spot_img
Home Blog Page 102

ମସ୍କଙ୍କ ଦରମା ଅନେକ ଦେଶର GDP ତୁଳନାରେ କମ ହେବ

ନନ୍ଦୀଘୋଷ ବ୍ୟୁରୋ : ଇତିହାସ ରଚିବାକୁ ଯାଉଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ । ଟେସଲାର ସେୟାରହୋଲ୍ଡରମାନେ ତାଙ୍କ ପାଇଁ ପ୍ରାୟ ୮୩ ଲକ୍ଷ କୋଟି ଟଙ୍କା ଦରମା ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏହା କୌଣସି କର୍ପୋରେଟ୍ ସିଇଓ ଦ୍ୱାରା ପ୍ରାପ୍ତ ସବୁଠାରୁ ବଡ଼ ପ୍ୟାକେଜ। ଟେସଲାର ବାର୍ଷିକ ବୈଠକରେ ୭୫% ରୁ ଅଧିକ ସେୟାରହୋଲ୍ଡର ଏହି ଯୋଜନା ସପକ୍ଷରେ ଭୋଟ ଦେଇଥିଲେ।

ଏହି ଐତିହାସିକ ନିଷ୍ପତ୍ତି ମସ୍କଙ୍କ ବିଶ୍ୱର ପ୍ରଥମ ଟ୍ରିଲିୟନିୟର ହେବାର ସମ୍ଭାବନା ବୃଦ୍ଧି କରିଛି। ଯଦି ଏହି ନୂତନ ଦରମା ଯୋଜନା କାର୍ଯ୍ୟକାରୀ ହୁଏ, ତେବେ ତାଙ୍କର ସମ୍ପତ୍ତି ୨.୪ ଟ୍ରିଲିୟନ ଡଲାରରେ ପହଞ୍ଚିପାରେ – ଯାହା ଅନେକ ଦେଶର ସମଗ୍ର GDP ଠାରୁ ଅଧିକ।

ମସ୍କ ଏହି ପ୍ୟାକେଜ୍ ଏକାଥରେ ପାଇବେ ନାହିଁ। ତାଙ୍କୁ 12ଟି କିସ୍ତିରେ ଷ୍ଟକ୍ ବିକଳ୍ପ ପ୍ରଦାନ କରାଯିବ। ପ୍ରଥମ କିସ୍ତି ସେତେବେଳେ ଉପଲବ୍ଧ ହେବ ଯେତେବେଳେ ଟେସଲାର ବଜାର ମୂଲ୍ୟ ୨ ଟ୍ରିଲିୟନ ଡଲାରରେ ପହଞ୍ଚିବ ଏବଂ କମ୍ପାନୀ ୨୦ ନିୟୁତ ଯାନ ବିକ୍ରି କରିବ। ପରବର୍ତ୍ତୀ କିସ୍ତି ସେତେବେଳେ ମୁକ୍ତି ପାଇବ ଯେତେବେଳେ ଟେସଲାର ମୂଲ୍ୟ ୩ ଟ୍ରିଲିୟନ ଡଲାରରେ ପହଞ୍ଚିବ ଏବଂ କମ୍ପାନୀ ୧ ନିୟୁତ ‘ଅପ୍ଟିମସ୍’ ରୋବୋଟ୍ ପ୍ରଦାନ କରିବ। ଯଦି ଟେସଲା ଏହି ସମସ୍ତ ଲକ୍ଷ୍ୟ ପୂରଣ କରେ, ତେବେ ଏହାର ମୂଲ୍ୟ ୮.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ, ମସ୍କ କମ୍ପାନୀର ପ୍ରାୟ ୨୫% ମାଲିକ ହେବେ।

ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଯଦି ଟେସଲା କେବଳ ଏହାର ପ୍ରାରମ୍ଭିକ ଦୁଇଟି ଲକ୍ଷ୍ୟ ହାସଲ କରେ, ତେବେ ମସ୍କ ୨୬ ବିଲିୟନ ଡଲାର ପାଇବେ। ଏହି ପରିମାଣ ମେଟାକ୍ରିଟିକର ମାର୍କ ଜୁକରବର୍ଗ, ଆପଲର ଟିମ୍ କୁକ୍ ଏବଂ ଏନଭିଡିଆର ଜେନସେନ୍ ହୁଆଙ୍ଗଙ୍କ ମିଳିତ ଆୟଠାରୁ ଅଧିକ।

ଡେଲାୱେର କୋର୍ଟ “ସ୍ୱାର୍ଥର ଦ୍ୱନ୍ଦ୍ୱ” ଦର୍ଶାଇ ମସ୍କଙ୍କ ପୂର୍ବ ୫୬ ବିଲିୟନ ଡଲାର ଦରମା ଯୋଜନାକୁ ଖାରଜ କରିବା ପରେ ଟେସଲାର ନୂତନ ଦରମା ପ୍ୟାକେଜ୍ ଆସିଛି। ପରବର୍ତ୍ତୀ ସମୟରେ କମ୍ପାନୀ ମସ୍କଙ୍କୁ କମ୍ପାନୀରେ ରହିବା ଏବଂ ଟେସଲାର ଭବିଷ୍ୟତକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଏକ ନୂତନ, ବହୁତ ବଡ଼ ଦରମା ପ୍ୟାକେଜ୍ ପ୍ରସ୍ତୁତ କରିଥିଲା।

ତଥାପି, ସମସ୍ତେ ଏହି ନିଷ୍ପତ୍ତିରେ ଖୁସି ନୁହଁନ୍ତି। ନ୍ୟୁୟର୍କ ଷ୍ଟେଟ୍ କଣ୍ଟ୍ରୋଲର ଥମାସ ଡିନାପୋଲି ଏହାକୁ “ଅନିୟନ୍ତ୍ରିତ କ୍ଷମତା ପାଇଁ ଦେୟ ଦେବା” ବୋଲି କହିଛନ୍ତି। ଏହି ସମୟରେ, ଆମେରିକୀୟ ସେନେଟର ବର୍ନି ସାଣ୍ଡର୍ସ କହିଛନ୍ତି, “ଯେତେବେଳେ ସାଧାରଣ ଲୋକମାନେ ଭଡ଼ା, ଔଷଧ ଏବଂ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି, ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଏତେ ବଡ଼ ପରିମାଣର ଟଙ୍କା ଦେବା ଅବାସ୍ତବ। ସେ ଆମେରିକାର ଅଧା ପରିବାରଠାରୁ ପୂର୍ବରୁ ଧନୀ।”

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ

କୋଣାର୍କ : ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ଗ୍ରାମବାସୀ । ଗତକାଲି ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ବାହୁଡିହ ଗାଁର ସନ୍ଦିପ ନାୟକ ଚାକୁଣ୍ଡା ଡାଳ କାଟୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ବର୍ଶରେ ଆସି ମୃତ୍ୟୁ ଘଟିଥିଲା । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏଭଳି ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗରିବ ପରିବାରକୁ କ୍ଷତିପୂରଣ ଦାବିରେ ନୂଆଗଡରୁ ଅସ୍ତରଙ୍ଗ ମୁଖ୍ୟ ରାସ୍ତାରେ ଧାରଣା ଦେଇଛନ୍ତି ଶତାଧିକ ଲୋକ । ଘଟଣାସ୍ଥଳରେ ନୂଆଗଡ ସାମୁଦ୍ରିକ ଥାନା ପୋଲିସ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାଉଥିବା ଜଣାପଡିଛି ।

ନବୀନଙ୍କ ହେଲିକପ୍ଟରକୁ ଦେଢ଼ ଘଣ୍ଟା ଧରି ମିଳିଲାନି କ୍ଲିଅରାନ୍ସ

ଭୁବନେଶ୍ବର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରକୁ ଭୁବନେଶ୍ୱର ବିମାନବନ୍ଦରରେ ଦେଢ଼ ଘଣ୍ଟା ଧରି ମିଳିଲାନି କ୍ଲିଅରାନ୍ସ । ଦେଢ଼ ଘଣ୍ଟା ବିଳମ୍ବରେ ଭୁବନେଶ୍ୱର ବିମାନବନ୍ଦରରୁ ଛାଡ଼ିଲା ନବୀନଙ୍କ ହେଲିକପ୍ଟର। ଆଜି ସକାଳ ୯ଟା ୪୫ରେ ବିମାନବନ୍ଦରରେ ପହଞ୍ଚିଥିଲେ ନବୀନ। ସାଢ଼େ ୧୧ଟାରେ ଖରିଆର ରୋଡ୍ ହେଲିପ୍ୟାଡରେ ପହଞ୍ଚିଥାନ୍ତେ ନବୀନ। ମାତ୍ର ବିଳମ୍ବରେ କ୍ଲିଅରାନ୍ସ ମିଳିବା ଯୋଗୁଁ ଖରିଆର ରୋଡରେ ପହଞ୍ଚିବା ବିଳମ୍ବ ହୋଇଥିଲା। କାହିଁକି ନିର୍ଦ୍ଧାରିତ ସମୟ ଅନୁସାରେ କ୍ଲିଅରାନ୍ସ ମିଳିଲାନି ତାକୁ ନେଇ ଉଠିଛି ପ୍ରଶ୍ନ।

ଉତ୍ତରାଖଣ୍ଡରେ ଓଡ଼ିଆ ଝିଅଙ୍କୁ ବୀଭତ୍ସ ହତ୍ୟା, ମାରି ନଦୀରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ରାୟଗଡା : ଉତ୍ତରାଖଣ୍ଡରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା। ହତ୍ୟା ପରେ ନଦୀରେ ଫିଙ୍ଗି ଦେଲେ ଦୁର୍ବୃତ୍ତ। ମୃତଦେହକୁ ନଦୀରୁ ଉଦ୍ଧାର କରିଛି ପୋଲିସ। ଘଟଣାରେ ସଂପୃକ୍ତ ତିନି ଅଭିଯୁକ୍ତ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨ ଜଣ ଫେରାର ଅଛନ୍ତି। ଖବର ପାଇ ପରିବାର ବର୍ଗ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ରାୟଗଡା ଜିଲ୍ଲା ଚାନ୍ଦିଲୀ ଥାନା ଅନ୍ତର୍ଗତ ଜେ.କେ.ପୁର ଅଞ୍ଚଳର ୨୩ ବର୍ଷୀୟ ଯୁବତୀ ସୃଷ୍ଟି ଶର୍ମାଙ୍କୁ ଉତ୍ତରାଖଣ୍ଡର ଲାଲପୁରରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ସୃଷ୍ଟିକୁ ହତ୍ୟା କରିବା ପରେ ତା ଦେହରେ ଇଟା ଓ ପଥର ବାନ୍ଧି ସ୍ଥାନୀୟ ବାଡୋର ନଦୀରେ ଫିଙ୍ଗି ଦେଇଥିଲେ। ସେ ଯେଉଁ ଭଡା ଘରେ ରହୁଥିଲେ ସେହି ଘର ମାଲିକଙ୍କ ପୁଅ ଅମିତ କୁମାର ଓ ଦୁଇ ସାଙ୍ଗ ହିଁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଲାଲପୁର ପୁଲିସ ସ୍ପଷ୍ଟ କରିଛି । ଯୁବତୀଜଣକ ଲାଲପୁରରେ ମହିନ୍ଦ୍ରା ଏଣ୍ଡ୍ ମହିନ୍ଦ୍ରା ଟ୍ରାକ୍ଟର୍ କମ୍ପାନୀରେ ଇଣ୍ଟର୍ନସିପ୍ କରୁଥିଲେ । ଗତ ମଙ୍ଗଳବାର ପରିବାର ଲୋକେ ତାଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। ହେଲେ କୌଣସି ଉତ୍ତର ନମିଳିବାରୁ ସେମାନେ ଲାଲପୁରରେ ପହଞ୍ଚିଥିଲେ। ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ପରେ ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ପଚରାଉଚରା କରିବା ପରେ ସେ ଓ ତାଙ୍କ ଦୁଇ ସାଙ୍ଗ ହତ୍ୟା କରିଥିବା ସ୍ବୀକାର କରିଥିବା ସୂଚନା ମିଳିଛି।

ନୂଆପଡ଼ା ଗସ୍ତ ପୂର୍ବରୁ ନୂଆପଡ଼ାବାସୀଙ୍କୁ ଜୁହାର ଜଣାଇଲେ ନବୀନ

ନୂଆପଡ଼ା ଗସ୍ତ ପୂର୍ବରୁ ନୂଆପଡ଼ାବାସୀଙ୍କୁ ନବୀନ ପଟ୍ଟନାୟକ ଜଣାଇଲେ ଜୁହାର। ସେବା ଓ ସ୍ୱାଭିମାନର ମାଟି ନୂଆପଡ଼ାକୁ ମୋର ଜୁହାର କହିଲେ ନବୀନ। ଖରିଆର ରୋଡ୍, ନୂଆପଡ଼ା ଏନଏସି ଓ ପାରକୋଡ଼ଠାରେ ଆପଣମାନଙ୍କୁ ଭେଟିବା ନେଇ ବହୁତ ଉତ୍ସାହିତ କହିଛନ୍ତି ନବୀନ।

ରେକର୍ଡ କଲା ବିହାର, ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟରେ ୬୪ ପ୍ରତିଶତ ମତଦାନ

ନନ୍ଦିଘୋଷ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ବମ୍ପର ଭୋଟ। ୬୪.୪୬ ପ୍ରତିଶତ ମତଦାନ ହୋଇଛି। ଏତେ ଭୋଟ କେବେ ପଡ଼ିନଥିଲା। ଏହା ୭୩ ବର୍ଷର ରେକର୍ଡ ଭାଙ୍ଗିଛି। ୭୩ ବର୍ଷରେ ପ୍ରଥମ ଥର ପାଇଁ ୬୪ ପ୍ରତିଶତ ମତଦାନ ହୋଇଛି। ଗତକାଲି ୧୨୧ଟି ଆସନରେ ଭୋଟ ହୋଇଥିଲା।

ଇଭିଏମରେ ସିଲ୍ ହୋଇଛି ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ। ୩ କୋଟି ୭୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୪ ପ୍ରତିଶତରୁ ଅଧିକ ଲୋକ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଅନେକ ବୁଥରେ ୱେବକାଷ୍ଟିଂ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି ହୋଇଥିଲା। ପ୍ରଥମ ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ଵୀ ଯାଦବ, ତାଙ୍କ ଭାଇ ତେଜ ପ୍ରତାପ ଓ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ। ପ୍ରଥମ ପର୍ଯ୍ୟାୟରେ କିଏ ରହିବ ଆଗରେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ଆସନ୍ତା ବର୍ଷ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ !

ନନ୍ଦିଘୋଷ ବ୍ୟୁରୋ : ଟାରିଫ ବିବାଦ ମଧ୍ୟରେ ଆସନ୍ତା ବର୍ଷ ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ସକାରାତ୍ମକ କଥାବାର୍ତ୍ତା କରିଛନ୍ତି ଏବଂ ସେ ଆସନ୍ତାବର୍ଷ ଭାରତ ଆସିବା ଏକରକମ ନିଶ୍ଚିତ। ୱାଶିଂଟନ ଓ ନୂଆଦିଲ୍ଲୀ ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଟ୍ରମ୍ପଙ୍କ ଏହି ସୂଚନା ଦ୍ବିପାକ୍ଷିକ ସମ୍ପର୍କ ଲାଗି ସହାୟକ ହୋଇଛି।

ଓଭାଲ ଅଫିସରେ ଟ୍ରମ୍ପ ପ୍ରଧାନମନ୍ତ୍ରୀଙ୍କୁ ଜଣେ ଉତ୍ତମ ବନ୍ଧୁ ଭାବେ ଅଭିହିତ କରିବା ସହ ରୁଷଠାରୁ ଭାରତ ତୈଳ କ୍ରୟ ବ୍ୟାପକ ହ୍ରାସ କରିଥିବାରୁ ଖୁସି ପ୍ରକାଶ କରିଥିଲେ। ଆମେରିକା ପ୍ରସ୍ତାବ ଅନୁସାରେ ଭାରତ ରୁଷଠାରୁ ତୈଳ କ୍ରୟ ହ୍ରାସ କରିଥିବାରୁ ସେ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ। ରୁଷଠାରୁ ତୈଳ କ୍ରୟ କରୁଥିବା କାରଣରୁ ଭାରତ ଉପରେ ଆମେରିକା ଲାଗୁ କରିଥିଲା ୫୦ ପ୍ରତିଶତ ଟାରିଫ।

ଆଉନାହାନ୍ତି ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ

ନନ୍ଦିଘୋଷ ବ୍ୟୁରୋ : ଆଉନାହାନ୍ତି ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ। ୭୧ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ୧୯୭୦ ଦଶକର କିମ୍ବଦନ୍ତୀ କଳାକାର ଓ ଗାୟିକା। କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ସେ ହେଉଛନ୍ତ ସଂଗୀତଜ୍ଞ ଯତୀନ-ଲଳିତ ଓ ଅଭିନେତ୍ରୀ ବିଜୟତା ପଣ୍ଡିତଙ୍କ ଭଉଣୀ। ହୃଦଘାତର ଶିକାର ହୋଇ ସେ ନାନାବତୀ ହସ୍ପିଟାଲରେ ଆଖିବୁଜିଥିବା ଜଣାଯାଇଛି। ତାଙ୍କ ମୃତ୍ୟୁରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୭୫ରେ ସେ ସସପେନ୍ସ ଥ୍ରୀଲର ଉଲଝାନରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ପରେ ସଙ୍କୋଚ, ହେରାଫେରି, ଆପନାପନ, ଖାନଦାନ, ଚେହେରେ ପେ ଚେହେରା, ଧରମକଣ୍ଟା, ୱକ୍ତ କି ଦିବାନ ଆଦି ଫିଲ୍ମରେ ଅଭିନୟ କରିଥିଲେ। ସେ ଜିତେନ୍ଦ୍ର, ରାଜେଶ ଖାନ୍ନା, ବିନୋଦ ଖାନ୍ନା, ଶଶୀ କପୁର, ଶତ୍ରୁଘ୍ନ ସିହ୍ନା ପ୍ରମୁଖଙ୍କ ସହ ଅଭିନୟ କରିଥିଲେ।

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ

ନନ୍ଦିଘୋଷ ବ୍ୟୁରୋ : ଆଜି ନୂଆପଡ଼ା ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ। ବିଜେଡି ସୁପ୍ରିମୋ ଖରିଆର ରୋଡ ରେ ବିଜେଡିର ବିରାଟ ସମାବେଶରେ ଯୋଗ ଦେବେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ ନବୀନ। ଗତ ୩ ତାରିଖରେ ବି ନୂଆପଡ଼ା ଯାଇ ପ୍ରଚାର କରିବା ସହ କର୍ମୀଙ୍କ ନିକଟରେ ଭରିଥିଲେ ଜୋସ୍। ନବୀନଙ୍କୁ ନିକଟରେ ପାଇ ନୂଆପଡାବାସୀ ହୋଇଥିଲେ ଖୁସି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପ୍ରଚାର କରିବା ଲାଗି ପୁଣି ଥିଲେ ନୂଆପଡା ଗସ୍ତ କରିବେ ନବୀନ।

କଳିଙ୍ଗା ଘାଟିରେ ଦୁର୍ଘଟଣା : ଭାରସାମ୍ୟ ହରାଇ ଓଲଟିଲା ବସ୍ ; ୧୫ରୁ ଅଧିକ ଯାତ୍ରୀ ଆହତ

ନନ୍ଦିଘୋଷ ବ୍ୟୁରୋ : ଜି.ଉଦୟଗିରି କଳିଙ୍ଗା ଘାଟି ଅନ୍ଧାରକୂଟି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଶ୍ରୀରାମ ବସ୍ । ବସଟି ବରଗଡ଼ରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା । ବସରେ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା । ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବିନା ଅନୁମତିରେ କଳିଙ୍ଗା ଘାଟି ଦେଇ ବସ୍ ଯାଉଥିବା ସୂଚନା ମିଳିଛି। ଆହତମାନଙ୍କୁ ଭଞ୍ଜନଗର ଓ ଜି. ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ। ବିନା ଅନୁମତିରେ ଗାଡିଟି କିପରି କଳିଙ୍ଗା ଘାଟିକୁ ଅତିକ୍ରମ କଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରୀଯାନ ବାରଣ କରାଯାଇଥିବା ସତ୍ତ୍ବେ ବସଟି କଳିଙ୍ଗା ଘାଟି ଚଢିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।