ଏକାମ୍ର ପ୍ରକଳ୍ପକୁ ନେଇ ବିଜେପି ନିମ୍ନସ୍ତରର ରାଜନୀତି କରୁଛି: ବିଜେଡି

ଭୁବନେଶ୍ବର: ଏକାମ୍ର ପ୍ରକଳ୍ପକୁ ନେଇ ବିଜେପି ନେତା ସମୀର ମହାନ୍ତିଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା । ବିଜେପି ନେତାଙ୍କ ବାଚଳାମୀ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ବୋଲି କହି ଟାର୍ଗେଟ କଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ସତ୍ତ୍ବେ ବିଜେପି ନେତା ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବକୁ ନଆସି ହୀନ ମନ୍ତବ୍ୟ ଦେଇ ନକରାତ୍ମକ ରାଜନୀତି କରୁଥିବା ଦଳ ପକ୍ଷରୁ କୁହାଯାଇଛି । ପ୍ରକଳ୍ପ ପରିକଳ୍ପନା ପରଠୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଥିବା ଅଭିଯାେଗ ଆଣି ଦଳ ନନ୍ଦା କରିଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ରାଜ୍ୟ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏପରି ପରିକଳ୍ପନାକୁ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ରୀତିମତ ବିରୋଧ କରି ଚାଲିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ବାସ୍ତବ ରୂପ ନେଇଥିବାରୁ ରାଜ୍ୟବାସୀ ଆଜି ତାଙ୍କ ପ୍ରଶଂସାରେ ଶତମୁଖ ।’

କେନ୍ଦ୍ରମନ୍ତ୍ରୀ ଏବଂ ଅପରାଜିତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘ପ୍ରକଳ୍ପ ପରିକଳ୍ପନାଠାରୁ କେନ୍ଦ୍ରମନ୍ତ୍ରୀ ଏବଂ ଅପରାଜିତା ବିରୋଧ କରି ଆସୁଥିଲେ । ପ୍ରକଳ୍ପ କେମିତି ବନ୍ଦ ହୋଇଯିବ ସେ ନେଇ ଚେଷ୍ଟାରେ ଥିଲେ । ଏମାନେ କାହା ନିର୍ଦ୍ଦେଶରେ ପ୍ରଭୁ ଲିଙ୍ଗରାଜଙ୍କ ବିକାଶ କାମକୁ ବିରୋଧ କରୁଥିଲେ, ତାହା ତାଙ୍କୁ ଜଣାଥିବ ।’

ଶହ ଶହ ବର୍ଷ ହେଲା ଲୋକେ ଯାହାକୁ ଅପେକ୍ଷା କରିଥିଳେ, ଆଜି ତାହା ହୋଇ ପାରିଛି । ଏହାକୁ କିଛି ଲୋକ ହଜମ କରିପାରୁନାହାନ୍ତି ।

ସୂଚନାଯୋଗ୍ୟ, ଏକାମ୍ର ପ୍ରକଳ୍ପ ଭୂମିପୂଜନ ଏବଂ ଶିଳାନ୍ୟାସ ଉତ୍ସବରେ ସାମିଲ ହେବାକୁ ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ । ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମକ ପରିବେଶ ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ବିଜେପି ନେତା ଏଠାରୁ ନିଜକୁ ଦୂରେଇ ରଖିଥିଲେ । ପ୍ରକଳ୍ପ ସ୍ଥଳକୁ ଆସିବା ଛାଡ଼ନ୍ତୁ, ବିଜେପି ନେତା ସମୀର ମହାନ୍ତି ଯେମିତି ନିମ୍ନସ୍ତରର ମନ୍ତବ୍ୟ ଦେଳେ ତାହା ଗ୍ରହଣୀୟ ନୁହେଁ । ଏକାମ୍ର କ୍ଷେତ୍ରର ପରିବର୍ତ୍ତନ ବିଜେପି ନେତାଙ୍କ ହଜମ ହେଉନି ।’

ସେ କହିଛନ୍ତି, ‘ଗୋଟିଏ ପରେ ଗୋଟିଏ ଦେବପୀଠର ଉନ୍ନତିକରଣ ହେବାରେ ଲାଗିଛି । ଏହାକୁ ଦେଖି ସମୀର ବାବୁ ଡରି ଯାଇଛନ୍ତି । ତାଙ୍କର ଡର, ଭଲ କାମ ହେଲେ ତାଙ୍କୁ କେହି ପଚାରିବେନି । ସେଥିପାଇଁ ଏମିତି ନିମ୍ନସ୍ତରର ମନ୍ତବ୍ୟ ଦେଉଛନ୍ତି । ହେଲେ ଏମିତି ନକରାତ୍ମକ ରାଜନୀତି କେତେଦିନ କରିବ । ନିଜ ଫାଇଦା ପାଇଁ ଆପଣଙ୍କ ଏମିତି ବାଚଳାମୀକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ।’

ମହାପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ଲିଙ୍ଗରାଜ ସମୀର ମହାନ୍ତିଙ୍କୁ ସଦବୁଦ୍ଧି ଦିଅନ୍ତୁ, ସେ ନକରାତ୍ମକ ରାଜନୀତି ଛାଡ଼ନ୍ତୁ ବୋଲି ଲେନିନ କହିଛନ୍ତି ।

ଅନ୍ୟତମ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି କହିଛନ୍ତି, ‘ରାଜ୍ୟ ବିଜେପି ନେତାମାନେ ଏକାମ୍ର ପ୍ରକଳ୍ପକୁ ବିରୋଧ କରିବା ରାଜ୍ୟବାସୀଙ୍କୁ ଗ୍ରହଣୀୟ ନୁହେଁ । ରାଜ୍ୟବାସୀ କ୍ଷମା ଦେବେନି । ବିଜେପି ନକରାତ୍ମକ ରାଜନୀତି ଛାଡ଼ ସକରାତ୍ମକ ରାଜନୀତି କରୁ ।’