କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର : ବିଜେପି ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋଟିଆ ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ସେ କହିଛନ୍ତି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଉଛି ବିଜେପି ସରକାର । କୋଟିଆ ପ୍ରସଙ୍ଗରେ ଲୋକଙ୍କୁ ଠକିବା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ସୀମା ବିବାଦ ଉପରେ ପଦୁଟିଏ କହୁନାହାନ୍ତି। ଏବେ ଟ୍ରିପଲ ଇଞ୍ଜିନ ସରକାର ଅଛି। ତଥାପି ସମାଧାନ ହେଉନାହିଁ । ପୂର୍ବ ବିଜେଡି ସରକାର ସମୟରେ କୋଟିଆ ପଞ୍ଚାୟତକୁ ୧୬୪ କୋଟି ଟଙ୍କାର ଭେଟି ଦିଆଯାଇଥିଲା । ସବୁଠି ରାସ୍ତା, ପାଣି ଓ ବିଦ୍ୟୁତ ବ୍ୟବସ୍ଥା କରାଯାଇଥିଲା । କୋଟିଆବାସୀଙ୍କୁ ବିଏସକେୱାଇ କାର୍ଡ ଦିଆଯାଇଥିଲା । କୋଟିଆରେ ଲୋକଙ୍କୁ ନିଯୁକ୍ତି ଦେବା ସହ ନବୀନଙ୍କ ସମୟରେ ନକ୍ସଲମାନଙ୍କୁ ଦମନ କରିବା ଓ ପର୍ଯ୍ୟଟନର ବିକାଶ କରାଯାଇଥିଲା । ଏବେ ରାଜସ୍ୱ ମନ୍ତ୍ରୀ କହୁଛନ୍ତି, ସେଠି ଚାଷୀମାନଙ୍କୁ ମାର୍କେଟ ଆକ୍ସେସ ଦେବେ। ପ୍ରଥମେ ସୀମା ବିବାଦର ସମାଧାନ କରନ୍ତୁ। ପାର୍ଲାମେଣ୍ଟରେ ଏ ପ୍ରସଙ୍ଗ ଉଠାନ୍ତୁ। କୋଟିଆର ଚାଷୀଙ୍କୁ ଉପେକ୍ଷା କରାଯାଉଛି । କୋଟିଆ ଲାଗି ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗୀ କ’ଣ? ବୋଲି ପ୍ରଶ୍ନ କରିଛି ବିଜେଡି ।