ଆଗାମୀ ନିର୍ବାଚନରେ ଏକପାଖିଆ ବିଜୟୀ ହେବ ବିଜେଡି

1 min read

ଭୁବନେଶ୍ବର: ଶଙ୍ଖମୟ ହେବ ଓଡ଼ିଶା l ଆଗାମୀ ନିର୍ବାଚନରେ ଓଡ଼ିଶାର ରାଜନୈତିକ ଇତିହାସରେ ବିଜେଡି ଯୋଡ଼ିବ ନୂଆ ଅଧ୍ଯାୟ l ଉଭୟ ବିଧାନସଭା ଓ ଲୋକସଭାରେ ବିଜେଡି ଅଧିକ ଆସନ ପାଇ ରେକର୍ଡ କରିବ l ବିଜେଡିର ବଡ଼ ବିଜୟ ସହ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ l ଲମ୍ବା ସମୟର ମୁଖ୍ୟମନ୍ତ୍ରୀ ଭାବେ ଦେଶରେ ନବୀନ ରେକର୍ଡ କରିବେ । ବିଭିନ୍ନ ସର୍ଭେ ଏବଂ ଓଡ଼ିଶାବାସୀଙ୍କ ମୁଡରୁ ଏପରି ଆକଳନ ପରେ ବିରୋଧୀ ଚିନ୍ତାରେ ପଡ଼ିଛନ୍ତି l ନବୀନଙ୍କ ଲୋକପ୍ରିୟତା ବିଜେଡିକୁ ବଡ଼ ବିଜୟୀ କରାଇବ ବୋଲି ଶାସକ ଦଳ କହିଛି।

ନବୀନ ଓ ବିଜେଡି ସପକ୍ଷରେ ଜନମତ । ଆଗାମୀ ନିର୍ବାଚନରେ ଏକପାଖିଆ ବିଜୟୀ ହେବ ବିଜେଡି। ବିଜୁଙ୍କ ରେକର୍ଡ ଭାଙ୍ଗିବେ ନବୀନ। ଷଷ୍ଠଥର ନବୀନ ହେବେ ମୁଖ୍ୟମନ୍ତ୍ରୀ। ବିଧାନସଭା ଓ ଲୋକସଭାରେ ବଢ଼ିବ ବିଜେଡି ଆସନ ସଂଖ୍ୟା। ଆଗାମୀ ନିର୍ବାଚନରେ ବିଜେଡି ୧୨୮ ବିଧାନସଭା ଓ ୧୮ଟି ଲୋକସଭା ଆସନରେ ବାଜିମାତ୍ କରିବ l ଓଡ଼ିଶାବାସୀଙ୍କ ମୁଡ୍ ଓ ବିଭିନ୍ନ ସଂସ୍ଥାର ଜନମତ ସର୍ଭେ ରିପୋର୍ଟ ଆସିବା ପରେ ବିଜେଡି ଏପରି ଦମ୍ଭୋକ୍ତି ପ୍ରକାଶ କରିଛି l ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢ଼ିଥିବାରୁ  ୨୦୧୯ ଅପେକ୍ଷା ୨୦୨୪ରେ ବିଜେଡି ଉଭୟ ବିଧାନସଭା ଓ ଲୋକସଭାରେ ଅଧିକ ଆସନ ପାଇବ ବୋଲି ଶାସକ ଦଳ ଯୁକ୍ତି ବାଢିଛି l

ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଏକଥା କହିବା ପରେ ଆଜି ଦଳୀୟ ବିଧାୟକମାନେ ସମାନ ଯୁକ୍ତି ବାଢ଼ିଛନ୍ତି l ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି, ବିଜେଡି ଓ ନବୀନଙ୍କ ଉପରେ ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭରସା ବଢ଼ିଛି l ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାର ଭାବି କାମ କରୁଛନ୍ତି l ତେଣୁ ବିଜେଡି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢୁଛି l  ୨୦୨୪ରେ ବିଜେଡିର ରେକର୍ଡ ସଂଖ୍ୟକ ବିଧାୟକ ନିର୍ବାଚିତ ହେବେ l ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ କରିଛି  l୨୪ରେ ବିଜେଡି ଆହୁରି ଭଲ ପ୍ରଦର୍ଶନ କରିବ l ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ନବୀନଙ୍କ ଉପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଥିବାରୁ ବିଜେଡିକୁ ସଫଳତା ମିଳିବ ବୋଲି ଦଳର ନେତାମାନେ କହିଛନ୍ତି l

ନବୀନଙ୍କୁ ଓଡ଼ିଶାବାସୀ ଷଷ୍ଠଥର ଓ ଦେଶରେ ଲମ୍ବା ସମୟର ମୁଖ୍ୟମନ୍ତ୍ରୀ କରାଇବେ। ଏଥିପାଇଁ ପୂରା ଓଡ଼ିଶା ପ୍ରସ୍ତୁତ ବୋଲି ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି l ନିର୍ବାଚନ ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି l ନବୀନଙ୍କ ସପକ୍ଷରେ ଜନମତ ଥିବା ସର୍ଭେରୁ ସ୍ପଷ୍ଟ ହେବା ପରେ ବିଜେଡି ନେତା, ଖୋଲାଖୋଲି କହିଛନ୍ତି ଯେ, ୨୪ ହେବ ରେକର୍ଡର ବର୍ଷ l ରାଜନୈତିକ ସମୀକ୍ଷକ ମଧ୍ଯ ଆକଳନ କରିଛନ୍ତି ଯେ ବିଜେଡି ଗତ ପଞ୍ଚାୟତ ନିର୍ବାଚନ ପରି ୨୪ ନିର୍ବାଚନରେ ଏକପାଖିଆ ବିଜୟ ଲାଭ କରିବ l

୨୦୦୯ରେ ବିଜେଡି ୧୦୩ ବିଧାନସଭା ଆସନ ଓ ୧୪  ଲୋକସଭା ଆସନ ପାଇଥିଲା l ୨୦୧୪ରେ ୧୧୭ ବିଧାନସଭା ଓ ୨୦ଟି ଲୋକସଭା ଆସନ,  ୨୦୧୯ରେ ୧୧୨ଟି ବିଧାନସଭା ଓ ୧୨ଟି ଲୋକସଭା ଆସନ ଜିତିଥିଲା l ୧୯୯୦ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା  ଦଳ ପାଇଥିଲା ୧୨୩  ବିଧାନସଭା ଆସନ l  ୨୦୨୪ ନିର୍ବାଚନରେ ବିଜେଡି ୧୨୮ ବିଧାନସଭା ଆସନ ଲାଭ କରି ରେକର୍ଡ କରିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି l