ବିଜେପି ଶାସନରେ ବଢିଚାଲିଛି ନାରୀ ନିର୍ଯାତନା : ବିଜେଡି
1 min read
ନନ୍ଦିଘୋଷ ବ୍ୟୁରୋ: ବିଜେପି ଶାସନରେ ନାରୀ ନିର୍ଯାତନା ବଢିଚାଲିଛି । ଏମିତି କୌଣସି ସରକାର ସମୟରେ ହୋଇନଥିଲା । ଗୋପାଳପୁରରେ ଗଣଦୁଷ୍କର୍ମ ଘଟିଗଲା । ଏଥିରେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମହିଳାଙ୍କ ପ୍ରତି ଦରଦ କେତେ ଜଣାପଡିଯାଇଛି ବୋଲି କଟାକ୍ଷ କରି କହିଛି ବିଜେଡି । ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ସରକାର ବର୍ଷପୂର୍ତ୍ତି ଉତ୍ସବରେ ମାତିଛନ୍ତି ଖୁସି କରୁଛନ୍ତି । ସରକାରକୁ ଆସୁ ଆସୁ ଓଡି଼ଆ ଅସ୍ମିତାକୁ ବିଜେପି ଜଳାଞ୍ଜଳି ଦେଇଦେଲା । ରାଜ୍ୟପାଳଙ୍କ ପୁଅ ଦ୍ୱାରା ଓଡ଼ିଆ ASO ଙ୍କୁ ମାଡ଼ ମରାଗଲା । ଗୋଟିଏ ବର୍ଷରେ ଏପରି ୩ ହଜାରରୁ ଅଧିକ ମାମଲା ହେଲାଣି । ବିଜେପି ନେତା ଏହାକୁ ଚାପିବାକୁ ଚେଷ୍ଟା କରୁଛନ୍ତି ।
ଆଜି ଥାନାକୁ ଯିବାକୁ ଡରୁଛି ମହିଳା । ଆମେ ସମସ୍ତେ ବ୍ୟତିବ୍ୟସ୍ତ ଓ ଦୁଃଖିତ । ଆଗାମୀ ଦିନରେ ଆଇନ ଶୃଙ୍ଖଳା ସ୍ଥିତି ନ ସୁଧୁରିଲେ ଆନ୍ଦୋଳନ କରି ସରକାରଙ୍କ ମିଛର ଅସଲ ମୁଖା ଖୋଲି ଦେବୁ ବୋଲି ଚେତାବନୀ ଦେଇଛନ୍ତି ପ୍ରମିଳା । ମିଛ ପ୍ରତିଶୃତି ଦେଇ କେବଳ ବାହାସ୍ଫୋଟ ମାରୁଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ମୁଖ୍ୟ । ବିଧାନସଭା ଶ୍ୱେତପତ୍ରରେ ଲେଖିଥିଲେ ୨ ଲକ୍ଷରୁ ଅଧିକ ଅପରାଧିକ ମାମଲା, ୩୨ ହଜାର ମହିଳା ଓ ଶିଶୁ ନିର୍ଯାତନା ମାମଲା ହୋଇଛି । ଦିନକୁ ୧୫ ବଳାତ୍କାର ମାମଲା ହେଉଛି । କିନ୍ତୁ ମାମଲା ରୁଜୁ ହେଉନି । ଦୁର୍ଭାଗ୍ୟ ଯେ ଟପ ଟେନ ସର୍ବାଧିକ ନାରୀ ନିର୍ଯାତନା ରାଜ୍ୟ ଭିତରେ ବିଜେପି ଶାସିତ ୮ଟି ରାଜ୍ୟ ଅଛି । ଏହି ଆଠଟି ରାଜ୍ୟରେ ଓଡି଼ଶା ମଧ୍ଯ ଅନ୍ତର୍ଭୁକ୍ତ । ଆଦିବାସୀ ମୁଖ୍ୟମନ୍ତ୍ରୀ ସମୟରେ ଆଦିବାସୀ ମହିଳା ଅସୁରକ୍ଷିତ । ଅପରାଧୀଙ୍କ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ନାହିଁ । ଓଡ଼ିଶାରେ ମାତ୍ର ୫.୫୭% ମାମଲାରେ ଦଣ୍ଡ ମିଳୁଛି । ମୁଖ୍ୟମନ୍ତ୍ରୀ ଏହା ସୁଧାରିବା ଦରକାର ବୋଲି କହିଛି ବିଜେଡି ।
ସୁଭଦ୍ରା ଆଜି ଅଧିକ ଅସୁରକ୍ଷିତ । ମୂକ ବଧିର ସରକାର । ମନ୍ତ୍ରୀ ପାଖରେ ମାଳ ମାଳ ପୋଲିସ ରହିଲେ, ସାଧାରଣ ଲୋକଙ୍କୁ ସୁରକ୍ଷା କେମିତି ପାଇବ? ଗୋପାଳପୁର ଗୋଟିଏ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ରାତି ୭ଟା ରେ ଝିଅଟି ଯାଇଥିଲା । ଗୃହ ବିଭାଗ SOP ଜାରି କରି କହୁ ଯେ ମହିଳା କେତେବେଳେ ପର୍ଯ୍ୟଟନ ସ୍ଥଳୀ ଯିବେ । କେଉଁ ଡ୍ରେସ ପିନ୍ଧିବେ? ଏଥିଲାଗି ମୁଖ୍ୟମନ୍ତ୍ରୀ ଦାୟୀ । ଆଗରୁ କିଛି ହେଲେ ମନ୍ତ୍ରୀ ଇସ୍ତଫା ଦେଉଥିଲେ । ଏବେ ମାମଲା ବାଏଁ ବାଏଁ ଉଡି ଯାଉଛି । କୌଣସି ତଦନ୍ତ ରିପୋର୍ଟ ଆସୁନି । କେହି ଉତ୍ତରଦାୟିତ୍ୱ ନେଉ ନାହାନ୍ତି । ବର୍ଷେ ହେଲାଣି ସରକାରକୁ । ସରକାର ଆଉ ଛୁଆ ହୋଇ ନାହାଁନ୍ତି । ନାରୀ ଚୁପ ବସିବ ନାହିଁ । ରାଜରାସ୍ତାକୁ ଆସି ମହିଳାମାନେ କୌଣସି ମନ୍ତ୍ରୀଙ୍କୁ ନିର୍ବାଚନ ମଣ୍ଡଳୀ ପୂରାଇ ଦେବେ ନାହିଁ ବୋଲି ଚେତାଇ ଦେଇଛି ବିଜେଡି ।