spot_img
Home Blog Page 1074

ନାରୀ କେବେ ହାରେନା: ପୁଅକୁ ନ୍ୟାୟ ଦେବା ପାଇଁ ବୟସର ଅପରାହ୍ନରେ ଲଢ଼ୁଛନ୍ତି ଜଣେ ମା’

ଉଦଳା: ଜୀବନରେ ସବୁକିଛି ହରାଇଛନ୍ତି ହେଲେ ନିଜେ କେବେ ହାରି ନାହାନ୍ତି। ବୟସର ଅପରାହ୍ନରେ ମଧ୍ୟ ମୃତ ପୁଅକୁ ନ୍ୟାୟ ଦେବା ପାଇଁ କରି ଚାଲିଛନ୍ତି ସଂଘର୍ଷ। ବିଶ୍ୱ ମହିଳା ଦିବସରେ ଦେଖିବା ମୟୂରଭଞ୍ଜ ଜିଲ୍ଲା ଉଦଳା ନାଗପାଳରେ ରହୁଥିବା ସୁବାସିନୀ ବେହେରାଙ୍କ ସଂଘର୍ଷର କାହାଣୀ। ୧୦ ବର୍ଷ ତଳେ ସ୍ୱାମୀ ମଦନ ମୋହନ ପୁଥାଳ ଆରପାରିକୁ ଚାଲିଯାଇଥିଲେ। ତାଙ୍କ ଯିବାର ଦୁଇ ବର୍ଷ ପରେ ଗୋଟିଏ ବୋଲି ପୁଅ ଅକ୍ଷୟ ପୁଥାଳ ଭୁବନେଶ୍ୱରରେ ରହୁଥିବା ବେଳେ ଆକସ୍ମିକ ମୃତ୍ୟୁ ହୋଇଥିଲା। ପୁଅକୁ ହୋଟେଲରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଆଜକୁ ୬ ବର୍ଷ ହେବ ସେ କେବଳ ନ୍ୟାୟ ପାଇଁ ଦୌଡ଼ି ବୁଲୁଛନ୍ତି। ପୁଅ ମୃତ୍ୟୁର ରହସ୍ୟ ଖୋଲିବ ଆଉ ମୃତ ପୁଅକୁ ନ୍ୟାୟ ମିଳିବ ସେହି ଆଶାରେ ତାଙ୍କର ସଂଘର୍ଷ ଜାରି ରହିଛି। କେବଳ ସେତିକି ନୁହେଁ ନିଜର ଉପାର୍ଜିତ ଅର୍ଥକୁ ଏବେ ସେ ଲୋକଙ୍କ ସ୍ୱାର୍ଥ ପାଇଁ ଖର୍ଚ୍ଚ କରୁଛନ୍ତି। ନିଜ ଟଙ୍କାରେ ଉଦଳା ମେଡିକାଲରେ ରୋଗୀଙ୍କ ପାଇଁ ଦୁଇ ଗୋଟି ଏସି କ୍ୟାବିନ ବନାଇ ଦାନ କରିଛନ୍ତି। ଏହା ସହିତ ନିଜର ଅଙ୍ଗ ମଧ୍ୟ ସେ ଦାନ କରି ଦେଇଛନ୍ତି। ପ୍ରତିଦିନ ମେଡିକାଲ ଯାଇ ରୋଗୀ ମାନଙ୍କ ସହିତ ଆଲୋଚନା କରିବା ସହିତ ତାଙ୍କ ଦୁଃଖ ବୁଝନ୍ତି। ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବା ସହ ସଂଘର୍ଷ ଜାରି ରଖିଛନ୍ତି ସୁବାସିନୀ।

ସରକାରୀ କଳର ଏ କି ସ୍ଥିତି: ଶହେରୁ ଅଧିକ ହିତାଧିକାରୀଙ୍କୁ ୩ ମାସ ହେଲା ମିଳୁନି ଭତ୍ତା

ଆଠଗଡ଼: ଚମ ଧୁଡୁଧୁଡୁ ସାଙ୍ଗକୁ ମୁଣ୍ଡ ଚୁଟି ପାଚିଗଲାଣି । ଭୋଟ ପରିଚୟ ପତ୍ରରେ ବୟସ ଭୁଲ ଥିବାରୁ ଡାକ୍ତର ସାର୍ଟିଫିକେଟ ଜରିଆରେ ଭତ୍ତା ପାଉଥିଲେ । ହେଲେ ତିନି ମାସ ହେବ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୟସ ହୋଇନଥିବା ଦର୍ଶାଇ ଭତ୍ତା ଦିଆଯାଉନାହିଁ । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ଆଠଗଡ ବ୍ଲକର କୁମାରପୁର ପଞ୍ଚାୟତରୁ । ଏଠାକାର ୧୦୦ ରୁ ଅଧିକ ହିତାଧିକାରୀଙ୍କ ଭତ୍ତା କାଟି ଦିଆଯାଇଛି । ତେଣୁ ଏ ବୟସରେ କିଭଳି ନିଜର ଗୁଜୁରାଣ ମେଣ୍ଟାଇବେ ସେନେଇ ଆଠଗଡ ବିଡିଓଙ୍କୁ ଭେଟି ଭତ୍ତା ପାଇଁ ନିବେଦନ କରିଛନ୍ତି ହିତାଧିକାରୀ ।

କୁମାରପୁର ପଞ୍ଚାୟତରେ ବହୁ ଅଯୋଗ୍ୟ ହିତାଧିକାରୀ ଭତ୍ତା ପାଉଥିବା ନେଇ ଅଭିଯୋଗ ପରେ ୧୦୦ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଭତ୍ତା ଟଙ୍କା ସ୍ଥଗିତ ରଖାଯାଇଛି । ଅଞ୍ଚଳକୁ ଏକ ଡାକ୍ତରୀ ଟିମ୍ ପଠାଯାଇ ତଦନ୍ତ କରାଯିବା ପରେ ଭତ୍ତା ଟଙ୍କା ପୂର୍ବ ପରି ମିଳିବ ବୋଲି କହିଛନ୍ତି ବିଡିଓ । ସରକାରୀ ଯୋଜନାରେ ଠିକ ଭାବରେ ତଦନ୍ତ ହୋଇନଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ୩ ମାସ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ତେଣୁ ତୁରନ୍ତ ଏହି ଘଟଣାରେ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଯୋଗାଇଦେବାକୁ ଦାବି ଜୋର ଧରିଛି ।

ସାମ୍ନାକୁ ଆସିଲା ସାଂଘାତିକ ସତ: ମତ୍ସ୍ୟଜୀବୀଙ୍କ ପାଇଁ ନାହିଁ ବୀମା ସୁବିଧା, ମାଛଧରା ବନ୍ଦରରେ ବ୍ୟାପକ ଅବ୍ୟବସ୍ଥା

ପାରାଦୀପ: ନାହିଁ ନାହିଁରେ ଚାଲିଛି କୋଟି କୋଟି ଟଙ୍କାର ମତ୍ସ୍ୟ ଶିଳ୍ପ । ରାଜସ୍ବ ନେଉଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ଦୁର୍ଘଟଣା ଘଟିଲେ ସହାନୁଭୂତି ଦେବାକୁ କେହି ନାହାଁନ୍ତି । ପାରାଦୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ କାଣ୍ଡ ପରେ ସାମ୍ନାକୁ ଆସିଛି ସାଂଘାତିକ ସତ୍ୟ । ବୋଟ୍ ବୁଡିଲେ, ପୋଡ଼ିଲେ କି ମତ୍ସ୍ୟଜୀବୀଙ୍କ ମୃତ୍ୟୁ ପାଇଁ ନାହିଁ ଇନସ୍ୟୁରାନ୍ସର ବ୍ୟବସ୍ଥା। ପାରାଦୀପ ମାଛଧରା ବନ୍ଦର ଉପରେ ପାଖାପାଖି ୫୦ ହଜାର ପରିବାର ନିର୍ଭରଶୀଳ। ଏଠାରେ ୬୫୦ଟି ବଡ଼ ସୋନା ବୋଟ୍ ଓ ୪୦୦ରୁ ଉର୍ଦ୍ଧ୍ୱ ଯନ୍ତ୍ର ଚାଳିତ ଡଙ୍ଗା ବା ଟାପା ରହିଛି। ଟାପା ଗୁଡିକ ପ୍ରତ୍ୟେକ ଦିନ ସମୁଦ୍ରକୁ ଯାଇ ମାଛ ଧରି ଫେରୁଥିବା ବେଳେ ବୋଟ୍ ଗୁଡିକ ୧୫ ରୁ ୨୦ ଦିନ ଗଭୀର ସମୁଦ୍ରରେ ରହି ମାଛ ଧରିଥାନ୍ତି ।

ନିକ ପାଖାପାଖି ୨୦୦ ରୁ ୨୫୦ ଟନର ମାଛ ଏଠାରେ ବିକ୍ରୟ ହେଉଥିବା ବେଳେ, ୮୫ ଭାଗ ମାଛ ବିଦେଶକୁ ରପ୍ତାନୀ କରାଯାଇଥାଏ । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାର ବିଦେଶୀ ମୁଦ୍ରା ଭାବରେ ଲକ୍ଷାଧିକ ଟଙ୍କାର ରାଜସ୍ୱ ପାଇଥାନ୍ତି । କିନ୍ତୁ ଏହି ଶିଳ୍ପ ପ୍ରତି ରାଜ୍ୟ ସରକାର ସବୁବେଳେ ପକ୍ଷପାତିତା କରୁଥିବା ଅଭିଯୋଗ ହେଉଛି। ଅନ୍ୟ ରାଜ୍ୟରେ ଡିଜେଲରେ ରିହାତି ସହିତ ମତ୍ସ୍ୟ ଶିଳ୍ପରେ ଯୋଡ଼ି ହୋଇଥିବା ମତ୍ସ୍ୟଜୀବୀ ମାନଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି। ମାତ୍ର ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସମୁଦ୍ରରେ ଚଳପ୍ରଚଳ କରୁଥିବା କୋଟି କୋଟି ଟଙ୍କାର ବୋଟ୍ ପାଇଁ ନାହିଁ ବୀମା ଯୋଜନା। କି ଏଥିରେ କାର୍ଯ୍ୟ କରୁଥିବା ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ବୀମାରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ ।

ଗତ ଗୁରୁବାର ଦିନ ପାରାଦୀପ ମାଛଧରା ବନ୍ଦରରେ ଅଗ୍ନିକାଣ୍ଡ ଘଟି ୧୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡଙ୍ଗା ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ପରେ ମାଛଧରା ବନ୍ଦରର ଅବ୍ୟବସ୍ଥା ସମ୍ପର୍କରେ ସାମ୍ନାକୁ ଆସିଛି ବଡ଼ ତଥ୍ୟ । ବନ୍ଦରର ବୋଟ୍ କ୍ଷମତା ୩୫୦ ରୁ ୪୦୦ ରହିଥିବା ବେଳେ, ଏଠାରେ ୬୫୦ ଟି ସୋନା ବୋଟ୍ ଓ ୪୦୦ ରୁ ଉର୍ଦ୍ଧ୍ୱ ଯନ୍ତ୍ର ଚାଳିତ ଡଙ୍ଗା ରହିଛି । ଯାହା ବନ୍ଦରର କ୍ଷମତା ଠାରୁ ତିନିଗୁଣା ଅଧିକ । ଏଠାରେ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ପାଣି ଓ ମେଡିକାଲ ପାଇଁ ଯିବାକୁ ପଡିବ ୧୦ କିଲୋମିଟର ଅଠରବାଙ୍କି । ଯଦି ଏଠାରେ କୌଣସି ବୋଟ ବୁଡିଯାଏ କିମ୍ବା ପୋଡିଯାଏ କିମ୍ବା କୌଣସି ଦୁର୍ଘଟଣା ଘଟେ ତାହାଲେ ବୋଟ ମାଲିକଙ୍କୁ କିମ୍ବା ମତ୍ସ୍ୟଜୀବୀଙ୍କୁ କୌଣସି କ୍ଷତିପୂରଣ ମିଳି ନଥାଏ । ଯାହା ମତ୍ସ୍ୟ ଶିଳ୍ପ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ମନୋଭାବକୁ ପ୍ରକାଶ କରୁଛି।

ଅଗ୍ନିକାଣ୍ଡ ପରେ ସାହାରା ସାଜିଥିବା ବୋଟ ପୋଡିଯାଇଥିବା ଦେଖି ବୋଟ ମାଲିକ ଓ ମତ୍ସ୍ୟଜୀବୀ ଭାଙ୍ଗି ପଡିଛନ୍ତି । ଏପରି ସ୍ଥଳେ ରାଜ୍ୟ ସରକାର କୌଣସି ଆର୍ଥିକ ସହାୟତା ଘୋଷଣା କରିନାହାଁନ୍ତି । କେବଳ ମତ୍ସ୍ୟ ବିଭାଗର ଏକ ଟିମ ଘଟଣାସ୍ଥଳ ପରିଦର୍ଶନ କରିଯାଇଛନ୍ତି ହେଲେ ରିପୋର୍ଟ ଦେଇନାହାଁନ୍ତି । ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେଇ ମତ୍ସ୍ୟଶିଳ୍ପକୁ ଚଳଚଞ୍ଚଳ କରିବାକୁ ସାଧାରଣରେ ଦାବି ହେଉଛି ।

ଜ୍ଵଳନ୍ତ ଉଦାହରଣ ସାଜିଛି ନାରୀ: ସୁସମାଜ ପ୍ରତିଷ୍ଠା ଦିଗରେ ସଂଘର୍ଷରତ ଓଡ଼ିଶାର ଦୁଇ ମହିଳା

କାଶୀପୁର: ସମାଜରେ କିଛି ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅନେକ ନାରୀ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥାନ୍ତି । ସେଭଳି ଜଣେ ମହାନ ନାରୀ ଜନ୍ମ ନେଇଛନ୍ତି ଓଡ଼ିଶା ମାଟିରେ । ସେ ହେଉଛନ୍ତି ସୁମନି ଝୋଡିଆ । ରକ୍ଷଣଶୀଳ ସମାଜରେ ଏ ହେଉଛନ୍ତି ଜଣେ ବୁଦ୍ଧିମତୀ, ସମାଜ ସଂସ୍କାରକ ଓ ସୁବକ୍ତା । ମଦ ବିରୋଧୀ ଆନ୍ଦୋଳନର ମୁଖ୍ୟ ପୁରୋଧା ଆଉ ଆଦିବାସୀଙ୍କ ସୁଖ ଦୁଃଖକୁ ନିଜର କରିନେଇଥିବା ମହିୟସୀ ମହିଳା । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଶିରିଗୁଡା ଭଳି ଆଦିବାସୀ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ସୁମନି ଝୋଡିଆ ପାଠ ପଢିନାହାଁନ୍ତି । କିନ୍ତୁ ସେ ଜଣେ ସମାଜବିଜ୍ଞାନୀ ।

ଆଜକୁ ୩୨ ବର୍ଷ ତଳେ ନିପଟ ମଫସଲର ଏହି ମହିଳା ଜଣଙ୍କ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ଚର୍ଚ୍ଚାକୁ ଆସିଥିଲେ । ଆଉ ହଠାତ୍ ଯୋଜନା ବୋର୍ଡର ଉପଦେଷ୍ଟା ଭାବେ ତାଙ୍କୁ ନିଯୁକ୍ତି ଦେଇଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ତାପରେ ମଦ ବିରୋଧି ଆନ୍ଦୋଳନର ମଙ୍ଗ ଧରି ସମାଜରେ ସଂସ୍କାର ଆଣିବା ପାଇଁ ଅହରହ ଉଦ୍ୟମ କରିଥିଲେ ସୁମନି। ଆଉ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀ ମାନଙ୍କ ଅଧିକାରକୁ ନେଇ ସେ ଯେଉଁ ଆନ୍ଦୋଳନ କରିଥିଲେ ତାହା ପରବର୍ତୀ ସମୟରେ ଆମ ରାଜ୍ୟରେ ଆଇନରେ ପରିଣତ ହୋଇଥିଲା । ସବୁବେଳେ ସେ ଆଦିବାସୀ ମହିଳାମାନଙ୍କୁ ସମାଜର ମୁଖ୍ୟ ସାମିଲ କରିବାକୁ ଚେଷ୍ଟାରତ । ଏଥିପାଇଁ ତାଙ୍କୁ ଅନେକ ମାନ୍ୟତା ଓ ପୁରସ୍କାର ମିଳିଛି । ନିଜର ସାଂଗଠନିକ ଦକ୍ଷତା, ନିର୍ଭିକତା ଓ ସାହସିକତା ନେଇ ସେ ବିଭିନ୍ନ ସମୟରେ ବେଶ୍ ଚର୍ଚ୍ଚିତ । ବୟସର ଅପରାହ୍ନରେ ପାଦ ଦେଇଥିବା ମହିଳା ଆଜି ବି ନିଜର ଅଧିକାରକୁ ନେଇ ଲଡେଇ ଜାରି ରଖିଛନ୍ତି ।

ସେହିପରି ଆଉ ଜଣେ ସମାଜ ସଂସ୍କାରକ ମହିଳା ହେଉଛନ୍ତି ନିଗାର ଆଫ୍ରିନ । ପେଶାରେ ଜଣେ ଶିକ୍ଷୟିତ୍ରୀ । କେନ୍ଦ୍ରାପଡା ସହରସ୍ଥିତ ସଂଖ୍ୟାଲଘୁ ଗ୍ରାମ ଦିଲାୱରପୁର ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ସେ ତାଙ୍କ ଅଞ୍ଚଳରେ ଥିବା ସଂଖ୍ୟାଲଘୁ ଗରିବ, ଅଶିକ୍ଷିତ ପରିବାରର ଝିଅମାନଙ୍କୁ ପ୍ରାଥମିକ ଶିକ୍ଷା ଦେଉଛନ୍ତି । ଶିକ୍ଷାର ଗୁରୁତ୍ୱ ଅପାଠୁଆ ଗରିବ ଖଟିଖିଆ ସଂଖ୍ୟାଲଘୁ ପରିବାର ପିଲାଙ୍କ ପାଇଁ କେତେ ଜରୁରୀ ତାକୁ ବୁଝାଉଛନ୍ତି । ସେଥିପାଇଁ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି ଏହି ଅଞ୍ଚଳରେ। ସାଧାରଣତଃ ସଂଖ୍ୟାଲଘୁ ପରିବାରର ଝିଅମାନେ ବାହାରକୁ ବାହାରିବା ଓ ନିଜ ଗୋଡ଼ରେ ଠିଆ ହେବାକୁ ସଂଖ୍ୟାଲଘୁ ପରିବାର ଲୋକେ ନାପସନ୍ଦ କରିଥାନ୍ତି । ସେଥିପାଇଁ ସେ ମଧ୍ୟ ନିଜ ଶାଶୁଘରର ଲୋକଙ୍କୁ ବହୁ କଷ୍ଟରେ ବୁଝାଇ ରାଜି କରିଥିଲେ ଚାକିରି କରିବା ପାଇଁ । ଅନ୍ୟ ଝିଅମାନେ ଏଭଳି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ସେ ଚେଷ୍ଟିତ । ନିଗାର ଆଫ୍ରିନଙ୍କ ଏହି ଉଦ୍ୟମ ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭ କରି ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ବିଶ୍ଵରେ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଛି ।

ତୁରନ୍ତ ବିଚାର କରି ଦୁର୍ନୀତିଖୋରଙ୍କୁ ଦଣ୍ଡ ଦିଅ: ଅଧିକାରୀଙ୍କୁ ପରାମର୍ଶ ଦେଲେ କଳାଧନ SIT ଅଧ୍ୟକ୍ଷ

ଭୁବନେଶ୍ବର: ଯେଉଁ ବିଭାଗ ବା କ୍ଷେତ୍ରରେ ଅଧିକ ଦୁର୍ନୀିତି ହେଉଛି, ତାକୁ ଅଧିକ ଗୁରୁତ୍ଵ ଦେଇ କାମ କରନ୍ତୁ। ଦୁର୍ନୀତିଖୋରଙ୍କୁ ଛାଡ଼ନ୍ତୁ ନାହିଁ, ସମସ୍ତଙ୍କୁ ଧରନ୍ତୁ। କଟକରେ ହୋଇଥିବା କଳାଧନ ସଂପର୍କିତ ଏସଆଇଟି ବୈଠକରେ ଅଧିକାରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ଏସଆଇଟି ମୁଖ୍ୟ ଜଷ୍ଟିସ୍ ଅରିଜିତ ପଶାୟତ। ମାମଲାର ଶୀଘ୍ର ବିଚାର ଓ ଦୋଷୀମାନେ ଯେମିତି ଦଣ୍ଡ ପାଇବେ, ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି ଜଷ୍ଟିସ ପଶାୟତ। ଅନଲାଇନ ଫ୍ରଡ୍ ପ୍ରତି ସତର୍କ ରହିବାକୁ ମଧ୍ୟ ସେ କହିଛନ୍ତି। ଆଜି କଟକରେ ହୋଇଥିବା ବୈଠକରେ କେନ୍ଦ୍ର ଓ ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ସଂସ୍ଥା ଏବଂ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଇଡି, ଆୟକର, ନାର୍କୋଟିକ୍ସ, ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ପୋଲିସ, ଜିଏସଟି, ଖଣି ବିଭାଗର ଅଧିକାରୀ। ଗତ ଅକ୍ଟୋବରରେ ଏସଆଇଟିର ଦଶମ ଅନ୍ତରୀଣ ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରାଯାଇଥିଲା। ଆଉ ଚାରି ପାଞ୍ଚ ମାସ ପରେ ପରବର୍ତ୍ତୀ ରିପୋର୍ଟ ସୁପ୍ରିମକୋର୍ଟ ନିକଟରେ ଦାଖଲ କରାଯିବ।

ଲାଗୁ ହେଲା ନୂଆା ନିୟମ: ଅନ୍ୟକୁ ସିମ୍ କି ମୋବାଇଲ ଦେଲେ ହୋଇପାରେ ୩ ବର୍ଷ ଜେଲ

ଅନେକ ସମୟରେ ଆମେ ନିଜର ସିମକୁ ଅନ୍ୟ କାହାକୁ ଦେଇ ଦେଇଥାଉ । ତେବେ ଆପଣମାନେ ଜାଣନ୍ତି କି, ଅନ୍ୟକୁ ନିଜର ସିମ କିମ୍ବା ମୋବାଇଲ ଦେବା ବହୁତ ବିପଜ୍ଜନକ ହୋଇପାରେ । ଯଦି ଆପଣଣଙ୍କ ସିମ କି ମୋବାଇଲ ଅନ୍ୟ କେହି ବ୍ୟବହାର କରୁଛନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କର ଭୁଲ ବା ଅପରାଧ ପାଇଁ ଆପଣଙ୍କୁ  ସଜା ଭୋଗିବାକୁ ପଡ଼ିବ । କେନ୍ଦ୍ର ସରକାର ଏନେଇ ଏକ ଆଡଭାଇଜରୀ ଜାରି କରିଛନ୍ତି । ଯଦି ଏଭଳି ସ୍ଥିତିରେ କୌଣସି ଠକାମି, ସାଇବର ଅପରାଧ ବା ଅନ୍ୟ କୌଣସି ଖରାପ କାର୍ଯ୍ୟକଳାପ ହୁଏ, ତେବେ ସେଥିପାଇଁ ୟୁଜର ହିଁ ଦାୟୀ ରହିବେ । ଆଇନ ଅନୁସାରେ, ଦଣ୍ଡ ବିଧାନ କରାଯିବ । ଅନ୍ୟ କେହି ଆପଣଙ୍କ ସିମ ବା ମୋବାଇଲ ବ୍ୟବହାର କରୁଥିଲେ ବୋଲି ଯଦି ଆପଣ କୁହନ୍ତି, ତେବେ ତାହାକୁ ଗ୍ରହଣ କରାଯିବ ନାହିଁ ।

ଦେଶରେ ଲଗାତର ଭାବେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ଠକମାନେ ଅନ୍ୟ ନାମରେ ଚାଲିଥିବା ସିମକୁ ଉପଯୋଗ କରି ଅପରାଧ ଘଟାଉଥିବା ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସରକାର ସିମ ନେବାର ପ୍ରକ୍ରିୟା ବଦଳାଇବା ସହ ନିୟମକୁ ମଧ୍ୟ କଠୋର କରିଦେଇଛନ୍ତି । ଏହାପରେ ବି କିଛି ଲୋକ ସେମାନଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ସିମ ବ୍ୟବହାର କରୁଥିବା ନେଇ ମଧ୍ୟ ଜଣାପଡ଼ିଥିଲା । କିଛି ଲୋକଙ୍କର ଫୋନ ବା ମୋବାଇଲ ଅନ୍ୟ କେହି ବ୍ୟବହାର କରୁଥିବା କହିବା ପରେ ପୋଲିସ ବା ଯାଞ୍ଚ ଏଜେନ୍ସିକୁ ଝଟକା ଲାଗିଥିଲା ।

ଏହାପରେ ସରକାର ଟେଲିକମ ଆଇନରେ ସଂଶୋଧନ କରିଥିଲେ । ଯଦି ଆପଣଙ୍କ ସିମ କେହି ବ୍ୟବହାର କରୁଛନ୍ତି, ତେବେ କୌଣସି ଅଘଟଣ ଘଟିଥିଲେ ଦାୟୀ ଆପଣ ରହିବେ । ଯଦି ଉକ୍ତ ସିମରେ କୌଣସି ଅପରାଧିକ କାଣ୍ଡ ଘଟେ, ତେବେ ସେଥିପାଇଁ ଆପଣଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ । ଆପଣଙ୍କ ସିମ ବା ମୋବାଇଲ ଅନ୍ୟ ଦ୍ବାରା ବ୍ୟବହାର କରାଯାଇ କୌଣସି ଅପରାଧ ଘଟିଲେ, ସେଥିପାଇଁ ଆପଣଙ୍କୁ ୩ ବର୍ଷର ଜେଲଦଣ୍ଡ ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ ।

ବିରାଟ କୋହଲି ଆହତ: ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପୂର୍ବରୁ ଭାରତକୁ ଶକ୍ତ ଝଟକା

ଦୁବାଇ: ମାର୍ଚ୍ଚ ୯ ଅର୍ଥାତ ଆସନ୍ତାକାଲି ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ଖେଳାଯିବ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ କଡ଼ା ଟକ୍କର । ତେବେ ଫାଇନାଲ ଲଢ଼େଇ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଛି ଏକ ନୈରାଶ୍ୟଜନକ ଖବର । ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଆହତ ହୋଇଛନ୍ତି । ଫାଇନାଲ ମ୍ୟାଚ ପୂର୍ବରୁ ଅଭ୍ୟାସ କରୁଥିବା ସମୟରେ ବିରାଟ ଆହତ ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି । ନେଟ୍ସରେ ପେସ ବୋଲିଂକୁ ସାମ୍ନା କରୁଥିବା ବେଳେ ବିରାଟଙ୍କ ଆଣ୍ଠୁ ନିକଟରେ ବଲ ବାଜିଥିଲା । ଏହାପରେ ବିରାଟ ଆଉ ଅଭ୍ୟାସ କରିନଥିଲେ । ସଙ୍ଗେସଙ୍ଗେ ଟିମ୍ ଇଣ୍ଡିଆର ଫିଜିଓ ଷ୍ଟାଫ ବିରାଟଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ବଲ ବାଜିଥିବା ସ୍ଥାନରେ ସ୍ପ୍ରେ କରିଥିଲେ । ଏଥିସହିତ ବିରାଟଙ୍କ ଆଣ୍ଠୁ ପାଖରେ ଏକ ବ୍ୟାଣ୍ଡେଜ ବାନ୍ଧିଥିଲେ । ତେବେ ଆହତ ହେବା ପରେ ବି ବିରାଟଙ୍କ ମନୋବଳରେ ପୂର୍ବ ପରି ରହିଥିଲା । ସେ ପଡ଼ିଆରେ ଉପସ୍ଥିତ ରହିବା ସହ ଅଭ୍ୟାସ ସେସନକୁ ଅନୁଧ୍ୟାନ କରିଥିଲେ ।

ତେବେ ବିରାଟଙ୍କ ଆହତ ଖବର ପାଇବା ପରେ କୋଟି କୋଟି ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ଲାଗିଥିଲା ଏକ ଶକ୍ତ ଝଟକା । ବିରାଟଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି, ଆସନ୍ତାକାଲି ହେବାକୁ ଥିବା ଫାଇନାଲ ମୁକାବିଲ ଉପରେ ଏହା ପ୍ରଭାବ ପକାଇବନି ତ, ଏପରି ଅନେକ ପ୍ରଶ୍ନ ଫ୍ୟାନ୍ସଙ୍କ ମଧ୍ୟରେ ଉଙ୍କି ମାରିଥିଲା । ତେବେ ବିରାଟ ସାମାନ୍ୟ ଆହତ ହୋଇଛନ୍ତି, ତାହା ସେତେଟା ଗୁରୁତର ନୁହେଁ । ଆସନ୍ତାକାଲି ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ ପାଇଁ ବିରାଟ ଫିଟ୍ ହୋଇଯିବେ ବୋଲି ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫ ସୂଚନା ଦେଇଛନ୍ତି ।

ଦିଲ୍ଲୀରେ ପୋଲିସର ସ୍ପେସାଲ ଡ୍ରାଇଭ୍ ; ବେଆଇନ ବାଂଲାଦେଶୀଙ୍କୁ ଚିହ୍ନଟ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେଆଇନ ବାଂଲାଦେଶୀ ରହୁଥିବା ସନ୍ଦେହରେ ପୋଲିସର ସ୍ପେସାଲ ଡ୍ରାଇଭ୍। ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରିବାକୁ ଏହି ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ ପୋଲିସ। ବିଶେଷ କରି ବସନ୍ତକୁଞ୍ଜ, ବେଙ୍ଗଲ ବସ୍ତି, ଜୟହିନ୍ଦ କ୍ଯାମ୍ପ ଅଞ୍ଚଳରେ ବୁଲି ବୁଲି ପୋଲିସ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଯେଉଁମାନେ ପ୍ରକୃତରେ ବେଆଇନ ଭାବେ ରହୁଥିବେ, ବାଂଲାଦେଶରୁ ଆସିଥିବେ, ସେମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବାଂଲାଦେଶକୁ ପଠାଇବାର ବ୍ୟବସ୍ଥା କରାଯିବ। ଗତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏହା ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିଲା। ରୋହିଙ୍ଗ୍ଯା ଓ ବାଂଲାଦେଶୀମାନେ ବେଆଇନ ଭାବେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଆସ୍ଥାନ ଜମାଇଥିବାର ଅଭିଯୋଗ ହୋଇଥିଲା। ଏଥିପାଇଁ ପରସ୍ପରକୁ ଦାୟୀ କରିଥିଲେ ଆମ୍ ଆଦମୀ ପାର୍ଟି ଓ ବିଜେପି। ଏବେ ଦିଲ୍ଲୀ ସରକାର ବିଜେପି ଅକ୍ତିଆରରେ ଥିବାରୁ ଓ ଦିଲ୍ଲୀ ପୋଲିସ କେନ୍ଦ୍ର ସରକାରଙ୍କ ଅକ୍ତିଆରରେ ଥିବାରୁ ବେଆଇନ ବାଂଲାଦେଶୀଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ମହିଳା ଦିବସରେ ମହିଳାଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର : ଶଙ୍ଖ ଭବନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତ ହାସଲ କରିଥିବା ମହିଳାମାନଙ୍କୁ ସମ୍ମାନୀତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ମହିଳା ଦିବସ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତି କୋଣ ଅନୁକୋଣରୁ ମହିଳାମାନେ ସାମିଲ ହୋଇଥିଲେ । ସଫଳତା ସହ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ସାତ ଜଣ ସୁନାମ ଧନ୍ୟ ମହିଳାଙ୍କୁ ସମ୍ମାନିତ କରାଯାଇଛି । ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସେବା ମହାପାତ୍ର, ସର୍ବାଧିକ ଥର ଜିଲ୍ଲା ପରିଷଦ ଜିତିଥିବା କୁଞ୍ଜଲତା ସାମଲ, ଛତୁ ଚାଷୀ ଜୟନ୍ତୀ ପ୍ରଧାନ, ସମ୍ବଲପୁରୀ ନାଟ୍ୟକାର ଓଜସ୍ୱିନୀ ମାହାଲ, ଗବେଷିକା ଜ୍ୟୋତିର୍ମୟୀ ମହାନ୍ତି, ଡାକ୍ତର ରୋଜା ଘୋଷ, ନିବେଦିତା ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ନବୀନ ପଟ୍ଟନାୟକ ।

ସେପଟେ ରାଜ୍ୟରେ ମହିଳାମାନେ ନିର୍ଯାତିତା ହେଉଥିବାରୁ ରାଜ୍ୟ ସରକାରକୁ ସାମ୍ଵାଦିକ ସମ୍ମିଳନୀରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ବିଜୁ ବାବୁଙ୍କୁ ଅସମ୍ମାନ ବିରୋଧରେ ଆଜି ମହିଳା ବିଜେଡି ଆଜି ଏହା ନିନ୍ଦା ପ୍ରସ୍ତାବ ଆଣିଛି । ବିଜେପି ସରକାରରେ ଆଜି ମହିଳା ସୁରକ୍ଷିତ ନୁହଁନ୍ତି । ଗଣଦୁଷ୍କର୍ମ, ଆତ୍ମହତ୍ୟା, ଅତ୍ୟାଚାର, ଆଦିବାସୀ ମହିଳାଙ୍କୁ ଅତ୍ୟାଚାର ସୀମା ଟପିଛି । ଏ ନେଇ ମଧ୍ଯ ଏକ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି ବୋଲି କହିଛନ୍ତି ସ୍ନେହାଙ୍ଗିନୀ । ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ନବୀନ ପଟ୍ଟନାୟକ ସଶକ୍ତ କରିଛନ୍ତି । ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ଏବେ ବିପଦରେ ପଡିଛି । ତେଣୁ ମହିଳାମାନଙ୍କୁ ନ୍ଯାୟ ନମିଳିଲେ ଆଗାମୀ ଦିନରେ ମହିଳା ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ସ୍ନେହାଙ୍ଗିନୀ ।

ନବୀନ ବାବୁ ଯେଉଁ ଯୋଜନା କରିଛନ୍ତି, ତାହାର ସମକକ୍ଷ ହୋଇପାରିବେନି : ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ମହିଳା ଦିବସ ପାଳନ ଅବସରରେ ଶଙ୍ଖ ଭବନରେ ବର୍ଷିଲେ ପ୍ରମିଳା । ବିଜେପି ସରକାରଙ୍କ କିଛି ଯୋଜନା କାମ କରିବ ନାହିଁ। ମହିଳାଙ୍କୁ ସଶକ୍ତ କରିବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବୁ ଯୋଜନା କରିଛନ୍ତି, ତାଙ୍କ ସହ କେହି ସମକକ୍ଷ ହୋଇ ପାରିବେନାହିଁ । ମହିଳା ଦିବସରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବାକୁ ଆହ୍ବାନ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ନିର୍ବାଚନ ବେଳେ କାହିଁକି ଭୁଲିଗଲେ ମହିଳା ।

ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ମହିଳାଙ୍କ ମାନଙ୍କ ପାଇଁ କେତେ କଣ କରିଛନ୍ତି । ନିର୍ବାଚନ ବେଳେ ମହିଳାମାନେ କେମିତି ଭୁଲିଗଲେ । କଣ ୫ ହଜାର, ୫୦ ହଜାର ପାଇଁ ଭୁଲିଗଲେ ବୋଲି ପ୍ରଶ୍ନ ପଚାରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୨୪ ବର୍ଷରେ କଣ ହେଇଛି । କଣ ପାଇଁ ଅଭିମାନ । ଅଭିମାନ ଭାଙ୍ଗିବ ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ମଲ୍ଲିକ । ବର୍ଷେ ଗଲା ଆଉ ୪ ବର୍ଷ ଲଢ଼େଇ ହେବ । ଏ ଲଢ଼େଇ ଆଜିଠୁ ଚାଲିବ । ରଙ୍ଗ ଓ ରାସ୍ତା ଘାଟ ପରିବର୍ତ୍ତନ କରୁଛନ୍ତି ପରିବର୍ତ୍ତନ ସରକାର । ରାସ୍ତାରେ ଫଟୋ ଲଗାଇ ବୋଡ଼ ମାରିଦେଲେ କଣ ହେବ, ରାସ୍ତା କେଉଁଠୁ ଆରମ୍ଭ କେଉଁଠୁ ଶେଷ ଜାଣିନାହାନ୍ତି । ବିଜୁ ବାବୁଙ୍କ ତ୍ୟାଗକୁ ଭୁଲିଗଲେ । ବିଜୁଙ୍କ ଭଳି ପୁଅ ଓଡ଼ିଶାରେ ଆଉ ଜନ୍ମ ହେବେ ନାହିଁ । ଓଡ଼ିଆ ଜାତି ପାଇଁ ଅପମାନ କରିଛନ୍ତି ରାଜ୍ୟ ସରକାର । ବିଜୁଙ୍କ ପାଇଁ ଘରେ ଘରେ ଆମେ କହିବୁ ବିଜୁ ବାବୁ ଅମର ରହେ ।