୮୧ ଜଣିଆ ବ୍ରିଗେଡ ନେତୃତ୍ବରେ କାମ କରିବ ବିଜେଡି । ବରିଷ୍ଠ, ଅନୁଭବୀ ଓ ଯୁବ ନେତାଙ୍କୁ ମିଳିଛି ଗୁରୁ ଦାୟିତ୍ବ

ଭୁବନେଶ୍ବର : ନୂଆ ଟିମ୍ ନୂଆ ଉତ୍ସାହ । ରାଜ୍ୟବାସୀଙ୍କ ସେବାରେ ବିଜେଡି । ବିଜେଡିର ନବକଳେବର କରି କର୍ମୀ ଓ ନେତାଙ୍କୁ ଏହି ମେସେଜ୍ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିର୍ବାଚନ ପରେ କ୍ଷମତା ପରିବର୍ତ୍ତନ ହେଲା । ବିଜେଡି ଭାଙ୍ଗିଯିବ ବୋଲି ସୋସିଆଲ ମିଡିଆରେ ପ୍ରଚାର ଚଳାଉଥିଲେ କୁଚକ୍ରୀ । ଏବେ ୮୧ ଜଣିଆ ଜୁମ୍ବୋ ଟିମ୍ ଗଠନ କରି ନବୀନ ଅପପ୍ରଚାରକାରୀଙ୍କୁ ଜବାବ ଦେଇଛନ୍ତି । ନବୀନଙ୍କ ନୂଆ ଟିମ୍ରେ ବରିଷ୍ଠ, ଅନୁଭବୀ ଓ ଯୁବ ନେତାଙ୍କୁ ଗୁରୁ ଦାୟିତ୍ବ ମିଳିଛି । ନୂଆ ଟିମ୍ ଗଠନ ପରେ ସମସ୍ତ ପଦାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସଭାପତି । ଦଳର ସଙ୍ଗଠନକୁ ତୃଣମୂଳସ୍ବରରେ ମଜଭୁତ କରିବା ସହ ଓଡ଼ିଶାବାସୀଙ୍କ ସ୍ବରସାଜି ଓଡ଼ିଆ ସ୍ବାଭିମାନର ଲଢ଼େଇକୁ ଜୋରଦାର ପାଇଁ  ଦୃଢ଼ ସଙ୍କଳ୍ପ ନେବାକୁ ଦେଇଛନ୍ତି ନିର୍ଦ୍ଦେଶ । ଦୁଇ ଦଶନ୍ଧି ପରେ ଏଥର ଗଠନ କରାଯାଇଛି ରାଜନୀତି ବ୍ୟାପାର କମିଟି । ୧୦ ଜଣିଆ କମିଟିର ଅଧ୍ୟକ୍ଷ ରହିଛନ୍ତି ନବୀନ ପଟ୍ଟନାୟକ । ୨୫ ବର୍ଷ ଧରି ରାଜ୍ୟବାସୀଙ୍କୁ ସୁଶାସନ ଦେଇଥିଲେ ନବୀନ । ନୂଆ ଟିମକୁ ନେଇ ବିରୋଧୀ ଭୂମିକା ଆହୁରି ଶାଣିତ ହେବ ।  ସଂଗଠନର ପୁନର୍ବିନ୍ୟାସ ପରେ ସମାଲୋଚକଙ୍କ ମୁହଁ ବନ୍ଦ ହୋଇଯାଇଥିବା ବିଜେଡି ଦାବି କରିଛି ।

ନବୀନ ପଟ୍ଟନାୟକ ସରକାର ସମୟରେ ଅନେକ ଜନକଲ୍ୟାଣକାରୀ ଯୋଜନା ହୋଇଥିଲା । କିନ୍ତୁ ୧୦ ମାସରେ ନୂଆ ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି । କ୍ଷମତାକୁ ଆସିବା ପରଠୁ ଲୋକଙ୍କ ସ୍ବାର୍ଥକୁ ଅଣଦେଖା କରିଚାଲିଛନ୍ତି ଡବଲ ଇଞ୍ଜିନ ସରକାର । ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ବିଧାନସଭା ଭିତରେ ଓ ବାହାରେ ଦଳ ସରକାରଙ୍କୁ ଘେରିବ । ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବ ଦଳ । ଭୁବନେଶ୍ବର ମୁଖ୍ୟାଳୟରୁ ଆରମ୍ଭ ହୋଇ ଜନଆନ୍ଦୋଳକୁ ବ୍ୟାପକ କରିବାକୁ ଅଣ୍ଟା ଭିଡିଲେଣି ନେତା । ବିଜୁ ଜନତା ଦଳ ରାଜ୍ୟର ପ୍ରମୁଖ ବିରୋଧୀ ଦଳ । ଲୋକଙ୍କ ସେବାରେ ଆଗରୁ ଥିଲା ଏବେ ବି ରହିଛି ଓ ଆଗକୁ ରହିବ ।