ମୁଖ୍ୟମନ୍ତ୍ରୀଙ୍କ ନିଶାନାରେ ବିରୋଧୀ, ଓଡ଼ିଶାର ରୂପାନ୍ତରଣ ବିରୋଧୀଦଳଙ୍କୁ କରିଛି ସ୍ତବ୍ଧ

1 min read

ଭୁବନେଶ୍ୱର :ଓଡ଼ିଶାର ବିକାଶ ଓ ରୂପାନ୍ତରଣ ବିରୋଧୀଙ୍କୁ ସ୍ତବ୍ଧ କରିଛି । ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । ତେଣୁ ସେମାନେ ଅପପ୍ରଚାର କରୁଛନ୍ତି । ମିଥ୍ୟାର ଆଶ୍ରୟ ନେଉଛନ୍ତି । ବିଜେଡି ପରିବର୍ଦ୍ଧିତ  କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି । ବିରୋଧି ଦଳଙ୍କ ମିଥ୍ୟା ପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିରୋଧୀଙ୍କ ପାଖାରେ କିଛି  କୌଣସି ପ୍ରସଙ୍ଗ  ନାହିଁ । ଓଡ଼ିଶାର ରୂପାନ୍ତରଣ  ସେମାନଙ୍କ ପାଇଁ ବଡ଼ ଧକ୍କା  ହୋଇଛି ।  ତେଣୁ ସେମାନେ ମିଛ କହିବେ ,ଅପପ୍ରଚାର କରିବେ।ତୃଣମୂଳ ସ୍ତରରୁ ଆମକୁ ଏହାର ଦୃଢ଼ ମୁକାବିଲା କରିବାକୁ ହେବ । ସୋସିଆଲ ମିଡିଆରେ  ଏହାକୁ ବିରୋଧ କରିବାକୁ ହେବ ତା ସହିତ ବିକାଶ ର ବାର୍ତ୍ତାକୁ ଓଡ଼ିଶାର ଘରେ ଘରେ ପହଞ୍ଚାଇବାକୁ ହେବ ।

ବିଜେଡି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀରେ ୧୧ଟି ରାଜନୈତିକ, ୧୬ଟି ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ବିଜେଡି ସଭାପତି ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ୨୦୦୦ ମସିହାରୁ ବିଭିନ୍ନ ନିର୍ବାଚନରେ ଲଗାତର ବିଜୟ ପାଇଁ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇଛି ବିଜେଡି। ଏହି ସଫଳତା ପାଇଁ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛି ଦଳ। ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ତଥା ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ସହ ରାଜ୍ୟର ବିଭିନ୍ନ ମନ୍ଦିରର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ସଂଜୀବନୀ ହୋଇଛି। ଓଡିଶାରେ ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ରୂପାନ୍ତରୀକରଣ ପାଇଁ ନବୀନଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଛି।

ସେହିପରି ମହିଳା ଓ ଯୁବ ବର୍ଗଙ୍କୁ ସଶକ୍ତ କରିବା ପାଇଁ ତଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି, ପୁଞ୍ଜିନିବେଶରେ ଓଡିଶା ଲଗାତର ଭାବେ ଭାରତର ଶୀର୍ଷ ୩ଟି ରାଜ୍ୟ ଭିତରେ ରହିଥିବା ନେଇ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ଆଇଟି କ୍ଷେତ୍ରରେ ଦ୍ରୁତ ବିକାଶ କରି ଯୁବଶକ୍ତିର ଆଙ୍କାକ୍ଷାକୁ ପୂରଣ କରିବା ପାଇଁ ନବୀନ ସରକାର ନେଇଥିବା ବଳିଷ୍ଠ ପଦକ୍ଷେପକୁ କାର୍ଯ୍ୟକାରିଣୀରେ ପ୍ରଶଂସା କରାଯାଇଥିଲା। ଚାଷୀ ଓ ଚାଷର ଉନ୍ନତି ତଥା ଜଳସେଚନର ଅଭିବୃଦ୍ଧି ନବୀନ ସରକାରଙ୍କ ପ୍ରାଥମିକତା ଥିବାରୁ ନବୀନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଅନୁସୁଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କ ପାଇଁ ନବୀନ ସରକାର ନେଇଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଛି। ଟେକ୍ନୋଲୋଜିକୁ ଉପଯୋଗ କରି ୫-ଟି ରୂପାନ୍ତରଣରେ ଲୋକାଭିମୁଖୀ ପ୍ରଶାସନ ସହିତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରରେ ରୂପାନ୍ତରୀକରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁରୀ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ଅଭିବୃଦ୍ଧିର ହାର ବଢିବା, ମୁଣ୍ଡପିଛା ଆୟରେ ବୃଦ୍ଧି ତଥା ଋଣ ଭାର କମିବା ସହିତ ଆର୍ଥିକ ପରିଚାଳନାରେ ସଫଳତା ପାଇଁ ଧନ୍ୟବାଦ ଦିଆଯାଇଥିଲା। ୫-ଟି ଉପକ୍ରମରେ ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଆମ ସମ୍ବଳକୁ ମୂଲ୍ୟଯୁକ୍ତ କରିବା ପାଇଁ ବିକାଶର ଧାରାରେ ଆଗରେ ଥିବା ଓଡିଶାକୁ ପୂର୍ଣ୍ଣ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ହେଉଥିବା ପ୍ରୟାସକୁ ରାଜ୍ୟ କାର୍ଯ୍ୟକାରିଣୀ ସ୍ୱାଗତ କରିଥିଲା। ସାଂଗଠନିକ ପ୍ରସ୍ତାବରେ ଶଙ୍ଖ ଭବନରେ ପ୍ରତି ନିର୍ବାଚନମଣ୍ଡଳୀ ୱାରୀ ପ୍ରଶିକ୍ଷଣ ଓ ତାପରେ ଜୋନାଲ ପ୍ରଶିକ୍ଷଣ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ପାରିତ ହୋଇଛି।

ସୂଚନାଯୋଗ୍ୟ ଯେ, ବିଜେଡିର ପ୍ରତିଷ୍ଠା ଦିବସ ପରେ ଗୋଟିଏ ପକ୍ଷରେ ପଞ୍ଚାୟତ ସ୍ତରୀୟ ସମ୍ମିଳନୀ ଏବଂ ଜାନୁଆରୀ ୨୩ ନେତାଜୀ ଜୟନ୍ତୀଠାରୁ ବିଜୁ ଜୟନ୍ତୀ ମାର୍ଚ୍ଚ ୫ ଯାଏଁ ନବୀନ ସରକାରର ସଫଳତା ତଥା ବିକାଶର ଆଭିମୁଖ୍ୟ ତୃଣମୁଳ ସ୍ତରରେ ଲୋକଙ୍କ ପାଖରେ ପହଁଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ କରାଯିବ ବୋଲି କାର୍ଯ୍ୟକାରିଣୀ ପ୍ରସ୍ତାବରେ କୁହାଯାଇଛି।   ସଂଘୀୟ ବ୍ୟବସ୍ଥାରେ ଓଡିଶା ଯେପରି ତାର ନ୍ୟାଯ୍ୟ ଦାବି ଯଥା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଏପରିକି ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦାବି ହାସଲ କରିବ ସେଥିପାଇଁ ଉଦ୍ୟମ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହାସହ ମହାନଦୀ ଓ ପୋଲାଭରମ  ପ୍ରସଙ୍ଗରେ କେନ୍ଦ୍ରର ନୀରବତା ନେଇ ବୈଠକରେ ଉଦବେଗ ପ୍ରକାଶ କରାଯାଇଥିଲା। ଦାବି ପୂରଣ ପାଇଁ ଉଦ୍ୟମ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଥିଲା। କୋଇଲା ରୟାଲଟି, ସେସ୍ ପ୍ରଦାନ କ୍ଷେତ୍ରରେ ଓଡିଶାର ଦାବି ପୂରଣ ସହିତ ଜାତୀୟ ରାଜପଥ ଓ ରେଳବାଇ କ୍ଷେତ୍ରରେ ବିକାଶ କାର୍ଯ୍ୟ ତ୍ୱରାନିତ କରିବା ଏବଂ କେନ୍ଦୁପତ୍ର ଉପରୁ ଜିଏସଟି ବୋଝ ଦୂର କରିବା, ଦରବୃଦ୍ଧି ପାଇଁ ମହିଳାଙ୍କ ସମସ୍ୟା ସଂପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଦୋହରାଯିବ। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ନିଷ୍ପତ୍ତି ପାରିତ ହୋଇଛି। ଦଳର ସାଂଗଠନିକ ପ୍ରସ୍ତାବରେ ଦଳର କେନ୍ଦ୍ରୀୟ ନିଜସ୍ୱ କାର୍ଯ୍ୟାଳୟ ଶଙ୍ଖ ଭବନର ଠିକଣା ପରିବର୍ତ୍ତନ, ସାଂଗଠନିକ ନିର୍ବାଚନକୁ ଗୋଟିଏ ବର୍ଷ ଘୁଞ୍ଚାଇବା ତଥା ଆଗାମୀ ଦିନରେ ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ସର୍ବସମ୍ମତ କ୍ରମେ ଆଗତ ପ୍ରସ୍ତାବ ଆଲୋଚନା କରାଯାଇ ଗୃହୀତ ହୋଇଛି।

କାର୍ଯ୍ୟକାରିଣୀରେ ମୋଟ୍ ୨୭ଟି ପ୍ରସ୍ତାବ ଆଗତ ହୋଇଥିବା ବେଳେ ବରିଷ୍ଠ ନେତା ଏହାକୁ ସମର୍ଥନ କରିଥିଲେ। ଆମେ ଗଢ଼ିବା ନୂଆ ଓଡିଶା ଓ ସଶକ୍ତ ଓଡିଶା ଶପଥ ସହ ବୈଠକ  ଶେଷ ହୋଇଥିଲା। ଶେଷରେ ଦଳର ବରିଷ୍ଠ ଉପ ସଭାପତି ଶ୍ରୀଯୁକ୍ତ ଏ. ୟୁ. ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଫଟୋଚିତ୍ରରେ ପ୍ରଥମରେ ଶ୍ରଦ୍ଧା ସୁମନ ଅର୍ପଣ ଓ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବୈଠକ ଆରମ୍ଭ ହୋଇଥିଲା।