spot_img
Home Blog Page 1092

କିନ୍ନର ଆଖଡ଼ା ବିବାଦ: ଧର୍ମ ପରିବର୍ତ୍ତନ କରିବାକୁ ଧମକ ଦେଲେ ମହାମଣ୍ଡଳେଶ୍ବର ହିମାଙ୍ଗୀ ସଖୀ

ପ୍ରୟାଗରାଜ: ମହାକୁମ୍ଭରୁ ଆରମ୍ଭ ହୋଇଥିବା କିନ୍ନର ଆଖଡ଼ା ବିବାଦ ଥମିବାର ନାଁ ନେଉନି । ଆଖଡ଼ାର ମହାମଣ୍ଡଳେଶ୍ବର ହିମାଙ୍ଗୀ ସଖୀଙ୍କ ବୟାନକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଆଖଡ଼ାରେ ଚାଲିଥିବା ବିବାଦକୁ ନେଇ ସେ ନା କେବଳ କିନ୍ନର ଆଖଡ଼ା ଛାଡୁଛନ୍ତି, ବରଂ ସନାତନ ଧର୍ମ ଛାଡ଼ିବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି, ଏହି ବିବାଦ ତାଙ୍କ ସହିବା ଶକ୍ତି ବାହାରକୁ ଚାଲିଯାଇଛି । ଏମିତି ସ୍ଥିତିରେ ସେ ଶୀଘ୍ର ଧର୍ମ ପରିବର୍ତ୍ତନ କରିବାକୁ ବିଚାର କରିବେ ।

କିନ୍ନର ଆଖଡ଼ାର ନୂଆ ମହାମଣ୍ଡଳେଶ୍ବର କଲ୍ୟାଣୀ ନନ୍ଦଗିରିଙ୍କୁ ଆକ୍ରମଣ ଘଟଣା ପରେ ହିମାଙ୍ଗୀ ଏପରି ବୟାନ ଦେଇଛନ୍ତି । ସେ କହିଛନ୍ତି, ନନ୍ଦଗିରିଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ତାଙ୍କ ଉପରେ ଲାଗିଛି । ହେଲେ ଏଥିରେ ମୋର କୌଣସି ସମ୍ପୃକ୍ତି ନାହିଁ । ଏହାପୂର୍ବରୁ ମୋ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ନିଜେ କିନ୍ନର ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ କରାଇଥିବା ସେ ଅଭିଯୋଗ କରିଥିଲେ ।

ଧର୍ମ ପରିବର୍ତ୍ତନର ଧମକ ଦେଲେ ହିମାଙ୍ଗୀ

କିନ୍ନର ଆଖଡ଼ା ବିବାଦକୁ ନେଇ ସେ କହିଛନ୍ତି, ଏଠାରେ କ୍ଷମତାର ଯୁଦ୍ଧ ଚାଲିଛି । ଏହି ଯୁଦ୍ଧ ଶୀଘ୍ର ଶେଷ ହେବା ଦରକାର । ଯଦି ଏହାର ଅନ୍ତ ଶୀଘ୍ର ନହୁଏ ତେବେ ସେ କିନ୍ନର ଆଖଡ଼ା ଓ ସନାତନ ଧର୍ମ ଛାଡିବାକୁ ବିଚାର କରିପାରନ୍ତି । ଏପରିକି ସେ ଧର୍ମ ପରିବର୍ତ୍ତନ କରିବାକୁ ସିଧା ସିଧା ଧମକ ଦେଇଛନ୍ତି । ସୂଚନାଯୋଗ୍ୟ, ବଲିଉଡ଼ ଅଭିନେତ୍ରୀ ମମତା କୁଲକର୍ଣ୍ଣି କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ବର ହେବାକୁ ନାଇ ହିମାଙ୍ଗୀ ସଖୀ ପ୍ରଥମେ ପ୍ରଶ୍ନ ଉଠାଇ ଥିଲେ । ଏହାପରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।  ଏଥିରେ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ । ଏହି ଆକ୍ରମଣ ପଛରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ଏବଂ ତାଙ୍କ ସହଯୋଗୀଙ୍କ ହାତ ଥିବା ହିମାଙ୍ଗୀ ସଖୀ ଅଭିଯୋଗ କରିଥିଲେ । ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ବର ପଦ ଛାଡିବା ଓ ପୁଣି ସେହି ପଦରେ ବସିବାକୁ ହିମାଙ୍ଗୀ ସଖୀ ମଜାକ ବୋଲି କହି କଟାକ୍ଷ କରିଛନ୍ତି । ଏହାସହ କହିଛନ୍ତି, ଏମାନଙ୍କ ପାଇଁ ଧର୍ମ ଓ ଶାସ୍ତ୍ର କିଛି ମହତ୍ବ ରଖେନି । କେବଳ ଦେଖେଇ ହେଉଛନ୍ତି । ଏମାନେ ସନାତନ ଧର୍ମକୁ ବି ମଜାକ ବନାଇ ଦେଇଛନ୍ତି । ଏପରିକି କିନ୍ନର ଆଖଡ଼ାରେ ମାଂସ ଖିଆଯିବା ସହ ମଦ ପିଆବା ଭଳି ଅଭିଯୋଗ କରିଛନ୍ତି । ଏପରିକି ମଦ ପିଇ କିଛି ଲୋକ ମୋ ଶିବିରକୁ ପଶି ଆସିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

‘ଓଡ଼ିଶା ନିଜ କ୍ଷମତା ବଳରେ ବିକାଶଶୀଳ ରାଜ୍ୟରେ ପରିଣତ ହୋଇଛି’

ଭୁବନେଶ୍ବର: ଜାତି ନନ୍ଦିଘୋଷ କନକ୍ଲେଭ୍ -୨୦୨୫ର ପ୍ରଥମ ଅଧିବେଶନ ଥିଲା ‘୨୦୩୬ ପାଇଁ ବିକାଶର ନକ୍ସା’ ପ୍ରସଙ୍ଗ । ଆଲୋଚନାରେ ଭାଗ ନେଇ ମତ ରଖିଛନ୍ତି ଅତିଥି । ରାଜ୍ୟ ଅବହେଳାର ଶିକାର ହୋଇ ବି କେମିତି ନିଜ କ୍ଷମତା ବଳରେ ଆଜି ଭାରତର ଏକ ବିକାଶଶୀଳ ରାଜ୍ୟରେ ପରିଣତ ହୋଇ ପାରିଛି ତା’ ଉପରେ ମତ ରଖିଛନ୍ତି ଅତିଥି ।

ବରିଷ୍ଠ ସାମ୍ଵାଦିକ ଦିଲ୍ଲୀପ ବିଷୋୟୀ କହିଛନ୍ତି, ୯୦ ବର୍ଷ ମଧ୍ୟରେ ଆମେ ଅବହେଳାର ଶିକାର ହୋଇଛୁ । ଓଡ଼ିଶା ନିଜ କ୍ଷମତା ବଳରେ ବିକାଶଶୀଳ ରାଜ୍ୟରେ ପରିଣତ ହୋଇଛି । ଖାଦ୍ୟାଭାବୁ କେହି ମରୁ ନଥିବେ, ଚିକିତ୍ସା ଅଭାବରୁ କେହି ଯନ୍ତ୍ରଣା ପାଉ ନଥିବେ । ସେମିତି ରାଜ୍ୟ ଯଦି ଆମେ ଦେଖିପାରିବା, ସେତେବେଳେ ଆମେ ବିକଶିତ ରାଜ୍ୟ କହି ପାରିବା ।

ସେହପରି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ୨୦୩୬ ପାଇଁ ବିକାଶର ନକ୍ସା ପ୍ରସଙ୍ଗରେ ନିଜର ମତାମତ ରଖିଥିଲେ । ଏକ ରୁଗଣ ଅର୍ଥନୈତିକ ସ୍ଥିତିରେ ଓଡ଼ିଶା ଜନ୍ମ ନେଇଥିଲା । ଏବେ ବଳକା ରାଜ୍ୟରେ ଓଡ଼ିଶା ପରିଣତ ହୋଇଛି । ୨୦୩୬ ବଜେଟର ଆକଳନ ଯାହା ହେଉଛି ୩୨ ଲକ୍ଷ କୋଟିରୁ ୩୫ କୋଟି ଭିତରେ ଖର୍ଚ୍ଚ ହେବ । ଆଜିବି ଓଡ଼ିଶା ଏକ ପ୍ରକାର ଶୋଷଣର ଶିକାର ହୋଇଚାଲିଛି । ଇଚ୍ଛାଶକ୍ତି ଓ ରୋଡମ୍ୟାପ୍ ରହିଲେ ଆମେ ଆମ ଲକ୍ଷ୍ୟ ହାସଲ କରିପାରିବା ।

ଏହି ପ୍ରସଙ୍ଗରେ ନିଜର ମତାମତ ରଖିଛନ୍ତି ସିୱାଇଏସଡି ସହ-ପ୍ରତିଷ୍ଠାତା ଜଗଦାନନ୍ଦ । ଆଜି ସାରା ଦେଶରେ ମୁଣ୍ଡପିଛା କାର୍ବନ ଏମିସନ ଓଡ଼ିଶାରେ ସର୍ବାଧିକ । ୨୦୩୨ ବେଳକୁ ଚରମ ସୀମାରେ ପହଞ୍ଚିଥିବ ସ୍ଥିତି। ଜନସଂଖ୍ୟା ବଢୁଛି କିନ୍ତୁ ଜନସଂଖ୍ୟାର ହାର କମୁଛି । ୨୦୩୬ ବେଳକୁ ୧୫ ପ୍ରତିଶତରୁ ଅଧିକ ଲୋକ ୬୦ ବର୍ଷରୁ ଅଧିକା ହୋଇଥିବେ । ବିକଶିତ ଓଡ଼ିଶାରେ ଭଲ ବାସସ୍ଥାନର ଆବଶ୍ୟକତା ଅଛି । ଦୁର୍ବିପାକ ପ୍ରତିରୋଧର ଘରର ଆବଶ୍ୟକ ରହିଛି । ମହିଳାଙ୍କ ସୁରକ୍ଷିତ ସ୍ଵାସ୍ଥ୍ୟ ଓ ନିରାପତ୍ତା ବିକାଶର ଆଉ ଏକ ଚିତ୍ର । ଖଣି, ଖାଦାନକୁ ଆମେ ପର ପୀଢି ପାଇ ସଂରକ୍ଷିତ କରି ରଖିବାକୁ ପଡ଼ିବ । ପରିବେଶର ସୁରକ୍ଷା ମଧ୍ୟ ବିକଶିତ ଓଡ଼ିଶାର ଆଉ ଏକ ଦିଗ ବୋଲି ସେ କହିଥିଲେ ।

ନନ୍ଦିଘୋଷ ଟିିଭିର ସ୍ବନକ୍ଷତ୍ର ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ମାନସ ମଙ୍ଗରାଜ

ଭୁବେନଶ୍ବର: ଆଜି ନନ୍ଦିଘୋଷ ଟିଭିର ସ୍ବନକ୍ଷତ୍ର ଦିବସ ଅବସରରେ ଜାତି ନନ୍ଦିଘୋଷ କନକ୍ଲେଭ ୨୦୨୫ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଂସଦ ମାନସ ମଙ୍ଗରାଜ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରିଥିଲେ । ନବୀନଙ୍କ ପରି ଜଣେ ରାଷ୍ଟ୍ରନାୟକଙ୍କ ପାଇଁ ଏହି ମୁହୂର୍ତ୍ତ ନିଶ୍ଚିତ ଭାବେ ଏକ ନିଆରା ଥିଲା । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅତିଥି ଓ ଟିଭି ତଥା ସୋସିଆଲ ମିଡ଼ିଆରେ ଏହି କାର୍ଯ୍ୟକ୍ରମକୁ ଦେଖୁଥିବା ଦର୍ଶକ କିଛି ମୁହୂର୍ତ୍ତ ପାଇଁ ଭାବପ୍ରବଣ ହୋଇଉଠିଥିଲେ । ଆଜି ବି ନବୀନଙ୍କ ପ୍ରତି କୋଟି କୋଟି ଓଡ଼ିଶାବାସୀଙ୍କର ରହିଛି ଅତୁଟ ଭଲପାଇବା । ଏହା ପୁଣି ଥରେ ହୋଇଛି ପ୍ରମାଣିତ ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜୟ ଜଗନ୍ନାଥରୁ ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ନନ୍ଦିଘୋଷ ଟିଭିର ଜାତି ନନ୍ଦିଘୋଷରେ ଯୋଗ ଦେଇ ବହୁତ ଖୁସି ବୋଲି କହିଥିଲେ ନବୀନ। ନନ୍ଦିଘୋଷ ଶବ୍ଦ ଓଡ଼ିଆ ଜାତିର ସମ୍ପର୍କର ଭାବପ୍ରବଣତା ରହିଛି। ନନ୍ଦିଘୋଷ ନାମ ନେଲେ ମହାପ୍ରଭୁଙ୍କ ରୂପ ଆଖି ଆଗକୁ ଆସିଯାଏ। ଆଶା କରୁଛି ନନ୍ଦିଘୋଷ ଟିଭି ଲୋକଙ୍କ ଓଡ଼ିଆ ଲୋକଙ୍କ ବିକାଶ ଯାତ୍ରାକୁ ଆହୁରି ଆଗକୁ ନେବାରେ ସହାୟକ ଭୂମିକା ନେବ ବୋଲି କହିଥିଲେ ନବୀନ। ଗଣତନ୍ତ୍ରରେ ଗଣମାଧ୍ୟମ ହେଉଛି ଲୋକଙ୍କ ସ୍ଵର। ଲୋକଙ୍କ ସ୍ଵାର୍ଥ ପାଇଁ ଗଣମାଧ୍ୟମ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ। ସମସ୍ତ ଚାପ ସତ୍ଵେ ସତ୍ୟର ପ୍ରତୀକ ଭାବେ ଗଣମାଧ୍ୟମ ରହିବା ଆବଶ୍ୟକ। ମିଛ ଓ ଭୁଲ୍ ଖବର ଲୋକଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମ ଦୂରରେ ରହିବା ଆବଶ୍ୟକ ବୋଲି କହିଥିଲେ ନବୀନ।

ଜାତି ନନ୍ଦିଘୋଷ କନକ୍ଲେଭ୍ -୨୦୨୫ରେ ଯୋଗଦେଇ ସ୍ଵାଗତ ଭାଷଣ ରଖିଥିଲେ ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନୱର ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ।  ଏହି ଅବସରରେ ନନ୍ଦିଘୋଷ ଟିଭି ଓ ସକାଳ ଖବରକାଗଜ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ । ପ୍ରଶାସନରେ ଥିବା ତୃଟି ଓ ବିଚ୍ୟୁତିର ସକାରାତ୍ମକ ସମାଧାନ ପାଇଁ କାର୍ଯ୍ୟ କରିବୁ। ଏହି ପଣକୁ ସାକାର କରିବାକୁ ନନ୍ଦିଘୋଷ ଟିଭି ଆରମ୍ଭ ହୋଇଥିଲା ଓ ପରେ ସକାଳ ସମ୍ବାଦପତ୍ର ପ୍ରକାଶ ପାଇଥିଲା। ସମାଜର ଶେଷ ଧାଡ଼ିର ଲୋକଙ୍କ ନିକଟରେ ପହଞ୍ଚି ପାରିଛୁ। ପ୍ରତିଟି ଲୋକଙ୍କ କଥା ଦର୍ଶକ ଓ ପାଠକଙ୍କ ନିକଟରେ ପହଞ୍ଚାଇବାରେ କେତେକ ସଫଳ ହୋଇଛୁ। ସବୁ ଘାତ ପ୍ରତିଘାତ ସତ୍ଵେ ଓଡ଼ିଶାର ସ୍ଵର ଭାବେ ପରିଣତ ହୋଇଛି ବୋଲି କହିଥିଲେ ନନ୍ଦିଘୋଷ ଟିଭି ଓ ସକାଳ ଖବରକାଗଜ ଅଧ୍ୟକ୍ଷ ମାନସ ମଙ୍ଗରାଜ।

ନନ୍ଦିଘୋଷ ଟିଭିର ପଞ୍ଚମ ସ୍ବନକ୍ଷତ୍ର ଉତ୍ସବ: ଜାତି ନନ୍ଦିଘୋଷ କନକ୍ଲେଭ ୨୦୨୫କୁ ଉଦଘାଟନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନନ୍ଦିଘୋଷ ଟିଭିର ପଞ୍ଚମ ସ୍ବନକ୍ଷତ୍ର ଆଜି । ଏହି ଅବସରରେ ’ଜାତି ନନ୍ଦିଘୋଷ’ କନକ୍ଲେଭ କାର୍ଯ୍ୟକ୍ରମକୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିବିଶେଷଙ୍କୁ ନବୀନ ସମ୍ମାନିତ କରିଥିଲେ ।  ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇଥିଲେ ।

ନିଜ ବକ୍ତବ୍ୟରେ ନବୀନ କହିଥିଲେ,  ନନ୍ଦିଘୋଷ କନକ୍ଲେଭରେ ଯୋଗଦେଇ ମୁଁ ବହୁତ ଖୁସି ଅନୁଭବ କରୁଛି । ଓଡ଼ିଆ ଜାତିର ବିକାଶ ଯାତ୍ରାକୁ ନନ୍ଦିଘୋଷ ଟିଭି ଆହୁରି ଆଗକୁ ନେବ । ମିଡ଼ିଆ ହେଉଛି ଗଣତନ୍ତ୍ରର ଏକ ପ୍ରମୁଖ ମାଧ୍ୟମ । ତେଣୁ ଲୋକଙ୍କ ସ୍ବାର୍ଥ ପାଇଁ ମିଡ଼ିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ । କିଛି ସମୟ ପାଇଁ ସତକୁ ଲୁଚାଇ ହେବ, ହେଲେ ସବୁ ସମୟରେ ନୁହେଁ । ଆଜିର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ନନ୍ଦିଘୋଷ ଟିଭି ଓ ‘ସକାଳ’ ପରିବାରକୁ ଅଶେଷ ଅଶେଷ ଧନ୍ୟବାଦ । ଏଥିସହିତ ସ୍ୱରହୀନଙ୍କ ସ୍ୱର ହେବାକୁ କନକ୍ଲେଭରେ ଗଣମାଧ୍ୟମକୁ ପରାମର୍ଶ  ଦେଇଥିଲେ ନବୀନ ।

କାର୍ଯ୍ୟକ୍ରମରେ ନାଟ୍ୟକାର ଓ ଗବେଷକ ରମେଶ ପ୍ରସାଦ ପାଣିଗ୍ରାହୀ, ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ପ୍ରଶାନ୍ତ ନନ୍ଦ, ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସୂଚନା କମିଶନର ପୂର୍ବତନ ସଦସ୍ୟ ଦିଲ୍ଲୀପ ବିଶୋଇ, ହକି ଖେଳାଳୀ ତଥା ଅଲମ୍ପିୟାନ ନମିତା ଟପୋ, ହାଇଟେକ୍ ମେଡିକାଲର ଗ୍ରୁପ୍ ସିଇଓ ସୁରେଶ କୁମାର ପାଣିଗ୍ରାହୀ, ଗବେଷକ ତଥା ମହାକାଶ ବିଜ୍ଞାନୀ ଶୁଭେନ୍ଦୁ ମୋହନ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ ଶ୍ରୀ ପଟ୍ଟନାୟକ ।

କାର୍ଯ୍ୟକ୍ରମରେ ୫ଟି ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଜାତି ନନ୍ଦିଘୋଷ କନକ୍ଲେଭ, ବିତର୍କ: ୩୬ ପାଇଁ ବିକାଶ ନକ୍ସା, ନାରୀ: କେବଳ ଦୁଇଟି ଅକ୍ଷର ନୁହେଁ, ୟୁଟ୍ୟୁବ ରୋଜଗାରର ମାଧ୍ୟମ, ହାସ୍ୟ ଅଭିନୟ; ଦିଗବଳୟ ଯାଏ, ଏକ ରାଷ୍ଟ୍ର ଏକ ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରାଯିବ । ରାଜନୈତିକ ପ୍ରସଙ୍ଗରେ ଅତିଥି ବକ୍ତା ଭାବେ ସି-ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ, ବିଶିଷ୍ଟ ଲେଖିକା ତଥା ରାଜ୍ୟସଭା ସାଂସଦ ଡ. ମହୁଆ ମାଜି ଯୋଗଦେଇଥିଲେ । ସାଂସଦ ମାନସ ମଙ୍ଗରାଜ ନନ୍ଦିଘୋଷ ଟିଭିର ୫ ବର୍ଷର ସଫଳତା ବଖାଣିଥିଲେ । କାର୍ଯ୍ୟକ୍ରମରେ ନନ୍ଦିଘୋଷ ଟିଭି COO ଜବର ସିଂହ ପନଓ୍ବର, ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଯୋଗ ଦେଇଥିଲେ ।

ଅନ୍ୟାନ୍ୟ ପ୍ରସଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାନେଲ ଆଲୋଚନାରେ ବଲିଉଡ ହାସ୍ୟ ଅଭିନେତା ବରୁଣ ଶର୍ମା, ସିଓ୍ବାଇଏସଡି ସହ-ପ୍ରତିଷ୍ଠାତା ଜଗଦାନନ୍ଦ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ, ବିଏମସି ମେୟର ସୁଲୋଚନା ଦାସ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ବିଧାୟିକା ସୋଫିଆ ଫିରଦୋଶ, ଡିଜିଟାଲ କ୍ରିଏଟର ସୁଧାଂଶୁ ଶେଖର ସାହୁ, ସୁଶ୍ରୀସଙ୍ଗୀତା ମିଶ୍ର, ସତ୍ୟନାରାୟଣ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।

ପାରାଦୀପରେ ଚୋରା କୋଇଲା କାରବାର: କମ୍ପାନୀକୁ ଯାଉଥିବା କୋଇଲାକୁ ଦୁର୍ବୃତ୍ତ ବିକ୍ରି କରୁଥିବା ଅଭିଯୋଗ

ପାରାଦୀପ: ପାରାଦୀପରେ ଚୋରା କୋଇଲା କାରବାର । ପାରାଦୀପ ବନ୍ଦରରୁ ଟ୍ରେନ୍ ଯୋଗେ ବିଭିନ୍ନ କମ୍ପାନୀକୁ ଯାଉଥିବା କୋଇଲାକୁ କିଛି ଦୁର୍ବୃତ୍ତ ଅଧା ବାଟରେ କାଢି ନେଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଗତ ୨ ତାରିଖ ରାତିରେ ପାରାଦୀପ ସିଜୁ ରେଲୱେ ଷ୍ଟେସନ ନିକଟରେ କିଛି ବ୍ୟକ୍ତି କୋଇଲା କାଢିଥିଲେ । ଖବର ପାଇବା ପରେ ରେଲୱେ ସୁରକ୍ଷା ବଳ ସେଠାରେ ପହଞ୍ଚି ପାଖାପାଖି ୫ ଟନର କୋଇଲା ଉଦ୍ଧାର କରିଥିବା ବେଳେ ଗୋଟିଏ ବାଇକ ଜବତ କରିଥିଲେ । ଏହି ଘଟଣା ପରେ ରେଲୱେ କ୍ରାଇମବ୍ରାଞ୍ଚ ପାରାଦୀପର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଦୋଛକି ନିକଟ ଏକ ପାଲ ଘେରା ଘରୁ ୩୦ ଟନ୍ ଚୋରା କୋଇଲା ଓ ତେଲ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ଗତକାଲି ପୋଲିସ ସହାୟତାରେ କ୍ରାଇମବ୍ରାଞ୍ଚ ଟିମ ପାରାଦୀପ ଅଠରବାଙ୍କି ନିକଟ କଲୋନୀରୁ ବିପୁଳ ପରିମାଣର ରୋଚା କୋଇଲା ଜବତ କରିଛି । ଜବତ କୋଇଲାକୁ ବନ୍ଦର ସିଆଇଏସ‌ଫ ଓ କ୍ରାଇମବ୍ରାଞ୍ଚ ଉପସ୍ଥିତିରେ ମୂଲ୍ୟ ଆକଳନ କରାଯିବ ବୋଲି ସୂଚନା ମିଳିଛି ।

ବୋଲେରୋ ଓ ବସ ମଧ୍ୟରେ ଧକ୍କା: ଚାଲିଗଲା ୧୦ ଶ୍ରଦ୍ଧାଳୁଙ୍କ ଜୀବନ, ୧୯ ଜଣ ଗୁରୁତର

ପ୍ରୟାଗରାଜ: ଉତ୍ତରପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା। ବୋଲେରୋ ଓ ବସ ମଧ୍ୟରେ ଧକ୍କାରେ ଚାଲିଗଲା ୧୦ ଶ୍ରଦ୍ଧାଳୁଙ୍କ ଜୀବନ। ୧୯ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ମିର୍ଜାପୁର- ପ୍ରୟାଗରାଜ ଜାତୀୟ ରାଜପଥରେ ଘଟିଛି ଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମହାକୁମ୍ଭ ଲାଗି ଛତିଶଗଡ଼ରୁ ପ୍ରୟାଗରାଜ ଆସୁଥିଲେ ଶ୍ରଦ୍ଧାଳୁ। ଦୁର୍ଘଟଣାରେ ବୋଲେରୋ ଛିନଛତ୍ର ହୋଇଯାଇଛି। ଦୁର୍ଘଟଣା ପରେ କାନ୍ଦ ରଡ଼ିରେ ଫାଟି ପଡିଥିଲା ପରିବେଶ। ଲୋକେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଗତକାଲି ମଧ୍ୟରାତ୍ରି ୧୨ ସମୟରେ ଘଟିଥିଲା ଏ ଭୟଙ୍କର ଦୁର୍ଘଟଣା। ମିର୍ଜାପୁର-ପ୍ରୟାଗରାଜର ମେଜା ଥାନା ଅଞ୍ଚଳରେ ଘଟିଛି ଏ ଦୁର୍ଘଟଣା। ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

ଭୁବନେଶ୍ଵର ଲୋୟର୍ ପିଏମଜିରେ ତୃତୀୟ ଦିନରେ ମିଶନ ଶକ୍ତି ମହିଳାଙ୍କ ଗର୍ଜନ

ଭୁବନେଶ୍ବର: ଭୁବନେଶ୍ଵର ଲୋୟର୍ ପିଏମଜିରେ ତୃତୀୟ ଦିନରେ ମିଶନ ଶକ୍ତି ମହିଳାଙ୍କ ଗର୍ଜନ। ସ୍ଥାୟୀ ନିଯୁକ୍ତି ଦାବିରେ ନାରାବାଜି କରୁଛନ୍ତି । ହଜାର ହଜାର ସଂଖ୍ୟାରେ ମହିଳା ଅହୋରାତ୍ର ଧାରଣାରେ ବସିବା ପରେ ବି ସରକାର ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଓଡ଼ିଶା ଜୀବିକା ମିଶନ ଓ ମିଶନଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ହଜାର ହଜାର ମହିଳା । ଏହା ସହିତ ବକେୟା ଭତ୍ତା ପ୍ରଦାନ ସହ ମିଶନଶକ୍ତି ଏବଂ ଜୀବିକା ମିଶନରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ କରିବା, ମିଶନଶକ୍ତି ବିଭାଗ ରାଜ୍ୟର ସମସ୍ତ ମହିଳାଙ୍କ ଜୀବିକା ଅର୍ଜନର ରାହାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ମହିଳା ଦାବି କରିଛନ୍ତି ।

୧୧୭ କେଜି ବେଆଇନ ଗଞ୍ଜେଇ ସମେତ ଗଞ୍ଜେଇ ପ୍ୟାକିଂ ସାମଗ୍ରୀ ଜବତ: ଜଣେ ଗିରଫ

ବାଲିଗୁଡ଼ା: ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ଘଟଣାସ୍ଥଳରୁ ୧୧୭ କେଜି ବେଆଇନ ଗଞ୍ଜେଇ ସମେତ ଗଞ୍ଜେଇ ପ୍ୟାକିଂ ସାମଗ୍ରୀ ଜବତ ହୋଇଛି । ଏହାସହ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତ ଅଞ୍ଚଳରୁ ଛତିଶଗଡ଼ ରାଜ୍ୟକୁ ଚୋରା ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି । ଏହି ସମୟରେ ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ତିନି ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏନେଇ ବାଲିଗୁଡ଼ା ଥାନାରେ ଏକ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଚଳାଇଛି । ଏହି ଚଢ଼ାଉରେ ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ୍ କୁମାର ସ୍ବାଇଁ ଓ ତୁମୁଡ଼ିବନ୍ଧ ଥାନା ଭାରପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ପୁର୍ଣ୍ଣ ସହଯୋଗ କରିଥିଲେ ।

WPL ଇତିହାସର ସବୁଠାରୁ ବଡ଼ ରନଚେଜ: ପ୍ରଥମ ଥର ୨୦୦ ରନ୍ ଟାର୍ଗେଟକୁ ଚେଜ୍ କଲା RCB

ବଦୋଦରା: WPL ୨୦୨୫ରେ ଗତକାଲି ଖେଳାଯାଇଥିବା ମୁକାବିଲାରେ ବଡ଼ ରୋମାଞ୍ଚ ଦେଖିବାକୁ ମିଳିଥିଲା । ବଦୋଦରାର କୋଟାମ୍ବୀ ଷ୍ଟାଡିୟମରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାରୁରୁ ଓ ଗୁଜରାଟ ଜାଏଣ୍ଟସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ବଡ଼ ରେକର୍ଡ ସ୍ଥାପିତ ହୋଇଥିଲା । ଏହି ମ୍ୟାଚରେ ଆରସିବି ପ୍ରତିପକ୍ଷ ଗୁଜରାଟକୁ ୬ ଓ୍ବିକେଟରେ ହରାଇ ଦେଇଥିଲା । ମ୍ୟାଚରେ ଆରସିବି ବଡ଼ ରେକର୍ଡ ହାସଲ କରିଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦୨ ରନର ଟାର୍ଗେଟ ଦେଇଥିଲା । ଆରସିବି ୯ଟି ବଲ ବାକି ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା ।

WPL ଇତିହାସରେ ପ୍ରଥମ ଥର କୌଣସି ଟିମ୍ ୨୦୦ରୁ ଅଧିକ ଟାର୍ଗେଟକୁ ଚେଜ କରିଥିଲା । ଆରସିବିର ବିଜୟରେ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ ରିଚା ଘୋଷ ୨୭ଟି ବଲରୁ ୬୪ ରନ୍ ସଂଗ୍ରହ କରି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ନିଜ ପାଳିରେ ୪ଟି ଛକା ଓ ୭ଟି ଚୌକା ମାରିଥିଲେ । ସେହିପରି ଏଲିସ ପେରୀ ୩୪ଟି ବଲରୁ ୫୭ ରନ୍ ସଂଗ୍ରହ କରି ଦଳକୁ ବିଜୟର ନିକଟତର କରାଇଥିଲେ । କନିକା ଆହୁଜା ଓ ରିଜା ଘୋଷ ମିଶି ୯୩ ରନର ପାର୍ଟନଶିପ କରିଥିଲେ । ବଡ଼ ସ୍କୋର କରିଥିଲେ ହେଁ ଏହି ମ୍ୟାଚରେ ଗୁଜରାଟର କୌଣସି ବୋଲରଙ୍କ ବୋଲିଂ କାମ କରିନଥିଲା ।

ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ଫାଟକରେ ଝୁଲିଲା ତାଲା: ଧାରଣାରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ

ଜଗତସିଂହପୁର: ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲ ଫାଟକରେ ଝୁଲିଲା ତାଲା । ଧାରଣାରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଶିକ୍ଷା ବିଭାଗ ଅଧୀନରେ ରହିଛି ବୈଦେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିଥାନ୍ତି। ବିଦ୍ୟାଳୟରେ ୭୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ପାଠ ପଢ଼ାଉଛନ୍ତି । ଯାହାଫଳରେ ଶିକ୍ଷାଦାନରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଛାତ୍ରଛାତ୍ରୀମାନେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଆବଶ୍ୟକ ଶିକ୍ଷକ ପଦ ପୂରଣ ହେଉନାହିଁ। ଯାହାକୁ ନେଇ ତିର୍ତ୍ତୋଲ ଦାଇଁଲୋ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବୃଦ୍ଧି ପାଇଛି । ଗତକାଲି ସ୍କୁଲ ଫାଟକରେ ତାଲା ପାକଇ ଧାରଣାରେ ବସି ରହିଛନ୍ତି ଛାତ୍ରଛାତ୍ରୀ ଓ ଅବିଭାବକମାନେ । ଯେପର୍ଯ୍ୟନ୍ତ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ ନହୋଇଛି ସେପର୍ଯ୍ୟନ୍ତ ସ୍କୁଲ ଫାଟକରେ ତାଲା ଝୁଲିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।