spot_img
Home Blog Page 1086

ଦିଲ୍ଲୀ ରେଜଲ୍ଟ କାଉଣ୍ଟଡାଉନ: ବଢ଼ୁଛି ଆପ, ବିଜେପି ଓ କଂଗ୍ରେସର ଉତ୍କଣ୍ଠା, ଏଥର କିଏ ମାରିବ ବାଜି

ନୂଆଦିଲ୍ଲୀ: ରାତି ପାହିଲେ ଦିଲ୍ଲୀ ରେଜଲ୍ଟ। ସାରା ଦେଶର ଆଖି ଫଳାଫଳ ଉପରେ। କ୍ଷମତାରେ ରହିବ ଆପ୍ ନା ୨୭ ବର୍ଷ ପରେ ଫେରିବ ବିଜେପି, ନା କଂଗ୍ରେସ କରିବ ସରକାର। ଏକଜିଟ ପୋଲ ଭୁଲ ପ୍ରମାଣିତ ହେବ ନା ହେବ ସତ- ତାହାକୁ ନେଇ ସସପେନ୍ସ। ୭୦ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ ନମ୍ବର ୩୬ । ମୋଟ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିସାରିଛନ୍ତି ପ୍ରାୟ ଦେଢ କୋଟି ଭୋଟର। ୨୦୧୩, ୨୦୧୫ ଓ ୨୦୨୦ ପରେ ପୁଣି ଚଳିତ ଥର କ୍ଷମତାକୁ ଆସିବାକୁ ଚ ରହିଛି ଆଶାବାଦୀ। ତେବେ ଦିଲ୍ଲୀ ମଦନୀତି ମାମଲା, ଯମୁନା ଜଳ ବିବାଦ, ମଧ୍ୟବିତ୍ତଙ୍କ ସ୍ବାର୍ଥ, ଇଣ୍ଡିମେଣ୍ଟରେ ଫାଟ, ବାଂଲାଦେଶୀ ଭୋଟ ଆଦି କାରଣ ହିଁ ନିର୍ଦ୍ଧାରଣ କରିବ କିଏ ହେବ ବିଜୟୀ।

ସେପଟେ ଫଳାଫଳ ବାହାରିବା ପୂର୍ବରୁ ଦିଲ୍ଲୀରେ ହାଇଡ୍ରାମା। ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କୁ ବିଜେପି କିଣିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ପରେ ତଦନ୍ତ ଲାଗି ଦୁର୍ନୀତି ନିବାରଣ ବ୍ୟୁରୋକୁ ନିର୍ଦ୍ଦେଶ ଦେଇଛନ୍ତି ଏଲଜି ଭି.କେ. ସକ୍ସେନା। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ନୋଟିସ ଜାରି ସହ ପ୍ରମାଣ ଦାଖଲ କରିବାକୁ ଦିଆଯାଇଛି ନୋଟିସ। ଏସିବିର ଏକ ଟିମ କେଜରିୱାଲଙ୍କ ବାସଭବନରେ ଛାନଭିନ କରିଛନ୍ତି। ଆପର ୭ ପ୍ରାର୍ଥୀଙ୍କୁ ୧୫ କୋଟି ଲେଖାଏ ଟଙ୍କାରେ କିଣିବାକୁ ବିଜେପି ଥୋପ ପକାଉଥିବା ନେଇ କେଜରିୱାଲ ଓ ସାଂସଦ ସଞ୍ଜୟ ସିଂ ଅଭିଯୋଗ କରିବା ପରେ ଦିଲ୍ଲୀ ରାଜନୀତିରେ ଫୁଟିଥିଲା ବୋମା। ଏପରିକି ଏହି ପ୍ରାର୍ଥୀମାନଙ୍କ ନିକଟକୁ ଫୋନ କଲ୍ ଆସିଥିବା ବିଷୟ କହିଥିଲେ ସଞ୍ଜୟ। ଅପରେସନ ଲୋଟସ ଅଭିଯୋଗକୁ ନେଇ ବଢିଛି ରାଜନାତି। ଦିଲ୍ଲୀରେ ଝୁଲା ବିଧାନସଭା ହେଲେ ଅପରେସନ ଲୋଟସକୁ ମିଳିପାରେ ସଫଳତା। ଆପ୍ ସଂଖ୍ୟାଗରିଷ୍ଠତା ପାଇଲେ କେଜରିୱାଲ ହେବେ ସୁପରହିରୋ। ଗତ ନିର୍ବାଚନରେ ଆପ ୬୨ ଆସନ ପାଇଥିବାବେଳେ ବିଜେପି ପାଇଥିଲା ୮ ଆସନ।

ପୁଣି ବଡ଼ ପରଦାରେ ପପୁ ପମପମ: ଆସୁଛି ବିଗ୍ ବଜେଟ୍ ଓଡ଼ିଆ ଫିଲ୍ମ ଡଷ୍ଟବିନ

ଭୁବନେଶ୍ବର: ଅଭିନେତା ପପୁ ପମପମଙ୍କ ଅଭିନବ ପ୍ରୟାସ । ସୁଟିଂ ସେଟରେ ଘୋଷଣା କଲେ ଫିଲ୍ମର ଶୀର୍ଷକ । ପିକେ ଫିଲ୍ମ ବ୍ୟାନରରେ ସୁଟିଂ ଚାଲିଥିବା ପପୁଙ୍କ ଆଗାମୀ ଫିଲ୍ମର ନାଁ ରଖାଯାଇଛି ଡଷ୍ଟବିନ୍ । କାହାଣୀ, ଚିତ୍ରନାଟ୍ୟ, ସଙ୍ଗୀତ ସହିତ ନିର୍ଦ୍ଦେଶନା ଦେଉଛନ୍ତି ନିଜେ ପପୁ ପମପମ । କେ.କେ ସାହୁ ପ୍ରଯୋଜକ ଭାର ସମ୍ଭାଳି ଥିବାବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ପ୍ରଦୀପ୍ତ ସ୍ୱାଇଁ । ଦୀପକ ଜେନା ସଂଳାପ ରଚନା କରିଥିବାବେଳେ କ୍ୟାମେରା ପରିଚାଳନା କରିଛନ୍ତି ଶୁଭମ । ଗୀତିକାର ନିର୍ମଳ ନାୟକ, ଦୀପକ ଜେନା ଓ ରଞ୍ଜନ ନାୟକଙ୍କ ଗୀତରେ କଣ୍ଠଦାନ କରିଛନ୍ତି କୁଲଦୀପ, ଅନ୍ତରା, ଅନୁରାଗ ଦାସ, ଅନନ୍ୟା ଶ୍ରୀତମ ନନ୍ଦ ଓ ଦେବେଶ ପତି । ଅଳ୍ପ ଦିନର ବ୍ୟବଧାନ ପରେ ପୁଣିଥରେ ନାୟକ ଭୂମିକାରେ ବଡ଼ ପରଦାକୁ ଫେରୁଛନ୍ତି ପପୁ । ସିନେମାରେ ଏକ ସଫେଇ କର୍ମଚାରୀ ଭୂମିକାରେ ସେ ନଜର ଆସିବେ । ଯେଉଁଥିରେ ଡେବ୍ୟୁ କରିଛନ୍ତି ନାୟିକା ପ୍ରାଚୀ । ସୁକୁମାର ଟୁଡୁଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଅନ୍ୟାନ୍ୟ ଚରିତ୍ରରେ ଦୀପାନ୍ୱିତ ଦାସ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ଟୁକୁନା ଷ୍ଟାଇଲିସ ଓ ମନୋଜ ସ୍ୱାଇଁ ନଜର ଆସିବେ। ଡଷ୍ଟବିନରେ ରହିଛି ସସ୍ପେନ୍ସ ଥ୍ରୀଲର । ଏଥିରେ ଲଭ, ରୋମାନ୍ସ, ଆକ୍ସନ, ଇମୋସନ ସବୁକିଛି ଦେଖିବାକୁ ପାଇବେ ଦର୍ଶକ । ସାଧାରଣ ପ୍ରେମ କାହାଣୀରେ ଡଷ୍ଟବିନ କେମିତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ, ତାର ନିଆରା ନଜିର ରହିଛି ଏହି ଚଳଚ୍ଚିତ୍ରରେ । ଏପ୍ରିଲ ୧୧ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପିକେ ଫିଲ୍ମ ପକ୍ଷରୁ ସୂଚନା ଦିଆଯାଇଛି ।

ଅଶ୍ଲୀଳତା ବିନା ବି ବଞ୍ଚିପାରିବ କଳା: ଖଣ୍ଡଗିରି ଯାତ୍ରାରେ ଦର୍ଶକ ଦେଲେ ବଡ଼ ପ୍ରମାଣ

ଭୁବନେଶ୍ବର: ଦର୍ଶକଙ୍କ ମନ ଜିଣିଲା ସଂଳାପ । ରାତି ତମାମ ବାନ୍ଧି ରଖିଲା କଳାକାରଙ୍କ ନିଚ୍ଛକ ଅଭିନୟ । ଅଶ୍ଳୀଳତା ଶୂନ୍ୟ ସତ୍ତ୍ବେ ଯାତ୍ରା ଦେଖିବାକୁ ଖଚାଖଚ ଭିଡ଼ । ଲୋକଙ୍କୁ ହସ କାନ୍ଦରେ ମତୁଆଲା କଲା ନାଟ୍ୟକାରଙ୍କ କାହାଣୀ । ଖଣ୍ଡଗିରି ଯାତ୍ରା ମହାସମରର ଦ୍ବିତୀୟ ଦିନରେ ଦର୍ଶକଙ୍କ ଆଗ୍ରହକୁ ଦେଖି ୪ଟି ପାର୍ଟି ସେମାନଙ୍କ ନାଟକ ରିପିଟ୍ କରିଥିବାବେଳେ ମୈଦାନକୁ ଓହ୍ଲାଇଛନ୍ତି ଆଉ ଦୁଇଟି ଯାତ୍ରାର ଦଳ । ଦ୍ବିତୀୟ ଦିନରେ ଯାତ୍ରା ମହାସମରରେ ସାମିଲ ହୋଇଛନ୍ତି ଦୂର୍ଗା ମନ୍ଦିର ଓ ଯାତ୍ରା ଯାଜ୍ଞସେନୀ । ଜାଗମରା ମାଆ ମଙ୍ଗଳା ସଂସ୍କୃତିକ ପରିଷଦ ପଡ଼ିଆରେ ପ୍ରଥମ ରାତିରେ ଦୁର୍ଗା ମନ୍ଦିର ନାଟକ ପରିବେଷଣ କରିବ ଡିଏସପି ଦୁର୍ଗା । ଡଲି ଭୂୟାଁଙ୍କ ଟାର୍ଗେଟରେ ନଣ୍ଡା ରଞ୍ଜିତ । କ୍ରାଇମ ଓ କ୍ରିମିନାଲ ହୋସ ଉଡାଇବ ଦୁର୍ଗା । ସେହିଭଳି ବରମୁଣ୍ଡାର ବାବା ନୀଳକଣ୍ଠଶ୍ୱର ଯାତ୍ରା କମିଟି ପଡ଼ିଆରେ ଯାତ୍ରା ଯାଜ୍ଞସେନୀ ଖେଳିବ ପାଞ୍ଚ ପତିର ସ୍ୱାମୀ। ଖଳନାୟକ ଅଭିନ୍ନ, ମିନୁ, ବର୍ଷା ଓ ଏକାଧିକ ଟେଲି ଅଭିନେତା ସାଜିବେ ଆକର୍ଷଣ ।

ସେପଟେ ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମହାସମରକୁ ଫାଇଟ କରୁଥିବା ୪ ପାର୍ଟି ପୃଥ୍ୱୀରାଜ, ସୂର୍ଯ୍ୟ ମନ୍ଦିର, ଶିବାନୀ ଓ ଯାତ୍ରାଶ୍ରୀ ବିଶ୍ୱ ଦରବାର ସେମାନଙ୍କ ନାଟକ ରିପିଟ କରୁଛନ୍ତି । ରାଜଧାନୀ ରଜନୀ ଗନ୍ଧାରେ ରାଣୀ ପଣ୍ଡାଙ୍କ ବେଶ୍ୟା କୋଠିର ବାଇ ନାଟକକୁ ପସନ୍ଦ କରିଛନ୍ତି ଦର୍ଶକ । ସେହିଭଳି ଅପେରା ସୂର୍ଯ୍ୟ ମନ୍ଦିରର ଗ୍ୟାଙ୍ଗଷ୍ଟର ପ୍ରେମ କାହାଣୀକୁ ନେଇ ନାଟକ ହାଇଦର ପ୍ରଥମ ଦିନରୁ ହାଉସଫୁଲ ରହିଛି । ଅନ୍ୟପଟେ ଶିବାନୀ ଆଜି ବି ହାଃ କୃଷ୍ଣ ବୋଲି ଯାଉ ଜୀବ ଓ ଯାତ୍ରାଶ୍ରୀ ବିଶ୍ବଦରବାର କହିବାକୁ ଲାଜ ଶୁଣିବାକୁ ପାପ ନାଟକ ଦ୍ବିତୀୟ ରଜନୀରେ ମଞ୍ଚସ୍ଥ କରୁଛି  ଅଶ୍ଳୀଳତା ନଥିଲେ ସୁଦ୍ଧା ଯାତ୍ରାର ସଂଳାପ, କଳାକାରଙ୍କ ଜୀବନ୍ତ ଅଭିନୟ ଓ ନାଟ୍ୟକାରଙ୍କ କାହାଣୀ ଯେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ପାରେ, ଏହା ପ୍ରଥମ ଦିନ ଖଣ୍ଡଗିରି ଯାତ୍ରା ମହାସମରରେ ପ୍ରମାଣିତ ହୋଇଛି ।

ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଡ୍ରେସ ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ

ପୁରୀ: ସ୍ମାର୍ଟ ହେବେ ସ୍କୁଲ ଛାତ୍ରଛାତ୍ରୀ । ମିଳିବ କ୍ବାଲିଟି ସାମଗ୍ରୀ । ପ୍ରାଥମିକ ସ୍ତରରୁ ମିଳିବ ଉନ୍ନତ ଭିତ୍ତିଭୂମି ସହ ଉନ୍ନତ ବ୍ୟବସ୍ଥା । ଏକଥା ଆମେ କହୁନୁ । ସଭାମଞ୍ଚରେ ଘୋଷଣା କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ହେଲେ ପୁରୀରେ ପ୍ରାଥମିକ ଶିକ୍ଷା ବିଭାଗରେ ବଡ ଦୁର୍ନୀତି ଏବେ ସାମ୍ନାକୁ ଆସିଛି । ପେଣ୍ଠକଟା ସ୍ଥିତ ସେଚନ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଆସିଥିବା ପୋଷାକ ନମୁନା ନିମ୍ନ ମାନର କପଡ଼ା ଓ ଦୁର୍ବଳ ସିଲେଇ ହୋଇଥିବା ନଜରକୁ ଆସିଛି । ସ୍କୁଲ ପରିଚାଳନା କମିଟି ଅଭିଯୋଗ ଆଣିଥିବା ବେଳେ ସମାନ କଥା ମଧ୍ୟ କହିଛନ୍ତି ସ୍କୁଲର ପ୍ରଧାନଶିକ୍ଷକ । ଗତ ବର୍ଷ ସ୍କୁଲରେ ଉନ୍ନତ ମାନର ଡ୍ରେସ ମିଳିଥିବାବେଳେ ଚଳିତ ବର୍ଷ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ଯେଉଁଠି ଆରମ୍ଭରୁ ସ୍କୁଲ ଡ୍ରେସ୍ ବଣ୍ଟନରେ ଅନିୟମିତତା ସାମ୍ନାକୁ ଆସିଲାଣି ସେଠି ଶିକ୍ଷା ବ୍ୟବସ୍ଥାର ଚିତ୍ର କିପରି ହେବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ । ସ୍କୁଲ କମିଟିର ଅଭିଯୋଗ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖକୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଚିଠି ପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ବରଂ ପୁରୀ ସଦର ବ୍ଲକରେ ୨୩୮ ଟି ସ୍କୁଲ ରୁ ୯୯ ପ୍ରତିଶତ ସ୍କୁଲରେ ଡ୍ରେସ୍ ବଣ୍ଟା କାର୍ଯ୍ୟ ଶେଷ ହେଲାଣି । ଜିଲ୍ଲାର ଭିଭିନ୍ନ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଡ୍ରେସ୍ ପ୍ରସ୍ତୁତ କରିବାକୁ ୭ ଟି SHG ଏବଂ ୭ ଗୋଟି SMEକୁ ଦାୟିତ୍ଵ ଦିଆଯାଇଛି । ସେପଟେ ବିଇଓ ଏନେଇ ଅବଗତ ଥିବାବେଳେ ସମସ୍ୟାକୁ ଅନୁଧ୍ୟାନ କରି ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି । ରାଜ୍ୟରେ ବିଦ୍ୟାଳୟମାନଙ୍କରେ ରୂପାନ୍ତରଣ ଜରିଆରେ ପୂର୍ବ ସରକାର ଶିକ୍ଷା କ୍ଷେତ୍ରରେ ନୂଆ ସଂସ୍କାର ଆଣିଥିବା ବେଳେ ଏବେ ରାଜ୍ୟରେ ସରକାର ବଦଳିବା ପରେ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ପରିଲିକ୍ଷିତ ହୋଇଛି।

ଟିମ୍‌ ଇଣ୍ଡିଆ ପାଇଁ ଲକି ଓଡ଼ିଶା: ଭାରତ ସପକ୍ଷରେ ବାରବାଟୀର ବିଜୟ ରେକର୍ଡ

କଟକ: ସୁପର ସଣ୍ଡେରେ ସୁପର ମୁକାବିଲା । କଟକରେ ଖେଳାଯିବ ଭାରତ-ଇଂଲଣ୍ଡ ମଧ୍ୟରେ ଦିବାରାତ୍ର ଏକଦିବସୀୟ ମ୍ୟାଚ । ବାରବାଟୀରେ ଟିମ୍ ଇଣ୍ଡିଆର ରେକର୍ଡ ବେଶ ଭଲ ଥିବାରୁ ଏହି ମ୍ୟାଚ ଜିତି ସିରିଜ୍ କବଜା କରିବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଏହାସହ ଫିଲ୍ଡ ଯେଉଁପରି ଭାବେ ପ୍ରସ୍ତୁତ କରାଯାଇଛି, ନିଶ୍ଚିତଭାବେ ଏକ ହାଇସ୍କୋରିଂ ମ୍ୟାଚକୁ ଦର୍ଶକ ଉପଭୋଗ କରିବେ ବୋଲି କହିଛନ୍ତି ଅଧିକାରୀ ।

ବାରବାଟୀରେ ହେବ ଚୌକା, ଛକାର ବର୍ଷା । ଏକ ହାଇସ୍କୋର ମ୍ୟାଚ ପାଇଁ ପ୍ରସ୍ତୁତ ଗ୍ରାଉଣ୍ଡ । ମ୍ୟାଚ ହାତେଇ ସିରିଜ କବଜା କରିବ ଟିମ୍ ଇଣ୍ଡିଆ । ରବିବାର କଟକରେ ହେବ ହାଇଭୋଲ୍ଟେଜ ଲଢେଇ । ସିରିଜର ଦ୍ବିତୀୟ ଦିନିକିଆରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ରେକର୍ଡ କହୁଛି ବାରବାଟୀ ଭାରତୀୟ ଦଳ ପାଇଁ ବେଶ ଶୁଭ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ୫ଟି ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଭାରତ ୩ଟି ବିଜୟ ହାସଲ କରିଥିଲା ବେଳେ ଇଂଲଣ୍ଡ ୨ଟି ଜିତିଛି । ୧୯୮୨ ଓ ୧୯୮୪ ରେ ଖେଳାଜିଥିବା ପ୍ରଥମ ଦୁଇଟି ମୁକାବିଲାର ପ୍ରଥମେ ମ୍ୟାଚକୁ ୫ ୱକେଟରେ ଭାରତ ଜିତିଥିଲା ବେଳେ ଦ୍ୱିତୀୟ ମ୍ୟାଚକୁ ୧ ରନରେ ଜିତିଥିଲା ଇଂଲଣ୍ଡ । ଏହାପରେ ଦୀର୍ଘ ୧୮ ବର୍ଷ ପରେ ୨୦୦୨ରେ ତୃତୀୟ ମ୍ୟାଚରେ ୧୬ ରନରେ ଭାରତକୁ ହରାଇଥିଲା ଇଂଲଣ୍ଡ । ୨୦୦୮ ଓ ୨୦୧୭ ରେ ବାରବାଟୀରେ ଖେଳାଯାଇଥିବା ଦୁଇଟି ମ୍ୟାଚକୁ କ୍ରମାଗତ ଭାବରେ ୬ ୱକେଟ ଓ ୧୫ ରନରେ ଜିତିଛି ଟିମ୍ ଇଣ୍ଡିଆ । ଏଥର ବ୍ଲାକ୍ ପିଚ୍ ରେ ହେବ ମ୍ୟାଚ୍ । ତେଣୁ ଏକ ହାଇସ୍କୋରିଂ ମ୍ୟାଚକୁ ଦର୍ଶକ ଉପଭୋଗ କରିବେ ।

ଦିବାରାତ୍ର ମ୍ୟାଚ ହୋଇଥିବାରୁ ଡିୟୁ ଫ୍ୟାକ୍ଟର ରହିପାରେ ବୋଲି ଆଶଂକା କରିଛନ୍ତି କ୍ରୀଡ଼ାବିତ । ଦ୍ୱିତୀୟ ବ୍ୟାଟିଂ ରେ ବିଜୟ ସମ୍ଭାବନା ଅଧିକ । ବାରବାଟୀ ବ୍ୟାଟିଂ ଟ୍ରାକ ହୋଇଥିବାରୁ ୨୦୧୭ରେ ଖେଳାଯାଇଥିବା ଶେଷ ମ୍ୟାଚରେ ଯୁବରଜ ସିଂ ୧୨୭ ବଲରୁ ଧୂଆଁଦାର ୧୫୦ ରନ୍ ଓ ଏମ. ଏସ. ଧୋନୀଙ୍କ ୧୩୪ ରନ ବଳରେ ଭାରତ ୩୮୧ ରନର ଏକ ବିଶାଳ ସ୍କୋର ଛିଡା କରିଥିଲା । ଜବାବରେ ଏହି ବ୍ୟାଟିଂ ଟ୍ରାକର ଫାଇଦା ଉଠାଇ ୩୬୬ ରନ କରି, ମାତ୍ର ୧୫ ରନ ପରାସ୍ତ ହୋଇଥିଲା ଭ୍ରମଣକାରୀ ଇଂଲଣ୍ଡ । ତେଣୁ ୯ ତାରିଖରେ ମ୍ୟାଚ ଜିତି ସିରିଜ କବଜା କରିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ବାରବାଟୀ ବିଜୟ ରେକର୍ଡ ଭାରତ ପକ୍ଷରେ ଥିବାରୁ ଇଂଲଣ୍ଡ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ରହିବ ।

ନୂଆ ସରକାରରେ ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ: ପିଆଜ ଚାଷରୁ ମୁହଁ ଫେରାଇ ନେଲେଣି ଚାଷୀ

ଧର୍ମଗଡ଼: କଳାହାଣ୍ଡି ଧର୍ମଗଡ ଉପଖଣ୍ଡରେ ଆଉ ପିଆଜ ଚାଷ ପ୍ରତି ମନ ବଳାଉ ନାହାଁନ୍ତି ଚାଷୀ । ନା ଅଛି ନୂଆ ସରକାରରେ ପ୍ରୋତ୍ସାହନ ନା ଅଛି ସଂରକ୍ଷଣ ବ୍ୟବସ୍ଥା । ଫଳରେ ଶାଗ ମାଛ ଦରରେ ଚାଷୀ ବସ୍ତା ପିଛା ୫୦୦ ରୁ ୬୦୦ ଟଙ୍କାରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଛି। କିନ୍ତୁ ନିଜେ ଖାଇବା ପାଇଁ ଚଢା ଦରରେ କିଲୋ ପ୍ରତି ୭୦ ରୁ ୮୦ ଟଙ୍କାରେ କିଣୁଛନ୍ତି । ଅଞ୍ଚଳରେ ପ୍ରତିବର୍ଷ ଅମଳ ହେଉଛି ୨ ହଜାର ମେଟ୍ରିକ ଟନ ପିଆଜ । ହେଲେ ଅମଳ ଫସଲକୁ ସଂରକ୍ଷିତ କରି ରଖିବା ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ ।

ଚଳିତ ବର୍ଷ କେଉଁଠି ପିଆଜ ଅମଳ ହେଲାଣି ତ ଆଉ କେଉଁଠି ଚାଲିଛି ରୋପଣ । ଧର୍ମଗଡ ଉପଖଣ୍ଡର ଧର୍ମଗଡ, ଗୋଲାମୁଣ୍ଡା, କୋକସରା, କଲମପୁର, ଜୁନାଗଡ଼ ଓ ଜୟପାଟଣା ବ୍ଳକରେ ପାଖାପାଖି ୩୦ରୁ ଉର୍ଦ୍ଧ୍ଵ ଗାଁରେ ୨ ହଜାରରୁ ଉର୍ଦ୍ଧ୍ଵ ଏକର ଜମିରେ ହୋଇଛି ପିଆଜ ଚାଷ । ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ଜିଲ୍ଲାରେ ସାମାନ୍ୟ କମ୍ ପିଆଜ ଚାଷ ହୋଇଛି । ତେବେ ଚଳିତ ବର୍ଷ ଚଢା ଦରରେ ପିଆଜ ବିକ୍ରି ହେବା ନେଇ ଆଶଙ୍କା ରହିଛି । ଏପଟେ ବିଭାଗୀୟ ଅଧିକାରୀ କହିଛନ୍ତି କିଛି ଅସୁବିଧା ହେବ ନାହିଁ । ପୂର୍ବ ସରକାର କୃଷି ଓ କୃଷକଙ୍କୁ ଗୁରୁତ୍ଵ ଦେବା ସାଙ୍ଗକୁ ମାଗଣା ବିହନ କୀଟନାଶକ ଓ ସବସିଡି ବ୍ୟବସ୍ଥା ଯୋଗାଇଦେଉଥିଲେ । ଏବେ ନୂଆ ସରକାରରେ ଏସବୁ ବ୍ୟବସ୍ଥା ନଥିବାରୁ ପିଆଜ ଚାଷର ହବ ପାଲଟି ଥିବା ଧର୍ମଗଡରେ ଏବେ ପିଆଜ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।

ଜୀବନ ପାଲଟିଛି ଯନ୍ତ୍ରଣା: ଦୃଷ୍ଟିହୀନ ସାଙ୍ଗକୁ କର୍କଟ ରୋଗରେ ଆକ୍ରାନ୍ତ, ଅସହ୍ୟ ଯନ୍ତ୍ରଣାରେ ଛଟପଟ ୨ ନିଷ୍ପାପ ଶିଶୁ

ଯାଜପୁର: ଜୀବନ ପାଲଟିଛି ଯନ୍ତ୍ରଣା । ଖେଳକୁଦ ବୟସରେ ଯନ୍ତ୍ରଣାରେ ଛଟପଟ ଜୀବନ । ଅଭାବ ଅନଟନ ଭିତରେ ରୋଗର ଦାଉ । ବଡ ପୁଅର ଗୋଟିଏ ଆଖିକୁ ଦେଖାଉନଥିବା ବେଳେ ସାନ ପୁଅ ଜନ୍ମରୁ ଦୃଷ୍ଟିବାଧିତ ସାଙ୍ଗକୁ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବଡ଼ ତ୍ରିଲୋଚନପୁର ଗାଁରେ । ଏହି ଗାଁରେ ରୁହନ୍ତି ଅନୀଲ ମାଝୀଙ୍କ ପରିବାର । ହେଲେ ଏହି ପରିବାର ଉପରେ ଦୁଃଖର କଳାବାଦଲ ମାଡି ବସିଛି । ଅନୀଲଙ୍କ ବଡ଼ ପୁଅ ସୁନୀଲର ଗୋଟିଏ ଆଖିକୁ ଦେଖାଯାଉ ନଥିବା ବେଳେ ସାନ ପୁଅ ଗଣେଷ ଜନ୍ମରୁ ଦୃଷ୍ଟିହୀନ ସହ ଏବେ ରକ୍ତ କର୍କଟ ରୋଗରେ ପୀଡ଼ିତ ।

ଗଣେଶ ୯ ବର୍ଷର ହୋଇଥିବା ବେଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି । ଚିକିତ୍ସା ପାଇଁ ମେଡିକାଲ ଦୌଡ଼ି ଦୌଡ଼ି ସର୍ବସ୍ବାନ୍ତ ହେଲେଣି ପରିବାର। ବର୍ତ୍ତମାନ ତାଙ୍କର କେମୋ ଚିକିତ୍ସା ଚାଲିଥିବା ବେଳେ ଚିକିତ୍ସା ନିମନ୍ତେ ଅର୍ଥ ବାଧକ ସାଜିଛି। ସେପଟେ ସୁନୀଲର ଗୋଟିଏ ଆଖିକୁ ଦେଖାଯାଉ ନଥିବାରୁ ସେ ସ୍କୁଲ୍ ଯିବା ଓ ପାଠ ପଢି଼ବାରେ ସମସ୍ୟା ଭୋଗୁଛନ୍ତି । ଏଭଳି ସ୍ଥିତରେ ୨ ପୁଅଙ୍କ ଚିକିତ୍ସା ନିମନ୍ତେ ସରକାରୀ କିମ୍ବା ବେସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ।

ଅନୀଲ ଦିନ ମଜୁରିଆ ହୋଇଥିବାରୁ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର । ଦିନରେ କାମ କରିବାକୁ ଗଲେ ସନ୍ଧ୍ୟାରେ ଘରେ ଚୁଲି ଜଳେ । ଓଳିଏ ଖାଇଲେ ଓଳିଏ ଉପାସ। ଯେଉଁଠି ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ଼ କରିବା ତାଙ୍କ ପାଇଁ କଷ୍ଟକର ସେଠି ପୁଅର ଚିକିତ୍ସା ବା କେମିତି ହେବ। ଏଭଳି ପରିସ୍ଥିତିରେ ୨ ପୁଅଙ୍କ ଚିକିତ୍ସା ପାଇଁ ଅର୍ଥ ଆଣିବେ କେଉଁଠୁ। ତେଣୁ ତୁରନ୍ତ ସରକାର ଏମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି କୋରେଇ ବିଡିଓ। ଗୋଟିଏ ପଟେ ଦାରିଦ୍ର୍ୟର ତାଡନା ଓ ଅନ୍ୟପଟେ ପୁଅର ଯନ୍ତ୍ରଣା, ଏହା ଭିତରେ ସନ୍ତୁଳି ହୋଇଯାଉଛି ଜୀବନ। ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ଟିକେ ମିଳିପାରିଲେ ନିଷ୍ପାପ ଶିଶୁଙ୍କ ମୁହଁରେ ହସ ଫୁଟି ପାରନ୍ତା।

ଭାରତୀୟ ବଜାରରୁ ବିଦେଶୀ ନିବେଶକ କାହିଁକି ଦୂରେଇ ଯାଉଛନ୍ତି, କାରଣ କହିଲେ ଏକ୍ସପର୍ଟ

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଆପଣମାନେ ଶୁଣିଥିବେ, ଡଲାର ବଢ଼ିଲେ ଟଙ୍କା ଆମେରିକା ଆଡ଼କୁ ବଢ଼ିଯାଇଥାଏ । ସେହିପରି ଡଲାର ତଳକୁ ଖସିଲେ ଟଙ୍କା ବଢ଼ିଥିବା ବଜାରକୁ ପୁଣି ଫେରିଯାଇଥାଏ । ଭାରତୀୟ ବଜାର ପାଇଁ ବିଦେଶୀ ନିବେଶକ ଏକ ବଡ଼ ଭୂମିକା ନିର୍ବାହ କରିଥାନ୍ତି । ମାତ୍ର ଗତ କିଛି ଦିନ ହେଲା ଫରେନ ଇନଭେଷ୍ଟର୍ସଙ୍କ ଆଉଟଫ୍ଲୋ ବଢ଼ିବାରେ ଲାଗିଛି । କେବଳ ଜାନୁଆରୀ ମାସର କଥା ଯଦି କହିବା, NSDLର ତଥ୍ୟ ମୁତାବକ, ଗତ ମାସରେ ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ବଜାରରୁ ୭୭ ହଜାର କୋଟି ବିକ୍ରି କରିଛନ୍ତି । ବିଦେଶୀ ନିବେଶକ ଭାରତୀୟ ବଜାରରୁ ନିଜର ଅର୍ଥ ଉଠାଇ ଅନ୍ୟ ଦେଶର ବଜାରରେ ଲଗାଇଛନ୍ତି । ତେଣୁ ଏପରି କାହିଁକି ଘଟୁଛି ସେନେଇ ଦେଶବାସୀଙ୍କ ମନରେ ପ୍ରଶ୍ନ ଉଠିବା ଆବଶ୍ୟକ । ଏହା ପଛର କାରଣ ବିଷୟରେ କହିଛନ୍ତି ଏକ୍ସପର୍ଟ ।

ଗତ ଜାନୁଆରୀ ମାସରେ ବିଦେଶୀ ସଂସ୍ଥାଗତ ନିବେଶକ (FII) ଭାରତୀୟ ଶେୟାର ବଜାରରୁ ୭୭ ହଜାର କୋଟି ଟଙ୍କାରୁ ଅଧିକ ବିକ୍ରି କରିଛନ୍ତି । ୩ ମାସରେ ୧.୭୭ ଲକ୍ଷ କୋଟି ଟଙ୍କା ବିକ୍ରି ହୋଇଛି । ଏକ୍ସପର୍ଟଙ୍କ ମୁତାବକ, FIIsର ପ୍ରାଥମିକତା ହାଇ ରିଟର୍ଣ୍ଣ ହୋଇଥାଏ । ବିଦେଶୀ ନିବେଶକ ବଜାରେ ସ୍ଥିରତା, ଲିକ୍ବିଡିଟୀ ଓ ଟ୍ୟାକ୍ସ ସହ ଜଡ଼ିତ ଆଦି ବିଷୟକୁ ଦେଖି ବଜାରରୁ ନିବେଶର ଅର୍ଥ ଫେରାଇ ନେଉଛନ୍ତି । ଗତ ୨୦ ବର୍ଷରେ ନିଫ୍ଟୀରେ ଆଭରେଜ ୧୪.୫ ପ୍ରତିଶତ ରିଟର୍ଣ୍ଣ ପ୍ରତି ବର୍ଷ ମିଳୁଛି, ଯାହାକି ଦେଖିବାକୁ ବହୁତ ଆକର୍ଷକ ଲାଗିଥାଏ । ମାତ୍ର ଯେତେବେଳେ ଏହାକୁ ଡଲାରରେ ଦେଖାଯାଏ, ତାହା ସେତେଟା ଦେଖାଯାଇନଥାଏ । କାରଣ ୨୦ ବର୍ଷ ପୂବର୍ରୁ ୧ ଡଲାର ୪୦ ଟଙ୍କାର ଥିଲା, ମାତ୍ର ଏବେ ତାହା ୮୭ ଟଙ୍କା ହୋଇଯାଇଛି । ଅର୍ଥାତ ଟଙ୍କାର ମୂଲ୍ୟ ଅଧାରୁ ବି କମ୍ ହାଇଯାଇଛି ।

ଅନ୍ୟପକ୍ଷରେ FIIs ଡଲାରରେ ନିବେଶ  କରିଥାନ୍ତି ଓ ଡଲାରରେ ଉଠାଇଥାନ୍ତି । ତେଣୁ ହ୍ରାସ ଦ୍ବାରା ସେମାନଙ୍କର ରିଟର୍ଣ୍ଣ ଉପରେ ପ୍ରଭାବ ପଡ଼ିଥାଏ । FIIsଙ୍କୁ ଡଲାରେ ଫାଇଦା ହୋଇଥାଏ । ସେଥିପାଇଁ ସେମାନେ ହ୍ରାସ ସମୟରେ ନିଜର ଅର୍ଥ ଉଠାଇ ନେଇଥାନ୍ତି, କାରଣ ସେମାନଙ୍କୁ ସେତେଟା ରିଟର୍ଣ୍ଣ ମିଳିନଥାଏ । ଟଙ୍କାର ନିମ୍ନମୁଖୀ ବ୍ୟତୀତ FIIsଙ୍କୁ ଭାରତରେ ଅନ୍ୟ ଏକ ସମସ୍ୟା ରହିଛି । ସେହି କାରଣରୁ ସେମାନେ ଅର୍ଥ କାଢ଼ି ନିଅନ୍ତି । FIIs ଆଗରେ ଭାରତର ଟ୍ୟାକ୍ସ ସିଷ୍ଟମ ମଧ୍ୟ ଏକ ସମସ୍ୟା । ଭାରତରେ ନିବେଶ କଲେ ବିଦେଶୀ ନିବେଶକଙ୍କୁ ଲଙ୍ଗ ଟର୍ମରେ ୧୨.୫ ପ୍ରତିଶତ ଗେନ ଟ୍ୟାକ୍ସ ଦେବାକୁ ପଡ଼ିଥାଏ । ଅନ୍ୟପକ୍ଷରେ ଆମେରିକାରେ ନିବେଶ କଲେ ତାଙ୍କୁ ବିଲକୁଲ ଟ୍ୟାକ୍ସ ଦେବାର ଆବଶ୍ୟକତା ପଡ଼ିନଥାଏ ।

ଗର୍ଭବତୀ ମହିଳାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ ଜଣେ ଯୁବକ

ନନ୍ଦିଘୋଷ ବ୍ୟୁରୋ: ଗର୍ଭବତୀ ମହିଳାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ ଜଣେ ଯୁବକ। ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ପରେ ଯୌନ ଶୋଷଣକୁ କରିବାକୁ ଚେଷ୍ଟା କରୁଥିଲା ଯୁବକ। ମହିଳା ବିରୋଧ କରିବାକୁ ଚଳନ୍ତା ଟ୍ରେନରୁ ମହିଳାଙ୍କୁ ଧକ୍କା ଦେଲା ଯୁବକ । ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ବର୍ତ୍ତମାନ ଏକ ସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ଏଭଳି ଅଭାବନୀୟ ଘଟଣା ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାରେ।

ସୂଚନା ଅନୁଯାୟୀ, ତାମିଲନାଡୁର ଭେଲୋର ଜିଲ୍ଲାରେ ଫେବୃଆରୀ ୬ ରାତିରେ ଜଣେ ଗର୍ଭବତୀ ମହିଳା ତିରୁପତି ଇଣ୍ଟରସିଟି ଏକ୍ସପ୍ରେସ ଯୋଗେ ଆନ୍ଧ୍ରପ୍ରଦେଶ ଚିତ୍ତୋରକୁ ଯାଉଥିଲେ। ଟ୍ରେନ ଷ୍ଟେସନ ଛାଡିବା ପରେ ୨୭ ବର୍ଷୀୟ ହେମରାଜ ଟ୍ରେନରେ ଚଢିଥିଲେ। ମହିଳା ଏକା ବସିଥିବା ଦେଖି ତାଙ୍କୁ ଦୁର୍ବ୍ୟବହାର କରିବା ସହ ପରେ ଯୌନ ଶୋଷଣ କରିବାକୁ ଚେଷ୍ଟା କରିଥିଲା ଯୁବକ। ଯେତେବେଳେ ମହିଳା ତାଙ୍କୁ ବିରୋଧ କରିଥିଲେ ସେତେବେଳେ ଯୁବକ ଜଣଙ୍କ ଚଳନ୍ତା ଟ୍ରେନରୁ ମହିଳାଙ୍କୁ ଧକ୍କା ଦେଇଥିଲା । ଚଳନ୍ତା ଟ୍ରେନରୁ ପଡ଼ି ଗର୍ଭବତୀ ମହିଳାଙ୍କ ଗୋଡ଼ ଏବଂ ହାତରେ ଫ୍ରାକ୍ଚର ଆସିଥିଲା ଏବଂ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି। ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଏନେଇ ଜୋଲାରପେଟାଇ ରେଳବାଇ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

 

ପିଜୁଳି ଚାଷ ଦେଉଛି ରୋଜଗାର: ୫ ହଜାରରୁ ଅଧିକ ଗଛ ଲଗାଇ ଅନ୍ୟ ପାଇଁ ସୃଷ୍ଟି କରୁଛନ୍ତି ନିଯୁକ୍ତି ସୁଯୋଗ

ପୋଲସରା: ଧାଡିକି ଧାଡି ଲାଗିଛି ପିଜୁଳି ଗଛ । ଏ ହେଉଛି ହିଞ୍ଜିଳିକାଟୁ ଗାଗନାପୁର ଗାଁର ପାହାଡ ପାଦଦେଶରେ ଥିବା ସୁଶାନ୍ତ କୁମାର ପଣ୍ଡାଙ୍କ ପିଜୁଳି ଫାର୍ମ । ଦିନଥିଲା ଏହି ଜମିଟି ପଥୁରିଆ ଥିବାରୁ ଏଠାରେ କୌଣସି ଚାଷ ହୋଇପାରୁନଥିଲା । କିନ୍ତୁ ସୁଶାନ୍ତ ନିଜର ଦୃଢ ଉଦ୍ୟମ ବଳରେ ଏଠାରେ ପ୍ରଥମ ପର୍ଯ୍ୟାୟରେ ୫ ହଜାରରୁ ଅଧିକ ପିଜୁଳି ଗଛ ଲଗାଇ ବେଶ ସଫଳ ହୋଇପାରିଛନ୍ତି । ଫାର୍ମରୁ ଏବେ ଦୈନିକ ଶହ ଶହ କିଲୋ ପିଜୁଳି ଆଦାୟ ହେଉଥିବା ବେଳେ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ସୁଶାନ୍ତ । ଏବଂ ଫାର୍ମରେ ପାଖ ଗାଁର କିଛି ଲୋକଙ୍କୁ କାମ ଦେଇ ରୋଜଗାର ଦେଇପାରିଛନ୍ତି ।

ଖାଲି ସେତିକି ନୁହେଁ ବିନା ପିଡିଆରେ ଏହି ପିଜୁଳି ଚାଷ ହୋଇପାରିଥିବା ବେଳେ ଏଠାରୁ ଆଦାୟ ହେଉଥିବା ଗୋଟିଏ ପିଜୁଳି ପ୍ରାୟ ୩୫୦ ରୁ ୫୦୦ ଗ୍ରାମ ବୋଲି ମଧ୍ୟ କୁହାଯାଉଛି । ଏଠାରୁ ଆଦାୟ ପିଜୁଳିକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିବା ବେଳେ ବଜାରରେ ମଧ୍ୟ ଏହାର ବେଶ ଚାହିଦା ରହିଛି । ଆଗକୁ ମଧ୍ୟ ପିଜୁଳିକୁ ବାହାର ରାଜ୍ୟକୁ ପଠାଯିବା ପାଇଁ ଉଦ୍ୟମ କରାଯାଉଥିବା ନେଇ କୁହାଯାଇଛି । ଜିଲ୍ଲାରେ ପ୍ରଥମ ଥର କରି ପିଜୁଳି ଚାଷ କରି ସାରା ଅଞ୍ଚଳରେ ବେଶ ପରିଚିତ ହୋଇଛନ୍ତି ଚାଷୀ ସୁଶାନ୍ତ କୁମାର ପଣ୍ଡା।