ନନ୍ଦିଘୋଷ ବ୍ୟୁରୋ: ମହାଶିବରାତ୍ରୀରେ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ସମନ୍ଵୟ କମିଟିରେ ଏହି ନିଷ୍ପତ୍ତି ହୋଇଛି। ଗତକାଲି ଆଇନ ମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଏହି ସମନ୍ଵୟ ବୈଠକ ହୋଇଥିଲା। ବୈଠକରେ ଜାଗର ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ଆସନ୍ତା ୨୬ ତାରିଖ ହେବ ଜାଗର। ଭୋର୍ ୩ଟାରୁ ରାତି ସାଢ଼େ ୧୧ଟା ଓ ରାତି ସାଢ଼େ ୧୧ଟାରୁ ପରଦିନ ସକାଳ ୫ଟା ୧୫ ମିନିଟ ପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ନୀତିକାନ୍ତି ବି ସ୍ଥିର ହୋଇଛି। ଲିଙ୍ଗରାଜଙ୍କ ଜାଗରକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଓ ଭକ୍ତଙ୍କ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ। ଭକ୍ତମାନେ ଯେମିତି ବିନା ସମସ୍ଯାରେ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ, ତା ଉପରେ ବୈଠକରେ ଫୋକସ୍ କରାଯାଇଛି। ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ। ଅଗ୍ନିଶମ ବାହିନୀ, ଜରୁରୀ ସ୍ଵାସ୍ଥ୍ୟ ସେବା ପାଇଁ ସ୍ଵତନ୍ତ୍ର ଟିମ୍ ମଧ୍ୟ ପ୍ରସ୍ତୁତ ରହିବେ। ବ୍ୟାରିକେଡ୍ ଲଗାଯିବା ସହିତ ପାନୀୟ ଜଳ ବ୍ୟବସ୍ଥା, ସୁଲଭ ଶୌଚାଳୟ, ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ପାଇଁ ସ୍କାଉଟ ଗାଇଡ୍, ରେଡକ୍ରସ୍, ଏନସିସି କ୍ଯାଡେଟଙ୍କୁ ନିୟୋଜିତ କରାଯିବ। ମନ୍ଦିରର ଏକ କିଲୋମିଟର ପରିଧି ଭିତରେ ସିସିଟିଭି ଲଗାଯିବ। ମନ୍ଦିର ସେବାୟତ ଓ ଭିଆଇପିଙ୍କ ପାଇଁ ପୃଥକ୍ ଦ୍ଵାର ବ୍ୟବହାର କରାଯିବ। ବୈଠକରେ ମନ୍ଦିର ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା, ସେବାୟତ, ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ଗରମରେ ଲାଗିବ ବ୍ରେକ୍, ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ନନ୍ଦିଘୋଷ ବ୍ୟୁରୋ: କାଲିଠୁ ଗରମରୁ ମିଳିବ ଆଶ୍ବସ୍ତି । ପଶ୍ଚିମା ଝଡ ଆଣିବ ବର୍ଷା । ଭିଜିବ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା । ଘଡଘଡି ବିଜୁଳି ସହ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ପବନ ନେଇ ବି ସତର୍କତା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ପଶ୍ଚିମା ଝଡ ପ୍ରଭାବରେ କାଲିଠୁ ଦୁଇ ଦିନ ରାଜ୍ୟରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ କାଲି ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି । ସେହିଭଳି ସେହିପରି ୨୦ ରେ ବଜ୍ରପାତ ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଦେବଗଡ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦ୍ରାପଡାକୁ ସତର୍କତା ଜାରି କରାଯାଇଛି । ସେପଟେ ଆଜି ବି ରାଜ୍ୟରେ ଜାରି ରହିବ ତାତି । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଉପରେ ରହିବ ପାରଦ । ରାଜଧାନୀ ଭୁବନେଶ୍ବର ସମେତ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ମାଲକାନଗିରି, ଗଜପତି, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଉପରେ ପାରଦ ରହିବ ବୋଲି ଆକଳନ କରାଯାଇଛି । ଏହି ସବୁ ଜିଲ୍ଲାରେ ୩୫ ରୁ ୩୮ ଡିଗ୍ରୀ ମଧ୍ୟରେ ଦିନର ତାପମାତ୍ରା ରେକର୍ଡ ହୋଇପାରେ । ମେଘମୁକ୍ତ ଆକାଶ ଏବଂ ସୂର୍ଯ୍ୟଙ୍କ ତେଜ ପାଇଁ ତାତି ବୃଦ୍ଧି ପାଇଛି ।
ବିଦେଶ ଅତିଥୀଙ୍କ ପାଇଁ ଚଳଚଞ୍ଚଳ ଗଞ୍ଜାମ: ଆରମ୍ଭ ହୋଇଛି ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା
ଗଞ୍ଜାମ: ମାଇଲ ଦୂରରୁ ଛୁଟି ଆସିଛନ୍ତି ଅଲିଭ ରିଡଲେ । ଆରମ୍ଭ ହୋଇଛି ଏହି ବିରଳ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା । ଏଥିପାଇଁ ଚଳଚଞ୍ଚଳ ଗଞ୍ଜାମ ଋଷିକୂଲ୍ୟା ମୁହାଣ । ଅନୁକୂଳ ପାଗ ସହ ଦକ୍ଷିଣା ପବନ ଯୋଗୁ ହଜାର ହଜାର ସଂଖ୍ୟାରେ କଇଁଛ ଅଣ୍ଡାଦାନ କରି ସମୁଦ୍ରକୁ ଫେରୁଛନ୍ତି । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମ ଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ଏହି କଇଁଛମାନେ ଉପରକୁ ଉଠିଆସି ଗଣଅଣ୍ଡା ଦାନ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପର୍ଯ୍ୟଟକ, ପରିବେଶବିତ୍ ମହଲରେ ଖୁସି ପ୍ରକାଶ ପାଇଥିବାବେଳେ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ।
ବନ ବିଭାଗ ପକ୍ଷରୁ ପୂର୍ବରୁ ୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । କୁକୁର, ବିଲୁଆଙ୍କ ଠାରୁ ସୁରକ୍ଷା ଦେବାକୁ ଲଗାଜାଇଛି ତାରଜାଲି । କଇଁଛ ପ୍ରାୟ ୧୨୦ରୁ ଅଧିକ ଅଣ୍ଡାଦେବା ପରେ ବାଲିରେ ପୋତି ସମୁଦ୍ର ମଧ୍ୟକୁ ଫେରି ଯାଇଥାନ୍ତି । ଅଣ୍ଡା ଦେବାର ୪୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଯାଇଥାନ୍ତି । ୨୦୨୪ ରେ ଗଣଅଣ୍ଡାଦାନ ହୋଇନଥିବା ବେଳେ ଚଳିତବର୍ଷ ଏହି ଗଣ ଅଣ୍ଡାଦାନ ହେଉଥିବା ଦେଖାଦେଇଛି । ଏଥିପାଇଁ ଗତବର୍ଷ ନଭେମ୍ବର ୧ ଠାରୁ ଚଳିତବର୍ଷ ମେ ୩୧ ପ୍ରଯ୍ୟନ୍ତ ଆର୍ଯ୍ୟପଲ୍ଲୀ ରୁ ପ୍ରୟାଗୀ ଯାଏଁ ୨୦ କିଲୋମିଟର ନୋ ଫିସିଙ୍ଗ ଜୋନ ଘୋଷଣା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦ଟି ସେଗମେଣ୍ଟ କରାଯାଇଛି । ଚଳିତ ବର୍ଷ ୬ ଲକ୍ଷରୁ ଅଧିକ କଇଁଛ ଗଣଅଣ୍ଡାଦାନ କରିବେ ବୋଲି ଆଶା ରଖିଛି ବନ ବିଭାଗ ।

