spot_img

Latest Posts

ରାଜ୍ୟ ସରକାରଙ୍କ ବିରୋଧରେ ପୁଣି ଶାଣିତ ହେବ ବିଜେଡିର ସ୍ଵର

ଭୁବନେଶ୍ବର : ବିଜେପି ଆରମ୍ଭ କରିଛି ଘୋଡ଼ା ବ୍ୟାପାର। ଟଙ୍କା ଦେଇ ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କୁ କିଣିଥିବା ଅଭିଯୋଗ କରିଛି ବିଜେଡି। ସେ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଘରେ ଯାଜପୁର ଜିଲ୍ଲା ବିଜେଡି ବୈଠକ ବସିଥିଲା। ଏହି ଘୋଡା ବ୍ୟାପାର ବିରୋଧରେ ସାରା ରାଜ୍ୟରେ ଲୋକଙ୍କୁ ସଚେତନ କରିବ ବିଜେଡି। ସେହିପରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ଚାଷୀ ସମସ୍ୟା ନେଇ ବିଜେଡି ପ୍ରତି ଜିଲ୍ଲାରେ କରିବ ସମାବେଶ। ଏ ସଂକ୍ରାନ୍ତରେ ପ୍ରମିଳା ମଲ୍ଲିକଙ୍କ ଘରେ ବିସିଥିବା ବୈଠକରେ ବି ଆଲୋଚନା ହୋଇଥିଲା। କେଉଁ ଦିନ କେଉଁଠି ସମାବେଶ ହେବ, ସେ ନେଇ ଏହି ବୈଠକରେ ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଛି। ଏହାର ଅନୁମୋଦନ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କଠାରୁ ନିଆଯିବ।ଏହି  ବୈଠକରେ ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାସ, ବିଶ୍ବ ରଞ୍ଜନ ମଲ୍ଲିକ, ରାଜ ନାରାୟଣ ମହାପାତ୍ର, ପ୍ରୀତିରଞ୍ଜନ ଘଡେଇ, ଶର୍ମିଷ୍ଠା ସେଠି ଓ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର ଉପସ୍ଥିତ ଥିଲେ।

ବିଜେପି ସରକାରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଲାଣି। ବାଲେଶ୍ବରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶେଖ ମକନ୍ଦର ମହମଦଙ୍କୁ ଅମାନୁଷିକ ଭାବେ ହତ୍ୟା ଏହାର ବଡ଼ ଉଦାହରଣ। ଏ ନେଇ ପିଏସି ସଦସ୍ୟ ପ୍ରମିଳା ମଲ୍ଲିକ ଓ ସଞ୍ଜୟ ଦାସବର୍ମାଙ୍କ ସମେତ ଦଳୀୟ ଉପସଭାପତି ପ୍ରତାପ ଜେନାଙ୍କ ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଥିଲା। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ବିଜେପି ସରକାର ହିଂସାକାଣ୍ଡ ଘଟାଉଥିବା ଅଭିଯୋଗ କରିଛି ବିଜେଡି। ସାଂସଦ ସୁଲତା ଦେଓଙ୍କ ନେତୃତ୍ବରେ ଏକ ଟିମ ବାଲେଶ୍ବର ଯାଇ ସବିଶେଷ ଅନୁଧ୍ୟାନ କରୁଛନ୍ତି। ତଦନ୍ତ ରିପୋର୍ଟ ନବୀନଙ୍କୁ ଦେବା ପରେ ଦଳ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ । ବିଜେଡିର ସଂଗଠନ ଅନୁଶାସନ ଓ ସେବା ଉପରେ ଆଧାରିତ।ଏହାକୁ ମୂଳମନ୍ତ୍ର କରି ସାଂଗଠନିକ ପ୍ରକ୍ରିୟାକୁ ସୁଦୃଢ କରି ଚାଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

Latest Posts

Don't Miss