ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ବିପକ୍ଷରେ ଭାରତର ଚମତ୍କାର ବିଜୟ ପରେ ସବୁ ଶ୍ରେୟ ବିରାଟ କୋହଲିଙ୍କୁ ଯାଉଛି । କିନ୍ତୁ ତାଙ୍କର ୧୦୦ ରନର ଅପରାଜିତ ଇନିଂସ ବ୍ୟତୀତ, ପାକିସ୍ତାନକୁ ପରାଜୟ କରିବାର ଅନେକ କାରଣ ରହିଛି । ୮ ଓଭରରେ ମାତ୍ର ୩୧ ରନ ଦେଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ବାବର ଆଜମଙ୍କୁ ଆଉଟ୍ କରିବା ପରେ ଯେତେବେଳେ ସେ ଭାରତର ପ୍ରଥମ ୱିକେଟ୍ ନେଇ ସେଲିବ୍ରେଶନ କରୁଥିଲେ, ସେତେବେଳେ ସାରା ବିଶ୍ୱର ଧ୍ୟାନ ତାଙ୍କ ହାତରେ ବନ୍ଧା ହୋଇଥିବା ଏକ ବିଳାସପୂର୍ଣ୍ଣ ଘଣ୍ଟା ଉପରେ ପଡ଼ିଥିଲା।
ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ନେଇ ସବୁବେଳେ ଚର୍ଚ୍ଚିତ ରହିଥାଆନ୍ତି । ଘଣ୍ଟାର ସୌକିନ ଥିବା ହାର୍ଦ୍ଦିକଙ୍କ ପାଖରେ ବିଭିନ୍ନ ଧରଣର ଘଣ୍ଟା କଲେକ୍ସନ ରହିଛି। ସେଥିମଧ୍ୟରୁ ଚାମ୍ପିଅନ୍ସ ଟ୍ରଫିରେ ସେ ରିଚାର୍ଡ ମିଲେ RM27-02 CA FQ ଟୁରବିଲନ୍ ରାଫେଲ୍ ନାଡାଲ୍ ସ୍କେଲିଟନ୍ ଡାଏଲ୍ ଏଡିସନ୍ ପିନ୍ଧିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମଡେଲର କେବଳ ୫୦ଟି ଘଣ୍ଟା ତିଆରି ହୋଇଥିବା ବେଳେ ଏହା ଟେନିସ୍ କିମ୍ବଦନ୍ତୀ ରାଫେଲ୍ ନାଡାଲଙ୍କ ପାଇଁ ତିଆରି କରାଯାଇଥିଲା ।
ଚାମ୍ପିୟନସ୍ ଟ୍ରଫିରେ ଟିମ୍ ଇଣ୍ଡିଆର ବିରାଟ ବିଜୟ। ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି ଭାରତ ।୪୯ ଓଭର୍ ୪ଟି ବଲରେ ୨୪୧ ରନ୍ କରି ଦଳ ଅଲଆଉଟ ହୋଇଥିଲା। ଭାରତୀୟ ସ୍ପିନ୍ ଜାଲରେ ଛନ୍ଦି ହୋଇଥିଲେ ପାକିସ୍ତାନର ବ୍ଯାଟର୍। କୁଳଦୀପ ଯାଦବଙ୍କୁ ୩ଟି ୱିକେଟ ମିଳିଥିବା ବେଳେ ହାର୍ଦ୍ଦିକଙ୍କୁ ୨ଟି ୱିକେଟ ମିଳିଛି। ସେହିପରି ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା ଓ ହର୍ଷିତ ରାଣାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ବିଜୟ ସହିତ ଭାରତର ସେମିଫାଇନାଲ ଟିକଟ ଏକ ରକମର ପକ୍କା ହୋଇଥିବା ବେଳେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାର ଆଶଙ୍କା ଦେଖାଦେଇଛି ।

