spot_img
Home Blog Page 1031

୧୦ ବର୍ଷ ପରେ ଭାରତ ପାଇଁ ବଡ ସୁଯୋଗ, ନେଇପାରିବ କି ବଦଲା ?

ନନ୍ଦିଘୋଷ ବ୍ୟୁରୋ: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପାଇଁ ଲାଇନ ଅପ୍ ନିର୍ଣ୍ଣୟ ହୋଇଛି । ଉଭୟ ସେମିଫାଇନାଲ ମ୍ୟାଚ୍ ୪ ଏବଂ ୫ ମାର୍ଚ୍ଚରେ ଖେଳାଯିବ । ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର ହେବ । ଏବଂ ଅନ୍ୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଆପଣ ଜାଣିଛନ୍ତି କି ପୁଣିଥରେ ୧୦ବର୍ଷର ପୁରୁଣା ସ୍ମୃତି ତାଜା ହେବାକୁ ଯାଉଛି ।  ୧୦ବର୍ଷ ପୂର୍ବେ ଯାହା ଘଟିଥିଲା ତାହା ପୁନରାବୃତ୍ତି ହେଉଥିବା ପରି ମନେ ହେଉଛି । ଆଜ୍ଞା ହଁ ୨୦୧୫ ବିଶ୍ୱକପ୍ ସେମିଫାଇନାଲର କାହାଣୀ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ପୁନରାବୃତ୍ତି ହେଉଥିବା ପରି ମନେ ହେଉଛି । ସେତେବେଳେ ମଧ୍ୟ ଏହି ସମାନ ଦଳଗୁଡ଼ିକ ସେମିଫାଇନାଲରେ ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ ଏବଂ ଏବେ ମଧ୍ୟ ସେମାନେ ଫାଇନାଲରେ ପ୍ରବେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି ।

ICC ଟୁର୍ଣ୍ଣାମେଣ୍ଟରେ ୧୦ ବର୍ଷ ପୂର୍ବ ପରି ସେମିଫାଇନାଲ

ଏବେ ICC  ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ୧୦ ବର୍ଷର ପୁରୁଣା କାହାଣୀ ପୁନରାବୃତ୍ତି ହୋଇଛି ।  ଟିମ ଇଣ୍ଡିଆ ପାଇଁ ବଦଲା ନେବାର ଏକ ଭଲ ସୁଯୋଗ । ତେବେ ୧୦ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୫ ବିଶ୍ୱକପର ସେମିଫାଇନାଲରେ କ’ଣ ଘଟିଥିଲା । ସେଠାରେ ମଧ୍ୟ ସେମିଫାଇନାଲ ଲାଇନ-ଅପ୍ 2025 ଚାମ୍ପିଅନ୍ସ ଟ୍ରଫି ସହିତ ସମାନ ଥିଲା। ଭାରତ ଅଷ୍ଟ୍ରେଲିଆ ସହିତ ପ୍ରତିଯୋଗିତା କରୁଥିଲା ଏବଂ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା।

ଭାରତ ବନାମ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲ୍ୟାଣ୍ଡ

୨୦୧୫ ବିଶ୍ୱକପର ସେମିଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ୯୫ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା କିନ୍ତୁ ସେହି ମ୍ୟାଚଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଥିଲା । ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ପରାସ୍ତ କରିଥିଲା । ତେବେ ଚଳିତ ଚାମ୍ପିଅନ୍ସ ଟ୍ରଫି 2025ରେ ଏକମାତ୍ର ପରିବର୍ତ୍ତନ ହେଉଛି ଯେ ପ୍ରଥମ ସେମିଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ଏବଂ ଅନ୍ୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ ।

ଚାମ୍ପିଅନ୍ସ ଟ୍ରଫିରେ 48 ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଏହା ସ୍ପଷ୍ଟ ଯେ ଚାମ୍ପିଅନ୍ସ ଟ୍ରଫିରେ ଆଗାମୀ ୪୮ ଘଣ୍ଟା ବହୁତ ଗୁରୁତ୍ୱପୂର୍ଣ୍ଣ । ଏଠାରେ ୪୮ ଘଣ୍ଟାବିପଦ ମାନେ ୪ ଓ ୫ ତାରିଖ । ଚଳିତ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଯେଉଁଭଳି ଭାବେ ଖେଳ ପ୍ରଦର୍ଶନ କରିଛନ୍ତି ତାହା କହିବା ଅସମ୍ଭବ ଯେ, ଆଗକୁ କଣ ଘଟିବ ।

ମାସକର ଶିଶୁ ଦେହରେ ୩୦ରୁ ଅଧିକ ଚେଙ୍କ; ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

ନନ୍ଦିଘୋଷ ବ୍ୟୁରୋ: ମଣିଷ ମନରୁ କେବେ ହଟିବ ଅନ୍ଧବିଶ୍ଵାସ। ମାସକର ଶିଶୁକୁ ଦିଆଯାଇଛି ୩୦ରୁ ଅଧିକ ଚେଙ୍କ। ନବରଙ୍ଗପୁର ଚନ୍ଦାହାଣ୍ଡି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା । ଡାକ୍ତରୀ ଚିକିତ୍ସାରେ ବିଶ୍ୱାସ ନକରି ଗୁଣି ଗାରେଡ଼ିକୁ କରୁଛନ୍ତି ଭରସା । ଛୋଟ ଶିଶୁର ମୁଣ୍ଡ ଓ ପେଟରେ ଦିଆଯାଇଛି ଏହି ଚେଙ୍କ । ଶିଶୁଟି ଗୁରୁତର ହେବା ପରେ ତାକୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତର ଫୁଣ୍ଡେଲପଡା ଗାଁର ସରୋଜ କୁମାର ନାୟକଙ୍କ ୧ ମାସର ପୁଅ ଅସୁସ୍ଥ ହୋଇପଡିବାରୁ ଏହି ଚେଙ୍କ ଦେଇଥିବା ପରିବାର ଲୋକେ କହିଛନ୍ତି ।

ଚେଙ୍କର ଯନ୍ତ୍ରଣା ସମ୍ଭାଳି ନପାରି ଶିଶୁଟି ଲଗାତାର କାନ୍ଦିବାକୁ ଲାଗିଥିଲା । ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ତଥା ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପଣ୍ଡା ଶିଶୁଟିର ଚିକିତ୍ସା କରୁଛନ୍ତି । ଚିକିତ୍ସା ପରେ ଶିଶୁଟି ଭଲ ଥିବା କହିଛନ୍ତି ଡାକ୍ତର । ଅତିଶୀଘ୍ର ଭଲ ହୋଇ ଯେପରି ଘରକୁ ଫେରିବ ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ସବୁ ପ୍ରକାର ଚିକତ୍ସାରେ ସହଯୋଗ କରାଯିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ତେବେ ପିଲାକୁ କିଏ ଚେଙ୍କ ଦେଲା ସେ ବିଷୟରେ କିଛି ସୂଚନା ଦେଇନାହାନ୍ତି ପରିବାର ଲୋକେ ।

ହିମାନି ନରୱଲଙ୍କ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ନନ୍ଦିଘୋଷ ବ୍ୟୁରୋ: ହରିୟାଣାର ରୋହତକରେ କଂଗ୍ରେସ କର୍ମୀ ହିମାନୀ ନରୱାଲ ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତାଙ୍କୁ ପଚରାଉଚରା କରାଯାଉଛି । ଅଭିଯୁକ୍ତ ଜଣକ ମୃତ ହିମାନୀ ନରୱାଲଙ୍କ ବନ୍ଧୁ ଥିଲା । ସେ ହିମାନୀକୁ ତାଙ୍କ ନିଜ ଘରେ ହତ୍ୟା କରିଥିଲେ । ହତ୍ୟା ପରେ ତାଙ୍କ ମୃତଦେହକୁ ଏକ ସୁଟକେସ୍‌ରେ ବନ୍ଦ କରି ସାମ୍ପଲା ବସ୍ ଷ୍ଟାଣ୍ଡରେ ଫିଙ୍ଗି ଦେବା ପରେ ଦିଲ୍ଲୀ ପଳାଇ ଯାଇଥିଲେ । ଅଭିଯୁକ୍ତ ନିଜ ଅପରାଧ ମାନଥିବା ହରିୟାଣା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କ ନାମ ସଚିନ ବୋଲି କୁହାଯାଉଛି । ସେ ରୋହତକର ବାସିନ୍ଦା । ସେ ହିମାନୀକୁ କାହିଁକି ହତ୍ୟା କଲା ଏ ସମ୍ପର୍କରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି । ହରିୟାଣା ପୋଲିସ ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କଠାରୁ ହିମାନୀଙ୍କ ମୋବାଇଲ୍ ଫୋନ ଏବଂ ଅଳଙ୍କାର ମଧ୍ୟ ଜବତ କରାଯାଇଛି ।

ଘରେ ହତ୍ୟା କରାଯାଇଥିଲା

ସୂଚନା ଦେଇ ହରିୟାଣା ପୋଲିସ କହିଛି ଯେ ହିମାନୀ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅଭିଯୁକ୍ତ ସଚିନ ରୋହତକର ବାସିନ୍ଦା । ସଚିନ ହିମାନୀକୁ ବିଜୟନଗରରେ ତାଙ୍କ ଘରେ ହତ୍ୟା କରିଥିଲେ । ଅଭିଯୁକ୍ତମାନେ ପ୍ରଥମେ ହିମାନୀଙ୍କୁ ହତ୍ୟା କରିଥିଲେ ଏବଂ ତା’ପରେ ତାଙ୍କ ମୃତଦେହକୁ ଏକ ସୁଟକେସରେ ବନ୍ଦ କରି ଘରଠାରୁ ୮୦୦ ମିଟର ଦୂର ସାମ୍ପଲା ବସ୍ ଷ୍ଟାଣ୍ଡ ନିକଟରେ ଫିଙ୍ଗି ଦେଇଥିଲେ । ମୃତଦେହ ଉଦ୍ଧାର କରିବା ପରେ, ପୋଲିସ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ମାର୍ଚ୍ଚ ୧ରେ ମିଳିଥିଲା ମୃତଦେହ

କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ମୃତଦେହ ମାର୍ଚ୍ଚ ୧ ତାରିଖରେ ରୋହତକର ରାଜପଥ ନିକଟସ୍ଥ ସାମ୍ପଲା ବସ୍ ଷ୍ଟାଣ୍ଡ ନିକଟରେ ମିଳିଥିଲା। ମୃତଦେହଟି ଏକ ସୁଟକେସ୍ ଭିତରେ ଥିଲା । ପୋଲିସର ତଦନ୍ତ ସମୟରେ, ମୃତଦେହର ମୁହଁ ନୀଳ ହୋଇଯାଇଥିଲା । ତାଙ୍କ ହାତରେ ମେହେନ୍ଦୀ ଲାଗିଥିବାବେଳେ ବେକରେ ଏକ ଲୁଗା ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା। ପୋଲିସ ମୃତଦେହକୁ ଚିହ୍ନଟ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ସେହି ଅଞ୍ଚଳରେ ଥିବା ଅନେକ ସିସିଟିଭି କ୍ୟାମେରାକୁ ସ୍କାନ୍ କରିଥିଲା। ପଚରାଉଚରା ଏବଂ ତଦନ୍ତ ସମୟରେ, ପୋଲିସ ଅଭିଯୁକ୍ତକୁ ସଚିନ ବୋଲି ଚିହ୍ନଟ କରିଥିଲା । ପୋଲିସ ତାଙ୍କୁ ଦିଲ୍ଲୀରୁ ଗିରଫ କରିଛି ।

ବିବାହ ପାଇଁ ପୁଅ ଖୋଜାହେଉଥିଲା

ହିମାନୀ ନରୱାଲଙ୍କ ହତ୍ୟା ହରିୟାଣାରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି । କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଦେଖାଯିବା ପରେ ହିମାନି ଖବରକୁ ଆସିଥିଲେ। ହିମାନୀଙ୍କ ବାପା ପୂର୍ବରୁ ଆତ୍ମହତ୍ୟା କରିଥିଲେ ଯେତେବେଳେ ଶତ୍ରୁତା ଯୋଗୁଁ ତାଙ୍କ ଭାଇକୁ ହତ୍ୟା କରାଯାଇଥିଲା । ହିମାନି ତାଙ୍କ ମାଆ ଏବଂ ଭାଇଙ୍କ ସହିତ ରୋହତକର ବିଜୟନଗର ଅଞ୍ଚଳରେ ରହୁଥିଲେ । ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ହିମାନୀ ଚଳିତ ବର୍ଷ ବିବାହ କରିବାର ଥିଲା । ତାଙ୍କ ପାଇଁ ପୁଅ ଖୋଜାଯାଉଥିଲା । ପରିବାର ସଦସ୍ୟମାନେ କହିଛନ୍ତି ଯେ ୨୦୨୪ ମସିହାରେ ନିର୍ବାଚନରେ ​​ବ୍ୟସ୍ତ ଥିବାରୁ ହିମାନି ୨୦୨୫ ମସିହାରେ ବିବାହ କରିବାକୁ କହିଥିଲେ ।

ସାମଗ୍ରୀ ଦେବାକୁ କଲେ ବିଳମ୍ବ; ଅଙ୍ଗୁଠି ଛିଡାଇଦେଲେ ମଦ୍ୟପ

ଗଞ୍ଜାମ : ସାମଗ୍ରୀ ଦେବାରେ ବିଳମ୍ୱ କରିବାରୁ ଦୋକାନୀଙ୍କ ଅଙ୍ଗୁଠି ଛିଡାଇଦେଲେ ମଦ୍ୟପ ଗ୍ରାହକ । ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରିଲେ । ଏଭଳି କାଣ୍ଡ ଭିଆଇ ବନ୍ଧା ହେଲେ ଗଞ୍ଜାମ ପାଟପୁର ଅଞ୍ଚଳର ୩ ଯୁବକ । କିଛି ମଦ୍ୟପ ଯୁବକ ପଳାସପୁର ଛକରେ ଥିବା ବ୍ୟବସାୟୀ ବରୁଣ ପାଢ଼ୀଙ୍କ ଦୋକାନକୁ ଆସି କିଛି ସାମଗ୍ରୀ ମାଗିଥିଲେ । ହେଲେ ବ୍ୟବସାୟୀ ଜଣକ ଜିନିଷ ଦେବାରେ ବିଳମ୍ବ କରିବାରୁ ମଦ୍ୟପ ଯୁବକମାନେ ମିଶି ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ବ୍ୟବସାୟୀଙ୍କ ଡାହାଣ ହାତର ଅଙ୍ଗୁଠିକୁ କାମୁଡି ଜଣେ ଯୁବକ ଛିଡ଼ାଇ ଦେଇଛି ।

ବ୍ୟବସାୟୀଙ୍କୁ ପରିବାର ଲୋକେ ନିକଟ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଅଙ୍ଗୁଳି ଆଉ ଲାଗି ପାରିବ ନାହିଁ କହି ଚିକିତ୍ସା କରି ଛାଡିଥିଲେ । ବ୍ୟବସାୟୀ ଜଣକ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି । ୩ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଥିଲା।

ଅଡୁଆରେ ସେବିର ପୂର୍ବତନ ଅଧ୍ୟକ୍ଷା; ମାଧବୀ ପୁରୀଙ୍କ ବିରୋଧରେ ଏତଲା ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ସେବିର ପୂର୍ବତନ ଅଧ୍ୟକ୍ଷା ମାଧବୀ ପୁରୀ ବଚ୍ ଙ୍କ ଅଡୁଆ ବଢ଼ିଲା । ତାଙ୍କ ବିରୋଧରେ ଏଫଆଇଆର୍ ରୁଜୁ ପାଇଁ ମୁମ୍ବାଇର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାଧବୀଙ୍କ ସହିତ ଅନ୍ୟ ୫ ଜଣଙ୍କ ବିରୋଧରେ ମଧ୍ୟ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସେହି କୋର୍ଟ । ଷ୍ଟକ ମାର୍କେଟରେ ଜାଲିଆତି କରିବା ଓ ସେବିର ନିୟମ ଉଲ୍ଲଂଘନ କରିବା ଅଭିଯୋଗ ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, ନିଜେ ଏହି ତଦନ୍ତର ନିରୀକ୍ଷଣ କରିବେ । ୩୦ ଦିନ ଭିତରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ସେବିର ଅଧ୍ୟକ୍ଷା ଥିବା ବେଳେ ମାଧବୀ ପୁରୀ ବଚ୍ ନିୟମ ଉଲ୍ଲଂଘନ କରି ଜାଲିଆତି କରିଥିବାର ଅଭିଯୋଗ କରି ତଦନ୍ତ ପାଇଁ ଆବେଦନ କରିଥିଲେ ଜଣେ ସାମ୍ଵାଦିକ ।

ସେହି ପିଟିସନ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରିବେ ବୋଲି ସେବି କହିଛି । ଏହି ସଂସ୍ଥା ତରଫରୁ କୁହାଯାଇଛି, ଅଧିକାରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ନ୍ୟସ୍ତସ୍ଵାର୍ଥ ପିଟିସନ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇନାହିଁ । ଏଇ ମାର୍ଚ୍ଚ ୧ ତାରିଖରେ ସେବିର ଅଧ୍ୟକ୍ଷା ଭାବେ ମାଧବୀଙ୍କ ତିନି ବର୍ଷିଆ କାର୍ଯ୍ୟକାଳ ସରିଥିଲା । ଏହା ପରେ ତୁହିନକାନ୍ତ ପାଣ୍ଡେ ହୋଇଛନ୍ତି ପରବର୍ତ୍ତୀ ଅଧ୍ୟକ୍ଷ ।

ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ

ଭୁବନେଶ୍ବର : ବିଦ୍ୟୁତ ଶୁଳ୍କ ବୃଦ୍ଧି ସହ ଅନ୍ୟ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ l ଓଡିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ବୈଠକରେ ଏନେଇ ନିଆଯାଇଛି ନିଷ୍ପତ୍ତି । ବିଦ୍ୟୁତ ଶୁଳ୍କ ବୃଦ୍ଧି, ସ୍ମାର୍ଟ ମିଟର ବାତିଲ, ଓଡ଼ିଆରେ ବିଲ ଦେବା ଓ ସରକାର ପ୍ରତିଶୃତି ଦେଇଥିବା ୩ଶହ ୟୁନିଟ ମାଗଣା ବିଜୁଳିକୁ କାର୍ଯ୍ୟକାରୀ କରିବା ନେଇ ସରକାରଙ୍କ ପାଖରେ ଦାବି ରଖାଯାଇଛି । ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଓଡିଶାର ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନେ ଆସନ୍ତା ୨୧ ତାରିଖ ଦିନ ବିଧାନସଭା ସମ୍ମୁଖରେ ପ୍ରତିବାଦ କରିବା ସହ ଗଣଧାରଣା ଦେବ ବୋଲି ସଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ ।

ଚମୋଲି ରେସ୍କ୍ୟୁ ଅପରେସନ ଶେଷ, ଅଷ୍ଟମ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ଉତ୍ତରାଖଣ୍ଡ ବଦ୍ରିନାଥରେ ହିମସ୍ଖଳନ ଘଟଣାରେ ରେସ୍କ୍ୟୁ ଅପରେସନ ଶେଷ। ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ପୁରା ଘଟଣାରେ ୪୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଅଷ୍ଟମ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଦୁଇ ଦିନ ଧରି ଚାଲିଥିଲା ଅପରେସନ । ଚମୋଲି ଗାଁ ନିକଟରେ ବର୍ଡର ରୋଡ୍ ଅର୍ଗାନାଇଜେସନ ଦ୍ଵାରା ରାସ୍ତା ତିଆରି କରାଯାଉଥିଲା। ହିମସ୍ଖଳନ ହେବାରୁ  ୫୦ରୁ ଅଧିକ ଶ୍ରମିକ ବରଫ ତଳେ ଚାପି ହୋଇଥିଲେ। ଦୁଇ ଦିନ ଧରି ଅକ୍ଲାନ୍ତ ପରିଶ୍ରମ ପରେ ୪୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା।  ସେନା, ଆଇଟିବିପି, ଏସଡିଆରଏଫ, ବିଆରଓ, ଏନଡିଆରଏଫ ପକ୍ଷରୁ ୨୦୦ ଜଣ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଉଦ୍ଧାର କାର୍ଯ୍ୟରେ ଭିକ୍ଟିମ ଲୋକେଟିଂ କ୍ଯାମେରା, ଥର୍ମାଲ ଇମେଜିଂ କ୍ୟାମେରା, ଗ୍ରାଉଣ୍ଡ ପେନେଟ୍ରେସନ ରାଡାର, ସ୍ବତନ୍ତ୍ର କୁକୁର ନିୟୋଜିତ ହୋଇଥିଲେ। ଏହା ସହ ସେନାର ୩ ହେଲିକପ୍ଟର, ବାୟୁସେନାର ୨ ହେଲିକପ୍ଟର ଓ ଏକ ସିଭିଲ ହେଲିକପ୍ଟରକୁ ସାମିଲ କରାଯାଇଥିଲା।

ସ୍ପିନରଙ୍କ ଜାଲରେ ଫସିଗଲା ନ୍ୟୁଜିଲାଣ୍ଡ, ୪୪ ରନରେ ଜିତିଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଶେଷ ଲିଗ୍ ମ୍ୟାଚରେ ଭାରତର ବିଜୟ । ୨୫୦ ରନ୍‌ର ଟାର୍ଗେଟ୍‌ ପିଛା କରି ୪୫.୩ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୨୦୫ ରନ୍‌ କରିପାରିଛି ନ୍ୟୁଜିଲାଣ୍ଡ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୪୪ ରନରେ ଭାରତ ବିଜୟୀ ହୋଇଛି।ଏଥିସହ ଭାରତ ଚାମ୍ପିୟନ୍ସ ଟ୍ରଫିରେ ହାଟ୍ରିକ ବିଜୟ ହାସଲ କରି ଗ୍ରୁପ-ଏ’ରେ ସର୍ବାଧିକ ୬ ପଏଣ୍ଟ ସହ ଶୀର୍ଷରେ ରହିଛି।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମ୍ୟାଟ ହେନରୀଙ୍କ ଶାଣିତ ବୋଲିଂର ଉଚିତ୍ ମୁକାବିଲା କରି ନ ପାରି ୯ ଓ୍ଵିକେଟ୍ ହରାଇ ୨୪୯ ରନ କରିଥିଲା ଭାରତ। ଶ୍ରେୟାସ ଆୟର ସର୍ବାଧିକ ୭୯ ରନ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଦ୍ଵିତୀୟ ସର୍ବାଧିକ ୪୫ ରନ କରିଥିଲେ। ଅକ୍ଷର ପଟେଲ ୪୨, କେଏଲ ରାହୁଲ ୨୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୨୫୦ ରନର ବିଜୟ ଲକ୍ଷ୍ୟ ରହିଥିଲା । ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୪୨ ରନ ଦେଇ ୫ ସଫଳତା ପାଇଛନ୍ତି।

ଜବାବରେ ନ୍ୟୁଜିଲାଣ୍ଡ ଇନିଂସ ଆରମ୍ଭରୁ ଭାରତୀୟ ସ୍ପିନରଙ୍କ ସହ ସଂଘର୍ଷ କରିଥିଲା। କେନ୍‌ ଓ୍ବିଲିୟମସନ ଗୋଟିଏପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଉଇକେଟ ପତନ ଜାରି ରହିଥିଲା। ଫଳରେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଓ୍ବିଲିୟମସନ ସର୍ବାଧିକ ୮୧ ଓ ଅଧିନାୟକ ମିଚେଲ ସାଣ୍ଟନର ୨୮ ରନ୍‌ କରିଥିଲେ। ଭାରତ ପାଇଁ ବରୁଣ ଚକ୍ରବର୍ତ୍ତୀ ୫ ଉଇକେଟ ସଫଳତା ହାସଲ କରିଥିଲେ।

ଏହି ମ୍ୟାଚର ଫଳାଫଳ ସହିତ ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆସନ୍ତା ୪ ତାରିଖରେ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ସେହିଭଳି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ୫ ତାରିଖରେ ଖେଳାଯିବ।

ପୂର୍ବତନ ବିଜେଡି ସରକାରର ଦୂରଦୃଷ୍ଟିକୁ ଆଗେଇ ନେବେ ସରକାର

ଭୁବନେଶ୍ବର : କୋରାପୁଟ କୋଲାବରେ ଚାଲିବ ଆରାମଦାୟକ କ୍ରୁଜ। ମାଲକାନାଗିରିର ସତୀଗୁଡ଼ାରେ ହେବ କାରାଭାନ ଟୁରିଜମ୍ । ଡ୍ୟାମ, ଝରଣା, ପାହାଡ଼ ସହ ସ୍ପିରିଚ୍ୟୁଆଲ ଟୁରିଜମ୍ ଉପରେ ବି ସରକାରଙ୍କ ନଜର। କୃଷି, ଶିଳ୍ପ ଭଳି ରାଜ୍ୟର ଅର୍ଥନୀତିରେ ପର୍ଯ୍ୟଟନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହାକୁ ନଜରରେ ରଖି ବିଜେଡ଼ି ସରକାର ଏହାର ଅଭିବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଥିଲେ। ଧାର୍ମିକ ସ୍ଥଳର ସାମଗ୍ରିକ ବିକାଶ ସହ ପର୍ଯ୍ୟଟକଙ୍କୁ ଆତିଥ୍ୟ ଦେବାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିଥିଲେ। ଚିଲିକାରେ ଆରମ୍ଭ ହୋଇଥିଲା କ୍ରୁଜ ସେବା। ଏହାକୁ ଆଗକୁ ନେବାକୁ ଯୋଜନା କରିଛି ବିଜେପି ସରକାର। ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ୩୦୦ କୋଟି ଟଙ୍କା ଦିଆଯାଇଛି, ଯାହାର ଝଲକ ଦେଖିବାକୁ ୩-୪ ମାସ ସମୟ ଲାଗିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହ ସ୍ପିରିଚ୍ୟୁଆଲ ଟୁରିଜମ୍ ସହ ଆଡ଼ଭେଞ୍ଚର ଟୁରିଜମର ଫାଇଦା କିପରି ପର୍ଯ୍ୟଟକ ନେଇପାରିବେ ତା ଉପରେ ବି ନଜର ଦିଆଯାଉଛି। ସରକାରୀ ପାନ୍ଥନିବାସକୁ ପିପିପି ମୋଡ଼ରେ ବିକାଶ କରିବା ପାଇଁ ପୂର୍ବ ସରକାରର ନିଷ୍ପତ୍ତିକୁ ବିଜେପି ସରକାର ଆଗକୁ ନେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
ପର୍ଯ୍ୟଟନ ଶିଳ୍ପ ଏବେ ସମସ୍ତଙ୍କ ନଜରରେ। ୮ ହଜାର ୧୫୩ କୋଟିର ବଜେଟ ଏହି ବିଭାଗରେ ଥିବା ବେଳେ ଖର୍ଚ୍ଚର ମନିଟରିଂ ପାଇଁ ସ୍ବତନ୍ତ୍ର ସେଲ୍ ଖୋଲାଯାଇଛି। ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ୟମ ହେଉଛି। ଝାରୁସୁଗୁଡ଼ାରୁ ଜଗତସିଂହପୁର ଯାଏଁ ଲମ୍ବିଥବା ମହାନଦୀ ଏବଂ ଏହାର କୂଳେ କୂଳେ ଥିବା ବିଭିନ୍ନ ଝରଣା, ଅଭୟାରଣ୍ୟ, ପାହାଡ଼କୁ ନେଇ ସ୍ବତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ ପ୍ରସ୍ତୁତ କରାଯାଉଛି। କୋଲାବ ଡ଼୍ୟାମ, ମାଲକାନାଗିରିର ସତୀଗୁଡ଼ା ଡ଼୍ୟାମରେ ବଡ଼ ବଡ଼ କ୍ରୁଜ ସେବା ସହିତ କୋରାପୁଟ କଫି ଆଧାରିତ ପର୍ଯ୍ୟଟନ ପାଇଁ ଯୋଜନା ହେଉଛି। ସରକାରଙ୍କ ଯୋଜନାକୁ ଟୁର ଅପରେଟରମାନେ ସ୍ବାଗତ କରିଛନ୍ତି। ହେଲେ ଏହା କିପରି ଠିକ୍ ଢଙ୍ଗରେ ଠିକ୍ ସମୟରେ କାମରେ ଲାଗିବ, ତାହା ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ନବୀନ ସରକାରଙ୍କ ଦୂରଦୃଷ୍ଟିକୁ ଆଗେଇ ନେଉଛି ବିଜେପି ସରକାର। କୃଷି, ଶିଳ୍ପ ସହ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ପାଇଁ ପର୍ଯ୍ୟଟନ ଜରୁରୀ ଥିବାରୁ ଏହା ଉପରେ ଆନ୍ତରିକତାର ସହ କାମ କରିବାକୁ ପଡ଼ିବ।

ରାଜ୍ୟ ସରକାରଙ୍କ ଟାଇମିଂରେ ଗଡ଼ବଡ଼ ଯୋଗୁଁ ଭୁବନେଶ୍ଵର ସୁଭଦ୍ରା ଶକ୍ତି ମେଳା ଖାଁ ଖାଁ

ଭୁବନେଶ୍ବର : ସୁଭଦ୍ରା ଶକ୍ତି ମେଳାରେ ଅଧିକାଂଶ ଷ୍ଟଲ୍ ଖାଁ ଖାଁ। ଭିଡ଼ ନାହିଁ। ଯେଉଁ ଷ୍ଟଲରେ ଲକ୍ଷେ ଟଙ୍କାର ବ୍ୟବସାୟ ହେବା କଥା, ସେଠାରେ ମାତ୍ର ୫ ହଜାର ଟଙ୍କାର କିଣାବିକା। ଭୁବନେଶ୍ଵର ଜନତା ମୈଦାନର ଏହି ଦୃଶ୍ୟ ଭଲ କରି ଦେଖନ୍ତୁ। ଷ୍ଟଲଟି ସୁନ୍ଦରଗଡ଼ର ଦିବ୍ୟଜ୍ୟୋତି ଏସ୍ଏଚ୍ଜିର । ମାଣ୍ଡିଆରେ ପ୍ରସ୍ତୁତ ସାମଗ୍ରୀ ବିକ୍ରିପାଇଁ ଆଣିଛନ୍ତି । କିନ୍ତୁ ଷ୍ଟଲ ଫାଙ୍କା । ସେମିତି ବାଲେଶ୍ବରରୁ ଆସିଥିବା ଏହି ଏସଏଚଜିର କତା ସାମଗ୍ରୀ ବେପାର ବି ମାନ୍ଦା। ଗାଡ଼ି ଭଡ଼ା କରି ଆଣିଥିବା ସାମଗ୍ରୀକୁ ଫେରାଇ ନେବାକୁ ପଡ଼ିବ। ଏସଏଚଜିର ମହିଳାମାନେ କହୁଛନ୍ତି, ବସ୍ ଖର୍ଚ୍ଚ ବି ଉଠିଲାନି। ଆଶ୍ଚର୍ଯ୍ୟର କଥା ହେଲା ନାଚ ଗୀତ ଦେଖିବାକୁ ବି ଲୋକ ନାହାନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମରୁଡ଼ି। ଫାଙ୍କା ପଡ଼ିଛି ଚେୟାର। … ତରବରିଆ ଭାବେ ସୁଭଦ୍ରା ମେଳା ଆୟୋଜନ କରି ରାଜ୍ୟ ସରକାର ବାହାବା ନେବାକୁ ଚାହୁଁଥିଲେ। କିନ୍ତୁ ଦୂରଦୃଷ୍ଟି ଅଭାବ ପାଇଁ ସବୁ ଫସର ଫଟିଗଲା। ଘାଟାରେ ପଡ଼ିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀ। ଏହାର କାରଣ ଟାଇମିଂରେ ଗଡ଼ବଡ଼। ଏବେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲିଛି। ପିଲାମାନେ ପଢ଼ାପଢ଼ିରେ ବ୍ୟସ୍ତ। ବାପା ମାଆ ପୁଅ ଝିଅଙ୍କ କ୍ୟାରିୟର୍ ପ୍ରତି ଧ୍ୟାନ ଦେଇ ସେମାନଙ୍କୁ ପ୍ରସ୍ତୁତ କରାଉଛନ୍ତି। ସେଥିପାଇଁ ସଂଧ୍ୟାରେ ବୁଲାବୁଲି ନାହିଁ। ତା ଛଡ଼ା ଖରା ବି ଜୋର୍ ହେଲାଣି। ଏମିତି ସ୍ଥିତିରେ ଲୋକେ ଆସିବେ କେମିତି, ବେପାର ହେବ କିପରି ବୋଲି ପ୍ରଶ୍ନ କରିଛନ୍ତି ଏସଏସଜି।

ବିଜେଡି ସରକାର ସମୟରେ ହୋଇଥିବା ମିଶନ ଶକ୍ତିର ନାଁ ବଦଳାଇ ସୁଭଦ୍ରା ଶକ୍ତି କରିଛନ୍ତି ଏବର ବିଜେପି ସରକାର। କିନ୍ତୁ ବିନା ପ୍ଲାନିଂରେ ଏହି ସୁଭଦ୍ରା ଶକ୍ତି ମେଳାର ଆୟୋଜନ କରିବା ମହଙ୍ଗା ପଡ଼ିଛି। ପ୍ଲାନିଂ ନାହିଁ କି ଭାବି ଚିନ୍ତି କିଛି କରି ନାହାନ୍ତି। କେବଳ ପୂର୍ବ ସରକାରର ମିଶନ ଶକ୍ତିକୁ ବଦଳେଇ ସୁଭଦ୍ରା ଯୋଜନା ନାଁରେ ଶ୍ରେୟ ନେବାକୁ ଚେଷ୍ଟା କରିଥିଲେ ବିଜେପି ସରକାର। ତରବରିଆ ଭାବରେ ପରୀକ୍ଷା ସମୟରେ, ଖରା ହେବା ବେଳକୁ ଏହି ମେଳାର ଆୟୋଜନ କରିଛନ୍ତି। ଟାଇମିଂ ଗଡ଼ବଡ଼ ହେବାରୁ ସବୁ ଫସର ଫାଟିଛି। ଶୀତ ଦିନରେ ପ୍ରଦର୍ଶନୀ ପଡ଼ିଆ କି ଜନତା ମଇଦାନରେ ଯେଉଁ କାର୍ଯ୍ୟକ୍ରମ ହୁଏ, ସେତେବେଳେ ପ୍ରବଳ ଭିଡ଼ ହୁଏ। ପାଗ ଭଲ ଥାଏ, ମୁଣ୍ଡ ଉପରେ ପରୀକ୍ଷା ଚାପ ନ ଥାଏ। ସଂଧ୍ୟାରେ ବୁଲାବୁଲି ପାଇଁ ଲୋକଙ୍କୁ ସମୟ ମିଳେ। ଏଥିପାଇଁ ଗହଳି ଜମେ, ଭଲ ବ୍ଯବସାୟ ହୁଏ। ଏବେ କିନ୍ତୁ ପରୀକ୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଟାଇଁ ଟାଇଁ ଖରାରେ କାହିଁକି ଯେ, ସୁଭଦ୍ରା ଶକ୍ତି ମେଳା ଆୟୋଜନ କରିଛନ୍ତି, ରାଜ୍ଯ ସରକାର, ତାହା ବୁଝା ପଡୁ ନାହିଁ ।