ବିଜେପିର ମିଛ କାହାଣୀକୁ ସତ ଜବାବ ଦେବ ବିଜେଡି

ଭୁବନେଶ୍ବର : କାମ ଶୂନ । ପ୍ରଚାର ଓ ପ୍ରକଳ୍ପ ଘୋଷଣାରେ ବ୍ୟସ୍ତ ବିଜେପି । ବର୍ଷ ତମାମ ଉତ୍ସବ ପାଳନରେ ମସଗୁଲ ସରକାର । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, କମିଛି କେନ୍ଦ୍ରୀୟ ଅନୁଦାନ, ଓଡିଶାରେ ବିକାଶ ସଂପୂର୍ଣ୍ଣ ଠପ । ନାଁ ହୋଇିଛି ରାସ୍ତାଘାଟ ନିର୍ମାଣ ନା କରାଯାଇଛି ଯୋଜନା । କେବଳ ରଙ୍ଗ ଓ ପୂର୍ବ ଯୋଜନାର ନାଁ ପରିବର୍ତ୍ତନରେ ସୀମିତ ରାଜ୍ୟ ସରକାର । ବିଜେପି ସରକାର ନିର୍ବାଚନ ପ୍ରତିଶୃତି ପାଳନରେ ବି ବିଫଳ ହୋଇଛି । ଏତେସବୁ ବିଫଳତା ଭିତରେ ରାଜ୍ୟ ସରକାର ସଫଳତାର ଉତ୍ସବ ପାଳନ କରିବାକୁ ଯାଉଛନ୍ତି । ତେଣୁ ଏହା ସଫଳତାର ନୁହେଁ, ବିଫଳତାର ବର୍ଷପୂର୍ତ୍ତି ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ସରକାରଙ୍କ ବିଫଳତାକୁ ନେଇ ବିଜେଡି ଲୋକଙ୍କ ପାଖକୁ ଯିବ । ସେପଟେ ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ବିଜେପି ସରକାରର ସଫଳତା ଉତ୍ସବ ପାଳନକୁ କାଉଣ୍ଟର କରିବ ବିଜେଡି। ଜୁନ ୧୨ ରେ ଓଡିଶା ଦେଖିବ ନୂଆ ନାଟକ। ନାଟକର ନାଁ ହେଲା ବିଜେପିର ମିଛ କାହାଣୀକୁ ବିଜେଡିର ସତ ଜବାବ । ମଇଦାନ ପଡିଛି ।  ଓଡିଶାର ଜନତା ବିଜେଡିର ସ୍ଵର ସାଜିବେ। ଘରେ ଘରେ ରାସ୍ତା ଘାଟରେ ପ୍ରଚାର କରୁଛନ୍ତି । ବିଜେଡି ଜବାବ ଦେବ, ଅପେକ୍ଷା କରନ୍ତୁ ବୋଲି ଶାସକ ବିଜେପିକୁ ସିଧାସଳଖ ଚେତାବାନୀ ଦେଇଛନ୍ତି ବିଧାୟକ ଅରୁଣ ସାହୁ ।

ସେପଟେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓଡିଶାବାସୀଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲା ତାହା ପାଳନ କରିବାରେ ବିଫଳ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ୩୦୦ ୟୁନିଟ ମାଗଣା ବିଜୁଳି, ସରକାର ଗଠନର ୨୪ ଘଣ୍ଟାରେ ଚିଟଫଣ୍ଡ ଟଙ୍କା ଫେରସ୍ତ, ବେକାରୀଙ୍କୁ ନିଯୁକ୍ତି ଦେବା ଓ ଦାଦନ ବନ୍ଦ ହେବାର ପ୍ରତିଶୃତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ବିଜେପି ସରକାର ଓଡିଶାବାସୀଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭଣ୍ଡାଇ ଦେଇଛି । ସେହିପରି ବରିଷ୍ଠ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ କହିଛନ୍ତି, ଡବଲ ଇଂଜିନ ସରକାରରେ ଓଡିଶା ସ୍ବାର୍ଥକୁ ଅବହେଳା କରାଯାଇଛି । ବିଜେପି ବିଧାୟକ ଅଶୋକ ମହାନ୍ତି ଏସବୁର ଜବାବ ଦେଇ କହିଛନ୍ତି, ବିଜେପି ଯେତିକି ପାରିଛି ସେତିକି କରିଛି । ବର୍ଷପୂର୍ତ୍ତି ପାଳନକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ  ସଫଳତା ଓ ବିଫଳତାର ଲଢେଇ ଆରମ୍ଭ ହୋଇଛି । ବିଜେଡି ଲୋକଙ୍କ ସ୍ବର ସାଜି ସରକାରଙ୍କ ସତର ଜବାବ ଦେବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ଗାଁ ଗାଁରେ ବିଜେପି ସରକାର ବିରୋଧରେ ଜନ ସଚେତନ କରିବାକୁ ଅଣ୍ଟା ଭିଡ଼ିଛି । ବିଜେପି କିନ୍ତୁ ସଫଳତାର ଗ୍ରାଣ୍ଡ ଉତ୍ସବ ପାଳନ କରିବାକୁ ବଡ ଧରଣର ସଜବାଜ ଆରମ୍ଭ କରିଛି ।