ସୁଧୁରୁ ନାହାଁନ୍ତି ବିଜେପି କର୍ମି, ଭଡ଼ା ଘରକୁ ନେଇ ବିଜେପି ନେତ୍ରୀଙ୍କ ରାଜଧାନୀରେ ଦବଙ୍ଗଗିରି

ଭୁବନେଶ୍ୱର: ବିଜେପି ନେତ୍ରୀ ଉପାସନା ମହାପାତ୍ର ଓ ତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ଭଡ଼ାଟିଆ ଘର ଛାଡିଲେନି ବୋଲି ଗୁଣ୍ଡା ଲଗାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନୟାପଲି ଥାନାରେ ଉପାସନା ମହାପାତ୍ର ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ନୟାପଲ୍ଲୀ ଅଞ୍ଚଳରେ ଭଡାରେ ରହୁଥିବା ପ୍ରଣବ ରାୟଙ୍କୁ ଆକ୍ରମଣ କରାଯାଇଥିବା ତାଙ୍କ ଝିଅ ତାନ୍ୟା ରାୟ ଲିଖିତ ଅଭିଯୋଗ କରିଛନ୍ତି। ଘର ଖାଲି କରିବାକୁ ଗୁଣ୍ଡାମାନେ ପ୍ରଣବ ରାୟଙ୍କୁ ଧମକାଇବା ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୫୦ରୁ ଅଧିକ ଲୋକ ଘରେ ଧସେଇ ପସିବା ସହିତ ବହୁ ଜିନିଷ ପତ୍ର ଭଙ୍ଗାରୁଜା କରିଛନ୍ତି।

ପ୍ରଣବ ରାୟ ଭଡା ରହୁଥିବା ଘରର କିଣାବିକା ନେଇ ପୂର୍ବରୁ ବିବାଦ ଲାଗିରହିଥିଲା। ପ୍ରଣବ ଭଡା ରହିଥିବା ସତ୍ତ୍ୱେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଘରର ଡିଜାଇନ ବଦଳାଇଥଇଲେ। ଏହି ଘରକୁ କିଣିବା ପାଇଁ ଯୋଜନା କରିଥିଲେ ପ୍ରଣବ। ତେବେ ଏହି ଘରଟିକୁ କିଣିବାକୁ ଉପାସନା ମାଲିକଙ୍କୁ ଟଙ୍କା ଦେଇ ଯୋଜନା କରିଥିବା ପ୍ରଣବ କହିଛନ୍ତି।

ତେବେ ଖୁବ ଶୀଘ୍ର ଘର ଖାଲି କରିବା ପାଇଁ ଧମକ ଦିଆଯାଇଥିବା ପ୍ରଣବ ଅଭିଯୋଗ କରିଛନ୍ତି। ଘର ଛାଡିବା ପାଇଁ କିଛି ଦିନର ସମୟ ମାଗିଥିବାବେଳେ ସମୟ ପୂର୍ବରୁ ଗୁଣ୍ଡା ଲଗାଇ ଉପାସନା ଏବଂ ତାଙ୍କ ସ୍ୱାମୀ ଆକ୍ରମଣ କରିଥିବା ପ୍ରଣବ କହିଛନ୍ତି। ଏହି ଘଟଣାରେ ଉପାସନାଙ୍କ ସମେତ ତାଙ୍କ ସ୍ୱାମୀ ଶୁଭ୍ରାଂଶୁ ବିଶ୍ୱାଳ ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ୧୮ ଜଣଙ୍କ ନାଁରେ ଏତଲା ଦିଆଯାଇଥିବାବେଳେ ୧୪ ଜଣଙ୍କୁ ଅଟକ ରଖାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଏହା ସହିତ ଏକ କାରକୁ ଅଟକ ରଖିଛି ପୋଲିସ୍।

Leave a Reply