୧୧ ମାସରେ ଭୟଙ୍କର ସ୍ଥିତି, ରାଜ୍ୟରେ ନାରୀ ନିର୍ଯାତନାରେ ରେକର୍ଡ

1 min read

ଭୁବନେଶ୍ଵର : ଓଡ଼ିଶାରେ ବଢୁଛି ନାରୀ ନିର୍ଯାତନା । ଉଦବେଗ ପ୍ରକାଶ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି । ମୋହନ ସରକାର ଉପରେ ବର୍ଷିଲେ ମହିଳା ବିଧାୟିକା । ୧୧ମାସରେ ମାମଲା ବଢିଥିବା ନେଇ ମାନିଲା ଗୃହ ବିଭାଗ । ରାଜ୍ୟରେ ଅସୁରକ୍ଷିତ ହୋଇପଡିଛନ୍ତି ମହିଳା l ବିଜେପି ସରକାରର ୧୧ମାସରେ ଦୁଷ୍କର୍ମ, ହତ୍ୟା ଓ ନାରୀ ନିର୍ଯାତନା ରେକର୍ଡ କରିଛି l ନାବାଳିକାମାନେ ସ୍କୁଲ ଓ ହଷ୍ଟେଲ ଗର୍ଭବତୀ ହେବା ସହ ଶିଶୁ ନିଖୋଜ ଓ ହତ୍ୟା ବି ସୀମା ଟପିଲାଣି l ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ପୋଲିସ ପ୍ରତି ଦୁର୍ବୃତ୍ତଙ୍କ ଭୟ ରହୁନାହିଁ l ଫଳରେ ମହିଳାମାନେ ଆଉ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି l ଏହାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ମହିଳା ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି । ଆଜି ଅନୁଷ୍ଠିତ ତୃତୀୟ ବୈଠକରେ ଗୃହ ବିଭାଗ ସହିତ ଆଲେଚନା କରି ମହିଳା ବିଧାୟିକମାନେ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । ଗୃହ ବିଭାଗ ବି ମହିଳା ନିର୍ଯ୍ୟାତନା ମାମଲା ବଢିଥିବା ସ୍ବୀକାର କରିଥିବା ବିଧାୟିକାମାନେ କହିଛନ୍ତି । ପୋଲିସ ମାମଲା ରୁଜୁ କରୁନି । ହିନ୍ଦୋଳ ଏବଂ ତାଳଚେର ମାମଲାରେ ତୁରନ୍ତ ଚାର୍ଜସିଟ୍ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

ସେପଟେ କମିଟିର ଅଧ୍ୟକ୍ଷ ତଥା ଶାସକ ଦଳର ବିଧାୟିକା ସୀମାରାଣୀ ନାଏକ କହିଛନ୍ତି ରାଜ୍ୟରେ ଶିଶୁ ଶ୍ରମିକ ଏବଂ ଭିକାରୀଙ୍କ ସଂଖ୍ୟା ଅଧିକ ରହିଛି । ସେମାନଙ୍କୁ ଉଦ୍ଧାର କରାଯିବ । ଇ_ଏଫଆଇଆର ଉପରେ ସଚେତନତା କରିବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କମିଟିର ସମସ୍ତ ସଦସ୍ୟ ଏନେଇ ଆଲୋଚନା କରିଛନ୍ତି । ଆସନ୍ତା ୧୮ ତାରିଖରେ କମିଟି କ୍ଷେତ୍ର ପରିଦର୍ଶନ କରିବ। ମହିଳା ଓ ଶିଶୁ ନିର୍ଯାତନା ମାମଲା କିପରି କମିବ ତାହା ଉପରେ ବୈଠକରେ ଆଲୋଚନା କରାଯାଇଛି l ବିଜେପି ସରକାର ବର୍ଷ ପୂର୍ତ୍ତି ପାଳନ କରିବାକୁ ସଜବାଜ ଆରମ୍ଭ କରିଥିବା ବେଳେ ରାଜ୍ୟରେ ମହିଳା ନିର୍ଯାତନା ନେଇ ଖୋଦ ମହିଳା ଜନ ପ୍ରତିନିଧିମାନେ ଉଦବେଗ ପ୍ରକାଶ କରିବା ବିଜେପି ସରକାରର ବିଫଳତାକୁ ପଦାକୁ ଆଣିଛି l ତେଣୁ ସୁଭଦ୍ରା ନୁହେଁ ମହିଳାଙ୍କୁ ରାଜ୍ୟରେ ସୁରକ୍ଷା ଦରକାର ବୋଲି ବିଧାୟିକାମାନେ ଦାବି କରିଛନ୍ତି l