spot_img
Home Blog Page 1092

ୟୁଜିସି ଚିଠା ନିୟାମକ-୨୦୨୫କୁ ନେଇ ବର୍ଷିଲା ବିଜେଡି

ଭୁବନେଶ୍ବର: ୟୁଜିସି ଚିଠା ନିୟାମକ-୨୦୨୫କୁ ନେଇ ବର୍ଷିଲା ବିଜେଡି। ରାଜ୍ୟ ସରକାର ଯେଉଁ ନିୟାମକ ଆଣିଛନ୍ତି ତାହାକୁ ବିଜେଡି ପ୍ରତିବାଦ କରିଛି । ଦଳ କହିଛି- ୟୁଜିସିର କାମ ହେଲା ଗୁଣବତ୍ତା ରକ୍ଷା କରିବା। ୟୁଜିସି ନିୟାମକ କେନ୍ଦ୍ର ସରକାର କରନ୍ତି। ରାଜ୍ୟ ତାହାକୁ କାର୍ଯ୍ୟକାରୀ କରେ। କୁଳପତି ଓ ପ୍ରାଧ୍ଯାପକ ଚୟନ ନିୟମ ଅନୁସାରେ ନ ହେଲେ ଡିଗ୍ରୀ ମିଳିବ ନାହିଁ ବୋଲି ନିୟମ ରହିଛି । ମାତ୍ର ସେସବୁ ନିୟମକୁ ବଳି ଦିଆଯାଇଛି। କୁଳାଧିପତିଙ୍କୁ ଦାୟିତ୍ୱ ଦେବାର ଅର୍ଥ ରାଜନୀତି କାରଣ ବିଭିନ୍ନ କମିସନ ରାଜ୍ୟପାଳ ରାଜନୈତିକ କାମ କରୁଥିବା ନେଇ ଉଲ୍ଲେଖ କରିଛନ୍ତି । ରାଜ୍ଯ ଉଚ୍ଚଶିକ୍ଷାନୁଷ୍ଠାକଗୁଡିକରେ ହସ୍ତକ୍ଷେପ କରି ନିଜ ନିୟନ୍ତ୍ରଣକୁ ଆଣିବାର ଏହା ପ୍ରୟାସ ବୋଲି ବିଜେଡି କହିଛି ।

କୁଳପତି ନିଯୁକ୍ତି ପ୍ରକ୍ରିୟାରେ ଯଦି କୌଣସି ରାଜ୍ୟ ସରକାରଙ୍କ ପ୍ରତିନିଧି ନରହିବେ, କେବଳ ବିଜ୍ଞାପନ ବାହାରିବ ଓ ସେମାନେ ଶିକ୍ଷା ବ୍ୟତୀତ ଅନ୍ୟ କ୍ଷେତ୍ରରୁ ଆସିବେ। ତାହେଲେ ସଂଘୀୟ ସ୍ବୟଂଶାସନ କେଉଁଠି ରହିବ ? ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ହିମାଚଳ ପ୍ରଦେଶ ଝାଡ଼ଖଣ୍ଡ ଏହାକୁ ବିରୋଧ କରିଛନ୍ତି। ଏହି ନିୟାମକ ଦ୍ବାରା କୁଳାଧିପତି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବେ। ଏହି ଚିଠା ନିୟାମକକୁ ସଂଶୋଧନ କରା ନଗଲେ ବିଜେଡି ରାଜରାସ୍ତାକୁ ଆସିବ ବୋଲି ଦିଆଯାଇଛି ଚେତାବନୀ।

ୟୁଜିସି ଚିଠା ନିୟାମକ-୨୦୨୫କୁ ୨୦୧୮ରେ ପ୍ରସ୍ତୁତ କରାଯାଇଥିଲା। ସେଥିରେ ରାଜ୍ଯ ବିଶ୍ବବିଦ୍ୟାଳୟର ସ୍ବୟଂଶାସନ, ନିଯୁକ୍ତି ଆଦି ପ୍ରସଙ୍ଗ ସଂଘୀୟ ବ୍ଯବସ୍ଥା ଉପରେ ପର୍ଯ୍ୟବସିତ ଥିଲା। ମାତ୍ର ବର୍ତ୍ତମାନର ନିୟାମକକୁ ଅନେକ ଆଶଙ୍କା ରହିଥିବା ବିଜେଡି କହିଛି। ସଂଘୀୟ ବ୍ଯବସ୍ଥା ଅନୁସାରେ କୁଳପତି ନିଯୁକ୍ତି କ୍ଷେତ୍ରରେ ରାଜ୍ଯ ସରକାରଙ୍କ ପ୍ରତିନିଧି ରହିବା ଦରକାର। ସବୁ ଅଂଶୀଦାର ମାନଙ୍କ ସହ ଆଲୋଚନା ହେବା ଦରକାର। ନିଯୁକ୍ତି ପାଇଁ ଯେଉଁ ନୀତିନିୟମ ରହିଛି ସେଥିରେ ଯେକୌଣସି ବ୍ଯକ୍ତି କୁଳପତି ହୋଇପାରିବେ। ଏଥିରେ ବାହ୍ୟ ହସ୍ତକ୍ଷେପ ନରହିବା ବିଜେଡିର ମତ। ଦଳ କହିଛି-ସର୍ଚ୍ଚ କମିଟି, ଚୟନ କମିଟିର ସଂଶୋଧନ ହେଉ। ବିଶ୍ଵବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ପାଇଁ ଏହି ନିୟାମକ ଅଣାଯାଇଛି ବୋଲି କହିଛି ବିଜେଡି। ଦଳ ଦାବି କରିଛି ଏହି ଚିଠା ବଦଳାଯାଉ। କାରଣ ଏହା ରାଜ୍ଯର ଜ୍ଞାନର ସ୍ବାର୍ଥ ବିରୋଧୀ।

ହାତ,ଗୋଡ଼ ବାନ୍ଧି ଭାରତୀୟଙ୍କୁ ନିର୍ବାସିତ କରିବାକୁ ନେଇ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ: ଯେଉଁ ଢଙ୍ଗରେ ଆମେରିକା ବେଆଇନ ଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ହାତଗୋଡ଼ ବାନ୍ଧି ସାମରିକ ବିମାନରେ ଭାରତ ଫେରାଇଛି ତାକୁ ନେଇ ଗୁରୁବାର ଦିନ ସଂସଦରେ ହଙ୍ଗାମା ସୃଷ୍ଟି ହୋଇଛି । ବିରୋଧୀ ଦଳ ଏହାକୁ ନେଇ ଲୋକସଭାରେ ତୁମ୍ଭିତୋଫାନ କରିଛନ୍ତି । ଫଳରେ ଲୋକସଭାକୁ ବାଚସ୍ପତି ମଧ୍ୟାହ୍ନ ୧୨ଟା ଯାଏ ସ୍ଥଗିତ ରଖିଥିଲେ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଏହି ଘଟଣାକୁ “ନିରାଶାଜନକ” ବୋଲି ବର୍ଣ୍ଣନା କରିବା ସହିତ “ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) କାହିଁକି ନୀରବ” ବୋଲି ପ୍ରଶ୍ନ ପଚାରିଛନ୍ତି ।

‘ଅମାନବୀୟ’ ଓ ‘ଅପମାନଜନକ’
କଂଗ୍ରେସ ସାଂସଦ ଗୌରବ ଗୋଗୋଇ ସରକାରଙ୍କୁ ନିଶାନାକୁ ନେଇ କହିଛନ୍ତି ଯେ, “ଆମେରିକୀୟ ସରକାରଙ୍କ ଏହି ଆଚରଣରେ ମୁଁ ବହୁତ ନିରାଶ। ଆମେରିକା ଏବଂ ଭାରତ ମଧ୍ୟରେ ଭଲ ସମ୍ପର୍କ ରହିଛି କିନ୍ତୁ ସେମାନେ ଯେଉଁଭଳି ଭାବରେ ୧୦୦ ରୁ ଅଧିକ ଭାରତୀୟ ନାଗରିକଙ୍କୁ ହାତକଡ଼ି ଏବଂ ସାମରିକ ବିମାନରେ ପାଦ ବାନ୍ଧି ଫେରାଇ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଅମାନବୀୟ। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ପ୍ରଧାନମନ୍ତ୍ରୀ ନୀରବ। MEA କାହିଁକି ନୀରବ?…ମୁଁ ଭାବୁଛି MEA ଏବଂ ପ୍ରଧାନମନ୍ତ୍ରୀ ଏ ବିଷୟରେ ଏକ ବିବୃତ୍ତି ଦେବା ଉଚିତ।”

ଅମାନବୀୟ ବ୍ୟବହାରରେ ମୁଁ ସମ୍ପୂର୍ଣ୍ଣ ମର୍ମାହତ
କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, “ଆମେରିକାରୁ ନିର୍ବାସିତ ହୋଇ ଅମୃତସରକୁ ଅଣାଯାଇଥିବା ଭାରତୀୟମାନଙ୍କ ପ୍ରତି ହୋଇଥିବା ଅମାନବୀୟ ବ୍ୟବହାରରେ ମୁଁ ସମ୍ପୂର୍ଣ୍ଣ ମର୍ମାହତ। ସେମାନେ ଅପରାଧୀ ନୁହଁନ୍ତି, ସେମାନେ ଏକ ଉନ୍ନତ ଜୀବନ ଖୋଜିବା ପାଇଁ ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଥିବେ । ପ୍ରଥମ ପ୍ରଶ୍ନ ଯାହା ନିର୍ଣ୍ଣୟ କରିବା ଆବଶ୍ୟକ, ଯାହାର ଉତ୍ତର ଏପର୍ଯ୍ୟନ୍ତ ନାହିଁ, ତାହା ହେଉଛି ସେମାନଙ୍କ ନିର୍ବାସନ ପାଇଁ ଆମେରିକାରେ ଉପଲବ୍ଧ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯାଇଛି କି?”

ସେ ପ୍ରଶ୍ନ କରିଛନ୍ତି ଯେ, “ଯଦି ସେମାନଙ୍କୁ ନିର୍ବାସିତ କରାଯାଇଥିଲା ତେବେ କାହିଁକି ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଶିକୁଳିରେ ବାନ୍ଧି ରଖାଯାଇଥିଲା ? ହାତରେ ହାତକଡ଼ି ସହ ସେମାନଙ୍କୁ କାହିଁକି ଖାଦ୍ୟ ଖାଇବାକୁ ବାଧ୍ୟ କରାଯାଇଥିଲା ? ଏହା ସମ୍ପୂର୍ଣ୍ଣ ଅମାନବୀୟ ଏବଂ ମଧ୍ୟଯୁଗୀୟ। ଆମେ ବର୍ବର ସମୟରେ ବଞ୍ଚୁନାହୁଁ, ପ୍ରତ୍ୟେକ ବ୍ୟକ୍ତିଙ୍କର ମାନବିକ ସମ୍ମାନ ସହିତ ବ୍ୟବହାର କରାଯିବାର ଅଧିକାର ଅଛି। ହଁ, ଆପଣ ସେମାନଙ୍କୁ ଆପଣଙ୍କ ଦେଶରେ ଚାହାଁନ୍ତି ନାହିଁ। ସ୍ପଷ୍ଟ ଭାବରେ, ସେମାନେ ବେଆଇନ ଭାବରେ ପ୍ରବେଶ କରିଥିଲେ। ଆପଣ ସେମାନଙ୍କୁ ଫେରାଇ ଦେଉଛନ୍ତି, ଭାରତ ସରକାର ସେମାନଙ୍କୁ ଫେରାଇ ନେଉଛନ୍ତି କିନ୍ତୁ ଅତି କମରେ ସେମାନଙ୍କୁ ସମ୍ମାନ ଏବଂ ସମ୍ମାନ ସହିତ ଫେରାଇ ଦିଅନ୍ତୁ। ମୁଁ ବୁଝିପାରୁ ନାହିଁ ଯେ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଭାରତୀୟ ନାଗରିକଙ୍କ ପ୍ରତି ଏପରି ଅମାନବୀୟ ବ୍ୟବହାରକୁ କିପରି ସହ୍ୟ କରିପାରିବେ।”

ହାତରେ ହାତକଡି ଗୋଡରେ ଜଞ୍ଜିର, ସତ ବଖାଣିଲେ ଆମେରିକାରୁ ଫେରିଥିବା ଭାରତୀୟ

ନନ୍ଦିଘୋଷ ବ୍ୟୁରୋ: ଲାଜରେ ନଇଁପଡିଥିଲା ଆଖି, ହାତପାଦରେ ଜଞ୍ଜିର ସହିତ ମନରେ କ୍ରୋଧ ଏବଂ ଅପବାଦର ଡର । ଏମିତି କିଛି ଅନୁଭବ ଥିଲା ବିମାନରେ ବନ୍ଦୀ ହୋଇ ବସିଥିବା ନିର୍ବାସିତ ଭାରତୀୟଙ୍କର । ବଡଲୋକ ହେବାର ସ୍ବପ୍ନ ତାଙ୍କୁ ବଳି ପକେଇଦେଇଥିଲା । ଭାବିଥିଲେ ଆମେରିକାରେ ପହଞ୍ଚି ବଡଲୋକ ହେବେ । ହେଲେ ସ୍ବପ୍ନରେ ଲାଗିଯାଇଥିଲା ଟ୍ରମ୍ପଙ୍କ କଳା ଛାୟା । କିଛିଦିନ ବିତିଯାଇଥିଲେ ହୁଏତ ପହଞ୍ଚିଯାଇଥାଆନ୍ତେ ନିଜ ଲକ୍ଷ୍ୟରେ । ହେଲେ ସବୁ ଯୋଜନା ପଣ୍ଡ ହୋଇଗଲା ଟ୍ରମ୍ପଙ୍କ ନୂଆ ଆଇନ ଆଗରେ । ଟ୍ରମ୍ପଙ୍କ ରାଷ୍ଟ୍ରବାଦ ନୀତି, ଅହଙ୍କାରର ବ୍ୟାଖା ଆମେରିକାର ଉଦାରବାଦକୁ ନାକେଦମ କରିଦେଇଥିବା ବେଳେ କେମିତି ବଞ୍ଚିଯାଇଥାଆନ୍ତେ ଏହି ନିର୍ବାସିତ ଭାରତୀୟ ।

ଏ କାହାଣୀ ହେଉଛି ସେହି ହରବିନ୍ଦର, ଯଶପାଲ , ନିକିତା ଏବଂ କେତୁଲ ପଟେଲଙ୍କର । ବହୁ ସ୍ବପ୍ନ ସଜେଇ ସେ ବାହରିଥିଲେ ଆମରିକା । ସେଠାକୁ ଯିବେ ଗୋରା ଲୋକଙ୍କ ଭଳି ରହିବେ ବହୁତ ରୋଜଗାର କରିବେ ଏବଂ ବଡଲୋକ ହୋଇ ଫେରିବେ । କିନ୍ତୁ ବଲିଉଡର ଡଙ୍କି ସିନେମା ଭଳି ତାଙ୍କ ସହିତ ମଧ୍ୟ ଧୋକା ହୋଇଥିଲା । ଭାଙ୍ଗିକି ଚୁରମାର ହୋଇଯାଇତିଲା ସବୁ ସ୍ବପ୍ନ । ଡଙ୍କି ରୁଟ୍ ଦେଇ ଯାତ୍ରା କରିବାବେଳେ କିପରି ମୃତ୍ୟୁକୁ ନିକଟରୁ ଦେଖିଥିଲେ ବଖାଣିଛନ୍ତି ତାଙ୍କ ଭିତରେ ଥିବା ଯଶପାଲ ।

ଏହି କାହାଣୀ ହେଉଛି ଆମେରିକାନ ‘ଡ୍ରିମ୍ର ‘କ୍ରାସ୍ ଲ୍ୟାଣ୍ଡିଂର । ଯାହା ଗତ ବୁଧବାର ଅମୃତସରରେ ଲ୍ୟାଣ୍ଡିଂ ହୋଇଥିଲା । କାହାଣୀର ଅଭିନେତା ହେଉଛନ୍ତି ଯଶପାଲ । ଅମୃତସର ଏୟାରପୋର୍ଟରେ ଓହ୍ଲାଇଥିବା ଯଶପାଲ ବହୁ ସ୍ବପ୍ନ ନେଇ ଜୁଲାଇ ମାସରେ ଆମେରିକା ଯାଇଥିଲେ । ସେଠାରେ ପହଞ୍ଚିବାକୁ ତାଙ୍କୁ ୬ମାସ ସମୟ ଲାଗିଥିଲା । ତା ଭିତରେ ବ୍ରାଜିଲରେ ମଧ୍ୟ ସେ ୬ମାସ ରହିଥିଲେ । ହେଲେ ବିଡମ୍ବନାର କଥାଯେ ଆମେରିକା ବର୍ଡର ପାର କରିବା ପୂର୍ବରୁ ହିଁ ପଡିଯାଇଥିଲେ ପୋଲିସ ହାବୁଡରେ । “ଜାନୁଆରୀ ୨୪ ତାରିଖରେ ଆମେରିକା ସୀମାରୁ ପାଟ୍ରୋଲିଂ ବେଳେ ତାଙ୍କୁ ଗିରଫ କରାଯାଇଥିଲା ।”  ଜଣାନାହିଁ ସେମାନଙ୍କୁ ଆମେରିକା ଏଜେଣ୍ଟ କେଉଁଠୁ ଉଠାଇଲା । କେମିତି ତାଙ୍କ ବିଷୟରେ ସୂଚନା ପାଇଲା । ହେଲେ ହାତରେ ସୁନାର ବ୍ରେସଲେଟ ପିନ୍ଧିବା ସ୍ବପ୍ନ ଦେଖିଥିବା ଯଶପାଲଙ୍କ ହାତରେ ପଡିଗଲା ଜଞ୍ଜିର ।

ଗୁରୁଦାସପୁର ହରଦୋବାଲ ଗାଁର ଜସପାଲଙ୍କ ଆମେରିକା ଗମନର କାହାଣୀ ୨୦୨୪ରେ ଆରମ୍ଭ ହୋଇଥିଲା । ଦିଲ୍ଲୀରୁ ଆମେରିକା ଯିବା ପାଇଁ ବିମାନ ଯୋଗେ ପ୍ରାୟ ୨୫-୩୦ଘଣ୍ଟା ସମୟ ଲାଗୁଥିବା ବେଳେ ତାଙ୍କୁ ୪୪୦୦ଘଣ୍ଟା ବା ୬ମାସ ସମୟ ଲାଗିଥିଲା । ଅମୃତସର ଏୟାରପୋର୍ଟରେ ଆମେରିକା  ବାୟୁ ସେନାର ମାଲବାହୀ ବିମାନ -17ରୁ ଓହ୍ଲାଇଥିବା ଜସପାଲ ବୁଧବାର ରାତିରେ ନିଜ ଗାଁରେ ପହଞ୍ଚିଥିଲେ । ତାଙ୍କ କହିବାନୁଯାୟୀ ବିମାନରେ ତାଙ୍କ ହାତରେ ହାତକଡି ଏବଂ ପାଦରେ ଜଞ୍ଜିର ବନ୍ଧାଯାଇଥିଲା । ବିମାନରେ ତାଙ୍କୁ ବସାଉଥିବା ବେଳେ ତାଙ୍କୁ କୁହାଯାଇନଥିଲା ସେମାନଙ୍କୁ କୁଆଡେ ନିଆଯାଉଥିଲା ।

ହଠାତ ଜଣେ ପୋଲିସ ଅଧିକାରୀ ତାଙ୍କୁ କହିଥିଲେକି ସେମାନଙ୍କୁ ଭାରତ ନିଆଯାଉଛି । କିନ୍ତୁ ତାଙ୍କ ଜଞ୍ଜିର ଅମୃତସର ଏୟାରପୋର୍ଟରେ ଖୋଲାଯାଇଥିଲା । ନିଜ ସହିତ ଘଟିଥିବା ଏହି ଅଘଟଣ ପାଇଁ ଜସପାଲ ଟ୍ରାଭେଲ ଏଜେନ୍ସିକୁ ଦୋଷ ଦେଉଛନ୍ତି । ତାଙ୍କ କହିବାନୁଯାୟୀ ମୁଁ ଏଜେଣ୍ଟକୁ ବୈଧ ଭାବରେ ଆମେରିକାରେ ପ୍ରବେଶ ଲାଗି କହିଥିଲି । କିନ୍ତୁ ସେ ମୋତେ ଧୋକା ଦେଇଥିଲା । ଆମେରିକା ଯିବା ପାଇଁ ଏଜେଣ୍ଟ ସହିତ ଜସପାଲଙ୍କର ୩୦ଲକ୍ଷର ଚୁକ୍ତି ହୋଇଥିଲା ।

୩୦ଲକ୍ଷ ଖର୍ଚ୍ଚ କଲି, ଅବୈଧ ହେଇ ରହିଲି

“ଗତବର୍ଷ ଜୁଲାଇରେ ବିମାନ ଯୋଗେ ବ୍ରାଜିଲ ପହଞ୍ଚିଥିଲି। ମୋତେ ପ୍ରତିଶ୍ରୁତି ଦିଆଯାଇଥିଲା ପରବର୍ତ୍ତୀ ପର୍ଯ୍ୟାୟ ମଧ୍ୟ ବିମାନ ଯୋଗେ ହେବ। ତଥାପି, ଏଜେଣ୍ଟ ପ୍ରତାରଣା କରିଥିଲେ, ସେହି ଏଜେଣ୍ଟ ବେଆଇନ ଭାବରେ ସୀମା ପାର କରିବାକୁ ବାଧ୍ୟ କରିଥିଲେ ।” ଯଶପାଲଙ୍କ କହିବା ଅନୁସାରେ ବ୍ରାଜିଲରେ ଛଅ ମାସ ରହିବା ପରେ ସେ ଆମେରିକା ସୀମା ପାର କରିଥିଲେ । କିନ୍ତୁ ଆମେରିକା ସୀମାରୁ ତାଙ୍କୁ ଗିରଫ କରାଯାଇଥିଲା। “୧୧ ଦିନ ଅଟକ ରଖାଯିବା ପରେ ଘରକୁ ଫେରାଇ ଦିଆଯାଇଥିଲା । ବ୍ରାଜିଲରେ ଜସପାଲ ୬ମାସ କାଳ ଅବୈଧ ଭାବରେ ରହିଥିଲେ । ତାଙ୍କ ପାଖରେ ବୈଧ କାଗଜପତ୍ର ନଥିଲା । ସେନେଇ ସେ କାହାରି ସାହାଯ୍ୟ ନେଇପାରୁନଥିଲେ । ସେ ଲୁଚିଛପି ଜୀବନ କାଟୁଥିଲେ ।  ଆମେରିକା ଯିବାର ସ୍ବପ୍ନ ଯସପାଲଙ୍କର ସମ୍ପୁର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ବେଳେ ଆମେରିକା ଯିବା ପାଇଁ ବହୁ ଧାରକରଜ କରିନେଇଥିଲେ ।

୧୦୪ଲୋକଙ୍କୁ ନେଇ ଅମୃତସର ପହଞ୍ଚିଥିଲା ବିମାନ

ଗତ ବୁଧବାର ୧୦୪ଅବୈଧ ପ୍ରବାସୀଙ୍କୁ ନେଇ ଆମେରିକା ସୈନ୍ୟବିମାନ ଅମୃତର ଏୟାରପୋର୍ଟରେ ଅବତରଣ କରିଥିଲା । ଏହି ବିମାନରେ ୩୩ଭାରତୀୟ ଥିଲେ । ଏଥିମଧ୍ୟରୁ ହରିୟାଣା ଓ ଗୁଜୁରାଟରୁ ୩୩ଭାରତୀୟ ଥିବା ବେଳେ ପଞ୍ଜାବରୁ ୩୦ ଓ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଚଣ୍ଡୀଗଡରୁ ୩ଜଣ ଲେଖାଁଏ ଥିଲେ । ସେମାନଙ୍କ ମଧ୍ୟରୁ ୧୯ଜଣ ମହିଳା ଥିବା ବେଳେ ୧୩ଜଣ ନାବାଳିକା ସାମିଲ ଥିଲେ ।

କ’ଣ କହୁଛନ୍ତି ଜସପାଲଙ୍କ ପରିବାର

ଜସପାଲଙ୍କ ମାଆ ଶିନ୍ଦର କୌର ଏବଂ ଦାଦାପୁଅ ଭାଇ ଜସବୀର ସିଂଙ୍କ କହିବାନୁଯାୟୀ ୨ବର୍ଷ ଇଂଲଣ୍ଡରେ କାମ କରିବା ପରେ ଜସପାଲ ୧୨ ଦିନ ପୂର୍ବରୁ ଆମେରିକା ଯାଇଥିଲା । ତାଙ୍କ କହିବାନୁୟୀ ସେ ବହୁତ ଦୁଃଖିତ କିନ୍ତୁ ଖୁସୀ ଯେ ତାଙ୍କ ପୁଅ ଫେରିଆସିଛନ୍ତି । ଜସପାଲ ସିଂଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ତାଙ୍କର ସାନଭାଇ ଶିରୋମଣି ଗୁରୁଦ୍ବାର ପ୍ରବନ୍ଧକ କମିଟିରେ କାର୍ଯ୍ୟ କରନ୍ତି । ତାଙ୍କ ପିତାଙ୍କ ନିଧନ ହୋଇଯାଇଛି । ଜସପାଲ ଜଣେ ପରିଶ୍ରମୀ ଯୁବକ ଥିବାବେଳେ ସେ ସାଉଦି ଆରବରେ ୮ବର୍ଷ ଏବଂ କତାରରେ ୪ବର୍ଷ କାର୍ଯ୍ୟ କରିଛନ୍ତି ।

କେତୁଲ ପଟେଲଙ୍କ କାହାଣୀ

ଜସପାଲଙ୍କ ଭଳି କେତୁଲ ପଟେଲଙ୍କ କାହାଣୀ ମଧ୍ୟ ଦୁଃଖଭରା । କେତୁଲ ତାଙ୍କ ପରିବାର ସହିତ ସୁରଟର ଡିଣ୍ଡୋଲିରେ ରହୁଥିଲେ । ସେ ଗୋଟେ ବର୍ଷ ପୁର୍ବରୁ ନିଜ ଫ୍ଲାଟ ବିକ୍ରି କରି ଆମେରିକା ଯାଇଥିଲେ । କେତୁଲଙ୍କ ଅନୁପସ୍ଥତିରେ ତାଙ୍କ ବାପା ତାଙ୍କ ପରିବାରର ଭରଣପୋଷଣ କରୁଥିଲେ ।

ଏମାନଙ୍କ ସହିତ ଅମୃତସରରେ ପହଞ୍ଚିଥିବା ଅନ୍ୟ ୩୩ଗୁଜୁରାତିଙ୍କୁ ଅହମ୍ମଦାବାଦ ନିଆଯାଇଥିଲା  । ପରେ ପୋଲିସ ସେମାନଙ୍କୁ ନିଜ ନିଜ ସ୍ଥାନକୁ ପଠାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସହ ଅର୍ଥ କମିଶନଙ୍କ ବୈଠକ

ଭୁବନେଶ୍ବର : ଷୋଡ଼ଶ ଅର୍ଥ କମିଶନଙ୍କ ସହିତ ରାଜ୍ୟ ସରକାରଙ୍କ ଆଲୋଚନା। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ଯ ଶାସନ ସଚିବ ସହିତ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଓଡ଼ିଶାର ସ୍ଵାର୍ଥ ସମ୍ମଳିତ ଦାବି ପତ୍ର ପ୍ରଦାନ କରିବେ ରାଜ୍ଯ ସରକାର। ଅପରାହ୍ନରେ ଅର୍ଥ କମିଶନଙ୍କୁ ଭେଟିବେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି। ଓଡ଼ିଶାକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ, ସ୍ଵତନ୍ତ୍ର ରାଜ୍ୟପାହ୍ୟା, ପୋଲାଭରମ୍ ସହ ବିଭିନ୍ନ ପ୍ରକଳ୍ପ ପାଇଁ ବିଜେଡି ଦାବି କରିବ ବୋଲି କହିଛି।

ଏହା ସହ କେନ୍ଦ୍ରୀୟ ଟିକସ ଅନୁଦାନ ବଢ଼ାଇବାକୁ ଦାବି ପତ୍ର ଦେବ ବିଜେଡି । କମିଶନଙ୍କ ପାଖରେ ଓଡ଼ିଶାର ହକ କଥା ଦାବିପତ୍ର ଜରିଆରେ ଦୃଷ୍ଟି ଆକର୍ଷଣ କରିବ ବୋଲି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି l ଋଣଭାର କେମତି କମିବ ତାହା ଉପରେ ରାଜ୍ୟ ସରକାର କମିଶନଙ୍କୁ ପ୍ରସ୍ତାବ ଦେବାକୁ କଂଗ୍ରେସ ଦାବି କରିଛି । ଗତ କିଛି ବର୍ଷ ହେଲା କେନ୍ଦ୍ର ଟିକସ ଅନୁଦାନ କମି କମି ଚାଲିଛି । ଏଥର ଡବଲ ଇଞ୍ଜିନ ସରକାରରେ ଏହା ବଢିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ଲାକରେ ବିକ୍ରି ହେଉଛି ବାରବାଟୀ ଟିକେଟ ! ଫେସବୁକ ଓ OLX ରେ ବିଜ୍ଞାପନ

କଟକ : ବ୍ଲାକରେ ବିକ୍ରି ହେଲାଣି ବାରବାଟୀ ୱାନ ଡେ ଟିକଟ । ଫେକବୁକ ଓ ଓଏଲଏକ୍ସରେ କେତେକ ଲୋକ ଏହାର ବିଜ୍ଞାପନ ଦେଇଛନ୍ତି । ଚଢ଼ା ଦର ରଖିଛନ୍ତି । ଯାହାର ଦରକାର, ଅଧିକ ଟଙ୍କା ଦେଲେ ସେମାନେ ଟିକଟ ପାଇ ପାରିବେ ବୋଲି କୁହାଯାଇଛି । ଆସନ୍ତା ୯ ତାରିଖରେ ହେବାକୁ ଥିବା ମ୍ୟାଚର ଟିକଟ ପାଇଁ ଗତକାଲି କାଉଣ୍ଟରରେ ଦଳାଚକଟା ସ୍ଥିତି ହୋଇଥିଲା । ଭିଡ଼ରେ ତ କେତେକ ବେହୋସ୍ ହୋଇ ଯାଇଥିଲେ। ଶହ ଶହ ଲୋକେ ଲାଇନରେ ଛିଡ଼ା ହୋଇଥିଲେ ମଧ୍ୟ ଟିକଟ ମିଳିନଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଯାଇଥିଲା

କିନ୍ତୁ ଆଜି ବ୍ଲାକରେ ମିଳୁଛି ବାରବାଟୀ ଟିକଟ। ସେପଟେ ଗତକାଲିଠାରୁ କାଉଣ୍ଟରରେ ମଧ୍ୟ ଟିକଟ ବିକ୍ରି ସରିଯାଇଥିଲେ ମଧ୍ୟ କିଛି ଲୋକ ଆଜି ବି କାଉଣ୍ଟର ଆଗରେ ଟିକଟ ଆଶାରେ ଭିଡ଼ ଜମାଇଛନ୍ତି।

ଆମେରିକାରେ ପୁଣି ଦୁଇ ବିମାନ ଧକ୍କା: ଅଳ୍ପକେ ବର୍ତ୍ତିଲେ ୧୪୨ ଯାତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ପୁଣି ଦୁଇ ବିମାନ ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲେ ୧୪୨ଯାତ୍ରୀ । ସିଆଟେଲ-ଟାକୋମା ଏୟାରପୋର୍ଟରେ ରନଓ୍ବେରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ତେବେ ଆମେରିକାର ୱାଶିଂଟନରେ ହୋଇଥିବା ବିମାନ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ୱାଶିଂଟନର ସବୁଠାରୁ ବଡ଼ ସହର ସିଆଟେଲର ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଥିଲା, କିନ୍ତୁ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନାହିଁ । ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲେ ମଧ୍ୟ କେହି ଆହତ ହୋଇନଥିବା ସୂଚନା ମିଳିଛି ।

ଜାପାନ ଏୟାରଲାଇନ୍ସର ବିମାନଟି ବିମାନବନ୍ଦରରେ ଠିଆ ହୋଇଥିବା ଏକ ଡେଲ୍ଟା ଏୟାରଲାଇନ୍ସର ବିମାନ ସହିତ ଧକ୍କା ହୋଇଥିଲା, ଯାହା ଫଳରେ ଜାପାନୀ ବିମାନର ଗୋଟିଏ ଡେଣା ଡେଲ୍ଟା ଜେଟ୍‌ର ପଛପଟେ ଫସି ଯାଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଏଥିରେ ଆରୋହୀମାନେ ଭୟଭୀତ ହୋଇଯାଇଥିଲେ । ବିମାନବନ୍ଦର କର୍ମଚାରୀ ଏବଂ କ୍ରୁ ସଦସ୍ୟମାନେ ମଧ୍ୟ ଭୟଭୀତ ଅବସ୍ଥାରେ ଥିଲେ, କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ଘଟିନାହିଁ କିମ୍ବା କୌଣସି ଦୁର୍ଘଟଣା ଘଟିନାହିଁ। ଘଟଣାଟି ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୧୦:୧୫ ସମୟରେ ଘଟିଥିଲା। ତେବେ ଆମେରିକାର ବିମାନ ଚଳାଚଳ ମନ୍ତ୍ରଣାଳୟ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ।

https://x.com/AZ_Intel_/status/1887230471668375727?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1887230471668375727%7Ctwgr%5Ee23ca2c55021684804e9d3db53ac9ae0c420c442%7Ctwcon%5Es1_&ref_url=https%3A%2F%2Fhindi.news24online.com%2Fworld%2Fplane-crash-japan-airlines-delta-airlines-plane-collision-at-seattle-airport-america-watch-video%2F1057025%2F

ଡି-ଆଇସିଂ ସମୟରେ ଧକ୍କା
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବିମାନବନ୍ଦରରେ ଲାଗିଥିବା ସିସିଟିଭି କ୍ୟାମେରାରେ ବିମାନଟି ଅନ୍ୟ ଏକ ବିମାନ ସହିତ ଧକ୍କା ହେଉଥିବାର ଦେଖାଯାଉଛି। ପ୍ରକୃତରେ, ଡେଲ୍ଟା ଏୟାରଲାଇନ୍ସର ବୋଇଂ ୭୩୭ ବିମାନ ୧୪୨ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ପାଇଁ ପ୍ରସ୍ତୁତ ଥିଲା। ବିମାନଟି ମେକ୍ସିକୋର ପୁଏର୍ଟୋ ଭାଲାର୍ଟା ସହରକୁ ଉଡ଼ାଣ କରିବାର କାର୍ଯ୍ୟକ୍ରମ ଥିଲା। ସେହି ସମୟରେ, ଜାପାନ ଏୟାରଲାଇନ୍ସର ଏକ ବୋଇଂ ୭୩୭ ବିମାନ ମଧ୍ୟ ବିମାନବନ୍ଦରରେ ମୋଡ଼ ନେଉଥିଲା। ଡି-ଆଇସିଂ କରାଯାଉଥିବା ସମୟରେ, ଜାପାନୀ ବିମାନଟି ପଛରୁ ଡେଲ୍ଟା ଜେଟ୍ ସହିତ ଧକ୍କା ହୋଇଥିଲା। ଧକ୍କା ବିଷୟରେ ସୂଚନା ମିଳିବା ମାତ୍ରେ ବିମାନବନ୍ଦର କର୍ମଚାରୀ, ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମାନରେ ଥିବା ଯାତ୍ରୀମାନଙ୍କୁ ଜରୁରୀକାଳୀନ ଗେଟରୁ ଉଦ୍ଧାର କରାଯାଇ ଏକ ନିରାପଦ ସ୍ଥାନକୁ ନିଆଯାଇଥିଲା ।

ଦୁର୍ଘଟଣା ପାଇଁ କ୍ଷମା ମାଗିଲା ଏୟାରଲାଇନ୍ସ
ଡେଲ୍ଟା ଏୟାର ଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି ଯେ ଜାପାନ ଏୟାରଲାଇନ୍ସର ବିମାନ, ଫ୍ଲାଇଟ୍ 68, ଟୋକିଓରୁ ଆଠ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ ପରେ ବିମାନବନ୍ଦରରେ ଅବତରଣ କରିଥିଲା, ସେତେବେଳେ ଏହା ଡେଲ୍ଟା ଜେଟ୍ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ କୌଣସି କ୍ରୁ ସଦସ୍ୟ କିମ୍ବା ଯାତ୍ରୀ ଆହତ ହୋଇଥିବାର ରିପୋର୍ଟ ନାହିଁ। ଏହି ଦୁର୍ଘଟଣା ଏବଂ ଯାତ୍ରା ବିଳମ୍ବ ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ ।

ଦୁର୍ଘଟଣା ଯୋଗୁଁ ବିମାନବନ୍ଦରରେ ଅବତରଣ କରିବାକୁ ଥିବା ୧୧୦ ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା ଏବଂ ୨୦ ଟି ବାତିଲ କରାଯାଇଥିଲା। ଧକ୍କାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଦୁର୍ଘଟଣାର ତଦନ୍ତ ଜାରି ରହିଛି ।କିଛି ଦିନ ପୂର୍ବରୁ ମଧ୍ୟ ମଝି ଆକାଶରେ ଦୁଇ ବିମାନ ଧକ୍କା ହୋଇଥିଲା। ଆମେରିକାର ଓ୍ବାସିଂଟନ୍ ଡିସି ନିକଟରେ ରେଗାନ୍ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ଏକ ଆର୍ମି ହେଲିକପ୍ଟର ବିମାନଟିକୁ ଧକ୍କା ଦେଇଥିଲା। ପରେ ବିମାନଟି ଏକ ନଦୀକୁ ଖସି ପଡିଥିଲା। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା।

ଟ୍ରମ୍ପ ଦେବେ ଭାରତକୁ ଖୁସିଖବର; ପାକିସ୍ତାନ ଏବଂ ଚୀନର ଉଡିବ ନିଦ

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଆମେରିକା ଗସ୍ତ ସମୟରେ ଟ୍ରମ୍ପ ଭାରତକୁ ଏକ ବଡ଼ ଖୁସି ଖବର ଦେଇପାରନ୍ତି। ପ୍ରକୃତରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରତିରକ୍ଷା ଚୁକ୍ତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଖୁବଶୀଘ୍ର ଭାରତକୁ ଆମେରିକୀୟ ICV ମିଳିପାରେ । ବର୍ତ୍ତମାନ ଭାରତୀୟ ସେନା ଏହାର ଆଧୁନିକୀକରଣ ପ୍ରକ୍ରିୟା ଉପରେ ଦ୍ରୁତ ଗତିରେ କାମ କରୁଛି। ଏପର୍ଯ୍ୟନ୍ତ ସେନାର ଧ୍ୟାନ ମୁଖ୍ୟତଃ ପଶ୍ଚିମ ସୀମା ଉପରେ ଥିଲା, କିନ୍ତୁ ଏବେ ଉତ୍ତର ସୀମା ଅର୍ଥାତ୍ ଚୀନ୍ ସଂଲଗ୍ନ ଅଞ୍ଚଳଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ, ସେନା ଏପରି ଉପକରଣ ଅନ୍ତର୍ଭୁକ୍ତ କରିବା ଉପରେ କାମ କରୁଛି ଯାହା ସମତଳ, ମରୁଭୂମି ଏବଂ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଉତ୍ତମ କାମ କରିପାରିବ ।

ଭାରତୀୟ ସେନା ପାଖରେ ବର୍ତ୍ତମାନ ପ୍ରାୟ ୨୦୦୦ ରୁଷୀୟ BMP-2 ପଦାତିକ ଯୁଦ୍ଧ ଯାନ ଅଛି, ଯେଉଁଥିରେ ଟ୍ରାକ୍ ଏବଂ ହ୍ବୀଲ ଉଭୟ ପ୍ରକାର ଅନ୍ତର୍ଭୁକ୍ତ। ସେନା ଏବେ ଏହାର ପୁରୁଣା ହ୍ବୀଲ ପଦାତିକ ଯୁଦ୍ଧ ଯାନଗୁଡ଼ିକୁ ବଦଳାଇବା ପ୍ରକ୍ରିୟାରେ ଲାଗିଛି ଏବଂ ପ୍ରାୟ ୫୦୦ ନୂତନ ICV ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର କମ୍ପାନୀ ଜେନେରାଲ ଡାଇନାମିକ୍ସ ଲ୍ୟାଣ୍ଡ ସିଷ୍ଟମସ୍ ଲଦାଖର ଉଚ୍ଚତା ଅଞ୍ଚଳରେ ଷ୍ଟ୍ରାଇକର ICVର ଏକ ଡେମୋ ଦେଇଥିଲା, ଯାହା ସେପ୍ଟେମ୍ବର-ଅକ୍ଟୋବର ୨୦୨୪ ରେ ହୋଇଥିଲା। ଏହି ଡେମୋ ୧୩,୦୦୦ ରୁ ୧୮,୦୦୦ ଫୁଟ ଉଚ୍ଚତାରେ ହୋଇଥିଲା ଏବଂ ଏହା ଭାରତୀୟ ସେନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଏ ।

ଷ୍ଟ୍ରାଇକର ICV: ଏହା କାହିଁକି ସ୍ୱତନ୍ତ୍ର ?

ଷ୍ଟ୍ରାଇକର ICV ର ବିଭିନ୍ନ ପ୍ରକାର ଅଛି, ଯାହା ଏହାକୁ ଏକ ବହୁ-କାର୍ଯ୍ୟକାରୀ ଅସ୍ତ୍ର କରିଥାଏ। ଏଥିରେ ପଦାତିକ ବାହିନୀ ବାହକ,  ମୋବାଇଲ୍ ଗନ୍ ସିଷ୍ଟମ୍, ମେଡିକାଲ୍ ଇଭାକ୍ୟୁଏସନ୍, ଅଗ୍ନିଶମ ସହାୟତା, ଆଣ୍ଟି-ଟ୍ୟାଙ୍କ୍-ଗାଇଡେଡ୍ ମିସାଇଲ୍ ବାହକ ଏବଂ ଯାଞ୍ଚ ଯାନ ଅନ୍ତର୍ଭୁକ୍ତ ।

ଷ୍ଟ୍ରାଇକର ୮ଚକିଆ ଡ୍ରାଇଭ ସହିତ ଆସିଥାଏ

ଏଥିରେ ୩୦ଏମଏମ ବନ୍ଧୁକ ଏବଂ ୧୦୫ଏମଏମ ମୋବାଇଲ୍ ବନ୍ଧୁକ ଅନ୍ତର୍ଭୁକ୍ତ । ଏହାର ପରିସର ୪୮୩ କିଲୋମିଟର ଏବଂ ଏହା ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗତି କରିପାରିବ। ଏହା ଶତ୍ରୁପକ୍ଷର ଏୟାର ଆଟାକ, ଲ୍ୟାଣ୍ଡମାଇନ୍ ଏବଂ ଆଇଇଡି ଆକ୍ରମଣରୁ ସୁରକ୍ଷା ଯୋଗାଇବାରେ ସକ୍ଷମ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାକୁ ଚିନୁକ୍ ହେଲିକପ୍ଟର ମାଧ୍ୟମରେ ସହଜରେ ଉଚ୍ଚ ଅଞ୍ଚଳକୁ ପରିବହନ କରାଯାଇପାରିବ ।

BMP-2 ଏବଂ ଷ୍ଟ୍ରାଇକର ICV ର ତୁଳନା

ଭାରତୀୟ ସେନା ପାଖରେ ଥିବା BMP-2 ର କିଛି ସ୍ୱତନ୍ତ୍ର ବୈଶିଷ୍ଟ୍ୟ ଅଛି, ଯେପରିକି ଏହା ଉଭୟଚର ଅର୍ଥାତ୍ ଏହା ସହଜରେ ପାଣିର ପ୍ରତିବନ୍ଧକକୁ ଅତିକ୍ରମ କରିପାରିବ, ଯେତେବେଳେ ଷ୍ଟ୍ରାଇକରର ଏହି କ୍ଷମତା ନାହିଁ । ହାଇ ଅଲ୍ଟିଚ୍ୟୁଡ ଅଞ୍ଚଳରେ BMP-2 ର ଟ୍ରାକକୁ ରକ୍ଷଣାବେକ୍ଷଣ କରିବା କଷ୍ଟକର, ଯେତେବେଳେ ଷ୍ଟ୍ରାଇକର ପରି ଚକିଆ ଯାନଗୁଡ଼ିକରେ ରକ୍ଷଣାବେକ୍ଷଣ କରିବା ସହଜ। ଭାରତର ଯୋଜନା ଅନୁଯାୟୀ, ଯଦି ଷ୍ଟ୍ରାଇକରକୁ ଚୟନ କରାଯାଏ, ତେବେ ଏହାକୁ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ସହ-ଉତ୍ପାଦନ ଏବଂ ସହ-ବିକଶିତ କରିବାକୁ ପଡିବ, ଏବଂ ଜାଭେଲିନ୍ ATGM ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାର ସ୍ଥାନାନ୍ତର ମଧ୍ୟ ଆବଶ୍ୟକ ହେବ।

ଭାରତୀୟ ସେନାର ଯାନ୍ତ୍ରିକ ପଦାତିକ ବାହିନୀ

ଭାରତୀୟ ସେନାର ଯାନ୍ତ୍ରିକ ପଦାତିକ ବାହିନୀର ମୋଟ ୫୦ଟି ବାଟାଲିୟନ ଅଛି ଯେଉଁଥିରେ 52ଟି ICV ଅଛି। ପ୍ରଥମ ପର୍ଯ୍ୟାୟରେ, ସେନା ୯ଟି ବାଟାଲିୟନର ପୁରୁଣା ICV ଗୁଡ଼ିକୁ ନୂତନ ICV ସହିତ ବଦଳାଇବାକୁ ଯୋଜନା କରୁଛି। ଏଥିପାଇଁ ପ୍ରସ୍ତାବ ପାଇଁ ଅନୁରୋଧ (RFP) ଜାରି କରାଯାଇଛି ଏବଂ ୧୫ ରୁ ଅଧିକ ସ୍ୱଦେଶୀ କମ୍ପାନୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି।

୧୮ ବର୍ଷର ଯୁବକକୁ ଇଞ୍ଜେକ୍ସନ ଦେଲେ କିନ୍ନର କ୍ୟାଟ୍ରିନା, ପୁଅର ହେଇଗଲେ ଝିଅ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ବାନ୍ଦାରୁ ଆସିଛି ଏକ ଅଭାବନୀୟ ଘଟଣା ।  ଯାହା ଶୁଣିଲେ ଆପଣଙ୍କ ଆତ୍ମା ​​ଥରି ଉଠିବ। ଏଠାରେ ଜଣେ କିନ୍ନର ଜବରଦସ୍ତି ଜଣେ ୧୮ ବର୍ଷର ପୁଅର ଲିଙ୍ଗ ବଦଳାଇ ଦେଇଛନ୍ତି । କିନ୍ନର ଜଣକ ଯୁବକକୁ ଚାରି ଦିନ ଧରି ଗୋଟେ କୋଠରୀରେ ନିର୍ଯାତନା ଦେଇଥିଲେ । ପୁଅଟିକୁ ଝିଅ କରିବା ପାଇଁ ତାଙ୍କୁ ଫିମେଲ ହରମୋନ ଇଞ୍ଜେକ୍ସନ ଦେଇଥିଲେ । ଯୁବକଙ୍କୁ ପ୍ରତିଦିନ ମାଡ଼ ମରାଯାଉଥିଲା। ତା’ପରେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରାଯାଇଥିଲା। ଏନେଇ ଯୁବକର ପରିବାର କିନ୍ନରଙ୍କ କଳାସତ ଲୋକଲୋଚନକୁ ଆଣିବା ପାଇଁ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରି ଏକ ମାମଲା ରୁଜୁ କରିଛନ୍ତି । ପୋଲିସ ଏବେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି ।

ଜବରଦସ୍ତି କରାଯାଉଥିଲା ଲିଙ୍ଗ ପରିବର୍ତ୍ତନ

ଘଟଣାଟି ଅର୍ତରା ପୋଲିସ ଷ୍ଟେସନ ଅଞ୍ଚଳରେ ଅଟେ । ଏଠାରେ ରହୁଥିବା କିନ୍ନର କ୍ୟାଟ୍ରିନା ଓରଫ ଧୀରୁ ପ୍ରଜାପତିଙ୍କ ବିରୋଧରେ ଜଣେ ୧୮ ବର୍ଷୀୟ ପୁଅର ଲିଙ୍ଗ ବଳପୂର୍ବକ ପରିବର୍ତ୍ତନ କରିବାର ଅଭିଯୋଗ କରାଯାଇଛି । ପୀଡିତ ବାଳକଟି ଓରାନ ରୋଡର ବାସିନ୍ଦା ଅଟେ । ତାଙ୍କ ମାଆ ଅର୍ତରା ପୋଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କରିଥିଲେ ଯେ ଧୀରୁ ଓରଫ କାଟ୍ରିନା କିନ୍ନର ତାଙ୍କ ୧୮ ବର୍ଷୀୟ ପୁଅକୁ ନପୁଂସକ କରିବା ପାଇଁ ଜୋରଜବରଦସ୍ତି ଉଠାଇ ନେଇଛନ୍ତି । ଚାରି ଦିନ ପର୍ଯ୍ୟନ୍ତ କୋଠରୀରେ ବନ୍ଦ କରି ନିର୍ଯାତନା ଦିଆଯାଇଥିଲା। ଧମକ ଦେଇ ତାଙ୍କର ଲିଙ୍ଗ ପରିବର୍ତ୍ତନ କରାଯାଇଛି ।

ଆଉ ଜଣେ ଯୁବକଙ୍କର କରାଯାଇଥିଲା ଲିଙ୍ଗ ପରିବର୍ତ୍ତନ
କେବଳ ଏତିକି ନୁହେଁ, ଏହିପରି ଅନ୍ୟ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଗହବର ଥୋକ୍ ବିସାଣ୍ଡାର ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ଧୀରୁ ଓରଫ କ୍ୟାଟ୍ରିନା ଏବଂ ଅନ୍ୟ କିଛି ସହଯୋଗୀ ତାଙ୍କ ସାନ ଭାଇକୁ ଅପହରଣ କରି ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ। ସେମାନେ ତାଙ୍କୁ କୋଠରୀରେ ବନ୍ଦ କରି ବହୁତ ନିର୍ଯ୍ୟାତନା ଦେଇଥିଲେ । ପରେ ତାଙ୍କୁ ହରମୋନ ପରିବର୍ତ୍ତନକାରୀ ଔଷଧ ଏବଂ ନିଶା ଇଞ୍ଜେକ୍ସନ ଦେଇ ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରାଯାଇଥିଲା।

ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି

ତେବେ ପରସୌଞ୍ଜା ଥାନା ପାହାଡି ଚିତ୍ରକୂଟର ଆଉ ଜଣେ ମହିଳା ବାସିନ୍ଦା ମଧ୍ୟ କ୍ୟାଟ୍ରିନାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତେବେ କ୍ୟାଟ୍ରିନାଙ୍କ ବିରୋଧରେ ଥାନାରେ ତିନୋଟି ଏଫଆଇଆର ରୁଜୁ ହେବା ପରେ, ପୋଲିସ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରୁଥିଲା। ଏସଏଚଓ କୁଲଦୀପ ତିୱାରୀ କହିଛନ୍ତି ଯେ ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଯୁବକମାନଙ୍କୁ ବଳପୂର୍ବକ ନପୁଂସକ କରିବା ଅଭିଯୋଗରେ ଅଭିଯୁକ୍ତ କ୍ୟାଟ୍ରିନାଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରାଯାଉଛି। ସେମାନଙ୍କ ବିରୁଦ୍ଧରେ ଆହୁରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

CMଙ୍କ ବଙ୍ଗଳାରେ କଳାଯାଦୁ, ମଇଁଷିଙ୍କୁ ଦିଆଯାଇଛି ବଳି ..ସଞ୍ଜୟ ରାଉତଙ୍କ ହରର ଷ୍ଟୋରୀ

ନନ୍ଦିଘାେଷ ବ୍ୟୁରୋ: ଶିବସେନା (UBT) ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ବର୍ଷାରେ କଳାଯାଦୁ କରାଯାଇଛି । ସେ ଦାବି କରିଛନ୍ତି ଯେ ଏହା ଅନ୍ୟ କେହି ନୁହେଁ ବରଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କରିଛନ୍ତି। ଏହି କାରଣରୁ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସେଠାରେ ରହୁନାହାଁନ୍ତି । ସେ ଅଭିଯୋଗ କରିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୌହାଟିର କାମାକ୍ଷା ମନ୍ଦିରରେ ମଇଁଷି ବଳି ଦେଇଥିଲେ ଏବଂ ତାଙ୍କ ବଙ୍ଗଳାରେ ସେମାନଙ୍କର ଶିଙ୍ଘ ପୋତି ଦେଇଥିଲେ । ଏହି କାରଣରୁ ଫଡନାଭିସ ସେଠାରେ ରହୁନଥିବା ସଂଞ୍ଜୟ ଦାବି କରିଛନ୍ତି । ତେବେ ଫଡନାଭିସ୍ ସଞ୍ଜୟ ଏହି ଦାବିକୁ ଖଣ୍ଡନ କରି ସେଠାକୁ ନ ଯିବାର ପ୍ରକୃତ କାରଣ କହିଥିଲେ ।

ସଞ୍ଜୟ ରାଉତ ତାଙ୍କର ସ୍ପଷ୍ଟବାଦୀତା ପାଇଁ ପ୍ରସିଦ୍ଧ। ସେ କେତେବେଳେ କଣ କୁହନ୍ତି ନିଜେ ମଧ୍ୟ ଜାଣିପାରନ୍ତି ନାହିଁ । ସମସ୍ତଙ୍କୁ ଆକ୍ଷେପ କରି କହିବା ତାଙ୍କର ଅଭ୍ୟାସ ବୋଲି କହିଲେ ଚଳିବ । ତେବ ସେ ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ରାଜନୈତିକ ମହଲରେ ଚହଳ ସୃଷ୍ଟି କରିଛି । ରାଜନୀତିକୁ ନେଇ ସେ ଏକ ଭୂତ କାହାଣୀ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଯୁଗରେ କଳାଯାଦୁ ହେଇଥିବା ସେ ସୂଚନା ଦେଇଛନ୍ତି । ସଞ୍ଜୟ ପୂର୍ବରୁ ଜଣେ ସାମ୍ବାଦିକ ଥିଲେ, ତେଣୁ ତାଙ୍କର କଳ୍ପନାଶକ୍ତି ଆଶ୍ଚର୍ଯ୍ୟଜନକ। ଯଦି ତାଙ୍କୁ ବଲିଉଡରେ କାହାଣୀ ଲେଖିବାର କାମ ମିଳେ, ତେବେ ସେ ରାମ ଗୋପାଳ ବର୍ମାଙ୍କ ଭୟଙ୍କର ଚଳଚ୍ଚିତ୍ରରେ ଚାର ଚାନ୍ଦ ଲଗେଇଦେବେ ବୋଲି କଡା ସମାଲୋଚନା କରାଯାଉଛି । ତେବେ ସଞ୍ଜୟ ରାଉତଙ୍କ ହରର ଷ୍ଟୋରୀ ହେଉଛି ଯେ ମହାରାଷ୍ଟ୍ରର ମୁମ୍ବାଇରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ବର୍ଷା ଉପରେ କଳାଯାଦୁ କରାଯାଇଛି । ତାଙ୍କ ମତରେ, ଏହି କଳାଯାଦୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କରିଛନ୍ତି । ସେଥିପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ବର୍ଷାରେ ରହୁନାହାଁନ୍ତି ।

ଯଦି ବର୍ତ୍ତମାନ ଯୁଗରେ କୌଣସି ରାଜନେତା ଏପରି ବକ୍ତବ୍ୟ ଦିଅନ୍ତି, ତେବେ ତାଙ୍କ ବୁଦ୍ଧିମତା ଉପରେ ଆଶ୍ଚର୍ଯ୍ୟ ହେବ। ସେ କହିଛନ୍ତି ଯେ ଯେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ବଙ୍ଗଳାରେ ରହୁଥିଲେ, ସେ ଗୌହାଟୀର କାମାକ୍ଷା ଦେବୀ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ସେ ମଇଁଷି ବଳି ଦେଇଥିଲେ। ପରେ, ସେହି ମଇଁଷିଗୁଡ଼ିକର ଶିଙ୍ଘକୁ ଏହି ବଙ୍ଗଳା ଭିତରେ ମାଟିରେ ପୋତି ଦିଆଯାଇଥିଲା। ଯଦି ବଙ୍ଗଳା ଖନନ କରାଯାଏ, ତେବେ ଏହି ଶିଙ୍ଗଗୁଡ଼ିକ ମିଳିବ।

ସଞ୍ଜୟ ରାଉତ ତାଙ୍କ ନେତା ଉଦ୍ଧବ ଠାକରେଙ୍କୁ ପଚାରିବା ପରେ ଏହି ବକ୍ତବ୍ୟ ଦେଇଛନ୍ତି ନା ଏହା କେବଳ ତାଙ୍କର କଳ୍ପନାର ଏକ କାଳ୍ପନିକ ଚିତ୍ର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ବୟାନ ପାଇଁ ସଞ୍ଜୟ ରାଉତଙ୍କୁ କଡା ସମାଲୋଚନାର ସାମ୍ନା କରିବାକୁ ପଡୁଛି ।  ଏହାସହିତ ତାଙ୍କ ବୟାନ ମହାରାଷ୍ଟ୍ରର ରାଜନୀତିକୁ ମଧ୍ୟ ଉଷ୍ମ କରିଛି ।

ତେବେ ସଞ୍ଜୟ ରାଉତଙ୍କ ଏହି ବୟାନ ଚର୍ଚ୍ଚାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ତାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ତାଙ୍କ ଝିଅର ଦଶମ ଶ୍ରେଣୀ ପରୀକ୍ଷା ଅଛି, ତେଣୁ ସେ ପରିବାରକୁ ହଇରାଣ କରିବାକୁ ଚାହାଁନ୍ତି ନାହିଁ। ତାଙ୍କର ପରୀକ୍ଷା ସରିବା ମାତ୍ରେ ସେମାନେ ବର୍ଷାକୁ ସ୍ଥାନାନ୍ତରିତ ହେବେ।

ବାଂଲାଦେଶରେ ପୁଣି ଅରାଜକତା; ମୁଜିବୁରଙ୍କ ବାସଭବନରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାପାଙ୍କ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ। ପୁରା ଘର ଜଳି ଯାଇଛି। ଢାକାରେ ଥିବା ଏହି କୋଠାକୁ ମ୍ଯୁଜିୟମ କରାଯାଇଥିଲା । ଗତ ରାତିରେ ହଜାର ହଜାର ବିକ୍ଷୋଭକାରୀ ଏକାଠି ହୋଇ ଏହି କୋଠା ଆଗରେ ବିକ୍ଷୋଭ କରିଥିଲେ । ପରେ ନିଆଁ ଲଗାଇ ଦେଇଛନ୍ତି । ଗତ ରାତିରେ ହସିନା ଅନଲାଇନରେ ନିଜ ସମର୍ଥକଙ୍କୁ ଉଦବୋଧନ ଦେବା ବେଳେ ବିରୋଧୀମାନେ ଏହି କାଣ୍ଡ କରିଛନ୍ତି ।

ତାଙ୍କ ଦଳ ଆୱାମି ଲିଗର ଛାମୁଆ ସଂଗଠନ ଛାତ୍ର ଲିଗ୍ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା,। ବର୍ତ୍ତମାନର ସରକାରଙ୍କ ବିରୋଧରେ ବିକ୍ଷୋଭର ଆହ୍ଵାନ ଦେଇଥିଲା ଏହି ଛାତ୍ର ଲିଗ୍ । ସମର୍ଥକଙ୍କୁ ଶେଖ୍ ହସିନା ଓ ତାଙ୍କ ଝିଅ ଉଦବୋଧନ ଦେବା ବେଳେ ତାଙ୍କ ବିରୋଧୀ ମୁଜିବୁର୍ ରେହମାନଙ୍କ ବାସଭବନରେ ନିଆଁ ଲଗାଇ ଦେଇଥିଲେ।

ଶେଖ୍ ହସିନା କହିଥିଲେ, କେହି ଦେଶର ସମ୍ବିଧାନକୁ, ଜାତୀୟ ପତାକାକୁ, ସ୍ଵାଧୀନତାକୁ ଧ୍ଵଂସ କରିପାରିବେ ନାହିଁ । ଲକ୍ଷ ଲକ୍ଷ ଲୋକଙ୍କ ବଳିଦାନରେ ହିଁ ସ୍ଵାଧୀନତା ମିଳିଛି। ବୁଲଡୋଜରରେ ତାକୁ କେହି ଧ୍ଵଂସ କରିପାରିବେ ନାହିଁ। ଇତିହାସ ପୁଣି କଡ଼ ଲେଉଟାଇବ ବୋଲି କହିଥିଲେ ଶେଖ୍ ହସିନା। ସେ ଭାଷଣ ଦେଉଥିବା ବେଳେ ହିଁ ତାଙ୍କ ବାପାଙ୍କ ବାସଭବନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ।