ନନ୍ଦିଘୋଷ ବ୍ୟୁରୋ :ଶକ୍ତି ବିଭାଗର କାରସାଦି। ବିଦ୍ୟୁତ ଉପଭୋକ୍ତାଙ୍କ ଦେୟ ରାଶିକୁ ନେଇ ବଡ଼ ଗଡ଼ବଡ଼। ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ସୃଷ୍ଟି କରିଛି ସନ୍ଦେହ। ଘେରିଲା ଉପଭୋକ୍ତା ମହାସଂଘ। ସମାଲୋଚନା କଲେ ଶକ୍ତି ସମୀକ୍ଷକ। ୨୦୨୦ ଓ ୨୦୨୧ରେ ନେସ୍କୋ, ଓ୍ବେସ୍କୋ, ସାଉଥକୋ ଓ ସେସୁ ହାତରୁ ଘରୋଇ କମ୍ପାନୀ ଟାଟା ହାତକୁ ଗଲା ରାଜ୍ୟର ବିଦ୍ୟୁତ ବିତରଣ ବ୍ୟବସ୍ଥା। ସେତେବେଳେ ଉପଭୋକ୍ତାଙ୍କ ଖାତାରେ ପ୍ରାୟ ୧୨ ହଜାର ୭୦୨ କୋଟି ଟଙ୍କା ବକେୟା ଥିଲା ବୋଲି ଗ୍ରୀଡ଼କୋ ସ୍ବୀକାର କରିଛି। ହେଲେ କମ୍ପାନୀର ବାଲାନ୍ସ ସିଟରେ ଏହି ପରିମାଣ ୪ ହଜାର ୮୭ କୋଟି ବୋଲି ଦର୍ଶାଯାଇଛି। ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଶକ୍ତି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କଥା କହିଛନ୍ତି। ଉପଭୋକ୍ତାଙ୍କ ଉପରେ ବକେୟା ପରିମାଣରେ ୮ ହଜାର ୬୧୫ କୋଟିର ତଫାତ ରହିଛି। ପ୍ରକୃତ ବକେୟା ତଥ୍ୟକୁ ସୃଷ୍ଟି ହୋଇଛି ଦ୍ଵନ୍ଦ୍ଵ। ଉପଭୋକ୍ତାଙ୍କ ବକେୟା ରାଶି ଆଦାୟ କରିବାକୁ ଓଟିଏସ୍ ଲାଗୁ କରିବା ପାଇଁ ଓଇଆରସି ପାଖରେ ଚାଲିଛି ମାମଲା। ଏଥିରେ ଦର୍ଶାଯାଇଛି ଗ୍ରୀଡ଼କୋ ଓ କମ୍ପାନୀ ବକେୟା ପରିମାଣ ୯ ହଜାର ୨୬୦ କୋଟି। ସନ୍ଦେହଜନକ ପରିମାଣ ୫ ହଜାର ୧୭୩ କୋଟିକୁ ବାଦ୍ ଦେଇ ୪ ହଜାର ୮୭ କୋଟି ଆଦାୟ ପାଇଁ ନିଷ୍ପତ୍ତି ହୋଇଛି। ୧୨ ହଜାର ୭୦୨ କୋଟିରୁ ୯ହଜାର ୨୬୦ କୋଟିକୁ ବକେୟା ପରିମାଣ ଖସିଥିବା ବେଳେ ବଳକା ୩ହଜାର ୪୪୨ କୋଟିର ହିସାବକୁ ନେଇ ସନ୍ଦେହ ଉପୁଜିଛି। ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଏହା ଶକ୍ତି ବିଭାଗର ଷଡ଼ଯନ୍ତ୍ର ବୋଲି କହିଛନ୍ତି।
-ରାଜ୍ୟରେ ଏଯାଏ ବିଦ୍ୟୁତ ସଂସ୍କାର ହୋଇପାରିଲା ନାହିଁ। ତଥାପି ଗ୍ରାହକଙ୍କ ଉପରେ ଲଦି ଦିଆଯାଉଛି ସ୍ମାର୍ଟ ମିଟର। ଏଥିପାଇଁ ସରକାର ୭୩୫ କୋଟି ବଜେଟ କରିଛନ୍ତି। ହେଲେ ବକେୟା ରାଶିର ଦ୍ଵନ୍ଦ୍ଵ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଗୋଳମାଳିଆ କରିଛି। ଏଥିପାଇଁ ବିଦ୍ୟୁତ ଉପଭୋକ୍ତା ମହାସଂଘ ସରକାରଙ୍କୁ ସମାଲୋଚନା କରିଛି। ବଡ଼ବଡ଼ିଆଙ୍କ ହଜାର ହଜାର କୋଟି ବିଜୁଳି ବକେୟା ଛାଡ଼ କରି ଗରିବଙ୍କ ଉପରେ ଦାଉ ସାଧୁଛନ୍ତି ବୋଲି ସଂଘ ଅଭିଯୋଗ କରିଛି। ଏହା ସହ ବନ୍ୟା ଅଞ୍ଚଳରେ ଲୋକେ ଦୁଃଖକଷ୍ଟରେ ରହିଥିବାରୁ ସେମାନଙ୍କ ବିଜୁଳି ଦେୟ ଛାଡ଼ କରିବାକୁ ସଂଘ ଦାବି କରିଛି। …
ଗ୍ରୀଡ଼କୋ ଟାଟା କମ୍ପାନୀକୁ ହସ୍ତାନ୍ତର କରିଥିବା ଆର୍ଥିକ ବିବରଣୀ ସତ୍ୟ, ସ୍ବଚ୍ଛ, ନିରପେକ୍ଷ ନୁହେଁ ବୋଲି ଅଭିଯୋଗ ହେବା ସହ ଏହା କମ୍ପାନୀ ଆଇନ, ୨୦୧୩ର ଧାରା ୧୨୯କୁ ବିରୋଧ କରୁଛି ବୋଲି ଚର୍ଚ୍ଚା ହୋଇଛି। ..

