାଷୀଙ୍କ ଅର୍ଥ ରିଲିଜ ପାଇଁ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫସଲ ବୀମା ଯୋଜନାରେ କ୍ଷତିପୂରଣ ଅଟକାଇଥିଲା କେନ୍ଦ୍ର। ଚାଷୀଙ୍କୁ ଛାଡ଼ି ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି ସସ୍ମିତ।

ଫସଲ ବୀମା ରାଶି ନେଇ ବିଜେଡି ମୁଣ୍ଡରେ ଦୋଷ ଲଦିବାକୁ ବିଜେପି ଉଦ୍ୟମ କରୁଛି। ସେହିପରି ବିଜେପିର ବିଧାନସଭା ଆଗରେ ଧାରଣା ଦେବା ପ୍ରସଙ୍ଗରେ ବର୍ଷିଛନ୍ତି ସସ୍ମିତ। ବିଧାନସଭା ନୁହେଁ ବରଂ ଚାଷୀଙ୍କ ଦାବି ପାଇଁ ସଂସଦ ସାମ୍ନାରେ ଧାରଣା ଦେଉ ବିଜେପି। ବିଜେପି ସାଂସଦ ଧାରଣା ଦେଲେ କେନ୍ଦ୍ର ସରକାର ନିଦରୁ ଉଠିପାରେ ବୋଲି ସସ୍ମିତ କହିଛନ୍ତି। ଧାନର ଏମଏସପି ବୃଦ୍ଧି ନେଇ ରାଜ୍ୟ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି।

କେନ୍ଦ୍ର ନିକଟରେ ଧାନର ଏମ୍ଏସ୍ପି ୨୯୩୦ଟଙ୍କା ପାଇଁ ଦାବି କରନ୍ତୁ ବିଜେପି ବିଧାୟକ। କେନ୍ଦ୍ର ଓ ରାଜ୍ୟରେ ବିଜେପିର ଚାଷୀ ଓ ଚାଷ ବିରୋଧୀ ନୀତି ରହିଛି। ବିଜେପିର ୮ବର୍ଷ ଶାସନରେ ଚାଷୀ କିଛି ଉପକାର ପାଇଲେନି ବୋଲି ସସ୍ମିତ କହିଛନ୍ତି।