spot_img
Home Blog Page 1033

କୋଡ଼ିଙ୍ଗାମାଲିରୁ ଆନ୍ଧ୍ର ଫାର୍ମକୁ ବକ୍ସାଇଟ୍ ପ୍ରଦାନକୁ ଦୁଇ ବିଧାୟକଙ୍କ ବିରୋଧ: ବିଧାନସଭାରେ ଗର୍ଜିଲେ ତାରା ଓ ପବିତ୍ର

ଭୁବନେଶ୍ୱର: ଦୁଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଏବଂ ପବିତ୍ର ସାଉନ୍ତା କୋରାପୁଟ ଜିଲ୍ଲାର କୋଡ଼ିଙ୍ଗମାଲି ଖଣି ବ୍ଲକର ବକ୍ସାଇଟ୍ ଧାତୁକୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ ଫାର୍ମକୁ ବିକ୍ରୟ କରିବାକୁ ଦୃଢ ବିରୋଧ କରିଥିଲେ।

ରାଜ୍ୟ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ ସ୍ଥାନୀୟ ଆଲୁମିନିୟମ ଶିଳ୍ପକୁ କଞ୍ଚାଲ ଯୋଗାଇବା ପାଇଁ ଓଡ଼ିଶା ଖଣି ନିଗମ (ଓଏମସି) ର କୋଡିଙ୍ଗମାଲି ବ୍ଲକରୁ ବକ୍ସାଇଟ୍ ଯୋଗାଇ ଦିଆଯାଇଛି। ତେବେ, ଓ. ଏମ୍. ସି. ଏବେ ଏହି ଧାତୁକୁ ଆନ୍ଧ୍ର ପ୍ରଦେଶର ଏକ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି। “ଆମେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛୁ ଯେ ଆମର ଖଣିଜ ପଦାର୍ଥ ବାହାର ଲୋକଙ୍କୁ ହସ୍ତାନ୍ତର କରାଯିବା ଉଚିତ ନୁହେଁ। କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ବାହିନିପତି କହିଛନ୍ତି।

ସ୍ଥାନୀୟ ଆଦିବାସୀମାନେ ଅନେକ ଦିନ ଧରି ଏକ ଧାରଣାରେ ବସିଛନ୍ତି। କିଛି ଗୁଣ୍ଡା ସେଠାରେ ପହଞ୍ଚି ସେମାନଙ୍କୁ ଧମକ ଦେଇଛନ୍ତି, ସେ କହିଛନ୍ତି, “ଯଦି କୌଣସି ଅପ୍ରୀତିକର ଘଟଣା କିମ୍ବା ଗୁଳି ବିନିମୟ ଘଟେ, ତେବେ କିଏ ଦାୟୀ ହେବ?” କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ଆନ୍ଧ୍ର ପ୍ରଦେଶ କମ୍ପାନୀ ସହିତ ଚୁକ୍ତି ବାତିଲ କରିବାକୁ ଓଏମସିକୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ସ୍ଥାନୀୟ ଶିଳ୍ପକୁ ଖଣିଜ ପଦାର୍ଥ ଯୋଗାଇ ଦିଅନ୍ତୁ। ଓଡ଼ିଶାର କୌଣସି ଉଦ୍ୟୋଗକୁ ଯଦି ଏହା ଦିଆଯିବ, ତା “ହେଲେ ଆମେ ଏହାକୁ ବିରୋଧ କରିବୁ ନାହିଁ ବୋଲି ସେ କହିଥିଲେ।

ସେହିଭଳି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା କହିଛନ୍ତି, “ଲକ୍ଷ୍ମୀପୁର ଓଡ଼ିଶାର ଏକ ଖଣିଜ ସମୃଦ୍ଧ ଅଞ୍ଚଳ। ଏହି ଅଞ୍ଚଳରେ ବକ୍ସାଇଟ୍ ଖଣିର ବିପୁଳ ଭଣ୍ଡାର ରହିଛି ଏବଂ କୋଡିଙ୍ଗାମାଲିରେ ଉଚ୍ଚ ମାନର ବକ୍ସାଇଟ୍ ଧାତବ ରହିଛି, ଯାହା ଗତ ଆଠରୁ ନଅ ବର୍ଷ ଧରି ଓଡ଼ିଶା ମାଇନିଂ କର୍ପୋରେସନ୍  ଦ୍ୱାରା ଖନନ କରାଯାଇଛି। “ଏହା ଦୁର୍ଭାଗ୍ୟଜନକ ଯେ ଓଡ଼ିଶା ସରକାର ବର୍ତ୍ତମାନ ବକ୍ସାଇଟ୍ ଖଣିଗୁଡ଼ିକୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନୀକୁ ବିକ୍ରୟ କରିବାକୁ ଯୋଜନା କରୁଛନ୍ତି। ସୂଚନା ଅନୁଯାୟୀ, ଘରୋଇ କମ୍ପାନୀ ପ୍ରଥମେ ଖଣିଗୁଡ଼ିକୁ ବିଦେଶକୁ ରପ୍ତାନି କରିବ ଏବଂ ଏହାର ମୂଲ୍ୟ ବୃଦ୍ଧି ପରେ ଉତ୍ପାଦ ଓଡ଼ିଶାକୁ ଆମଦାନୀ କରାଯିବ ବୋଲି ସେ ଗୃହ ବାହାରେ ସାମ୍ବାଦିକମାନଙ୍କୁ କହିଛନ୍ତି।

“ଯଦି ଏହା ସତ ହୁଏ, ତେବେ ଡବଲ ଇଞ୍ଜିନ ସରକାରଙ୍କ” ମେକ୍ ଇନ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଓଡ଼ିଶା “ଅଭିଯାନ କେବଳ ସ୍ଲୋଗାନରେ ରହିବ। ଯଦି ଖଣିଗୁଡ଼ିକୁ ଘରୋଇ କମ୍ପାନୀକୁ ବିକ୍ରି କରାଯାଏ, ତେବେ ରାଜ୍ୟ ସରକାର ମଧ୍ୟ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ ବୋଲି ବିଧାୟକ କହିଛନ୍ତି। ଯଦିଓ ଏହି ପ୍ରସଙ୍ଗକୁ ଅନେକ ଥର ଶିଳ୍ପ ମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଛି, ତଥାପି ଏପର୍ଯ୍ୟନ୍ତ କୌଣସି ଫଳାଫଳ ଆସିନାହିଁ ବୋଲି ସେ କହିଛନ୍ତି।

ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ମୂଲ୍ୟବାନ କଞ୍ଚାମାଲ ବିକ୍ରୟରୁ ଦୂରେଇ ରହିବା ଉଚିତ ଏବଂ ରାଜ୍ୟ କୋଷାଗାରକୁ ମଜବୁତ କରିବା ଉଚିତ ବୋଲି କଂଗ୍ରେସ ନେତା କହିଛନ୍ତି। ସେ ଆହୁରି କହିଛନ୍ତି, “ଆମେ ଆଶା କରୁଛୁ ଯେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ବିସ୍ତୃତ ଆଲୋଚନା ପରେ ସେ (ମନ୍ତ୍ରୀ) ଏହି ପ୍ରସଙ୍ଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଓଏମସି ଏବଂ ଆନ୍ଧ୍ର ପ୍ରଦେଶ ଫାର୍ମ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିକୁ ବାତିଲ କରିବେ।” ସେ ସ୍ଥାନୀୟ ଯୁବକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ପାଇଁ ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଆଲୁମିନିୟମ ବିଶୋଧନାଗାର ପ୍ରତିଷ୍ଠା କରିବାକୁ ସରକାରଙ୍କୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଏହା ରାଜ୍ୟର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ମଧ୍ୟ ସହାୟକ ହେବ।

ଅନ୍ଧାରରେ ଶୈଶବ, ପ୍ରାକ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ଆଦିବାସୀ ଶିଶୁ

ନନ୍ଦିଘୋଷ ବ୍ୟୁରୋ: ଅନ୍ଧାରରେ ଶୈଶବ । ପ୍ରାକ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ଆଦିବାସୀ ଶିଶୁ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗିନ୍ଦିଲାମାଲରେ ଦିଗହରା ପାଲଟିଛି ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନା । ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ଦିନ ହେଲା କର୍ମୀ ନଥିବାରୁ କେନ୍ଦ୍ରର ସହାୟିକା ପିଲାଙ୍କୁ ବେଳେବେଳେ ପାଠ ପଢାଉଛନ୍ତି । ନାହିଁ ନାହିଁରେ ଚାଲିଛି ଗିନ୍ଦିଲାମାଲ ଅଙ୍ଗନବାଡି କେନ୍ଦ୍ର।

ଏଣେତେଣେ ବୁଲୁଛନ୍ତି ଅଙ୍ଗନବାଡି ଛାତ୍ରଛାତ୍ରୀ । କେନ୍ଦ୍ର ବି ଖୋଲା ଅଛି । ଏପଟେ ରୋଷେଇ ବି ଚାଲିଛି । ବେଳେବେଳେ ପିଲାଙ୍କୁ ପାଠ ବି ପଢା ଚାଲିଛି । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁସିତ ଗାଁ ଗିନ୍ଦଲାମାଲ ଅଙ୍ଗନବାଡି କେନ୍ଦ୍ରର ଦୃଶ୍ଯ । ଏହି କେନ୍ଦ୍ରରେ ପ୍ରାୟ ୨୮ ଜଣ ପିଲା ଅଛନ୍ତି । ହେଲେ ଦୁଃଖର କଥା ଏଠାରେ ପାଠ ପଢ଼ାଉଥିବା ମହିଳା ଜଣଙ୍କ ଅଙ୍ଗନବାଡ଼ି କର୍ମୀ ନୁହଁନ୍ତି । ସେ ହେଉଛନ୍ତି ଏହି କେନ୍ଦ୍ରର ସହାୟିକା । ସେ କେବଳ ରୋଷେଇ କରି ପିଲାଙ୍କୁ ଖାଇବାକୁ ଦେଇ କେନ୍ଦ୍ରକୁ ଛୁଟି କରି ଦିଅନ୍ତି । କେତେବେଳେ କେମିତି ଟିକିଏ ସମୟ ମିଳିଲେ ପିଲାଙ୍କୁ ପାଠ ପଢାଇଥାନ୍ତି । ତେବେ କର୍ମୀ ନଥିବାରୁ ଏହି ଅଞ୍ଚଳର ଶିଶୁମାନେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଜିଲ୍ଲାପ୍ରଶାସନଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏସ ପତ୍ରାପାଲି ପଞ୍ଚାୟତର କୁସୁମପାଲ, ଦାବପାଲ, ଡେଙ୍ଗୁରଦର୍ହ, ଦେଝରନ୍ ସହ ଗିନ୍ଦଲାମାଲ୍ ଗାଁର ଶିଶୁ ମାନେ ଏହି ଅଙ୍ଗନବାଡ଼ି କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏହି କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ଅଙ୍ଗନବାଡି କର୍ମୀ ନିଯୁକ୍ତି ହୋଇନଥିବା ଯୋଗୁଁ ଛୋଟ ପିଲାମାନଙ୍କ ଭବିଷ୍ଯତ ଅନ୍ଧାରକୁ ଠେଲି ହୋଇଯାଇଛି । ତେଣୁ ଅଙ୍ଗନବାଡିରେ ଖୁବଶୀଘ୍ର କର୍ମୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ଅନ୍ଯପଟେ ତୁରନ୍ତ କିଭଳି କର୍ମୀ ନିଯୁକ୍ତି କରାଯିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବୀରମହାରାଜପୁର ଉପଜିଲ୍ଲାପାଳ ।

 

ଡି ଭିଲର୍ସଙ୍କ ରେକର୍ଡ ଭାଙ୍ଗିଲେ ରିକେଲଟନ: ଆଫଗାନିସ୍ତାନକୁ ୩୧୬ ରନର ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

କରାଚୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଆଜି ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ଆଫଗାନିସ୍ତାନ ଆଗରେ ଏକ ବଡ଼ ସ୍କୋର ଛିଡ଼ା କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୩୧୫ ରନ୍ ସଂଗ୍ରହ କରିଛି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ରାନ ରିକେଲଟନଙ୍କ ୧୦୩ ରନ, ଅଧିନାୟକ ତେମ୍ବା ବାଭୁମାଙ୍କ ୫୮ ରନ, ରସି ଭାନ ଡେର ଡୁସେନଙ୍କ ୫୨ ରନ ଓ ଆଇଦେନ ମର୍କରାମଙ୍କ ଅପରାଜିତ ୫୨ ରନ୍ ସହାୟତାରେ ଦକ୍ଷିଣ ଆଫିକା ଏକ ମଜବୁତ ସ୍ଥିତିରେ ପହଞ୍ଚି ପାରିଥିଲା । ଆଫଗାନିସ୍ତାନର ବୋଲରମାନେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ଭାବେ ଫିକା ପଡ଼ିଯାଇଥିଲେ । ଓ୍ବିକେଟ ନ ପଡ଼ିବା କାରଣରୁ ଦକ୍ଷିଣ ଆଫ୍ରିକା ଏ ବଡ଼ ସ୍କୋର ଛିଡ଼ା କରିପାରିଥିଲା ।

ଆଜି ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ରିକେଲଟ ୧୦୬ଟି ବଲ ଖେଳି ୧ଟି ଛକା ଓ ୭ଟି ଚୌକା ସହାୟତାରେ ୧୦୩ ରନ୍ ସଂଗ୍ରହ କରିଥିଲେ । ଏହି ଅବସରରେ ରିକେଲଟନ ନିଜ ଦେଶର ପୂର୍ବତନ କ୍ରିକେଟର ତଥା ୩୬୦ ଡିଗ୍ରୀ ରୂପେ ପରିଚିତ ଏବି ଡି ଭିଲର୍ସଙ୍କ ରେକର୍ଡ ଭାଙ୍ଗିଥିଲେ । ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ବିକେଟ କିପର ଭାବେ ରିକେଲଟନ ଚାମ୍ପିୟନ୍ସ ଟ୍ରଫିରେ ଶତକ ଅର୍ଜନ କରିଥିଲେ । ଏହା ପୂବର୍ରୁ ଗତ ୨୦୧୩ରେ ଡି ଭିଲର୍ସ ଦକ୍ଷିଣ ଆଫ୍ରିକାର ଓ୍ବିକେଟ କିପର ଭାବେ ସର୍ବାଧିକ ୭୦ ରନ୍ ସଂଗ୍ରହ କରିଥିଲେ । ମାତ୍ର ଆଜି ୧୨ ବର୍ଷ ତଳର ଉକ୍ତ ରେକର୍ଡକୁ ଅତିକ୍ରମ କରିଛନ୍ତି ରିକେଲଟନ । ଆଜି ଆଫଗାନିସ୍ତାନ ତରଫରୁ ମହମ୍ମଦ ନବୀ ସର୍ବାଧିକ ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

କେନ୍ଦୁଝର ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, FAQ ଆଳ ଦେଖାଇ ଚାଷୀଙ୍କଠୁ ଧାନ କିଣୁନାହାଁନ୍ତି ମିଲର

ନନ୍ଦିଘୋଷ ବ୍ୟୁରୋ: ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା । କେଉଁଠି FAQ ଆଳ ଦେଖାଇ ଚାଷୀଙ୍କଠୁ ଧାନ କିଣୁନାହାଁନ୍ତି ମିଲର । ତ ଆଉ କେଉଁଠି କଟନି ଛଟନିରେ ପେଶି ହେଉଛନ୍ତି ଚାଷୀ । ହେଲେ ସରକାର ନିଦାବଷ୍ଣୁ ସାଜିଛନ୍ତି । କେନ୍ଦୁଝର ଜିଲ୍ଲାର ଅନେକ ସମବାୟ ସମିତିରେ ଚାଷୀଙ୍କୁ ଶୋଷଣ କରୁଛନ୍ତି ମିଲର । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅଧିନରେ ଥିବା ଦେଓଗାଁ, ଖାଳିଆମେଣ୍ଟା, ଶୈଲଙ୍ଗ ମଣ୍ଡିରେ ଚାଷୀଙ୍କୁ ଶୋଷଣ କରୁଛନ୍ତି ମିଲର । କେଉଁ ଚାଷୀଙ୍କ ଧାନର ମାନ ଠିକ ନଥିବା କହି କିଣୁନଥିବା ବେଳେ କେଉଁଠି ଦୀର୍ଘ ଦିନ ଧରି ପଡିରହୁଛି ଧାନ । ଜଣେ ଚାଷୀଙ୍କ ଅଭିଯୋଗ ଅନୁଯାୟୀ ସମବାୟ ସମିତିର ସମ୍ପାଦକ ମାନେ ସିଧାସଳଖ ରାଇସ ମିଲରେ ଧାନ ଦେବାକୁ କହୁଛନ୍ତି । କାହିଁକି ନା ସମବାୟ ସମିତି ଗୁଡିକରେ ଧାନ ସୂଚାରୁ ଭାବେ କିଣା ଯାଉନାହିଁ । ଖାଲି ସେତିକି ନୁହେଁ କିଛି ଦିନ ପୂର୍ବରୁ ଘଷିପୁରା ବ୍ଲକ ଝାଡକୁଣ୍ଡି ଗାଁ ନିକଟରେ ଥିବା ଶ୍ୟାମସୁନ୍ଦର ରାଇସ ମିଲ ମାଲିକଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା। ମିଲ ମାଲିକ ଜଣେ ଟ୍ରକ ଡ୍ରାଇଭରଙ୍କୁ ଆକ୍ରମଣ କରିବା ନେଇ ଥାନାରେ ଏତଲା ମଧ୍ୟ ହୋଇଛି ।

ଜିଲ୍ଲାର ଅନେକ ସମବାୟ ସମିତିରେ ରହିଛି ଏପରି ଅବ୍ଯବସ୍ଥା । ଚାଷୀଙ୍କ ଟୋକନ ତାରିଖ ଠାରୁ ଏକ ମାସ ବିଳମ୍ବରେ ସବୁଠି ଧାନ କିଣାଯାଉଛି । ମିଲରମାନେ ଧାନ ପରିବହନ ନିମନ୍ତେ ଆବଶ୍ଯକ ଗାଡି ମଣ୍ଡିକୁ ପଠାଉନଥିବାରୁ ଏଭଳି ସମସ୍ଯା ଉପୁଜୁଛି । ଏପଟେ ଠିକ ସମୟରେ ଧାନ ବିକ୍ରି ହେଉନଥିବାରୁ ଚାଷୀଙ୍କ ଆର୍ଥିକ ବୋଝ ବଢିବାରେ ଲାଗିଛି । ଅନ୍ୟପଟେ ମିଲ ମାଲିକ ଓ ଜିଲ୍ଲା ନିବନ୍ଧକ ଅଧିକାରୀ ସବୁ କିଛି ଠିକ ଥିବା କହିଛନ୍ତି।

ବଲାଙ୍ଗୀର ଜିଲ୍ଲା ବୁଢିପଦର ଗାଁରେ ବ୍ୟାପୁଛି କିଡନୀ ରୋଗ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ବୁଢିପଦର ଗାଁରେ ବ୍ୟାପୁଛି କିଡନୀ ରୋଗ । କିଛି ବର୍ଷ ମଧ୍ୟରେ ୧୦ରୁ ଅଧିକ ଲୋକଙ୍କ କିଡନୀ ରୋଗରେ ମୃତ୍ୟୁ ଘଟିଲାଣି । ବର୍ତ୍ତମାନ ୨୦ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦୂଷିତ ନଳକୂପ ପାଣି ଯୋଗୁଁ ରୋଗ ବ୍ୟାପୁଥିବା ନେଇ ସନ୍ଦେହ କରୁଛନ୍ତି ଲୋକେ । ଅଭିଯୋଗ କଲେ ମଧ୍ୟ ସ୍ଵାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସାବଧାନ! କାୟା ମେଲାଉଛି କିଡନୀ ରୋଗ । ଅକାଳରେ ଚାଲିଯାଉଛି ନିରୀହ ଜୀବନ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ବୁଢିପଦର ଗାଁରେ ବ୍ଯାପୁଛି କିଡନୀ ରୋଗ । କିଛି ବର୍ଷ ମଧ୍ଯରେ ୧୦ରୁ ଉର୍ଦ୍ଧ୍ଵ ଲୋକଙ୍କ କିଡନୀ ରୋଗରେ ମୃତ୍ଯୁ ଘଟିଲାଣି । ବର୍ତ୍ତମାନ ୨୦ ରୁ ଅଧିକ  ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏକାଧିକ ରୋଗୀଙ୍କ ଡାଇଲେସିସ ମଧ୍ଯ ଚାଲିଛି । ହେଲେ କିଛି ଲୋକ ଏହି ବ୍ଯୟବହୁଳ ରୋଗର ଚିକିତ୍ସା କରିନପାରି ଚେରିମୂଳି ଖାଉଛନ୍ତି । ସବୁଠୁ ବଡ କଥା ହେଲା ଲୋକେ ଏହି ରୋଗର କାରଣ ଜାଣିପାରୁନଥିବା ବେଳେ ଦୂଷିତ ନଳକୂପ ପାଣି ପିଇ ରୋଗ ବ୍ଯାପୁଥିବା ସନ୍ଦେହ କରୁଛନ୍ତି ।

ବୁଢିପଦର ଗାଁରେ ବ୍ୟାପୁଥିବା କିଡନୀ ସମସ୍ଯାର କାରଣ ଖୋଜିବା ଦିଗରେ ପଦକ୍ଷେପ ନେବାକୁ ଅନେକ ଥର ସ୍ଵାସ୍ଥ୍ଯ ବିଭାଗକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଗାଁରେ ଥିବା ନଳକୂପରୁ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଥିବାରୁ ଏହି ପାଣି ପିଇ ରୋଗ ବଢୁଥିବା ନେଇ ଆଶଙ୍କା କରୁଛନ୍ତି ଗ୍ରାମବାସୀ । ତେବେ ଏଠାକାର ପାଣି ପରୀକ୍ଷା କଲେ ପ୍ରକୃତ ତଥ୍ୟ ଜଣାପଡିବ । ତେବେ ଜିଲ୍ଲା ପ୍ରଶାସନ ଏହି ସମସ୍ଯା ସଂପର୍କରେ ଦୃଷ୍ଟି ଦେଇ ଗାଁରେ ମେଡିକାଲ କ୍ଯାମ୍ପ କରି ଚିକିତ୍ସା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ବଲାଙ୍ଗୀର ଜିଲ୍ଲାର ଅନେକ ଗାଁରେ ଏବେ କିଡନୀ ରୋଗ ବ୍ଯାପୁଥିବା ଦେଖିବାକୁ ମିଳିଛି । ସ୍ଵାସ୍ଥ୍ଯ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଏହାର ନିରାକରଣ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ନଚେତ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି ।

ମେଡିକାଲ ସାଇନ୍ସର ଚମତ୍କାର! ୧୦ ବର୍ଷ ତଳେ ଦୁଇ ହାତ ହରାଇଥିଲେ ମହିଳା, ଏବେ ଶରୀରରେ ଲାଗିଲା ୭୬ ବର୍ଷୀୟା ବୃଦ୍ଧାଙ୍କ ଦୁଇ ହାତ

ନୂଆାଦିଲ୍ଲୀ: ଆଜିରସମୟରେ ମେଡିକାଲ ସାଇନ୍ସ ଅସମ୍ଭବକୁ ସମ୍ଭବ କରିପାରୁଛି । ହାତ, ଗୋଡ଼ ସମେତ ଶରୀରର ବିଭିନ୍ନ ଅଙ୍ଗ ପ୍ରତିରୋପଣ ଅନେକ ଲୋକଙ୍କୁ ନୂଆ ଜୀବନ ଦେଉଛି । ଏହା ମଧ୍ୟରେ ଜଣେ ମହିଳାଙ୍କ ଶରୀରରେ ଜଣେ ବୃଦ୍ଧଙ୍କ ଦୁଇ ହାତ ପ୍ରତିରୋପଣ କରାଯାଇଛି । ହରିୟାଣାର ଫରିଦାବାଦ ସ୍ଥିତ ଅମୃତା ହସ୍ପିଟାଲର ଡାକ୍ତରମାନେ ଏକ ବଡ଼ ଚମତ୍କାର କରିଛନ୍ତି । ୧୨ ଘଣ୍ଟାର ଜଟିଳ ସଜର୍ରୀ ମାଧ୍ୟମରେ ଜଣେ ୩୮ ବର୍ଷୀୟା ମହିଳାଙ୍କ ଶରୀରରେ ୭୬ ବର୍ଷୀୟା ବୃଦ୍ଧାଙ୍କ ଦୁଇ ହାତ ପ୍ରତିରୋପଣ ସମ୍ଭବ ହୋଇ ପାରିଛି । ଜୀବନରେ ଦୁଇ ହାତ ପୁଣି ଫେରି ପାଇବେ ବୋଲି ସ୍ବପ୍ନରେ ବି ଭାବି ନଥିଲେ ବୋଲି ଦୁଇ ହାତ ପାଇବା ପରେ ମହିଳା ଜଣଙ୍କ କହିଛନ୍ତି ।

ଖବର ମୁତାବକ, ଏମ୍ସ ଋଷିକେଶର ୩୮ ବର୍ଷୀୟା ପିଏଚଡି ସ୍କଲାର ଟ୍ବିଙ୍କଲ ଡୋଗରା ପାଖାପାଖି ୧୦ ବର୍ଷ ତଳେ କରେଣ୍ଟ କାରଣରୁ ନିଜର ଦୁଇ ହାତ ହରାଇଥିଲେ । ଦୀର୍ଘ ବର୍ଷ ପରେ ଏବେ ମହିଳା ଜଣଙ୍କ ନୂଆ ଜୀବନ ପାଇଛନ୍ତି । ୭୬ ବର୍ଷୀୟା ମହିଳା ଡୋନର କେବଳ ଦୁଇ ହାତ ଅଙ୍ଗଦାନ କରିନାହାନ୍ତି, ୫ ଜଣ ଲୋକଙ୍କୁ ମଧ୍ୟ ନୂଆ ଜୀବନ ଦେଇଛନ୍ତି । ଏହି ଅବସରରେ ଡାକ୍ତରମାନେ ଡବଲ-ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟ ବ୍ୟତୀତ କିଡନୀ, କାର୍ଣ୍ଣିୟଲ, ଲଙ୍ଗ ଟ୍ରାନ୍ସପ୍ଲାଣ୍ଟ ସହିତ ପାଞ୍ଚଟି ଜଟିଳ ପ୍ରକ୍ରିୟାରେ ସଫଳ ହୋଇଥିଲେ । ଏହି ଐତିହାସିକ ସଜର୍ରୀ ପରେ ଅମୃତା ହସ୍ପିଟାଲ ଉତ୍ତର ଭାରତରେ ଡବଲ-ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟ କରିବାରେ ପ୍ରଥମ ହସ୍ପିଟାଲ ହୋଇପାରିଛି । ଜଣେ ସେନା ଅଧିକାରୀଙ୍କ ପତ୍ନୀଙ୍କ ଅଙ୍ଗଦାନ କାରଣରୁ ଏହା ସମ୍ଭବ ହୋଇପାରିଛି । ମହିଳାଙ୍କର ମୃତ୍ୟୁ ବ୍ରେନ ହେମରେଜ କାରଣରୁ ହୋଇଥିବା ବେଳେ ଏବେ ସେ ୫ ଜଣ ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି । ଏହି ସର୍ଜରୀ କରି ଡାକ୍ତରମାନେ ଇତିହାସ ରଚିଛନ୍ତି । ୭୬ ବର୍ଷୀୟା ମହିଳା ଏହି ଅଙ୍ଗଦାନ କରି ଅନ୍ୟ ବୃଦ୍ଧବୃଦ୍ଧାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ପରୀକ୍ଷା ଦେଇ ଫେରୁଥିବାବେଳେ ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷାର୍ଥୀ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ନାବାଳକ ପରୀକ୍ଷାର୍ଥୀଙ୍କ ପାଇଁ ବାଇକ ଚଳାଇବା ହେଲା କାଳ । ମାଟ୍ରିକ ପରୀକ୍ଷା ଦେଇ ବାଇକରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ।  ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷାର୍ଥୀ ଗୁରୁତର । ଗୁରୁତର ପରୀକ୍ଷାର୍ଥୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ଵାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗୁରୁତର ପରୀକ୍ଷାର୍ଥୀ ଚିଲିକା ବ୍ଲକ ନଈରୀ ଗାଁର ୧୬ ବର୍ଷୀୟ ସୋମନାଥ ବେହେରା । ସୋମନାଥ ନଈରୀ ଗାଁ ସ୍ଥିତ ଅପର୍ତ୍ତି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଅଟନ୍ତି । ନଈରୀ ସ୍କୁଲ ପିଲାଙ୍କର ମାଟ୍ରିକ ପରୀକ୍ଷା କେନ୍ଦ୍ର ହରିପୁର ହାଇସ୍କୁଲରେ ପଡ଼ିଥିଲା । ହରିପୁରରେ ପରୀକ୍ଷା ଦେଇ ବାଇକ ଚଳାଇ ଘରକୁ ଫେରୁଥିବା ବେଳେ ନଈରୀ ନିକଟରେ ତାଙ୍କ ବାଇକ ଦୁର୍ଘଟଣା ହୋଇଥିଲା । ଫଳରେ ସୋମନାଥଙ୍କର ହାତ ଦୁଇ ଖଣ୍ଡ ହୋଇଯାଇଛି । ଏହା ସହ ଶରୀରର ବିଭନ୍ନ ଅଂଶ କ୍ଷତିଗ୍ରସ୍ତ ହୋଇଛି ।

ଧନଶ୍ରୀଙ୍କୁ କଣ ୬୦ କୋଟି ଦେଲେ କି ଚହଲ ? ଜାଣନ୍ତୁ ପ୍ରକୃତ ସତ..

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ମାମଲା ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଛି । ତେବେ କୁହାଯାଉଛି କି, ଭରଣପୋଷଣ ପାଇଁ ଚହଲ ଧନଶ୍ରୀଙ୍କୁ ୬୦ କୋଟି ଟଙ୍କା ଦେଇଛନ୍ତି । ତେବେ ଏହି ଖବରରେ କେତେ ସତ୍ୟତା ରହିଛି । ତେବେ କହି ରଖୁଛୁ କି, ସେମାନଙ୍କ ଛାଡପତ୍ରର ଚୂଡ଼ାନ୍ତ ଶୁଣାଣି ଗୁରୁବାର, ୨୦ ଫେବୃଆରୀରେ ବାନ୍ଦ୍ରା ପରିବାର କୋର୍ଟରେ ହୋଇଥିଲା। ଏହି ସମୟରେ ଦୁହେଁ ସେଠାରେ ଉପସ୍ଥିତ ଥିଲେ। ଏହା ପରେ ହିଁ ଖବର ଆସିଥିଲା ​​ଯେ ଚହଲ ଧନଶ୍ରୀଙ୍କୁ ଭରଣପୋଷଣ ଭାବରେ ୬୦ କୋଟି ଟଙ୍କା ଦେଇଛନ୍ତି। ତଥାପି, ଏହା ସତ୍ୟ ନୁହେଁ।

ଧନଶ୍ରୀଙ୍କ ଓକିଲ କହିଛନ୍ତି ଯେ ଭରଣପୋଷଣ ରାଶି ଭୁଲ। ‘ବମ୍ବେ ଟାଇମ୍ସ’ ସହିତ କଥାବାର୍ତ୍ତାରେ ଧନଶ୍ରୀଙ୍କ ଓକିଲ କହିଛନ୍ତି ଯେ ୬୦ କୋଟି ଟଙ୍କାର ଭରଣପୋଷଣ ରାଶିର ଖବର ମିଥ୍ୟା। ଗଣମାଧ୍ୟମରେ ଭୁଲ ରିପୋର୍ଟ ଦିଆଯାଉଛି। ସେମାନଙ୍କୁ ପ୍ରଥମେ ଏକ ସତ୍ୟ ଯାଞ୍ଚ କରିବା ଉଚିତ ଥିଲା। ସେ କହିଥିଲେ, “ଏହି ମାମଲା ଏବେ ବି କୋର୍ଟରେ ଅଛି। ଗଣମାଧ୍ୟମ ପ୍ରଥମେ ଏକ ତଥ୍ୟ ଯାଞ୍ଚ କରିବା ଉଚିତ।”

ଆପଣଙ୍କୁ କହିରଖୁଛୁ ଯେ ଯେବେଠାରୁ ୬୦ କୋଟି ଟଙ୍କାର ଭରଣପୋଷଣ ରାଶିର ଖବର ଆସିଛି, ସେବେଠାରୁ ଧନଶ୍ରୀଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ୍ କରାଯାଉଛି। ଲୋକମାନେ ତାଙ୍କୁ ସ୍ୱାର୍ଥପର ଏବଂ ସୁଯୋଗବାଦୀ ବୋଲି ମଧ୍ୟ କହୁଛନ୍ତି। ଅନେକ ପ୍ରଶଂସକ ତାଙ୍କୁ ଲୋଭୀ ବୋଲି କହୁଛନ୍ତି। ତଥାପି, ତାଙ୍କ ଓକିଲ ଏହି ଖବରକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛନ୍ତି।

 

କାଲିଠୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା -୨୦୨୫

ନନ୍ଦିଘୋଷ ବ୍ୟୁରୋ: କାଲିଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା -୨୦୨୫ । ରାଜ୍ୟ ସରକାର ପ୍ରଥମ ଥର ପାଇଁ ଏହି ମେଳାର ଆୟୋଜନ କରୁଛନ୍ତି । ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାରେ ରାଜ୍ୟର ବିଭିନ୍ନ ପ୍ରନ୍ତରରୁ ଆସିଥିବା ସ୍ବୟଂ ସହାୟକ ଗୋଷ୍ଠିର ପ୍ରାୟ ୭ଶହ ଗ୍ରୁପ୍ ମହିଳା ଯୋଗଦେବେ। ୩୦୦ ଟି ଷ୍ଟଲରେ ଗୋଷ୍ଠି ଦ୍ବାରା ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନୀ ସମେତ ବିକ୍ରି କରାଯିବ। ଏହି ନଅ ଦିନିଆ ଭବ୍ୟ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦ ପ୍ରଦର୍ଶିତ ହେବ, ଯାହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହାସହ ମେଳାରେ ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂମିଲେଟ୍-ଭିଭିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେବ। ଏହାସହ ବିଭିନ୍ନ ସାମଗ୍ରୀ ଉତ୍ପାଦନର ଲାଇଭ ଡେମୋ ଦେଖିପାରିବେ ସାଧାରଣ ଲୋକେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୁଭଦ୍ରା ଶକ୍ତି ମେଳାକୁ ଉଦ୍ଘାଟନ କରିବାର କାର୍ଯକ୍ରମ ରହିଛି। ମେଳାକୁ ଆସୁଥିବା ସମସ୍ତ ମହିଳା ଗୋଷ୍ଠିଙ୍କୁ ବିଭାଗ ପକ୍ଷରୁ ମାଗଣାରେ ଷ୍ଟଲ ଯୋଗାଇ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜଧାନୀରେ ଗର୍ଜିଲେ ଉଜ୍ଵଳା ଦିଦି

ନନ୍ଦିଘୋଷ ବ୍ୟୁରୋ: ସ୍ଥାୟୀ ନିଯୁକ୍ତି ସହ ମାସିକ ୧୫ ହଜାର ଟଙ୍କା ପାରିଶ୍ରମିକ ତଥା ଅନ୍ୟାନ୍ୟ ୭ ଦଫା ଦାବି ନେଇ ଓଡ଼ିଶା ଉଜ୍ଵଳା ଦିଦି ସଂଘ ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଉଜ୍ଵଲା ଯୋଜନାକୁ ଗ୍ରାମାଞ୍ଚଳରେ ପ୍ରତ୍ୟେକ ପଞ୍ଚାୟତରେ ଜଣେ ବା ଦୁଇଜଣ ରହି କାମ କରୁଛନ୍ତି। ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ରାଜ୍ୟର ୧୦ ହଜାରରୁ ଉର୍ଧ୍ଵ ଉଜ୍ଵଲା ଦିଦିଙ୍କୁ ବିଜେପି ନିର୍ବାଚନ ପୂର୍ବରୁ ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଥିଲା। ବିଜେପି ସରକାରକୁ ଆସିବା କ୍ଷଣି ସ୍ଥାୟୀ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଇଥିଲା। ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା। କିନ୍ତୁ ସରକାରକୁ ଆସିବା ପରେ ବାରମ୍ବାର ଆନ୍ଦୋଳନ ପରେ ମଧ୍ୟ ଦାବି ପୂରଣ ନ କରି ସରକାର ଏହି ଦିଦି ମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଡବଲ ଇଞ୍ଜିନର ପ୍ରତିଶ୍ରୁତି କୁଆଡେ ଗଲା ବୋଲି ଆନ୍ଦୋଳନରତ ଉଜ୍ଵଳା ଦିଦି ମାନେ କହିଛନ୍ତି। ତୁରନ୍ତ ବିଜେପି ଯେଉଁ କଥା ଦେଇଛି ତାହା ପୂରଣ କରୁ ନଚେତ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାଇ ଦେଇଛି ସଂଘ।