ଜନବିରୋଧୀ ବିଜେପି ସରକାରର ଅପାରଗତାକୁ ପଦାରେ ପକାଇବାକୁ ବିଜେଡିର ବଡ଼ ଷ୍ଟ୍ରାଟେଜି

ଭୁବନେଶ୍ଵର : ରାଜ୍ୟର ଜନବିରୋଧୀ ବିଜେପି ସରକାର ବିରୋଧରେ ଲଢେଇକୁ ଜୋରଦାର କରିବ ବିଜେଡି। ବିଧାନସଭା ଭିତରେ ଓ ବାହାରେ ସଂଗ୍ରାମ ହେବ। ଦାୟିତ୍ଵବାନ ବିରୋଧୀ ଦଳ ଭାବେ ଲୋକଙ୍କ ସ୍ଵର ହୋଇ ସମସ୍ତ ପ୍ରସଙ୍ଗ ଉତଥାପନ କରିବ। ଏଥିପାଇଁ ବିଜେଡିର ପିଏସି ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ। ଗତକାଲି ନବୀନ ନିବାସରେ ହୋଇଥିଲା ପିଏସି ବୈଠକ। ଦେଢ଼ ବର୍ଷରେ ବିଜେପି ସରକାର ବିରୋଧରେ ଆସିଛି ମାଳ ମାଳ ଅଭିଯୋଗ। ରଥଯାତ୍ରାରେ ଦଳାଚକଟା ହୋଇ ଭକ୍ତଙ୍କ ଜୀବନ ଗଲା। ଗତ ବର୍ଷ ବଳଭଦ୍ର ମୁହଁ ମାଡ଼ି ପଡ଼ିଥିଲେ। ପ୍ରତିଦିନ ନାରୀ ନିର୍ଯାତନା, ଛାତ୍ରୀ ଆତ୍ମାହୁତି, ବିପର୍ଯ୍ୟସ୍ତ ଆଇନ ଶୃଂଖଳାର ଖବର। ନିର୍ବାଚନ ପୂର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ବିଜେପି, ତାହା ପୂରଣ କରି ନାହିଁ। ଲୋକଙ୍କୁ ଦେଇଛି କେବଳ ପ୍ରତାରଣା। ଚାଷୀ ସମସ୍ୟା, ଆଦିବାସୀ ନିର୍ଯାତନା, ଉପମୁଖ୍ୟମନ୍ତ୍ରୀଙ୍କ  ଅଞ୍ଚଳ ବଳଙ୍ଗାରେ ନାବାଳିକା ପୋଡ଼ିକୁ ଚପାଇ ଦିଆଯିବା ପରି ଘଟଣାକୁ ବିଧାନସଭାରେ ଉଠାଇବ ବିଜେଡି। ସେପଟେ ଗୃହ ବାହାରେ ସରକାରଙ୍କ ତୃଟି ବିରୋଧରେ ଆନ୍ଦୋଳନ କରିବେ ବିଜେଡିର ଛାମୁଆ ସଂଗଠନ। ଯୁବ, ଛାତ୍ର ଓ ମହିଳା ସଂଗଠନକୁ ତୃଣମୂଳରୁ ସୁଦୃଢ କରି ସରକାରଙ୍କ ବିରୋଧରେ ସ୍ଵର ଉଠାଇବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ମହିଳା ସୁରକ୍ଷାର ସ୍ଥିତି ରାଜ୍ୟରେ ଉଦବେଗଜନକ। ବିଜେପି ସରକାର ଆସିବା ଦିନରୁ ହତ୍ୟା, ଗଣଦୁଷ୍କର୍ମ ବଢିଥିବା ଅଭିଯୋଗ ଆଣିଛି କଂଗ୍ରେସ। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଦଳ ବିଜେପି ସରକାରକୁ ଦାୟୀ କରିଛି। ଶିକ୍ଷକ ଓ ଡାକ୍ତର ଅଭାବ ପ୍ରସଙ୍ଗକୁ ମଧ୍ୟ ବିଧାନସଭାରେ ଉଠାଇବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଗତ ବିଧାନସଭା ଅଧିବେଶରେ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଗୃହରୁ ନିଲମ୍ଵିତ କରାଯାଇଥିଲା।

ଏଥର ଭିନ୍ନ ଢଙ୍ଗରେ ସବୁ ପ୍ରସଙ୍ଗ ଉପସ୍ଥାପନ କରିବାକୁ କଂଗ୍ରେସ ସଜବାଜ ହେଉଛି। ବିଜେପି କହିଛି, ବିରୋଧୀଙ୍କ ମୁକାବିଲା ପାଇଁ ଆମେ ପ୍ରସ୍ତୁତ। ତେବେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିଛି ବିଜେପି। ଜନତାଙ୍କ ସମସ୍ୟା ସହ ଜଡ଼ିତ ହୋଇ ରାଜ୍ୟବାସୀଙ୍କ ସ୍ୱର ହେବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସମସ୍ତ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାମ୍ପ୍ରତିକ ସ୍ଥିତି ଓ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ପ୍ରତିବାଦରେ ରାଜ୍ୟବାସୀଙ୍କ ସ୍ୱର ହୋଇ ଲୋକଙ୍କ ପାଇଁ ସରକାର ବିରୋଧରେ ତୀବ୍ର ଲଢେଇ କରିବାକୁ ବିଜେଡି ସଜବାଜ ହେଲାଣି।